• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Ipsita Pradhan

ହୁଏତ ଆପଣଙ୍କର ମନେଥିବ, ଆଗରୁ ମୋର ଆଉ ଗୋଟିଏ ଲେଖାରେ (ଆଡୋଲୋସେନ୍ସ ସମୟର ସମସ୍ୟା ଓ ସମାଧାନ; ୦୮/୦୧/୨୨) ମୁଁ ଲେଖିଥିଲି ଯେ, ମନୋରୋଗ ଚିକିତ୍ସକଙ୍କ ମତରେ କିଶୋରାବସ୍ଥାରେ ମଣିଷ ଉଚ୍ଚାଭିଳାଷୀ, ଦିବାସ୍ୱପ୍ନ ଦେଖିବା ସହ ସାଧାରଣତଃ ଦୁଃସାହସୀ ଭାବ ପ୍ରଦର୍ଶନ କରିଥାଏ। ଏହି ବୟସରେ ମଣିଷ ଖୁବ ଶୀଘ୍ର ଉତ୍ତେଜିତ ହୋଇଯାଏ, ତା’ ମନରେ ଅସୀମ ଶକ୍ତିର ସଞ୍ଚାର ଘଟେ। ଆଉ ଠିକ୍ ଏଇ ବୟସରେ ହିଁ ଅନେକ ପ୍ରଥମଥର ପାଇଁ ପ୍ରେମକୁ ଅନୁଭବ କରନ୍ତି ଆଉ heart breakକୁ ବି।

ଆପଣଙ୍କ ପାଇଁ ଏହା ଗ୍ରୀଷ୍ମ ପ୍ରବାହ ପରି ଏକ କ୍ଷଣିକ ଭାବପ୍ରବଣତା ହେଉ କିମ୍ବା ଆପଣଙ୍କ କିଶୋର ସନ୍ତାନ ପାଇଁ ତା'ର ପ୍ରଥମ ପ୍ରେମ ହେଉ, ଗୋଟିଏ ସମ୍ପର୍କ ଭାଙ୍ଗିବା ସବୁବେଳେ ହିଁ ହୃଦୟ ବିଦାରକ ହୋଇଥାଏ। ଏଇ ଅଳ୍ପ ଦିନ ଭିତରେ କିଶୋର ଓ ଯୁବକ-ଯୁବତୀଙ୍କ ପ୍ରେମଜନିତ ଆତ୍ମହତ୍ୟାର ଖବର ଆମେ ପ୍ରାୟ ସବୁଦିନ ଦେଖୁଛେ। ହେଲେ ବାପା-ମା'ମାନେ ନିଜ କିଶୋର ସନ୍ତାନର ଏଇ ପ୍ରଥମ ବ୍ରେକ୍-ଅପ୍‌କୁ ଗୋଟିଏ ସୁଯୋଗ ହିସାବରେ ବ୍ୟବହାର କରି ତାକୁ ତା’ର ଭବିଷ୍ୟତରେ ଏମିତି emotional traumaକୁ ସାମ୍ନା କରିବା ଓ ଅନ୍ୟ ଅପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତ କରିପାରିବେ।

ଏଇଟା ହିଁ ତାକୁ ଶିଖାଇବାର ପ୍ରକୃଷ୍ଟ ସମୟ ଯେ ସମସ୍ୟାର ସମାଧାନ ପାଇଁ ଧୈର୍ଯ୍ୟ ହିଁ ସବୁଠୁ ବେଶୀ ଜରୁରୀ ଓ ଅନ୍ୟ କ୍ଷତ ପରି ଏ heart breakଟା ଅଳ୍ପ ଦିନ ପରେ ଭରିଯିବ। ତା' ହେଲେ ଚାଲନ୍ତୁ ଆଲୋଚନା କରିବା, କେମିତି ମ୍ୟାନେଜ୍‌ କରିବେ ନିଜ କିଶୋର ସନ୍ତାନର breakup କୁ:

ଭାବପ୍ରବଣତାକୁ ସମ୍ମାନ ଦିଅନ୍ତୁ:

ହୁଏତ ଆପଣଙ୍କ ବୟସ ଓ ଅନୁଭବ ଆପଣଙ୍କୁ ଶିଖେଇ ଦେଇଛି ଯେ, ପରୀ କାହାଣୀର "happily ever after" ଗୋଟିଏ ଧାରଣା ମାତ୍ର। ସେମିତି ବାସ୍ତବରେ ହୁଏନି। କିନ୍ତୁ ଆପଣଙ୍କ ସନ୍ତାନ ପାଇଁ ଏହା ଏବେ ବି ଗୋଟିଏ ସତ୍ୟ। ହୁଏତ ଆପଣଙ୍କ ପାଇଁ ଏ ସମ୍ପର୍କର କିଛି ଅର୍ଥ ନଥାଇ ପାରେ କିନ୍ତୁ ଆପଣଙ୍କ ସନ୍ତାନ ସଦ୍ୟ ତା'ର ପ୍ରଥମ ପ୍ରେମ ହରାଇଛି।

ତେଣୁ ବିଲକୁଲ ବି ତାକୁ ଉପଦେଶ ଦେବା କିମ୍ବା ବିରକ୍ତ ହୋଇ ପାଠପଢା ଉପରେ ଧ୍ୟାନ ଦେବାକୁ କହିବା ଆଦି ଅଭ୍ୟାସରୁ ନିଜକୁ ରୋକନ୍ତୁ। ଏମତି କରିବା ଦ୍ୱାରା ଆପଣ ନିଜ ସନ୍ତାନ ଠାରୁ ମାନସିକ ଦୂରତା ତିଆରି କରନ୍ତି ଓ ସେ ଭବିଷ୍ୟତରେ ମଧ୍ୟ ନିଜ ସମସ୍ୟା ଆପଣଙ୍କଠାରୁ ଲୁଚାଇବ। ତେଣୁ ନିଜ ସନ୍ତାନକୁ ଜଣେଇବାକୁ ଚେଷ୍ଟା କରନ୍ତୁ ଯେ, ଆପଣ ବି ତା’ breakupକୁ ନେଇ ଦୁଃଖିତ ଆଉ ପ୍ରଥମ ପ୍ରେମକୁ ଆପଣ ବୁଝନ୍ତି।

ନିଜ ସନ୍ତାନକୁ ମନ କଥା କହିବାର ଓ କାନ୍ଦିବାର ସୁଯୋଗ ଦିଅନ୍ତୁ। ଉପଦେଶ, ଦୋଷ-ଦୁର୍ବଳତା ନ ବାଛି ତାକୁ ଅଧିକ କହିବାର ସୁଯୋଗ ଦିଅନ୍ତୁ। ଏହା ଭବିଷ୍ୟତରେ ଆପଣଙ୍କର ଆପଣଙ୍କ ସନ୍ତାନର ସମ୍ବନ୍ଧକୁ ମଜବୁତ ହେବାରେ ମଧ୍ୟ ସାହାଯ୍ୟ କରିବ।

ସେମାନଙ୍କ ସହ ଅଧିକ ସମୟ ବିତାନ୍ତୁ:

ଏଇ ସମୟରେ ହୁଏତ ଆପଣଙ୍କ କିଶୋର ସନ୍ତାନ ଆପଣଙ୍କୁ ଅଧିକ ଲୋଡିପାରେ। ତେଣୁ ତାକୁ ଯଥେଷ୍ଟ ସମୟ ଦିଅନ୍ତୁ, ଦରକାର ପଡିଲେ ଅଫିସରୁ ଛୁଟି ନିଅନ୍ତୁ। ଅନେକ ସମୟରେ ଏ ପ୍ରକାର ପରିସ୍ଥିତିରେ ଦୈନନ୍ଦିନ କାମ ଓ ପରିଚିତ ପରିବେଶରୁ ଦୂରରେ ରହିବା ମନକୁ ଶାନ୍ତ କରିବାରେ ସାହାଯ୍ୟ କରେ। ନିଜ ସନ୍ତାନ ସହ ଫ୍ୟାମିଲି ପିକ୍‌ନିକ୍‌, ପାର୍ଟି ଓ ଗେଟ୍‌-ଟୁଗେଦର୍ ପ୍ଲାନ୍ କରନ୍ତୁ।

ଛୋଟ ଆଉଟି°/ ଭ୍ୟାକେସନ୍ ବା ଭ୍ରମଣରେ ଯାଆନ୍ତୁ। ନିଜ ସନ୍ତାନ ସହ ଫିଲ୍ମ/ ମୁଭି (ଇମୋସନାଲ୍ ରୋମାଣ୍ଟିକ ଡ୍ରାମା ନହୋଇ ଆକ୍ସନ/ ଆଡଭେନ୍ଚର୍ ହେଲେ ଭଲ), ଫନ୍/ ଆମ୍ୟୁଜ୍‌ମେଣ୍ଟ ପାର୍କ, ଆଉଟ୍‌ଡୋର୍‌ ଗେମ୍ ପ୍ଲାନ୍ କରନ୍ତୁ। ୟା ଛଡା ତାକୁ ଆପଣ କମ୍ୟୁନିଟି ସେଣ୍ଟର, ବୃଦ୍ଧାଶ୍ରମ, ଅନାଥାଶ୍ରମ, ପ୍ଲାଣ୍ଟେସନ୍ ପ୍ରୋଗ୍ରାମ ଆଦିକୁ ନେବା ଦ୍ୱାରା ନୂଆ ପରିସ୍ଥିତି, ଉତ୍ତେଜନା ଓ ନୂଆ କାମର ମଜା ଭିତରେ ନିଜର breakup ଉପରୁ ତା’ର ଧ୍ୟାନ ଦୂର ହୋଇପାରିବ ତଥା ସେ ନିଜକୁ ଏକୁଟିଆ ଅନୁଭବ କରିବ ନାହିଁ।

ନିଜକୁ ଆନାଲାଇଜ୍ କରିବାକୁ ସ୍ପେସ୍ ଦିଅନ୍ତୁ:

ନିଜ ପିଲାକୁ ସମୟ ଦେବାର ଅର୍ଥ ନୁହେଁ ୨୪ଘଣ୍ଟା ଆପଣ ତା' ସହ ଜଡିତ ରହିବେ। ଏମିତି କଲେ ପିଲାକୁ ଆପଣ ତା' ଉପରେ ନଜର ରଖିଲା ପରି ଲାଗିବ। ସବୁବେଳେ ତାକୁ ଜବରଦସ୍ତି ବାହାରକୁ ଟାଣିନେବା ପାଇଁ ବାଧ୍ୟ କରନ୍ତୁ ନାହିଁ। ସବୁବେଳେ ଆଡଭେନ୍ଚର୍ ପ୍ଲାନ୍ ନକରି ବେଳେବେଳେ ତା' ସହ ବସି ନୂଆ ବହି ପଢି, ଇତିହାସକୁ ନେଇ କିମ୍ବା ବିଶ୍ୱର ବର୍ତ୍ତମାନ ପରିସ୍ଥିତିକୁ ନେଇ ଆଲୋଚନା ମଧ୍ୟ କରନ୍ତୁ। ତାକୁ ତା’ ଇଚ୍ଛା ମୁତାବକ ସାଙ୍ଗ ସହ କଥା ଓ ସମୟ ବିତାଇବାକୁ ଦିଅନ୍ତୁ।

ଯେତେବେଳେ ସେ ଏକୁଟିଆ ରହିବାକୁ ଚାହୁଁଛି, ତାକୁ ଟିକେ ଏକେଲା ଛାଡନ୍ତୁ। ସବୁ କଥାରେ ଅଯଥା ଉପଦେଶ, ଉଦାହରଣ କିମ୍ବା ଉପାୟ ବତେଇବା ଜରୁରୀ ନୁହେଁ। ଏଇ ପରିସ୍ଥିତି ହିଁ ତାକୁ ଶିଖାଇବ ଯେ କେଉଁ ନିଷ୍ପତ୍ତି ନେବାକୁ ସେ ଏବେ ସକ୍ଷମ ଓ କେଉଁଟା ନୁହେଁ। ତାକୁ ଭାବିବା ଓ ଦୃଢ ହେବା ପାଇଁ ସମୟ/ ସ୍ପେସ ଦିଅନ୍ତୁ।

ନିଷ୍ପତ୍ତିକୁ ସମ୍ମାନ ଦିଅନ୍ତୁ:

ଯଦି breakupର ନିଷ୍ପତ୍ତି ଆପଣଙ୍କ ସନ୍ତାନ ନିଜେ କୌଣସି କାରଣରୁ ନେଇଥାନ୍ତି, ତେବେ ଆଗୁଆ କହି ପକାନ୍ତୁନି ଯେ "ମୁଁ କହିଥିଲି ନା, ଏ ସମ୍ପର୍କ ତୋ ପାଇଁ ଠିକ୍ ନୁହେଁ।" କିମ୍ବା ତୁରନ୍ତ ଉପଦେଶ ଦିଅନ୍ତୁନି ଯେ, "ଏମିତି ସମ୍ପର୍କ ଭାଙ୍ଗିବା ଖରାପ କି ଆଗକୁ ଏମିତି କରିବୁ ନାହିଁ।” ପ୍ରଥମେ ତା’ର ସମ୍ପୂର୍ଣ୍ଣ କଥା ଧୈର୍ଯ୍ୟର ସହ ଶୁଣନ୍ତୁ । ପିଲାଟି ମାନସିକ ସ୍ତରରେ ଟିକେ ସୁସ୍ଥ ହେଲା ପରେ ଯାଇ ନିଜର ବିଚାର ଓ ଭାବନା ରଖନ୍ତୁ। ତାକୁ ଜବରଦସ୍ତି କୌଣସି ସମ୍ପର୍କକୁ ନିଭେଇବା ବିଚାରରୁ ନିବୃତ୍ତ ରଖନ୍ତୁ।

ରୁଟିନ୍ ଜୀବନକୁ ଫେରିବାକୁ ଉତ୍ସାହିତ କରନ୍ତୁ:

ଭ୍ରମଣ ଓ ଖେଳ ସହ ନିଜ କିଶୋର ସନ୍ତାନକୁ ହୋମ୍ ୱାର୍କ, କ୍ଲାସ୍ ପ୍ରୋଜେକ୍ଟ, କମ୍ପିଟିସନ୍ ଆଦିରେ ମଧ୍ୟ ଉତ୍ସାହିତ କରନ୍ତୁ ଓ ସାଙ୍ଗରେ ରୁହନ୍ତୁ। ତା’ କ୍ଲାସ୍‌ ଓ ସାଙ୍ଗମାନଙ୍କ କଥା ଆଗ୍ରହର ସହ ଶୁଣନ୍ତୁ ଓ ନିଜ ସ୍କୁଲ ଜୀବନ ବିଷୟରେ ମଧ୍ୟ କୁହନ୍ତୁ। ତା’ର ପୁରୁଣା ହବି ଓ କ୍ରିଏଟିଭିଟି ଯେମିତିକି ଚିତ୍ର କରିବା, ପୁରୁଣା ସ୍ପୋର୍ଟ୍ସ ଗ୍ରୁପ୍‌କୁ ଫେରିବା, ଗପ-କବିତା ଲେଖିବା, କ୍ରାଫ୍ଟସ୍, ଷ୍ଟାମ୍ପ୍‌ କଲେକ୍ସନ୍‌, ପେପର୍‌ କଟି° କଲେକ୍ସନ୍‌, ହାର୍ବାରିୟମ୍‌, ଗାର୍ଡେନି°, ହୋମ୍ ଡେକର ଆଦିକୁ ଉତ୍ସାହିତ କରନ୍ତୁ। ଏସବୁ କାର୍ଯ୍ୟକଳାପ ତାକୁ ଶିଘ୍ର ପରିସ୍ଥିତି ସହ ଖାପଖୁଆଇ ଚଳିବା ଓ ସାମାନ୍ୟ ହେବାରେ ସାହାଯ୍ୟ କରିବା ସହ ତା ମନୋବଳ ମଧ୍ୟ ବଢାଇବ ଯେ, ଏବେବି ଆପଣଙ୍କ ପାଇଁ ସେ ଗୁରୁତ୍ୱପୂର୍ଣ୍ଣ।"

ଟେକ୍ନୋଲୋଜୀ ଓ ସୋସିଆଲ ମିଡ଼ିଆ:

ଏବେ ଆବାଳବୃଦ୍ଧବନିତା ନିଜ ଦୈନନ୍ଦିନ ବ୍ୟାପାରକୁ ତୁରନ୍ତ ସୋସିଆଲ ମିଡିଆରେ ଷ୍ଟାଟସ୍ ହିସାବରେ ଅପଡେଟ୍ କରୁଛନ୍ତି। ତେଣୁ ନଜର ରଖିବା ସହ ତାକୁ ବୁଝାନ୍ତୁ ଯେ ନିଜର breakupର ଷ୍ଟାଟସ୍ କୌଣସି ସୋସିଆଲ ମିଡ଼ିଆରେ ଅପଲୋଡ୍‌ ନ କରିବା ପାଇଁ। ଆପଣଙ୍କ ସନ୍ତାନ ଯଦିଓ love and breakup ଦୁଇଟି ଯାକ ଦେଖିସାରିଲାଣି, ସେ ଏବେବି ଆପଣଙ୍କ ପରି ବୁଦ୍ଧି, ବିଚାର ଓ ଧୈର୍ଯ୍ୟର (matured) ସହ ଗୋଟିଏ ସମ୍ପର୍କକୁ ଶେଷ କରିବା ଶିଖିନି।

ତେଣୁ ନିଜ ସମ୍ପର୍କର ଖରାପ ଓ ପର୍ସନାଲ୍ ଦିଗଗୁଡିକୁ ଓ ନିଜ ବନ୍ଧୁର ଦୁର୍ଗୁଣଗୁଡିକୁ ଅପଲୋଡ଼ କରି ସେମାନେ ଦୁଇଜଣ ହିଁ ଲୋକହସା ହେବା ସହ ଏହା ସେମାନଙ୍କ ଭବିଷ୍ୟତ ଉପରେ ମଧ୍ୟ କୁପ୍ରଭାବ ପକାଇବ ତାକୁ ବୁଝାନ୍ତୁ। ୟା ସହ କିଛି ଦିନ କିମ୍ବା ସପ୍ତାହ ସୋସିଆଲ ମିଡ଼ିଆରୁ ଦୂରେଇ ରହିବାକୁ କୁହନ୍ତୁ।

ମୁଡ୍‌ ସ୍ୱିଙ୍ଗ୍ ପାଇଁ ପ୍ରସ୍ତୁତ ରୁହନ୍ତୁ:

ଭ୍ରମଣ, ଖେଳକୁଦ, ଚିତ୍ର, ଫିଲ୍ମ, ପାର୍ଟି ଏସବୁ ପରେ ନିଜ ପାଠପଢା ଓ ବାକି କାମ ଠିକ ଓ ସାମାନ୍ୟ ଭାବେ କରୁଥିବା ଆପଣଙ୍କ ସନ୍ତାନ ହଠାତ କନ୍ଦାକଟା କରିବା, ଉତ୍ତେଜିତ ହେବା, ଫିଙ୍ଗାଫୋପଡା କରିବା ଆଦି କରିପାରେ କିମ୍ବା ଏକଦମ୍ ଗୁମ୍‌ସୁମ୍‌ ହୋଇଯାଇପାରେ। ଏହା ମଣିଷର ସ୍ୱାଭାବିକ ଓ ପ୍ରାକୃତିକ ବ୍ୟବହାର। ଏଥିରେ ବ୍ୟସ୍ତ ବିବ୍ରତ ହେବାରେ କିଛି ନାହିଁ। ରିଆକ୍ଟିଭ୍ ନହୋଇ ନିଜକୁ ଏ ପ୍ରକାର ପରିସ୍ଥିତି ବା ମୁଡ୍- ସ୍ୱିଙ୍ଗ୍ ପାଇଁ ପ୍ରସ୍ତୁତ ରଖନ୍ତୁ। ଆପଣଙ୍କ ଧୈର୍ଯ୍ୟ ହିଁ ତାକୁ ଏ ମୁଡ୍-ସ୍ୱିଙ୍ଗ୍‌ର ବାରମ୍ବାର ଆଟାକ୍‌ରୁ ବଞ୍ଚାଇବ ଓ ସେ ନିଜକୁ ସଜାଡିବା ଶିଖିବ।

ବିଶେଷଜ୍ଞଙ୍କ ସାହାଯ୍ୟ ନିଅନ୍ତୁ:

ଏହା ସତ ଯେ ଏ ପ୍ରକାର ପରିସ୍ଥିତିରେ ବାପା-ମା' ହିଁ ନିଜ ସନ୍ତାନ ପାଇଁ ସବୁଠାରୁ ବଡ଼ ସାହାସ ଓ ସାହାଯ୍ୟର ମାଧ୍ୟମ ହୋଇଥାନ୍ତି। କିନ୍ତୁ କିଛି ଦିଗ ଥାଏ, ଯେଉଁଠି କିଶୋରଟେ ବାପା-ମା'ଙ୍କ ପାଖରେ ସହଜ ହୋଇପାରେନି। ଏମିତି କ୍ଷେତ୍ରରେ ଆଗକୁ ମୁଡ୍-ସ୍ୱିଙ୍ଗ୍, ଡିପ୍ରେସନ୍ ଏସବୁ ହେବାର ଆଶଙ୍କା ଥାଏ। ସେ ନିଜକୁ ଅସହାୟ ମନେକଲେ ଆପଣଙ୍କ କୌଣସି ସ୍ୱାସ୍ଥ୍ୟ ବିଶେଷଜ୍ଞ, ଯିଏ କିଶୋରାବସ୍ଥାର ମନସ୍ତତ୍ତ୍ୱ ଉପରେ ଦକ୍ଷ, ତାଙ୍କ ସାହାଯ୍ୟ ନେଇପାରନ୍ତି। ଏ ପ୍ରକାର କାଉନ୍‌ସେଲିଂ ସେସନ୍‌ ପିଲାଙ୍କ ମାନସିକ ଅଭିବୃଦ୍ଧିରେ ସାହାଯ୍ୟ କରେ।

ନିଜେ ଫୋକସ୍ଡ ରୁହନ୍ତୁ:

ମନେ ରଖନ୍ତୁ ଯେ, ଆପଣଙ୍କର ନିଜର ନୁହେଁ ଆପଣଙ୍କ ସନ୍ତାନର breakup ହୋଇଛି। ଆପଣଙ୍କ ଭୂମିକା ଏଠି ଖାଲି ପିଲାଟିକୁ ମାନସିକ ସ୍ତରରେ ସାହସ ଦେବା ଓ କୌଣସି ଭୁଲ ନିଷ୍ପତ୍ତି ନେବାରୁ ରୋକିବା। କେବେବି ନିଜ ସନ୍ତାନର ଲୁହ ଦେଖି, ରାଗରେ କିମ୍ବା ଉତ୍ତେଜନାରେ ତା’ର ପୂର୍ବତନ ବୟଫ୍ରେଣ୍ଡ୍‌ କିମ୍ବା ଗର୍ଲଫ୍ରେଣ୍ଡ୍‌କୁ ଗାଳିଗୁଲଜ କିମ୍ବା ଅପଶବ୍ଦ କୁହନ୍ତୁ ନାହିଁ।

ଆପଣ ଜମା ଜାଣି ନାହାନ୍ତି, ପର ମୁହୂର୍ତ୍ତରେ କ'ଣ ହେବ। ଦୁଇଜଣଙ୍କର ମନ ବଦଳି ଯଦି ପ୍ୟାଚ୍ଅପ୍ ହୁଏ, ଆପଣ ହିଁ ଅପରିସ୍ଥିତିରେ ପଡିବେ। ୟା ଛଡା ଆପଣଙ୍କ ଠାରୁ ପିଲାଟି ବି ଶିଖିବ ଯେ ସମ୍ପର୍କ ଭାଙ୍ଗିଲେ ନିଜ ବନ୍ଧୁ ବିଷୟରେ ଅନାୟାସରେ ଖରାପ କଥା କହିହୁଏ। ବାପା-ମା' ହିସାବରେ ଆପଣଙ୍କ କାମ ଆପଣ ତାକୁ ଏକ୍ଲାପଣରୁ ରକ୍ଷା କରିବା। ତାକୁ ଜଣେଇବା ଯେ ଏବେ ବି ତାକୁ ସମସ୍ତେ ଭଲପାଆନ୍ତି ଓ ସେ ଅଲୋଡ଼ା ନୁହେଁ।

କିଶୋରାବସ୍ଥାର ପ୍ରେମ ଯେତିକି ସୁନ୍ଦର ଓ ଉତ୍ତେଜନାପୂର୍ଣ୍ଣ ହୋଇଥାଏ, ସେଇ ସମୟରେ breakup, ମନ ଉପରେ ସେତିକି ଅଧିକ ଗଭୀର କ୍ଷତ ଛାଡିପାରେ। ମନେରଖନ୍ତୁ ଯେ, ଆପଣ ଆପଣଙ୍କ ସନ୍ତାନକୁ କୌଣସି ଦୁର୍ବିପାକରୁ ରକ୍ଷା କରିବାକୁ ଠିଆହୋଇ ନାହାଁନ୍ତି, ବର° ଏ ପରିସ୍ଥିତି ତାକୁ ଅନେକ ଶିକ୍ଷା ଦେବ ଓ ସେ ଆଗକୁ ଜୀବନରେ ଅନେକ ସମ୍ବଦନଶୀଳ ଓ ଭାବପ୍ରବଣ କ୍ଷତକୁ ଭରିପାରିବ। ଆପଣଙ୍କ ଠିକ ମାଗଦର୍ଶନ ତାକୁ ଜଣେ ସ୍ନେହୀ, ନିର୍ଭୀକ, ସହନଶୀଳ ଓ ସମ୍ବେଦନଶୀଳ ମଣିଷ କରି ଗଢିବାରେ ସାହାଯ୍ୟ କରିବ।