• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Dilip Sabat

ନଈକୂଳିଆ ଘର, ବରଷାକୁ ଥାଏ ଡର; ଆକାଶେ ଘୋଟିଲେ ବାଦଲ, ଛାତିରେ ପସେ ଛନକା! ଅଗଷ୍ଟ ୨୦୨୨, ଓଡିଶାବାସୀଙ୍କ ପାଇଁ ଦୁଃଖ, ଦୁର୍ଦ୍ଦଶା ଓ ଦୟନୀୟର ଦିନ। ୯ ତାରିଖରୁ ବନ୍ୟା ବିପର୍ଯ୍ୟୟର ତାଣ୍ଡବ ଦୀର୍ଘ ଦୁଇ ସପ୍ତାହ ଧରି ଲାଗି ରହିଛି। ମେ ମାସରେ ମରୁଡି ସ୍ଥିତିରେ ଥିବା ମହାନଦୀର ତଳମୁଣ୍ଡରେ ଏବେ ବନ୍ୟାର ବିଭୀଷିକା ସୃଷ୍ଟି ହୋଇଛି। ମହାନଦୀ ଏବଂ ଏହାର ଶାଖାନଦୀଗୁଡିକରେ ବନ୍ୟାଜଳ ପ୍ରବାହୀତ ହେବା ଦ୍ୱାରା ଅନେକ ଧନ ଜୀବନ ବିପନ୍ନ ହୋଇପଡିଛି।

ମହାନଦୀର ବନ୍ୟା ପାଣି ପାଖାପାଖି ୧୩ ଜିଲ୍ଲାର ଅଢେଇ ହଜାର ଗ୍ରାମ, ପ୍ରାୟ ସାଢେ ୬ ଲକ୍ଷ ଲୋକଙ୍କୁ କଲବଲ କରିଛି। ବନ୍ୟା କାଦୁଅ ଭିତରେ ବିପନ୍ନ ଚାଷ ଓ ବାସର ସ୍ୱପ୍ନ ସବୁକୁ ଖୋଜି ବୁଲୁଛି। ବନ୍ୟାରେ ବତୁରିଯାଇଥିବା ବହିବସ୍ତାନୀ ଭିତରେ ପିଲା ତା’ର ଭବିଷ୍ୟତକୁ ଉଣ୍ଡାଳୁଛି! ଖାଇବା ନାହିଁ, ପିଇବା ପାଣି ନାହିଁ କି ବିଜୁଳି ନାହିଁ। ଦିନର ସୂର୍ଯ୍ୟାଲୋକରେ ସବୁକିଛି ହରାଇବାର ଦୃଶ୍ୟ ବିପନ୍ନକୁ ଯେମିତି ଜୀବନର ଅନ୍ଧକାର ଭିତରକୁ ଠେଲି ଦେଉଛି।

ବିପତ୍ତିର ଏଭଳି ଦୁର୍ଦ୍ଦିନର ଅନ୍ତ ଘଟିବା ପୂର୍ବରୁ ପୁଣି ଏକ ବିପର୍ଯ୍ୟୟର ବିକଳ ନାଦ ଦେଇ ମାଡିଆସିଛି ସୁବର୍ଣ୍ଣରେଖାର ଭୟଙ୍କର ବନ୍ୟା ସ୍ରୋତ। ବାଲେଶ୍ୱର ଜିଲ୍ଲାର ୩ ବ୍ଲକ୍‌, ୫୧ଟି ପଞ୍ଚାୟତ ସମେତ ମୟୂରଭଞ୍ଜ ଜିଲ୍ଲାର ଅନେକ ଅଞ୍ଚଳ ବନ୍ୟାପାଣିରେ ବୁଡି ରହିଛି। ସୁବର୍ଣ୍ଣରେଖାର ବନ୍ୟା ବିତ୍ପାତ କେତେ ଯେ କ୍ଷୟକ୍ଷତି କରିବ ତା’ର ହିସାବ ନାହିଁ। ବିପର୍ଯ୍ୟୟର ପ୍ରହାର କେବଳ ବନ୍ୟା ବିପନ୍ନଙ୍କ ଜୀବନର ସାମାଜିକ, ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି ତା’ ନୁହେଁ ଏହାର ପ୍ରଭାବ ସମଗ୍ର ରାଜ୍ୟ ଉପରେ ବି ପଡିଛି। ବନ୍ୟା ପୂର୍ବରୁ ୨୦ରୁ ୪୦ ଭିତରେ ଥିବା ପନିପରିବାର କିଲୋ ପିଛା ଦର ଅଚାନକ ପାଖାପାଖି ଶହେ ପାର କରିଛି ଏବଂ ଆଗକୁ କେଉଁଠି ଅଟକିବ ତାହା ସମୟ ସାପେକ୍ଷ ।

ତେବେ ମହାନଦୀ ହେଉ କି ସୁବର୍ଣ୍ଣରେଖା ଅବା ବୈତରଣୀ; ଯେବେ ଯେବେ ଏହି ନଦୀରେ ବନ୍ୟା ଆସିଛି ଲୋକଙ୍କୁ ଦୁର୍ଦ୍ଦଶା ଭିତରକୁ ଠେଲିଦେଇଛି। ବିକାଶର ଗୋଟି ଗୋଟି ପାହାଚ ଅତିକ୍ରମ କରୁଥିବା ବିପନ୍ନଙ୍କୁ ପୁଣି ପଛରେ ପକାଇଦେଉଛି। ଦୀର୍ଘ ଦଶନ୍ଧି ଧରି ଚାଲିଆସୁଥିବା ଏହି ପ୍ରକ୍ରିୟା ୨୨ ବର୍ଷର ନୀରବଛିନ୍ନ ସ୍ଥାୟୀ ଶାସନ ପାଇଁ ଏକ ବିରାଟ ପ୍ରଶ୍ନ ଠିଆକରିଛି; ସରକାର କରିଛନ୍ତି କ’ଣ?

ନିର୍ବାଚନ ପୂର୍ବରୁ ୨୦୦୯ରେ ସୁବର୍ଣ୍ଣରେଖା ସଂସ୍କାର ଏବଂ ୨୦୧୯ରେ ମହାନଦୀ ପାଇଁ ହୋଇଥିବା ଘୋଷଣା ଏବେ ବି ସାଧାରଣରେ ପ୍ରଶ୍ନ ହୋଇ ରହିଛି ।

ନୀଳ ନଦୀ ଯେମିତି ଚୀନର ଦୁଃଖ ବୋଲି କୁହାଯାଏ ସେହିଭଳି ସୁବର୍ଣ୍ଣରେଖା ଉତ୍ତର ବାଲେଶ୍ୱରର ଚିର ସହଚର! ତେବେ ୨୦୦୮ ମସିହାରେ ଏକ ବଡ ବନ୍ୟା ଏହି ନଦୀରେ ଆସିଥିଲା। ୯୦ ହଜାରରୁ ଲକ୍ଷେ ଜଳଧାରଣ କ୍ଷମତା ରଖୁଥିବା ସୁବର୍ଣ୍ଣରେଖା ସିଷ୍ଟମ୍‌ରେ ୩.୫ ଲକ୍ଷ କ୍ୟୁସେକ ବନ୍ୟା ପାଣି ଗାଲୁଡିହି ଦେଇ ପ୍ରବାହୀତ ହେଲା । ୧୯ ଜୁନ ୨୦୦୮ ଗୃହ ମନ୍ତ୍ରଣାଳୟ ଏନିଡିଏମ୍ (ଜାତୀୟ ବିପର୍ଯ୍ୟୟ ପରିଚାଳନା) ରିପୋର୍ଟ ଅନୁସାରେ ୪ ଜିଲ୍ଲା, ୨୭୯ ଗ୍ରାମର ୯ ଲକ୍ଷ୨୧ ହଜାର ୨୮୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ୧୦୪୫୦ ଲୋକ ଗଭୀର ଭାରେ ସୁବର୍ଣ୍ଣରେଖାର ବନ୍ୟାରେ ପ୍ରବାହରେ ପ୍ରଭାବିତ ହେଲେ। ଅନେକ ଧନଜୀବନ ମଧ୍ୟ ହାନୀ ହେଲା ।

ବନ୍ୟାର ବିଭୀଷିକା ପରବର୍ତ୍ତୀ ସମୟରେ ଏକ ଜନଆନ୍ଦୋଳନ ସୃଷ୍ଟି କରିଥିଲା। ବନ୍ୟାର ସ୍ଥାୟୀ ପ୍ରତିକାର ପାଇଁ ବରିଷ୍ଠ ସାମାଜିକକର୍ମୀ ସୁଦର୍ଶନ ଦାସଙ୍କ ନେତୃତ୍ୱରେ ‘ସୁବର୍ଣ୍ଣରେଖା ସୁରକ୍ଷା ସେନା’ ବ୍ୟାନର ତଳେ ହଜାର ହଜାର ଲୋକ ଏକାଠି ହେଲେ । ନଦୀ କୂଳେ କୂଳେ ୧୬୦ କିମି ଏକ ପଦଯାତ୍ରା କରାଯାଇଥିଲା। ଏହି ଜନଆନ୍ଦୋଳନ ସରକାରଙ୍କ ଉପରେ ଚାପ ସୃଷ୍ଟି କରିଥିଲା।

ସେନାର ଦାବି ଅନୁସାରେ ରାଜ୍ୟ ସରକାର ପ୍ରାୟ ୯୭୦.୨୮ କୋଟି ଟଙ୍କାର ‘ସୁବର୍ଣ୍ଣରେଖା ସଂସ୍କାର ଯୋଜନା’ ପ୍ରକଳ୍ପ ପ୍ରସ୍ତୁତ କରି ଡିସେମ୍ବର ୨୦୦୮ରେ କେନ୍ଦ୍ର ସରକାରଙ୍କୁ ପଠାଇଲେ। ଏହାପରେ ୨୦୦୯ ସାଧାରଣ ନିର୍ବାଚନ ହେଲା। ପୁଣି ନବୀନ ସରକାର କ୍ଷମତାକୁ ଆସିଲେ। କିନ୍ତୁ ଯୋଜନାର ଅଗ୍ରଗତି କିଛି ହେଲା ନାହିଁ। ମଝିରେ କେନ୍ଦ୍ରୀୟ ଜଳ ସମ୍ପଦ ଆୟୋଗ ଏହାର ଏକ ସଂଶୋଧିତ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର୍) ପଠାଇବା ପାଇଁ ଲେଖିଥିଲେ ଏବଂ ରାଜ୍ୟ ସରକାର ପୁନର୍ବାର ୯୩୩.୧୬ କୋଟି ବଜେଟ୍‌ର ପ୍ରକଳ୍ପ ରିପୋର୍ଟ ପ୍ରଦାନ କରିଥିଲେ।

୫ ଅଗଷ୍ଟ୨୦୧୦ରେ ତତ୍କାଳୀନ ଭଦ୍ରକ ସାଂସଦ ଅର୍ଜୁନ ସେଠୀ ଲୋକସଭାରେ ଏହି ପ୍ରସଙ୍ଗ ଉଠାଇଥିଲେ। ବାସ୍ ତା’ପରେ ପ୍ରକଳ୍ପର ସ୍ଥିତି ସମ୍ପର୍କରେ କୌଣସି ଖବର ସାମ୍ନାକୁ ଆସିଲା ନାହିଁ। କୁହାଯାଉଛି ଏହି ପ୍ରକଳ୍ପ ହୋଇଥିଲେ ଏବକାର ବନ୍ୟା ଦୁର୍ଦ୍ଦଶା ବାଲେଶ୍ୱର ଓ ମୟୂରଭଞ୍ଜବାସୀଙ୍କୁ ଭୋଗିବାକୁ ପଡି ନଥାନ୍ତା। ଦୀର୍ଘ ୧୪ ବର୍ଷ ମଧ୍ୟରେ ସରକାର ଏହି ଅଞ୍ଚଳରେ ଯେତେ ବନ୍ୟା ରିଲିଫ ଦେଇଛନ୍ତି ଏବଂ ଯେତେ ଟଙ୍କା ଖର୍ଚ୍ଚ କରିଛନ୍ତି ସେହି ବଜେଟ୍‌ରେ ଅତି ସୁନ୍ଦର ଭାବରେ ଏହି ପ୍ରକଳ୍ପ କରାଯାଇ ପାରିଥାଆନ୍ତା ବୋଲି କୁହାଯାଉଛି ।

ସୁବର୍ଣ୍ଣରେଖା ଠାରୁ ବଳିଯାଇଛି ମହାନଦୀ ପ୍ରତି ଅଣଦେଖା ଓ ଉଦାସୀନତା! ‘ମହାନଦୀର ପାଣି ଓଡିଶାବାସୀଙ୍କ ହକ୍। ହକ୍ ହାସିଲ ପାଇଁ କାହା ସହିତ ସାଲିସ୍ କରାଯିବ ନାହିଁ । ମହାନଦୀ ଆମ ପରବର୍ତ୍ତୀ ପୀଢିର ସମ୍ପତ୍ତି। ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଲଢେଇ ଜାରି ରହିବ।’ ୧୭ ମଇ ୨୦୧୮ରେ ଶୁଖାସୋଢା ଓ ଚିଖିଲିରୁ ମହାନଦୀ ପାଇଁ ମହାସଂଗ୍ରାମ ଅଭିଯାନ ଆରମ୍ଭ ଅବସରରେ ଏହା ଥିଲା ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍‌ବୋଧନ।

ଛତିଶଗଡ ଉପରମୁଣ୍ଡରେ ବ୍ୟାରେଜ ନିର୍ମାଣକୁ ବିରୋଧକରି ଶାସକ ଦଳ ରାଜ୍ୟବ୍ୟାପୀ ମହାନଦୀ କଳସଯାତ୍ରା, ମହାନଦୀ ମହାସଂଗ୍ରାମ, ମହାନଦୀ ସୁରକ୍ଷା ସଚେତନତା ଅଭିଯାନ, ସବୁଜ ମହାନଦୀ ରଥ ଆଦି ବିଭିନ୍ନ କାର୍ଯ୍ୟକ୍ରମ କଲା। ମହାନଦୀ ଆମର ମାଆ, ଏହାର ପାଣି ଉପରେ ଓଡିଶାବାସୀଙ୍କ ସମ୍ପୂର୍ଣ୍ଣ ଅଧିକାର ରହିଛି ବୋଲି ବିଜେଡି କହିବା ସହି ଛତିଶଗଡର ତତ୍କାଳୀନ ରମଣସିଂହ ସରକାର ଏବଂ କେନ୍ଦ୍ର ସରକାରଙ୍କୁ କଡା ସମାଲୋଚନା କରିଥିଲା।

୫ ହଜାର କୋଟି ଟଙ୍କା ଖର୍ଚ୍ଚରେ ମହାନଦୀ ଅବବାହିକାରେ ୨କୋଟି ଗଛ ଲାଗିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କଲେ। ଗଛ ଦ୍ୱାରା ଜଳଧାରଣ କ୍ଷମତା ବଢିବ ଏବଂ ମହାନଦୀ କ୍ଷୟକୁ ରୋକାଯାଇପାରିବ ବୋଲି ସେ କହିଥିଲେ। ୧୨ ମଇ ୨୦୧୮ରେ ତତ୍କାଳୀନ ଜଳସମ୍ପଦ ସଚିବ ପ୍ରଦୀପ ଜେନା ମହାନଦୀ ତଳମୁଣ୍ଡରେ ୭ଟି ବ୍ୟାରେଜ୍ ଓ ୨୨ଟି ଚେକଡ୍ୟାମ୍ ନିର୍ମାଣ କରିବାକୁ ଗଣମାଧ୍ୟମକୁ ସୂଚନା ଦେଲେ। ହେଲେ ସବୁଜ ମହାନଦୀ ମିଶନରେ କେତେ ଗଛ ଲାଗିଲା, ବ୍ୟାରେଜ କାହିଁକି ହେଲାନି, ଡ୍ୟାମ୍ କ’ଣ ହେଲା ଏସବୁ ଏବେ ବି ପ୍ରଶ୍ନବାଚୀ ହୋଇ ରହିଛି।

ଇତିମଧ୍ୟରେ ୨୦୧୯ ନିର୍ବାଚନ ସରି ସରକାରୀ ଦଳ ବିଜେଡି ୨୦୨୪ ପାଇଁ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିସାରିଲାଣି। ଏବେକାର ମହାନଦୀ ବନ୍ୟା ପରିସ୍ଥିତିକୁ ମିଶାଇ ୨୦୧୮ରୁ ୨୦୨୨ ମଧ୍ୟରେ ବନ୍ୟା ଆସିଲାଣି। ଲକ୍ଷ ଲକ୍ଷ ଲୋକ ବନ୍ୟାକଷ୍ଟ ଭୋଗୁଛନ୍ତି। ସରକାର ରିଲିଫ ଘୋଷଣା ବ୍ୟତୀତ କୌଣସି ସ୍ଥାୟୀ ପ୍ରତିକାର କରିବାରେ ଅସଫଳ ହୋଇଛନ୍ତି। ଆଜି ଯେଉଁ ମହାନଦୀ ବନ୍ୟାର ତାଣ୍ଡବଲୀଳା ଦେଖାଦେଇଛି, ଦୁଇମାସ ପୂର୍ବରୁ ମଇ ୧୯ରେ ମରୁଡି ସ୍ଥିତି ଦେଖାଯାଇଥିଲା।

ଭାରତୀୟ ଜଳ ପୁରୁଷ ଡ. ରାଜେନ୍ଦ୍ର ସିଂହ କଲମା ବ୍ୟାରେଜ ଠାରେ ଠିଆ ହୋଇ ଓଡିଶା ଓ ଛତିଶଗଡର ଚିତ୍ର ଦେଖାଇଥିଲେ। ବ୍ୟାରେଜ୍ ସେପଟେ ସମୁଦ୍ରସମ ଭର୍ତ୍ତି ପାଣି ଲହରୀମାରୁ ଥିବାବେଳେ ଓଡିଶାପଟେ ସମ୍ପୂର୍ଣ୍ଣ ଶୁଖିଲା, ମରୁଡି ସ୍ଥିତି ରହିଥିଲା। ଅତ୍ୟନ୍ତ ମର୍ମାହତ ଓ ଭାବବିଭୋର ହୋଇ ଡ. ସିଂ ଜୀବଜଗତ ଓ ଚାଷୀମାନଙ୍କ ପାଇଁ ଅନ୍ତତଃ ୫ଟି ଗେଟ୍ ୫ ଇଞ୍ଚ ଖୋଲିବାକୁ ଅନୁରୋଧ କଲେ। ଛତିଶଗଡ ନିକଟରେ ଏହି ଅନୁରୋଧ ରଖିବା ପାଇଁ ଓଡିଶା ସରକାରଙ୍କୁ ମଧ୍ୟ ସେ ନିବେଦନ କଲେ।

ରାଜଧାନୀରେ ଦିନିକିଆ ଅନାହାର ଅନସନ ମଧ୍ୟ କଲେ। ହେଲେ କିଛି ସୁଫଳ ମିଳିଲା ନାହିଁ। ତେବେ ଆଉ କେତେଦିନ ଧରି ବର୍ଷା, ବନ୍ୟାର ପ୍ରହାରରେ ଓଡିଶାବାସୀ ହନ୍ତସନ୍ତ ଆଉ ଛଟପଟ ହେବେ? ଏହାର ସ୍ଥାୟୀ ପ୍ରତିକାର ହେବ ନା ପୂର୍ବ ଭଳି ନିର୍ବାଚନୀ ପ୍ରସଙ୍ଗ ଓ ଘୋଷଣା ପାଇଁ ଖୋରାକ୍ ଯୋଗାଇବ ଏବେ ବି ପ୍ରଶ୍ନବାଚୀ।