• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଜଗତସିଂହପୁର, (ରିପୋର୍ଟ-ଶଶାଙ୍କ ଶେଖର ପଣ୍ଡା): ଜଗତସିଂହପୁର ଜିଲ୍ଲା ବାଲିକୁଦା ନିର୍ବାଚନ ମଣ୍ଡଳୀରୁ ୪ ଥର ଓଡ଼ିଶା ବିଧାନସଭାକୁ ପ୍ରତିନିଧିତ୍ୱ କରିଥିଲେ ଉମେଶ ସ୍ୱାଇଁ । ବାଲିକୁଦା ବ୍ଲକ ଅନ୍ତର୍ଗତ ମାଛଗାଁ ଗ୍ରାମରେ ତାଙ୍କର ଜନ୍ମ । ସେ ଛାତ୍ର ଜୀବନରୁ ଥିଲେ ଉଚ୍ଚାଭିଳାଷୀ । ପ୍ରଥମେ ସେ ଛାତ୍ର ରାଜନୀତିରେ ପ୍ରବେଶ କରି ମଧୁସୂଦନ ଆଇନ କଲେଜରେ ଛାତ୍ର ସଂସଦ ସଭାପତି ରୂପେ ନିର୍ବାଚିତ ହୋଇଥିଲେ।ଏହାପରେ ଆରମ୍ଭ ହୋଇଥିଲା ତାଙ୍କର ରାଜନୈତିକ ଯାତ୍ରା । ସେ ବିଜୁବାବୁଙ୍କ ଅନୁଗତ ଥିଲେ ।

ବିଜୁବାବୁଙ୍କୁ ଦେଇଥିଲେ ଟକ୍କର

ପ୍ରଥମେ ବାଲିକୁଦା ନିର୍ବାଚନ ମଣ୍ଡଳୀରୁ ଟିକେଟ ପାଇଁ ବିଜୁବାବୁଙ୍କ ନିକଟରେ ଦାବି ରଖିଥିଲେ । କିନ୍ତୁ ଏହି ନିର୍ବାଚନ ମଣ୍ଡଳୀରୁ ରଘୁନାଥ ମହାପାତ୍ରଙ୍କୁ ଦଳ ଚୟନ କରିବାରୁ ୧୯୭୪ ମସିହାରେ ସ୍ୱାଧୀନ ପ୍ରାଥୀ ଭାବେ ସାଇକେଲ ଚିହ୍ନରେ ନିର୍ବାଚନ ମଇଦାନକୁ ଓହ୍ଲାଇ ଥିଲେ । ସେତେବେଳେ ସେ ୫୫୭୯ ଭୋଟ ପାଇ ରାଜ୍ୟ ନେତୃବୃନ୍ଦଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଉମେଶ ସ୍ୱାଧୀନ ପ୍ରାର୍ଥୀ ହେବାରୁ ବିଜୁବାବୁଙ୍କ ସମର୍ଥିତ ପ୍ରାର୍ଥୀ ରଘୁନାଥ ମହାପାତ୍ର ହାରିଯାଇଥିଲେ। କଂଗ୍ରେସର ବରିଷ୍ଠ ନେତା ବାସୁଦେବ ମହାପାତ୍ରଙ୍କ ଜିତିବା ସହଜ ହୋଇଯାଇଥିଲା । ଏହାପରେ ବିଜୁବାବୁ ଉମେଶଙ୍କୁ ଡାକି ଦଳରେ ମିଶାଇଥିଲେ ।

1977ରେ ହୋଇଥିଲେ ବିଧାୟକ

1977 ମସିହାରେ ବିଧାୟକ ପ୍ରାର୍ଥୀ କରିଥିଲେ । ପ୍ରଥମ ଥର ଜିତି ବିଧାନସଭାକୁ ଯାଇଥିଲେ ଉମେଶ । ପରେ ୧୯୮୦ ଓ ୧୯୮୫ ବିଧାନସଭା ନିର୍ବାଚନରେ ସେ ପରାଜିତ ହୋଇଥିଲେ । ୧୯୯୦ରେ ଜ୍ୟୋତିଷ ଦାଶଙ୍କୁ ପରାଜିତ କରି ଦ୍ୱିତୀୟ ଥର ପାଇଁ ବିଧାୟକ ହୋଇଥିଲେ। ଏହାପରେ ସେ ୧୯୯୫ ନିର୍ବାଚନରେ ହାରିଯାଇଥିଲେ ।

2000ରେ ମିଶିଥିଲେ କଂଗ୍ରେସରେ

୨୦୦୦ ମସିହାରେ ସେ ବିଜେଡି ଛାଡି କଂଗ୍ରେସ ଦଳରୁ ପ୍ରାର୍ଥୀ ହୋଇଥିଲେ । ବିଜେଡି ପ୍ରାର୍ଥୀ ରଘୁନନ୍ଦନ ଦାଶଙ୍କୁ ପରାଜିତ କରିଥିଲେ । ୨୦୦୪ ରେ ପୁଣି ଥରେ ବିଧାନସଭା ନିର୍ବାଚନ ଜିତିଥିଲେ । ପରେ୨୦୦୯ ମସିହାରେ ବିଧାନସଭା କ୍ଷେତ୍ର ସୀମା ପୁନର୍ଗଠନ ହୋଇଥିଲା । ସେ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇ ହାରିଯାଇଥିଲେ । ୨୦୧୪ ମସିହାରେ ସେ କଂଗ୍ରେସ ଦଳରୁ ଇସ୍ତଫା ଦେଇ ବିଜେଡିରେ ଯୋଗଦେଇଥିଲେ । କିନ୍ତୁ ନିର୍ବାଚନ ଲଢିନଥିଲେ । ଏହାପରେ ସେ ଧୀରେଧୀରେ ସକ୍ରିୟ ରାଜନୀତିରୁ ଦୂରେଇଯାଇଥିଲେ ।

ଲୋକଙ୍କ ସୁଖଦୁଃଖରେ ରହୁଥିଲେ

ବିଧାୟକ ଥାଆନ୍ତୁ ବା ନଥାନ୍ତୁ ସେ ତଳ ମାଳର ପୁଅ ଭାବେ ବେଶ ପରିଚିତ ଥିଲେ । ଜନତାଙ୍କ ସ୍ୱାର୍ଥ ପାଇଁ ସେ ଅଫିସରମାନଙ୍କ ସହ ଝଗଡା କରିବାକୁ ପଛାଉ ନଥିଲେ। ବନ୍ୟା ବାତ୍ୟା ସମୟରେ ଲୋକମାନଙ୍କ ପାଖରେ ଛିଡାହେଉଥିଲେ । ବନ୍ଧବାଡକୁ ସୁଦୃଢ କରିବାକୁ ସେ ଦେଉଥିଲେ ଅଧିକ ଗୁରୁତ୍ୱ । ଦେବୀ ନଦୀର ବନ୍ଧକୁ ମଜବୁତ୍ କରିବାରେ ସେ ପ୍ରମୁଖ ଭୁମିକା ଗ୍ରହଣ କରିଥିଲେ ।

ଯୁବାବସ୍ଥାରେ କିଣିଥିଲେ ବସ୍

ରାଜନୀତିରେ ଖର୍ଚ୍ଚ କରିବାକୁ ପଡେ । ତେଣୁ ସେ ଏକ ବସ୍ କିଣିଥିଲେ । କୁହାଯାଏ, ବିଜୁ ଅନୁଗତମାନଙ୍କ ସହ ତାଙ୍କର ଘନିଷ୍ଠତା ଥିଲା । ତାଙ୍କ ପାଖଲୋକ କୁହନ୍ତି, ନଳିନୀ ମହାନ୍ତି ,ଶ୍ରୀକାନ୍ତ ଜେନା ଓ ଉମେଶ ସ୍ୱାଇଁଙ୍କ ମଧ୍ୟରେ ଭଲ ବନ୍ଧୁତା ଥିଲା । ଏକଦା ଏହି ତିନିଜଣ ମିଶି ସନ୍ ନାମରେ ଏକ ବସ ଚଳାଇଥିଲେ। ଏଥିରୁ ହେଉଥିବା ଲାଭ ସେ କର୍ମୀମାନଙ୍କ ପାଇଁ ଖର୍ଚ୍ଚ କରୁଥିଲେ ।