• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Jyotsna Mohapatra

କିଛି ମାସ ତଳେ ଆମର ପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ ଯକୃତରେ ଜନିତ ରୋଗରେ ପୀଡ଼ିତ ହୋଇ ବଞ୍ଚିବାକୁ ସଂଘର୍ଷ କରି ଶେଷରେ ଆମକୁ ଛାଡ଼ି ଚାଲିଗଲେ । କେବେ ଭାବିଛନ୍ତି କି ଯକୃତରେ ବି କିଛି ଏପରି ସମସ୍ୟା ହୋଇପାରେ ଯାହା ଆମର ଜୀବନ ନେଇପାରେ । ଯେଉଁମାନେ ତାଙ୍କ ମୃତ୍ୟୁ ପରେ ଟିଭି ଦେଖିଥିବେ ନିଶ୍ଚୟ ଜାଣିଥିବେ ସେ ହେପାଟାଇଟିସ୍ ସି ବା ଲିଭର ସିରୋସିସ୍ ରୋଗରେ ପୀଡ଼ିତ ଥିଲେ । ଆପଣମାନଙ୍କ ମଧ୍ୟରୁ ପ୍ରାୟ ଲୋକମାନେ ଏହି ଶବ୍ଦ ସହ ପରିଚିତ ଥିବେ । ଏହା ଯକୃତ ବା ଲିଭରର ଏପରି ଏକ ଅବସ୍ଥା ଯେଉଁଥିରେ ଏହାର କାର୍ଯ୍ୟକାରିତା ବାଧା ପାପ୍ତ ହୁଏ ଏବଂ ଚିକିତ୍ସାରେ ଡେରି ହେଲେ ଧିରେ ଧିରେ ଏହା ଆମ ଜୀବନ ନେଇଯାଏ । ଆସନ୍ତୁ ଆଜି ବିଶ୍ୱ ହେପାଟାଇଟିସ୍ ଦିବସ ଅବସରରେ ଆମେ ଆଜି ଏହି ବିଷୟରେ କଥା ହେବା ।

ଅଧିକ ପଢ଼ନ୍ତୁ: ୨୦୩୦ ସୁଦ୍ଧା ବିଶ୍ୱ ହେବ ହେପାଟାଇଟିସ୍ ମୁକ୍ତ !

ପ୍ରଥମେ ଆସନ୍ତୁ ଜାଣିବା ଯକୃତ ଆମ ଶରୀରରେ କେଉଁ କାର୍ଯ୍ୟ ନିର୍ବାହ କରିଥାଏ । ଯେପରି ଆମ ଶରୀରର ବିଭିନ୍ନ ଆଭ୍ୟନ୍ତରୀଣ ଅଂଗର ବିଭିନ୍ନ କାର୍ଯ୍ୟ ରହିଛି । ଖାଦ୍ୟ ଖାଇବାଠାରୁ ନେଇ ଖାଦ୍ୟ ପାଚନ ହେବା ଓ ସେଥିରୁ ଖାଦ୍ୟସାର ବାହାରି ଶରୀରରେ ଶୋଷିତ ହୋଇଥାଏ । ଏପରି ହେବା ଦ୍ୱାରା ଆମ ଶରୀରକୁ କାର୍ଯ୍ୟ କରିବାକୁ ଶକ୍ତି ମିଳିଥାଏ । ଲିଭର ବା ଯକୃତର କାମ ହେଉଛି ଏହା ଆମ ଶରୀରରେ ମୁଖ୍ୟତଃ ପୀତରସ ବା ପାଚକରସ କ୍ଷରିତ କରେ ଯାହା ଖାଦ୍ୟ ପାଚନରେ ସାହାଯ୍ୟ କରେ । ଏହା ସହିତ କିଛି ପ୍ରୋଟିନ୍, ଶ୍ୱେତସାର, କଲେଷ୍ଟ୍ରଲ୍‌, କିଛି ଭିଟାମିନ, ଖଣିଜ ଲବଣ ମଧ୍ୟ କ୍ଷରିତ କରେ ଯାହା ଖାଦ୍ୟ ପାଚନରେ ବ୍ୟବହୃତ ହୋଇଥାଏ । ମୋଟ ଉପରେ ଯକୃତ ଗୋଟେ ଦିନରେ ଆମ ଶରୀରର ପାଖାପାଖି ୫୦୦ ପ୍ରକାର ମେଟାବୋଲିଜମ୍ ଜଡ଼ିତ କାର୍ଯ୍ୟ କରିଥାଏ । ଯଦି କୌଣସି କାରଣରୁ ଏସବୁର କ୍ଷରଣରେ କିଛି ଅନିୟମିତତା ଦେଖାଦିଏ ତେବେ ଲିଭର ଜନିତ ସମସ୍ୟାର ସମ୍ମୁଖୀନ ହୋବାକୁ ପଡ଼ିଥାଏ ।

ଏବେ ଆସନ୍ତୁ ଜାଣିବା ହେପାଟାଇଟିସ୍ କିପରି ଲିଭରରୁ ହୁଏ । ହେପାଟାଇଟିସ୍ ହେଉଛି ଏକ ଭୂତାଣୁ ଜନିତ ରୋଗ, ଯାହା ହେପାଟାଇଟିସ୍ ନାମକ ଭୂତାଣୁ ଦ୍ୱାରା ବ୍ୟାପେ । ପାଞ୍ଚ ପ୍ରକାର ହେପାଟାଇଟିସ୍ ଥିବାବେଳେ B ଓ C ପ୍ରକାରର ହେପାଟାଇଟିସ୍ ସବୁଠାରୁ ଅଧିକ ଓ କ୍ରୋନିକ୍ ହେବାର ଦେଖାଯାଏ । ଏବେ ଆମ ଦେଶରେ ପ୍ରତି ବର୍ଷ ପ୍ରାୟ ଦଶ ଲକ୍ଷ ଲୋକ ହେପାଟାଇଟିସରେ ପ୍ରାଣ ହରାଉଛନ୍ତି । ହେପାଟାଇଟିସ୍ B ହେଉଛି ଜଣ୍ଡିସ୍ ଯେଉଁଥିରେ ଯକୃତରୁ କ୍ଷରିତ ହେଉଥିବା ବିଲିରୁବିନ୍ ବଢ଼ିଯାଇ ରକ୍ତରେ ମିଶିଥାଏ ଓ ଯକୃତରେ ପ୍ରଦାହ ଆରମ୍ଭ ହୋଇଥାଏ । ଏହା ବିଭିନ୍ନ ପ୍ରକାର ସରଳ ଚିକିତ୍ସା ଦ୍ୱାରା ଭଲ ହେଇଯାଇପାରେ । ହେପାଟାଇଟିସ୍ C ବା ଲିଭର ସିରୋସିସ୍ ନାମକ ହେଉଛି ଯକୃତର ଅନ୍ତିମ ଷ୍ଟେଜ୍ ହେପାଟାଇଟିସ୍ ଯାହା ଭଲ ହେବା ଅସମ୍ଭବ ଓ ଯକୃତ ଟ୍ରାନ୍ସପ୍ଲାଣ୍ଟ ହେଉଛି ଏହାର ଏକମାତ୍ର ବିକଳ୍ପ । ଏଥିରେ ଯକୃତରେ ଯେପରି କ୍ଷତ ସୃଷ୍ଟି ହୁଏଯାହା କେବେ ଭଲ ହୁଏ ନାହିଁ । ନବଜାତ ଶିଶୁମାନଙ୍କର ବି ଜଣ୍ଡିସ୍ ଦେଖାଯାଏ, କିନ୍ତୁ ତାହା ଅସ୍ଥାୟୀ ଓ ଚିକିତ୍ସା ଦ୍ୱାରା ୭/୮ ଦିନ ପରେ ଭଲ ହୋଇଯାଏ ।

ହେପାଟାଇଟିସ୍ B ବା ଜଣ୍ଡିସରେ ରୋଗୀର ରକ୍ତରେ ବିଲିରୁବିନ୍ ବଢ଼ିବା କାରଣରୁ ଆଖି ଓ ନଖ ହଳଦିଆ ଦେଖାଯାଏ ଏବଂ ପରିସ୍ରା ଗାଢ଼ ରଙ୍ଗର ହୋଇଥାଏ, ଯକୃତରେ ପ୍ରଦାର ହେତୁ ତଳିପେଟରେ ଯନ୍ତ୍ରଣା ହୁଏ ଏବଂ ପେଟ ଫୁଲିଯାଏ । ଏସବୁ ପ୍ରଥମିକ ଲକ୍ଷଣ ହୋଇଥାଏ । ଲିଭର ସିରୋସିସରେ ଯକୃତରେ କିଛି ଏପରି ଘା ସୃଷ୍ଟି ହୁଏ ଯାହା ଦୁରାରୋଗ୍ୟ । ସାଧାରଣ ଭାବରେ ଯକୃତ ନିଜର କୋଷ ବା ଟିସୁଗୁଡ଼ିକ ରିଜେଲେରେଟ୍ ବା ପୁନଃ ସୃଷ୍ଟି କରିବାର କ୍ଷମତା ରଖେ । କିନ୍ତୁ ଥରେ ସିରୋସିସରେ ଆକ୍ରାନ୍ତ ହେଲେ ପ୍ରଥମେ ପ୍ରଥମେ କିଛି ଅଧିକ ଲକ୍ଷଣ ଦେଖାଯାଏନାହିଁ, କିନ୍ତୁ ଧିରେ ଧିରେ ଏହା ଯକୃତକୁ ଏପରି ଆକ୍ରାନ୍ତ କରିଦେଇଥାଏ ଯେ ଯକୃତର କାର୍ଯ୍ୟପ୍ରଣାଳୀ ପୂର୍ଣ୍ଣ ବାଧପ୍ରାପ୍ତ ହୁଏ । ଏଥିରେ ନଷ୍ଟ ହୋଇଥିବା ଟିସୁଗୁଡ଼ିକ ଆଉଥରେ ତିଆରି ହୋଇପାରନ୍ତି ନାହିଁ । ମେଡିକାଲ ଭାଷାରେ ଏହାକୁ ସ୍କାରିଙ୍ଗ୍ ଅଫ୍ ଲିଭର କୁହାଯାଏ ।

ହେପାଟାଇଟିସର କାରଣ ମୁଖ୍ୟତଃ ଏହି ଭୂତାଣୁ ହେଲେ ମଧ୍ୟ ଅନେକ ବାହ୍ୟ କାରକ ମଧ୍ୟ ଏଥିପାଇଁ ଦାୟୀ । ଯେପରିକି ଆଲକହଲ ବା ମଦ୍ୟପାନ କରିବା, ଅନ୍ୟ କୌଣସି ଔଷଧର ସାଇଡ୍ ଇଫେକ୍ଟ ଯୋଗୁଁ ମଧ୍ୟ ଯକୃତ ପ୍ରଭାବିତ ହୁଏ, ବେଳେବେଳେ ଆମର ଇମ୍ୟୁନୋ ସିଷ୍ଟମ୍ ବା ରୋଗ ପ୍ରତିରୋଧକାରୀ ଶକ୍ତି ମଧ୍ୟ ଯକୃତ ଉପରେ ପ୍ରଭାବ ପକାଏ ଯାହାକୁ ଅଟୋ ଇମ୍ୟୁନୋ ଡିଜଅର୍ଡ଼ର ବୋଲି ଆମେ କହିଥାଉ । କେବଳ ରକ୍ତ ପରୀକ୍ଷା ଦ୍ୱାରା ହିଁ ଏହା ଜଣାପଡ଼େ । ଲିଭର ସିରୋସିସ୍ କ୍ଷେତ୍ରରେ ଆମର ପିତ୍ତନଳୀ ବି କ୍ଷତିଗ୍ରସ୍ତ ହୋଇଥାଏ ଓ ବ୍ଲକ୍ ହୋଇଯାଏ ଯାହା ଦ୍ୱାରା ଆମ ଖାଦ୍ୟ କିଛି ବି ହଜମ ହୋଇପାରେ ନାହିଁ । ଯଦି ସିରୋସିସ୍ ଆରମ୍ଭ ହେବା ବେଳରୁ ରୋଗୀର ରକ୍ତ ପରୀକ୍ଷା କରାଯାଏ ଓ ଯକୃତର ଅବସ୍ଥା ଅନୁସାରେ ଚିକିତ୍ସା ଆରମ୍ଭ ହୁଏ ତେବେ ଏହା ଭଲ କରାଯାଇପାରେ, କିନ୍ତୁ ପ୍ରାୟ କ୍ଷେତ୍ରରେ ଏହାର ଲକ୍ଷଣ ଖୁବ୍ କମ୍ ଥାଏ ଯାହା ରୋଗୀ ଜାଣିପାରେ ନାହିଁ ଓ ପରେ କେବଳ ଯକୃତ ଟ୍ରାନ୍ସପ୍ଲାଣ୍ଟ ହିଁ ଏକମାତ୍ର ବିକଳ୍ପ ଥାଏ ।

ଏବେ ଦେଖିବା କିପରି ଆମେ ଲିଭରକୁ ସ୍ୱସ୍ଥ ରଖି ହେପାଟାଇଟିସ୍ କବଳରୁ ମୁକ୍ତି ପାଇବା । ହେପାଟାଇଟିସ୍ ପାଇଁ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନଥିବା ବେଳେ ଆଣ୍ଟିଭଇରାଲ୍ ବା ଭୂତାଣୁ ବିରୋଧୀ ଔଷଧ ଦ୍ୱାରା ଏହାର ପ୍ରକୋପ କମ୍ କରାଯାଏ । ଶିଶୁମାନଙ୍କୁ ହେପାଟାଇଟିସ୍ Bର ଟିକା ଦିଆଯାଉଛି । କ୍ରୋନିକ୍ ସ୍ତରରେ ହେପାଟାଇଟିସ୍ Cର ଚିକିତ୍ସା ପାଇଁ ଆଣ୍ଟିଭାଇରାଲ୍ ଔଷଧ ଥେରାପି ଦିଆଯାଏ । ହେପାଟାଇଟିସ୍ ହୋଇଥିବା ବ୍ୟକ୍ତି ମାନଙ୍କର ପିଇଥିବା ପାଣି, ଖାଦ୍ୟ ଆଦି ଅନ୍ୟମାନେ ବ୍ୟବହାର କରିବା ଉଚିତ୍ ନୁହେଁ କାରଣ ଏହି ଭୂତାଣୁ ଜଳ ଦ୍ୱାରା ବାହିତ ହୁଏ । ଜଣ୍ଡିସରେ ଆକ୍ରାନ୍ତ ଥିଲେ ଆପଣ ବରଫ, ଅତ୍ୟଧିକ ଥଣ୍ଡା ପାଣି, ଅଧା ରନ୍ଧା ଖାଦ୍ୟ ଆଦି ବିଲକୁଲ ଖାଇବା ଅନୁଚିତ । ମଦ୍ୟପାନ ଠାରୁ ଦୂରେଇ ରହିଲେ ଯକୃତ ସିରେସିସର ଆଶଙ୍କା କମିଯାଇଥାଏ ।

ଏସବୁ ସତର୍କତା ସାଙ୍ଗରେ ଆପଣଙ୍କୁ ଆଉ ଏକ ମୁଖ୍ୟ କଥା ଦେଖିବାକୁ ପଡ଼ିବ ଯାହା ହେଉଛି ଆପଣଙ୍କ ଖାଦ୍ୟ । ଏହି ସମୟରେ ହୋଲୁ ଗ୍ରେନ୍ ଯେପରିକି ଓଟସ୍, ଦଲିଆ ଆଦିର ଖିରି, ଉସୁନା ଭାତ ନେବା ଜରୁରୀ । ଏହା ସହ ଆବଶ୍ୟକ ପରିମାଣରେ ଫଳ ଓ ପନିପରିବା ଯେପରିକି ଜଳୀୟ ଅଂଶଥିବା ଫଳ, ତରଭୂଜ, ପଇଡ଼ ପାଣି, ଇତ୍ୟାଦି ନେବା ଜରୁରୀ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଓ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ଏପରି ଭରି ରହିଥାଏ ଯେ ଏହା ଯକୃତ ନଷ୍ଟ ହେବାରୁ ରକ୍ଷାକରିଥାଏ । ସହଜରେ ହଜମ ହେଉଥିବା ଓ ଶ୍ୱେତସାର ବା ଷ୍ଟାର୍ଚ ଭରାଥିବା ପରିବା ଯେପରି ଆଳୁ, କନ୍ଦମୂଳ ଆଦି ଅଧିକ ଖାଇବା ଜରୁରୀ ହୋଇଥାଏ । ଫ୍ରିଜରେ ରଖାଯାଇଥିବା ଫଳ ଅପେକ୍ଷା ସତେଜ ସଙ୍ଗେ ସଙ୍ଗେ କିଣା ହେଇ ଆସିଥିବା ଫଳ ଖାଇବା ଭଲ ହୋଇଥାଏ । କ୍ଷୀର ଜାତୀୟ ଖାଦ୍ୟ ଖାଉଥିଲେ ତାହା ଫ୍ୟାଟ୍ ଫ୍ରି ବା କ୍ଷୀରରୁ ସର ବାହାର କରି ପ୍ରସ୍ତୁତ ଖାଦ୍ୟ ଖାଇପାରିବେ । ଏହା ସହ ପ୍ରଚୁର ପାଣି ପିଇବା ଖୁବ୍ ଜରୁରୀ ହୋଇଥାଏ ।

ବଜାରରେ ମିଳୁଥିବା ପ୍ରୋସେସଡ୍ ଖାଦ୍ୟ, ତେଲ ମସଲା ଯୁକ୍ତ ଖାଦ୍ୟ, ଫାଷ୍ଟ ଫୁଡ୍‌ରୁ ଏହି ସମୟରେ ନିବୃତ୍ତ ରହିବେ । ଚିନି ବା ମିଠା ଖାଦ୍ୟ ମଧ୍ୟ ଏହି ସମୟରେ ଲିଭର ପାଇଁ ଭଲ ହୋଇନଥାଏ । ମନେ ରଖନ୍ତୁ, ଫଳ ରସ ନପିଇ ଫଳକି କାଟି ଖଆଇବେ । ଫଳ ରସ ହଜମ କରିବା ଏହି ସମୟରେ ଲିଭର ପକ୍ଷେ କଷ୍ଟ ହୋଇଥାଏ । ଚା, କଫି ଆଦି କ୍ୟାଫିନ୍ ଯୁକ୍ତ ପାନୀୟ ନେବେ ନାହିଁ, କମ୍ ଲୁଣ ଖାଇବେ । ମଦ୍ୟପାନ, ସିଗାରେଟ୍ ଆଦିରୁ ସମ୍ପୂର୍ଣ୍ଣ ନିବୃତ୍ତ ରହିବା ଜରୁରୀ । ଅଳ୍ପ ପରିମାଣର ବାରମ୍ୱାର କରି ଖାଇବେ ଯେପରି ପେଟ ଖାଲି ରହିବନି ।

ଟିକିଏ ଅସାବଧାନତା ଆମ ଲିଭରକୁ କ୍ୟାନସର ଆଡ଼କୁ ଟାଣିନିଏ। ଆମ ଆଖି ଆଗରେ ଏମିତି ଅନେକ କେସ୍ ଆମେ ଦେଖୁଛେ। ଉଦାହରଣ ଦେଲେ ତ ସରିବନି। ତେବେ କୌଣସି ରୋଗ ଜଟିଳ ହେବା ଆଗରୁ ନିଜେ ଏହାର ମାରାତ୍ମକତା ବିଷୟରେ ଅବଗତ ହୋଇ ସଚେତନ ରହି ଏହି କେତୋଟି ସହଜ ଗାଇଡ୍ ଲାଇନ୍ ଅନୁସରଣ କଲେ ଏକ ସୁସ୍ଥ ଯକୃତ ନେଇ ଆମେ ସ୍ୱାସ୍ଥ୍ୟବାନ ହୋଇପାରିବା ।