• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏବେ ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସାଂଘାଇ କୋପରେସନ୍‌ ଅରଗାନାଇଜେସନ୍‌ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ଉଜ୍‌ବେକିସ୍ତାନ ଯାଇଛନ୍ତି । ତେବେ ଏହି ସମ୍ମିଳନୀରେ ଏକ ଦୃଶ୍ୟ ଲକ୍ଷ କରାଯାଇଛି । ଯାହାକୁ ନେଇ ଏବେ ପୁରା ଦେଶରେ ଚର୍ଚ୍ଚା ଚାଲିଛି ।

ଏହି ଉଚ୍ଚସ୍ତରୀୟ ସମ୍ମିଳନୀରେ ବିଭିନ୍ନ ଦେଶର ମୁଖ୍ୟ ଯୋଗଦେଇଛନ୍ତି । ଋଷ ରାଷ୍ଟ୍ରପତି ଭ୍ଲାଦ୍‌ମିର ପୁଟିନ୍‌ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ ଚୀନ୍‌ ରାଷ୍ଟ୍ରପତି ସି.ଜିନ୍‌ ପିଙ୍ଗ୍‌ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ଅନ୍ୟପଟେ ତୁର୍କୀର ରାଷ୍ଟ୍ରପତି ଟାଇପ୍‌ ଏର୍‌ଡୋଗାନ୍‌, ଉଜ୍‌ବେକିସ୍ତାନ ପ୍ରେସିଡେଣ୍ଟ ମିର୍‌ଜିୟୋୟେଭ୍‌ ମଧ୍ୟ ଏହି ସମ୍ମିଳନୀରେ ସାମିଲ ଅଛନ୍ତି ।

 

ତେବେ ଏହି ସମ୍ମିଳନୀରେ ଅନେକ ଦେଶର ବଡ଼ ବଡ଼ ନେତାଙ୍କ ସହ ମୋଦିଙ୍କ ଭେଟ ହୋଇଛି । ମୋଦିଙ୍କୁ ସମସ୍ତେ ପ୍ରଶଂସା କରିଥିବା ମଧ୍ୟ ଦେଖାଯାଇଛି । ଏହି ସବୁ ଭିତରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଚୀନ୍‌ ରାଷ୍ଟ୍ରପତି ସି.ଜିନ୍‌ପିଙ୍ଗ୍‌ଙ୍କ ଦୂରତା ଅବଲମ୍ବନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଶିଖର ସମ୍ମିଳନୀରେ ମୋଦି ସମସ୍ତଙ୍କ ସହ ହାତ ମେଳାଇ ବନ୍ଧୁତା ବଢ଼ାଇଥିବା ବେଳେ ସି ଜିନ୍‌ପିଙ୍ଗ୍‌ଙ୍କ ସହ ନା ହାତ ମେଳାଇଥିଲେ ନା କଥା ପଦେ ହୋଇଥିଲେ । ଏମିତିକି ଫଟୋ ସେସନ୍‌ ବେଳେ ମୋଦି ଓ ଜିନ୍‌ପିଙ୍ଗ୍‌ ପାଖାପାଖି ଠିଆ ହୋଇଥିଲେ ବି କେହି କାହାରିକୁ ଚାହିଁନଥିଲେ । କିମ୍ବା କେହି କାହାକୁ ଦେଖି ସ୍ମାଇଲ୍‌ ବି କରିନଥିଲେ ।

 

କାରଣ ଦୀର୍ଘ ଦିନ ହେବ ଗଲୱାନ୍‌ ଘାଟିରେ ଚୀନ୍ ଉତ୍ପାତ କରୁଛି । ଯାହା ଫଳରେ ଭାରତ ଓ ଚୀନ୍ ମଧ୍ୟରେ ସମ୍ପର୍କ ଅଧିକ ତିକ୍ତ ହୋଇଛି । ଖାଲି ସେତିକି ନୁହେଁ ଏହି ଘଟଣା ପରେ ଭାରତରେ ଅନେକ ଚାଇନିଜ୍‌ ଆପ୍‌କୁ ସରକାର ବ୍ୟାନ୍‌ କରିଛନ୍ତି । ତେଣୁ ଏହି ସବୁ କାରଣରୁ ମୋଦି ଜିନ୍‌ପିଙ୍ଗ୍‌ଙ୍କ ସହ ହାତ ମେଳାଇନଥିବା କିମ୍ବା ତାଙ୍କୁ ଆଭ୍ଏଡ୍‌ କରିଥିବା କୁହାଯାଉଛି । 

 

ଅନ୍ୟପଟେ ସି ଜିନ୍‌ପିଙ୍ଗ କିନ୍ତୁ ଭାରତକୁ ପ୍ରଶଂସା କରିବା ସହ ଆସନ୍ତା ବର୍ଷ ଭାରତ ସାଂଘାଇ ସହଯୋଗ ସଂଗଠନ (SCO)ର ସଭାପତି ପଦ ଗ୍ରହଣ କରିବ ଏବଂ ଏହାକୁ ଚୀନ୍‌ ସମର୍ଥନ କରିବ ‍ବୋଲି କହିଛନ୍ତି । ଖାଲି ସେତିକି ନୁହେଁ, ଆସନ୍ତା ବର୍ଷ ଏହି ସଂଗଠନର ସମ୍ମିଳନୀ ଆୟୋଜନ କରିବାରେ ଚୀନ୍‌ ଭାରତକୁ ସମର୍ଥନ କରିବ ବୋଲି କହିବା ସହ ଅଭିନନ୍ଦନ ଜଣାଇଛନ୍ତି ଜିନ୍‌ ପିଙ୍ଗ୍‌ ।

 

ସେହିଭଳି ଭାରତକୁ ସବୁ ପ୍ରକାରର ସହଯୋଗ କରାଯିବ ବୋଲି କହିଛନ୍ତି ରୁଷ ରାଷ୍ଟ୍ରପତି ପୁଟିନ । ସେ ମଧ୍ୟ ସାଂଘାଇ ସହଯୋଗ ସଂଗଠନର ନୂଆ ସଭାପତି ଭାରତକୁ ଅଭିନନ୍ଦନ ଜଣାଇବା ସହ ସମର୍ଥନ ଘୋଷଣା କରିଛନ୍ତି । ଉଜବେକିସ୍ତାନରେ ହେଉଥିବା ଏହି ସମ୍ମିଳନୀରେ ମୋଦି କହିଛନ୍ତି ଯେ, ସଂଗଠନର ସବୁ ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ପାରସ୍ପରିକ ସହଯୋଗ ଓ ଭରସାକୁ ଭାରତ ସମର୍ଥନ କରୁଛି । 

 

ସେହିପରି ଆଜି ଭାରତରେ ୭୦ ହଜାରରୁ ଅଧିକ ଷ୍ଟାର୍ଟ-ଅପ୍ ଏବଂ ୧୦୦ରୁ ଅଧିକ ୟୁନିକର୍ଣ୍ଣ ହୋଇଗଲାଣି । SCO ଦେଶମାନଙ୍କ ସହିତ ଭାରତ ମିଳିତ ଭାବେ କାର୍ଯ୍ୟ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶ୍ୱ କୋଭିଡ୍-୧୯ ମହାମାରୀକୁ କାବୁ କରୁଛି । କୋଭିଡ୍-୧୯ ଏବଂ ୟୁକ୍ରେନ୍ ସଙ୍କଟ ଯୋଗୁଁ ବୈଷୟିକ ଯୋଗାଣ ଶୃଙ୍ଖଳରେ କେତେକ ବାଧାବିଘ୍ନ ଘଟିଥିଲା । ଉତ୍ତମ ଯୋଗାଯୋଗ ନିମନ୍ତେ ଆଞ୍ଚଳିକସ୍ତରରେ ଗୋଷ୍ଠୀ କରାଯିବା ଆବଶ୍ୟକ ବୋଲି ଗୁରୁତ୍ୱ ଦେଇଛନ୍ତି ମୋଦି ।

 

ଭାରତର ପାରମ୍ପରିକ ଔଷଧ କ୍ଷେତ୍ରରେ ମଧ୍ୟ ସହଯୋଗିତା ପାଇଁ ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି । ସେ କହିଛନ୍ତି, ଡାକ୍ତରୀ ଓ ସୁସ୍ଥତା ପର୍ଯ୍ୟଟନ କ୍ଷେତ୍ରରେ ବିଶ୍ୱରେ ଭାରତ ହେଉଛି ସବୁଠୁ ଶସ୍ତା ଦେଶ । ତେଣୁ ପାରମ୍ପରିକ ଔଷଧ ନିମନ୍ତେ ଆମେ SCO ଦେଶଗୁଡ଼ିକ ସହିତ ସହଯୋଗିତା ବୃଦ୍ଧି କରିବା ଉଚିତ ବୋଲି ମୋଦି କହିଛନ୍ତି ।