ପ୍ରଧାମମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଏନ୍ଡିଏ ସରକାର ପ୍ରଥମ ଥରପାଇଁ ଜଣେ ମହିଳାଙ୍କୁ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ରାଷ୍ଟ୍ରପତି ପଦର ଆସୀନ ପାଇଁ ପ୍ରତ୍ୟାଶୀ ରୂପେ ଚୟନ କରିଛି। ପ୍ରଥମତଃ ସିଏ ଜଣେ ଜନଜାତି ସଂପ୍ରଦାୟର ମହିଳା, ପୁଣି ସେ ଯୋଗ୍ୟା ଓ ଉଚ୍ଚଶିକ୍ଷିତା। ଏତଦବ୍ୟତୀତ, ବୟସରେ ନିଜର ପ୍ରତିଦ୍ୱନ୍ଦୀଙ୍କଠାରୁ ସିଏ କୋଡିଏ ବର୍ଷ ସାନ।
ପୁନଶ୍ଚ ରାଜନୀତିରେ ବି ସେ ଜଣେ ପୁରୁଖା, ବିଚକ୍ଷଣ ମହିଳା। ଅନୁଭବୀ ମନ୍ତ୍ରୀ ତଥା ରାଜ୍ୟପାଳ ପଦବୀରେ ଅଧିଷ୍ଠିତ ରହି ପ୍ରଶାସନିକ ଅନୁଭୂତି ହାସଲ କରିବା ସଙ୍ଗେ ସଙ୍ଗେ ଗରିବୀ ପୃଷ୍ଠଭୂମୀ ଓ ଅତି ସାଧାରଣ ଲୋକଙ୍କ ପୀଡାକୁ ହାଡେ ହାଡେ ଅନୁଭବ କରିଥିବା ମହିଳା ଜଣକ ହେଉଛନ୍ତି ଶ୍ରୀମତୀ ଦୌପଦୀ ମୁର୍ମୁ। ସୁତରାଂ ନିଜ ପରିବାରରର ଅସହ୍ୟ ଦୁଃଖକଷ୍ଟ, ଅବ୍ୟକ୍ତ ଯନ୍ତ୍ରଣା ଯାତନା ତଥା ଆର୍ଥିକ ଦୁଃସ୍ଥିକୁ ଅଙ୍ଗେ ନିଭେଇବା ସହ ନିଜେ ନିରୀକ୍ଷଣ ମଧ୍ୟ କରିଛନ୍ତି ସେ।
ଲୋକମାନଙ୍କ ଭିତରେ କେବଳ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଜାଣିବାର ଉତ୍ସାହ ଉନ୍ମାଦନା ଯଦିଓ ଅବଦମିତ ତଥାପି ଯେଉଁ ସାନ୍ତାଳ ଆଦିବାସୀ ଜନଜାତି ସଂପ୍ରଦାୟରେ ସିଏ ଅନ୍ତର୍ଭୁକ୍ତ ସେ ସଂପର୍କରେ ବି ଜନସାଧାରଣ ଜାଣିବା ନିହାତି ଜରୁରୀ ମନେହୁଏ। ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରତ୍ୟାଶୀ ପ୍ରାର୍ଥୀ କରିବାରେ ଏନ୍ଡିଏ ସରକାରର ସର୍ବସମ୍ମତି ନିର୍ଣ୍ଣୟ ନିଶ୍ଚିତ ରୂପେ ସ୍ୱାଗତଯୋଗ୍ୟ। ଏହାଛଡା ଆଦିବାସୀଙ୍କ ଜୀବନ ଓ ଜୀବିକା ଉପରେ ବି ଆଲୋକପାତ କରିବା ଏ ଆଲେଖ୍ୟର ମୁଖ୍ୟ ଉଦ୍ଦେଶ୍ୟ।
ସାନ୍ତାଳର ଅର୍ଥ ସୀମା ପ୍ରାନ୍ତର ନିବାସୀ। କହିବା ନିଷ୍ପ୍ରୟୋଜନ ଯେ ରାଜସ୍ଥାନର ଜନଜାତି ସଂପ୍ରଦାୟ ସୀମାବର୍ତ୍ତୀ ଇଲାକାଗୁଡିକରେ ବସବାସ କରୁଥିଲେ। ସେମାନଙ୍କ ଉପରେ ଯେତେବେଳେ ପ୍ରଚଣ୍ଡ ଆକ୍ରମଣ ହେଲା ସେମାନେ ସେଠୁ ପ୍ରାଣ ବିକଳରେ ପଳାଇଆସି ଝାରଖଣ୍ଡ, ଆସାମ, ଓଡିଶା ଓ ପଶ୍ଚିମବଙ୍ଗ ଅନ୍ତର୍ଗତ କେତେକ ଇଲାକାରେ ବସତି ସ୍ଥାପନ କରିବାକୁ ଲାଗିଲେ।
ଏହି ପରିପ୍ରେକ୍ଷୀରେ ମହତ୍ୱପୂର୍ଣ୍ଣ କଥା ହେଉଛି ସେ ସମୟରେ ସେମାନେ ଆଗକୁ ଯେମିତି ପରସ୍ପରଠାରୁ ଅନ୍ତର ହୋଇ ପୃଥକ ପୃଥକ ନ ହୁଅନ୍ତି ଆଉ ନିଜ ସଂପ୍ରଦାୟର ଲୋକଙ୍କୁ ଚିହ୍ନନ୍ତୁ ସେଥିଲାଗି ସେମାନେ ଭାଗ ଭାଗ ହେବା ଆଗରୁ ମୁଦ୍ରାକୁ ନିଆଁରେ ଗରମ କରି ସଭିଙ୍କ ହାତରେ ଚିତା କୁଟାଉଥିଲେ। ଏହି ପରମ୍ପରା ଜନଜାତି ସଂପ୍ରଦାୟ ମଧ୍ୟରେ ଅଦ୍ୟାବଧି ପ୍ରଚଳିତ।
ସାନ୍ତାଳ ଜନଜାତି ପ୍ରଧାନତଃ ଗ୍ରାମରେ ବସବାସ କରନ୍ତି ଓ ଅନ୍ୟ ଜନଜାତି ସଂପ୍ରଦାୟର ଲୋକଙ୍କ ସହ ମିଳାମିଶା କରିଥାନ୍ତି।
ଏମାନଙ୍କ ଗାଆଁର ଆକାର ବେଶ୍ ଛୋଟ ଓ ଘର ପ୍ରାୟତଃ ମାଟିରେ ନିର୍ମିତ, ଯାହା ଉପରେ ଶୁଖିଲା ଘାସ, କୁଟାକାଠି ଓ ଖପରିଲି ହେରିକା ଛାଉଣି ହୋଇଥାଏ। ସାନ୍ତାଳ ମହିଳାମାନେ ନିଜ ଘର ପରିଷ୍କାର ପରିଛନ୍ନ ଓ ସଫାସୁତରା ରଖିବାରେ ନିଜକୁ ଗୌରବାନ୍ୱିତ ଅନୁଭବ କରିଥାନ୍ତି। ସାନ୍ତାଳି ଜନଜାତିର ପାରମ୍ପରିକ ପୋଷାକପତ୍ର ହେଉଛି କୌପୁନୀ, କଛା, ପଂଚି ବେଲଟ୍ ଓ ପାରହାଟ ଇତ୍ୟାଦି, ଯଦିଓ ଆଜିକାଲି ଏମାନେ ଆଧୁନୀକ ପୋଷାକ ପରିଧାନ କରୁଛନ୍ତି। ସେତେବେଳେ ସାନ୍ତାଳ ପୁରୁଷ ଧୋତି କୁର୍ତା ସାଙ୍ଗକୁ ପ୍ୟାଣ୍ଟ୍ ସାର୍ଟ ପରିଧାନ କରୁଥିବାବେଳେ ମହିଳାମାନଙ୍କ ପରିଧେୟ ହେଉଛି ଶାଢି, ପେଟିକୋଟ୍, ବ୍ଲାଉଜ୍ ଇତ୍ୟାଦି।
ଏବେକାର ସାନ୍ତାଳୀ ମହିଳାଙ୍କଠାରେ ଆଧୁନୀକତାର ପ୍ରଭାବ ବେଶ୍ ବାରି ହୋଇପଡେ। ସାନ୍ତାଳୀ ମହିଳା ବିଜ୍ଞାନ, ଶିକ୍ଷା, କଳା ଓ ସଂସ୍କୃତି କ୍ଷେତ୍ରରେ ନିଜର ପରିଚିତି ସୃଷ୍ଟି କରିପାରିଛନ୍ତି ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ। ସାନ୍ତାଳ ଜନଜାତି ସମ୍ପ୍ରଦାୟ ମଧ୍ୟରେ ବି ମରଣ ଉପରାନ୍ତେ ଅନ୍ୟ ହିନ୍ଦୁ ଜାତିଙ୍କ ଭଳି ଶବର ଅନ୍ତିମ ସଂସ୍କାର, ପବିତ୍ର ଗଙ୍ଗା ଜଳରେ ଅସ୍ତି ବିସର୍ଜନ ଶ୍ରାଦ୍ଧ ଆଦି ପରମ୍ପରା ମୁତାବକ ଆଚରିତ ହୋଇଥାଏ। ସାନ୍ତାଳ ଜନଜାତିଙ୍କ ଧାର୍ମିକ ଜୀବନ ସହିତ ଓତଃପ୍ରୋତ ଭାବେ ଜଡିତ ଅନେକ ଦେବଦେବୀ ତଥା ପ୍ରେତାତ୍ମାଙ୍କ ଉପରେ ଅତୁଟ ବିଶ୍ୱାସ ପର୍ବପବାଣି ଓ ଉତ୍ସବ-ମହୋତ୍ସବ।
ସ୍ୱାଧୀନତାର ଭାରତବର୍ଷରେ ଏମାନଙ୍କ ମଧ୍ୟରେ ଶିକ୍ଷାର ବ୍ୟାପକ ପ୍ରସାର ନିମନ୍ତେ ସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି। ବୈଷୟିକ ଶିକ୍ଷା ପ୍ରଦାନ କରିବା ନେଇ ପ୍ରଯୁକ୍ତିବିଦ୍ୟା ପ୍ରଶିକ୍ଷଣ ସଂସ୍ଥାନ ତଥା ପଲିଟେକ୍ନିକ୍ ସଂସ୍ଥାର ପର୍ଯ୍ୟାପ୍ତ ସୁବିଧା ବି ଉପଲବ୍ଧ। ଖାଲି ସେତିକି ନୁହେଁ, ଅଙ୍ଗନବାଡି କେନ୍ଦ୍ରଗୁଡିକ ଜରିଆରେ ତିନି ବର୍ଷରୁ ଛ’ ବର୍ଷ ଆୟୁର ବନ୍ଧନୀ ଭିତରେ ଥିବା ପିଲାଙ୍କୁ କେନ୍ଦ୍ରରେ ଅନୌପଚାରିକ ଶିକ୍ଷା ପ୍ରଦାନ କରାଯାଉଛି, ଯଦିଓ ଏବର ଶିକ୍ଷା ପ୍ରସାର ଟିକେ ମନ୍ଥର।
ରାଜନୈତକ ଦୃଷ୍ଠିକୋଣରୁ ବିଚାରିଲେ ପ୍ରତ୍ୟେକ ସାନ୍ତାଳ ଗ୍ରାମରେ ସକ୍ରିୟ ଭାବେ କାର୍ଯ୍ୟ କରୁଛି୍ ପଂଚାୟତ, ଯାହାର ପ୍ରଧାନ ମୁଖ୍ୟଙ୍କୁ ମାଧ୍ୟମ ବା ମାଂଝି ବୋଲି କୁହାଯାଏ। ଏ ପଞ୍ଚାୟତଗୁଡିକ ନିଜ କାର୍ଯ୍ୟକୁ ସ୍ୱନିୟନ୍ତ୍ରିତ କରି ଗଣତାନ୍ତ୍ରିକ ପଦ୍ଧତିରେ କାର୍ଯ୍ୟନ୍ୱୟନ କରୁଛନ୍ତି। ସାନ୍ତାଳୀ ଗ୍ରାମଗୁଡିକରେ ପରିବାର ବିଭାଜନ, ସମ୍ପତିବାଡି ବଣ୍ଟାଆର, ବିବାହ-ବିବାଦ, ତଲାଖ ଆଦିର ମିମାଂସା ଗ୍ରାମପଞ୍ଚାୟତ ମାଧ୍ୟମରେ ହୋଇଥାଏ। ଦଶ/ବାର ସରିକି ଗାଁକୁ ମିଶାଇ ଗୋଟିଏ ପ୍ରଗଣା କରାଯାଏ। ସେ ପ୍ରଗଣାର ମୁଖିଆଙ୍କୁ ସବୁ ଗ୍ରାମପଞ୍ଚାୟତର ମାଂଝି କରିଥାନ୍ତି।
ସାନ୍ତାଳ ଜନଜାତିର ଆର୍ଥିକ ମାନଦଣ୍ଡ ପ୍ରଧାନତଃ କୃଷି ଉପରେ ନିର୍ଭରଶୀଳ। ଜମି ଚାଷବାସ କାମ ମୁଖ୍ୟତଃ ପ୍ରଥମେ ମୌସୁମୀ ବର୍ଷା ଉପରେ ନିର୍ଭର କରିଥାଏ। ଆଜିକାଲି କିନ୍ତୁ ଜଳସେଚନ, କୂପ, ଚାପାକଳ, ପୋଖରୀ ନଦୀ-ନାଳ ଜରିଆରେ ବି ଚାଷବାସ କାମ ସମ୍ପନ୍ନ କରାଯାଉଛି। ତେବେ ଚାଷକାମ ପ୍ରଣାଳୀ ସମୟ ସହ ତାଳଦେଇ ଉନ୍ନତି ହୋଇନାହିଁ। କ୍ଷେତଗୁଡିକରେ ଆଧୁନୀକ ବୈଷୟିକ କୃଷି ପଦ୍ଧତିର କୌଣସି ବିଶେଷ ପ୍ରଭାବ ନଥିବା ଦେଖାଯାଏ।
ସାନ୍ତାଳ ଜନଜାତିଙ୍କର ପରବର୍ତ୍ତୀ ବ୍ୟବସାୟ ବନ୍ୟଜାତ ସାମଗ୍ରୀ ସହ ସଂଶ୍ଳିଷ୍ଟ। ଆମ ଦେଶରେ ଅନୁସୂଚିତ ଆଦିବାସୀ ସମ୍ପ୍ରଦାୟଙ୍କ ସଂଖ୍ୟା ୭୦୦ରୁ ଊର୍ଦ୍ଧ୍ୱ। ଉଲ୍ଲେଖଯୋଗ୍ୟ, ୧୯୫୧ ପରଠୁ ଆଦିବାସୀଙ୍କୁ ଭାରତ ସରକାର ଅନୁସୂଚୀତ ଜନଜାତି ରୂପେ ମାନ୍ୟତା ପ୍ରଦାନ କରିଛନ୍ତି। ଏକ ଆକଳନ ଅନୁସାରେ ଏମାନଙ୍କ ସଂଖ୍ୟା ପାଖାପାଖି ଦଶ କୋଟି ଅର୍ଥାତ ୮.୬ ପ୍ରତିଶତ।
ଅଦମ୍ୟ ସାହସ ଓ ନିର୍ଭୀକତାର ପ୍ରତୀକ ତଥା ରାଷ୍ଟ୍ରପତି ପ୍ରତ୍ୟାଶୀ ଦ୍ରୌପଦୀ ମୁର୍ମୁଙ୍କ ଜୀବନ ମହାଭାରତର ଦ୍ରୌପଦୀଙ୍କ ଭଳି ସାହସ, ସଂଘର୍ଷ ଓ ବିରତ୍ୱର ଜ୍ୱଳନ୍ତ ଉଦାହରଣ ହେତୁ ଅନ୍ୟମାନଙ୍କ ପାଇଁ ପାଲଟି ଯାଇଛନ୍ତି ପ୍ରେରଣାର ଉତ୍ସ। ସାଧାରଣତଃ ଏଭଳି ଅସ୍ୱାଭାବିକ ଓ ଦୁଃଖଦ ପରିସ୍ଥିତିରେ ଜଣେ ମହିଳା ଭାଙ୍ଗିପଡିବା କଥା, ମାତ୍ର ଦ୍ରୌପଦୀ ମୁର୍ମୁ ଜୀବନରେ କେବେ ବି ହାର ମାନିବା ଶିଖିନାହାନ୍ତି।
୯୯୯-୩, ଜଗମୋହନ ନଗର, ଜାଗମରା, ଖଣ୍ଡଗିରି
ଭୁବନେଶ୍ୱର, ଦୂରଭାଷ: ୯୪୩୮୩୩୨୧୩୮
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)