• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Dilip Sabat

ପିଇବା ପାଣିର ସମସ୍ୟା, ବିଜୁଳି ବିଭ୍ରାଟରେ ପୂରା ଖରାଦିନ ବିତିଗଲା; ସରକାର କାଠେଇଗଲେ। ଆଜି ଟମାଟୋ କିଲୋ ୧୦୦ ଟଙ୍କାରେ ପହଞ୍ଚିଛି। ବର୍ଷ ବର୍ଷ ଧରି ସରକାର ଶୀତଳଭଣ୍ଡାର କଥା ଭଣ୍ଡେଇ ଚାଲିଲେ! ସହରରେ ବେସରକାରୀ ଶିକ୍ଷା ଓ ସ୍ୱାସ୍ଥ୍ୟର ମାଳ ମାଳ କୋଠା ମାଡିଚାଲିଛି। ଗାଁରେ ଶିକ୍ଷକ, ଡାକ୍ତର ଓ ଭିତ୍ତିଭୂମି ଅଭାବରେ ଲୋକେ ଦଳି ହେଉଛନ୍ତି।

ଦୀର୍ଘ ବର୍ଷ ଧରି ଏମିତି ସମସ୍ୟା ଲାଗି ରହିଛି ଯାହା ଆଜିର ଦେଖାଯାଉଥିବା ‘୫-ଟି’ ବିକାଶର ନୂଆ ଯାତ୍ରା ସହିତ ସେଭଳି କୌଣସି ସମ୍ପର୍କ ନଥିବା ଭଳି ଲାଗୁଛି। ‘୫-ଜି’ ଯୁଗରେ ଓଡିଶାରେ ‘୫-ଟି’ର ଯେଉଁ ବିକାଶ ଘଟୁଛି ତାହା ରାଉରକେଲା ବିଶ୍ୱସ୍ତରୀୟ ହକି ଷ୍ଟାଡିୟମର ଏକ ସାମାନ୍ୟ ଉଦାହରଣ ହୋଇପାରେ; ଯେଉଁଠି ସାମାନ୍ୟ ବୈଶାଖି ପବନରେ ପ୍ରତିମୂର୍ତ୍ତି ଟଳିପଡିବା ସୋସିଆଲ ମିଡିଆରେ ସମାଲୋଚନାର ଶୀକାର ହୋଇଛି।

ଦୀର୍ଘ ୨୩ ବର୍ଷ ଶାସନ କ୍ଷମତାରେ ଥିବା ନବୀନ ସରକାରଙ୍କ ପଞ୍ଚମ ପାଳିର ସମୟ ସରି ସରି ଯାଉଛି। ଆଉ ମାତ୍ର କେଇଟା ମାସ ପରେ ଓଡ଼ିଶାରେ ହେବ ୨୦୨୪ ସାଧାରଣ ନିର୍ବାଚନ। ଇତିମଧ୍ୟରେ ରାଜ୍ୟରେ ଭିନ୍ନ ଏକ ଚିତ୍ର ଦେଖିବାକୁ ମିଳୁଛି! ‘୫-ଟି’ ସଚିବଙ୍କ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ରାଜ୍ୟରେ ଚହଳ ସୃଷ୍ଟି କରିଛି।

ବାସ୍ତବରେ ଓଡିଶା ସରକାରରେ ଜଣେ ଆଇଏଏସ୍ ଅଧିକାରୀ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ରାଜ୍ୟର ବିଭିନ୍ନ ଅଞ୍ଚଳ ଗସ୍ତ କରିବା ଏବଂ ସେଠାରେ ଆୟୋଜିତ ବିଶାଳ ଜନସମାବେଶକୁ ସମ୍ବୋଧିତ କରିବା ଦେଖାଯାଉଛି। ସଚିବ ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି, ପ୍ରକଳ୍ପଗୁଡିକର ଭିତ୍ତିପ୍ରସ୍ତର ସ୍ଥାପନ କରୁଛନ୍ତି ଆଉ କୋଟି କୋଟି ଟଙ୍କା ଘୋଷଣା ମଧ୍ୟ କରୁଛନ୍ତି। ୪ ବର୍ଷର ସମସ୍ୟା ମାତ୍ର ୪ ଘଣ୍ଟାରେ ସମାଧାନ ହୋଇଯାଉଛି।

ତେବେ ସଚିବଙ୍କ ଏହି ଗସ୍ତକୁ ନେଇ ରାଜନୈତିକ ହଟଚମଟ ମଧ୍ୟ ସୃଷ୍ଟି ହୋଇଛି। ବିରୋଧୀ ବିଜେପି ଓ କଂଗ୍ରେସ ତୀବ୍ର ବିରୋଧ କରୁଛନ୍ତି। ବିରୋଧୀ ଏହାକୁ ଅସାମ୍ବିଧାନୀକ ଏବଂ ସଚିବଙ୍କ ‘ରାଜନୈତିକ ଗସ୍ତ’ ବୋଲି ଅଭିଯୋଗ କରିଛି। କେବଳ ବିରୋଧୀ ନୁହଁନ୍ତି; ଏହି ଗସ୍ତକୁ ଖୋଦ ବିଜେଡିର କିଛି ନେତା ମଧ୍ୟ ନାପସନ୍ଦ କରିଛନ୍ତି। ଏଭଳି କି ବିଜେଡିର ରାଜ୍ୟ ସାଧାରଣ ସମ୍ପାଦକ ଶ୍ୟାମ ପ୍ରସାଦ ବେହେରା ଏହି କାରଣରୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ମଧ୍ୟ ଦେଇଥିବା କୁହାଯାଉଛି।

ତେବେ ଅନ୍ୟପକ୍ଷରେ ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଓ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସଚିବଙ୍କ ସପକ୍ଷରେ ଆସି ଯୁକ୍ତି ବାଢିଛନ୍ତି। ସେମାନେ କହିଛନ୍ତି ଯଦି ସରକାର ଲୋକଙ୍କ ପାଖରେ ପହଞ୍ଚି ପାରୁଛି ତାହେଲେ ଅସୁବିଧା କେଉଁଠି ରହିଲା? କେଉଁଠି ସାମ୍ବିଧାନୀକ ସଂକଟ ସୃଷ୍ଟି ହେଲା ବୁଝାପଡୁନି ବୋଲି ବିଜେଡି ଉତ୍ତର ରଖିଛି। ପ୍ରସନ୍ନ କହିଲେ ୫ ପାଳି ଧରି ନବୀନ କାହିଁକି ବିଶ୍ୱାସପ୍ରକଟ କରିଛନ୍ତି; କାରଣ ଆମର ଏକମାତ୍ର ଧର୍ମ ହେଉଛି ବିକାଶ, ବିକାଶ ଆଉ ବିକାଶ।

ଏହି ସମୟରେ ବର୍ଷ ବର୍ଷ ଧରି ଲାଗିରହିଥିବା ସମସ୍ୟାଗୁଡିକୁ ନେଇ ରାଜ୍ୟବାସୀଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ଲାଗିରହିଛି। ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ, ବିଜୁଳି, ପାଣି, ଚାଷ, ଦାଦନ, ନିଯୁକ୍ତି, ପରିବେଶ, ଦୁର୍ନୀତି, ସୁରକ୍ଷା, ଅପରାଧ ଆଦି ଅନେକ ସମସ୍ୟା ଲୋକମାନଙ୍କ ମଧ୍ୟରେ ଲହଡି ମାରୁଛି। ତେବେ ନବୀନଙ୍କ ପଞ୍ଚମ ପାଳିର ଶେଷ ଭାଗରେ ବର୍ତ୍ତମାନ ତାଙ୍କ ବ୍ୟକ୍ତିଗତ ସଚିବ ବିଭିନ୍ନ ଜିଲ୍ଲା ଗସ୍ତକରି ବିକାଶର ଯାତ୍ରା ଆରମ୍ଭ କରିଛନ୍ତି।

ବିକାଶର ଏହି ଯାତ୍ରାରେ ଲୋକଙ୍କ ଏହି ମୌଳିକ ସମସ୍ୟାର ସମାଧାନର ସୂତ୍ର ବାହାରିବା ବିଶେଷ ଲକ୍ଷ୍ୟ କରାଯାଇ ନାହିଁ। ତେବେ ଏହା ନୁହଁ ଯେ ଲୋକଙ୍କ ସମସ୍ୟା ସହିତ ସଚିବ ଅବଗତ ନୁହଁନ୍ତି!

ଓଡିଶା ରାଜନୀତିରେ ସୃଷ୍ଟି ହୋଇଥିବା ଏକ ‘ଚହଳ’ ଏବେ କ୍ରମଶଃ ‘କମ୍ପନ’ର ରୂପ ଧାରଣ କରିଛି। ଏହି ‘କମ୍ପନ’ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ‘୫-ଟି’ସଚିବଙ୍କ ରାଜ୍ୟର ବିଭିନ୍ନ ନିର୍ବାଚନମଣ୍ଡଳୀ ଗସ୍ତକୁ ନେଇ ସୃଷ୍ଟି ହୋଇଛି। ବିଗତ ଦିନରେ ଯେଉଁ ପ୍ରଶ୍ନ ବା ପ୍ରସଙ୍ଗ ଉଠାଇବାକୁ କିଛି ବିରୋଧୀଦଳ ନେତା କୁନ୍ଥୁକୁନ୍ତୁ ହେଉଥିଲେ; ଏବେ କିନ୍ତୁ ସିଧାସଳଖ ଆକ୍ରମଣ କଲେଣି।

ଜୁଲାଇ ୨୦୧୯ରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ‘୫-ଟି’ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯିବା ପରଠାରୁ ରାଜ୍ୟରେ କାଁ ଭାଁ ଆଲୋଚନା ଓ ପ୍ରତିକ୍ରିୟା ଦେଖାଦେଇଥିଲା। ଏହାପରେ ରୂପାନ୍ତରୀକରଣ, ସୌନ୍ଦର୍ଯ୍ୟକରଣ ଆଦି ପ୍ରସଙ୍ଗରେ ବିରୋଧୀ ମୁହଁ ଖୋଲିଲେ। ତେବେ ରାଜ୍ୟ ବିଧାନସଭାରେ ସିଧାସଳଖ ‘୫-ଟି’ ସଚିବ ପ୍ରସଙ୍ଗରେ ଉଠିଲା ଉତ୍ତଜେନା!

ବିଜେପି ବିଧାୟକ ତଥା ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର ପ୍ରଥମ କରି ସିଧାସଳକ ‘୫-ଟି’ ସଚିବଙ୍କୁ ଟାର୍ଗେଟ୍‌ କରିଥିଲେ। ବିଧାନସଭା ଆରମ୍ଭରୁ ଲଗାତର ଏକାଧିକ ଦିବସ ଧରି ଏ ପ୍ରସଙ୍ଗରେ ସରକାରଙ୍କୁ ଘେରିବା ନେଇ ଗୃହ ଭିତରେ ଓ ବାହାରେ ଉତ୍ତେଜନା ସ୍ଥିତି ସୃଷ୍ଟି ହୋଇଥିଲା।

ଏଭଳି କି ଗୃହ ବାରମ୍ବାର ମୁଲତବୀ ମଧ୍ୟ ହେଲା। ଶ୍ରୀ ମିଶ୍ରଙ୍କ ପ୍ରଶ୍ନ ଥିଲା, ‘୫-ଟି’ କ’ଣ; ଏହା ଏକ ବିଭାଗ କି? ଏହାର ଅଫିସ୍‌ କେଉଁଠି? ଏହାର ମନ୍ତ୍ରୀ କିଏ ଏବଂ ଏହି ବିଭାଗ କାହା ପାଖରେ ଉତ୍ତରଦାୟୀ? ସେ ସବୁ ବିଭାଗର ‘ମାଲିକ’ ରହିବେ ଅଥଚ କାହାପାଖେ ଉତ୍ତରଦାୟୀ ନୁହଁନ୍ତି? ଏହା ଏକ ବିଚିତ୍ର ବ୍ୟବସ୍ଥା। ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା; ସମସ୍ତେ ଉତ୍ତରଦାୟୀ! ଅଥଚ ‘୫-ଟି’ କାହାପାଖେ ଉତ୍ତରଦାୟୀ ତାହା ଜଣାପଡୁ ନାହିଁ। ତେଣୁ ‘୫-ଟି’ ନେଇ ସରକାର ସ୍ପଷ୍ଟିକରଣ ରଖିବା ଆବଶ୍ୟକ ବୋଲି  ବିରୋଧୀ ଦଳ ନେତା ଶ୍ରୀ ମିଶ୍ର ଦାବିକଲେ।

ତେବେ ‘୫-ଟି’ ଏକ ଚିନ୍ତାଧାରା, ବିଚାରଧାରା ଓ ସିଏମ୍ଓ (ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳାୟ) ବୋଲି ଶାସକ ବିଜେଡିର ବିଧାୟକ ତଥା ସଦସ୍ୟମାନେ ପ୍ରତିକ୍ରିୟା ରଖିବା ସହିତ ବିରୋଧୀଙ୍କୁ ‘୫-ଟି ଭୂତ’ ଲାଗିଛି ବୋଲି କହିଲେ। ଯାହାର ପାଲଟା ପ୍ରଶ୍ନରେ ଶ୍ରୀ ମିଶ୍ର ପଚାରିଲେ, ଏକ ଚିନ୍ତାଧାରା ସଚିବ ହେବେ କେମିତି? 

ସେହିଭଳି କଂଗ୍ରେସ ଦଳ ନେତା ତଥା ବିଧାୟକ ନରସିଂହ ମିଶ୍ର କହିଲେ ‘୫-ଟି’ ସରକାରୀ ଘୋଷଣାନାମାରେ ଥାଇପାରେ କିନ୍ତୁ ସରକାରୀ ରୁଲ୍ସ ଆଣ୍ଡ୍‌ ବିଜନେସ୍‌କୁ ସେ ସୁପର୍‌ସିଡ୍‌ କରିପାରିବ ନାହିଁ। ‘୫-ଟି’ର ବିଭାଗ ନାହିଁ କି ସେ ଦାୟିତ୍ୱରେ କୌଣସି ମନ୍ତ୍ରୀ ନାହାଁନ୍ତି। ଅତଏବ ସେ ବିଭାଗ ବା ବ୍ୟକ୍ତି ବିଧାନସଭାରେ ଉତ୍ତରଦାୟୀ ନୁହଁନ୍ତି, ଏହା ଗଣତନ୍ତ୍ର ପ୍ରତି ଅଶୋଭନୀୟ।

ମଝିରେ ମଝିରେ କଂଗ୍ରେସର ଅନ୍ୟ ନେତାମାନେ ମଧ୍ୟ ‘୫-ଟି’ଙ୍କ ନାଁ ନ ନେଇ ପ୍ରତିବାଦ କରିଛନ୍ତି। ରାଜ୍ୟ ସରକାରଙ୍କର ପୂର୍ବତନ ଶାସନ ସଚିବ ବିଜୟ ପଟ୍ଟନାୟକ କଂଗ୍ରେସରେ ଯୋଗଦେବା ପରେ ଏହି ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ ‘୫-ଟି’ ଏକ ସ୍ଲୋଗାନ। ଯଦି ସବୁ ବିଭାଗ ସଠିକ ଭାବରେ କାର୍ଯ୍ୟ କରିବ ତା’ହେଲେ ଏ ‘ଟି’ର ଆବଶ୍ୟକ କଣ?

ଗତ ଦୁଇ ସପ୍ତାହ ହେଲା ‘୫-ଟି’ ସଚିବ, ରାଜ୍ୟ ରାଜନୀତିର ମୁଖ୍ୟ ପ୍ରସଙ୍ଗ ଭାବରେ ଅବତରଣ ହୋଇଛି। ବାସ୍ତବରେ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ଏହି ପ୍ରସଙ୍ଗରେ ଦେଇଥିବା କଡା ମନ୍ତବ୍ୟ ରାଜନୈତିକ ମହଲରେ ପ୍ରଳୟ ସୃଷ୍ଟିକରିଛି । ଶ୍ରୀମତୀ ଷଡଙ୍ଗୀ ସଚିବଙ୍କ ଗସ୍ତକୁ ସର୍ବଭାରତୀୟ ପ୍ରଶାସନିକ ସେବା ନିୟମାବଳୀର ଖୋଲା ଉଲଙ୍ଘନ, ସଚିବ ସରକାରୀ ଚାକିରିରେ ରହି ରାଜନୈତିକ କାର୍ଯ୍ୟ ତୁଲାଇବା, ଅଣଓଡ଼ିଆ ଠିକା ସଂସ୍ଥାଗୁଡିକୁ ଅଧିକ ଅନୁକମ୍ପା ଦେଖାଇବା ଆଦି ଅଭିଯୋଗ ଆଣିଛନ୍ତି।

ଏ ବାବଦରେ କେନ୍ଦ୍ର ସରକାରଙ୍କ ନିକଟରେ ଫେରାଦ ମଧ୍ୟ ଦେଇଛନ୍ତି। କେନ୍ଦ୍ର ସରକାର ଏହାର ଜବାବ ରାଜ୍ୟ ସରକାରଙ୍କୁ ମାଗିଛନ୍ତି। ସେପଟେ ସମାନ ଅଭିଯୋଗ ଆଣିଛି କଂଗ୍ରେସ। ସଚିବଙ୍କ ଗସ୍ତକୁ ସଫଳ କରିବା ପାଇଁ ମନ୍ତ୍ରୀ ବାଉଁଶ ପୋତି ଟେଣ୍ଟ୍‌ ବାନ୍ଧୁଥିବା ଦଳର ମୁଖପାତ୍ର ସୁଦର୍ଶନ ଦାସ ମନ୍ତବ୍ୟ ରଖିବା ସହିତ ସଚିବ ମନ୍ତ୍ରୀଙ୍କ ତଳେ ନା ଉପରେ ବୋଲି ପ୍ରଶ୍ନ କରିଛନ୍ତି । ‘୫-ଟି’ ସଚିବ ବିଜେଡିର ନେତା ନା ସରକାରୀ ଅଧିକାରୀ; କେଉଁ ବୈଧାନିକ କ୍ଷମତାରେ ଜଳେଶ୍ୱର ଆସୁଛନ୍ତି? ସଚିବ ବଡ ନା ମନ୍ତ୍ରୀ? ଏହା ସହିତ କେନ୍ଦ୍ରରେ ଥିବା ବିଜେପି ସରକାରଙ୍କୁ ମଧ୍ୟ ଶ୍ରୀ ଦାସ ଟାର୍ଗେଟ୍‌ କରିଛନ୍ତି।

ତାଙ୍କ କହିବାନୁସାରେ, ସଚିବଙ୍କ ବିରୋଧରେ ପଦକ୍ଷେପ ନେବାକୁ ତ କେନ୍ଦ୍ରକୁ ଗୋଟେ କ୍ଷଣ ମଧ୍ୟ ଲାଗିବ ନାହିଁ । କେନ୍ଦ୍ର ଆକ୍ସନ ନେଉନି କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି।

ଇମେଲ୍: dksawat@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)