• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Preeti Prajna Pradhan

ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏକ ରିପୋର୍ଟ ଅନୁଯାୟୀ, ଆମ ଦେଶରେ ପ୍ରତି ୪ ମିନିଟ୍‌ରେ ଜଣେ ମହିଳା ବ୍ରେଷ୍ଟ୍ କ୍ୟାନ୍ସରର ଶିକାର ହୋଇଥାଆନ୍ତି। ଆଉ ଭାରତୀୟ ମହିଳାମାନଙ୍କ ମଧ୍ୟରେ ଦେଖାଦେଉଥିବା ବିଭିନ୍ନ କ୍ୟାନ୍ସର୍‌ ମଧ୍ୟରୁ ଏହା ସବୁଠାରୁ ଅଧିକ ଦେଖାଦେଉଥିବା କ୍ୟାନ୍ସର୍‌(ମୋଟ ସଂଖ୍ୟାର ୧୪%)। ୨୦୧୮ ମସିହାରେ ରେକର୍ଡ କରାଯାଇଥିବା ବ୍ରେଷ୍ଟ୍ କ୍ୟାନ୍ସର ସମ୍ପର୍କିତ ପରିସଂଖ୍ୟାନ ଅନୁସାରେ ସେ ବର୍ଷ ଦେଶରେ ୧,୬୨,୪୬୮ଟି ନୂଆ ବ୍ରେଷ୍ଟ୍ କ୍ୟାନ୍ସର କେସ୍ ରେକର୍ଡ କରାଯାଇଥିଲା।

ସମଗ୍ର ବିଶ୍ୱରେ ମଧ୍ୟ ଏହା ବହୁଳ ଭାବେ ଦେଖା ଦେଇଥାଏ। ୨୦୨୦ ମସିହାରେ ବିଶ୍ୱର ୨.୩ ନିୟୁତ ମହିଳାଙ୍କ ଠାରେ ବ୍ରେଷ୍ଟ୍ କ୍ୟାନ୍ସର ଚିହ୍ନଟ ହୋଇଥିଲା। ଏହି ବର୍ଷ ଶେଷ ବେଳକୁ ଏପରି ୭.୮ ନିୟୁତ ମହିଳା ଜୀବିତ ଥିବା ଜଣା ପଡ଼ିଥିଲା, ଯେଉଁମାନେ କି ବ୍ରେଷ୍ଟ୍ କ୍ୟାନ୍ସରରେ ପୀଡ଼ିତ ଥିଲେ।

ଆଉ ଗୋଟିଏ କଥା ହେଲା, କ୍ୟାନ୍ସର୍‌କୁ ଅଧିକ ସ୍ପ୍ରେଡ୍ ହେବାକୁ ନ ଦେବା ପାଇଁ ବ୍ରେଷ୍ଟ୍ କ୍ୟାନ୍ସର ଭୋଗୁଥିବା ବହୁ ମହିଳାଙ୍କର ମାଷ୍ଟେକ୍ଟୋମି (mastectomy: ଅସ୍ତ୍ରୋପଚାର ଦ୍ୱାରା ସ୍ତନକୁ ବାହାର କରାଯିବା) ଆବଶ୍ୟକ ପଡ଼ିଥାଏ। ପ୍ରଥମତଃ ରୋଗ ଓ ଅସ୍ତ୍ରୋପଚାରଜନୀତ ଶାରୀରିକ ଯନ୍ତ୍ରଣା, ତା' ଉପରେ ପୁଣି ସୌନ୍ଦର୍ଯ୍ୟର ପରିମାପକ ଭାବେ ପରିଗଣିତ ନିଜର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହରାଇବାର ଦୁଃଖ ଅନେକ ସମୟରେ ସଂପୃକ୍ତ ମହିଳାମାନଙ୍କୁ ମାନସିକ ଅବସାଦର ଶିକାର କରାଇଥାଏ। ଆଉ ଏଭଳି ମହିଳାଙ୍କ ପାଇଁ ଆବଶ୍ୟକ ପଡିଥାଏ ପ୍ରୋସ୍ଥେସିସ୍(ମଣିଷ ଅଙ୍ଗର କ୍ରୁତ୍ରିମ ବିକଳ୍ପ)ର।

ତେବେ ସହରରେ ରହୁଥିବା ମହିଳାଙ୍କ ପାଇଁ ବଜାରରେ ଉପଲବ୍ଧ ସିଲିକନ୍‌ ପ୍ରୋସ୍ଥେସିସ୍ ଭଳି ବିକଳ୍ପ ପାଇବା କିଛିଟା ସହଜ ହୋଇଥିବା ବେଳେ ଗ୍ରାମାଞ୍ଚଳରେ ତାହା ହୋଇପାରେ ନାହିଁ। ତା' ଛଡ଼ା ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ମହିଳାମାନେ ମଧ୍ୟ ଉତ୍ତମ ବିକଳ୍ପ ପାଇପାରନ୍ତି ନାହିଁ। ତେଣୁ ବହୁ ସମୟରେ ଓଢଣୀ କିମ୍ବା ସେଭଳି କପଡ଼ାକୁ ବିକଳ୍ପ ଭାବେ ବ୍ୟବହାର କରିବାକୁ ସେମାନେ ବାଧ୍ୟ ହୋଇଥାଆନ୍ତି।

ଆଉ ଅନେକ କ୍ଷେତ୍ରରେ ଏସବୁ ବିକଳ୍ପର ବ୍ୟବହାର ଆଦୌ ସୁବିଧାଜନକ ହୋଇନଥାଏ। ଏବେ ସେଭଳି ବହୁ ମହିଳାଙ୍କ ପାଇଁ ଏକ ଆଶୀର୍ବାଦ ତଥା ବରଦାନ ପାଲଟିଛି 'ସାଇଶା ଇଣ୍ଡିଆ ଫାଉଣ୍ଡେସନ୍', ଯାହା କି ଜୟଶ୍ରୀ ରତନଙ୍କ ମାନସ ସନ୍ତାନ।

ସେଦିନ ଜଣେ ସମ୍ପର୍କୀୟାଙ୍କ ଆଖିରେ ଦେଖିଥିବା କୃତଜ୍ଞତାର ଲୁହ ହିଁ ଜୟଶ୍ରୀଙ୍କ ଜୀବନର ମୋଡ଼ ବଦଳାଇ ଦେଇଥିଲା। ସମ୍ପୃକ୍ତ ସମ୍ପର୍କୀୟା ଜଣଙ୍କ ସେତେବେଳେ ବ୍ରେଷ୍ଟ୍ କ୍ୟାନ୍ସରରେ ପୀଡ଼ିତ ଥା'ନ୍ତି ଓ ଅଳ୍ପ ଦିନ ପୂର୍ବରୁ ହିଁ ତାଙ୍କର ମାଷ୍ଟେକ୍ଟୋମି ହୋଇଥାଏ। ଜୟଶ୍ରୀ ତାଙ୍କୁ ପଚାରିଲେ, ସେ ପ୍ରୋସ୍ଥେସିସ୍ ଭାବେ କ'ଣ ବ୍ୟବହାର କରୁଛନ୍ତି। ଉତ୍ତରରେ ସେ କହିଲେ ଯେ, ଏକ ଓଢ଼ଣୀ ନ ହେଲେ ଏକ ରୁମାଲକୁ ଗୁଡେଇ ସେ ବ୍ୟବହାର କରୁଛନ୍ତି।

ଜୟଶ୍ରୀ ତା' ପରେ ତାଙ୍କୁ ପଚାରିଥିଲେ ଯେ, ତାଙ୍କ ପାଖରେ କ୍ରୁସ୍‌ରେ ବୁଣା ହୋଇଥିବା କେତେକ ପ୍ରୋସ୍ଥେସିସ୍ (ନିଟେଡ୍ ନକର୍ସ) ଅଛି, ସେ ତାକୁ ବ୍ୟବହାର କରି ଦେଖିବାକୁ ଚାହାନ୍ତି କି! ସମ୍ପର୍କୀୟା ଜଣଙ୍କ ହଁ କହିବାରୁ ଜୟଶ୍ରୀ ତାଙ୍କୁ ଦୁଇଟି ପ୍ରୋସ୍ଥେସିସ୍ ଦେଇଥିଲେ। ପରଦିନ ସମ୍ପୃକ୍ତ ମହିଳା ଜୟଶ୍ରୀଙ୍କ ପାଖକୁ ଫେରିଆସି ତାଙ୍କୁ କୃତଜ୍ଞତା ଜଣାଇବା ସହ ପ୍ରସ୍ତାବ ଦେଇଥିଲେ, ଏଭଳି ଆହୁରି ଅନେକ ପ୍ରୋସ୍ଥେସିସ୍ ତିଆରି କରି ତାଙ୍କ ଭଳି ପୀଡିତାମାନଙ୍କୁ ଯୋଗାଇବା ପାଇଁ।

ଏପରିକି ଅନେକ ମହିଳା ଅର୍ଥ ଦେଇ ଏହାକୁ ଆଗ୍ରହରେ କିଣି ନେବେ ବୋଲି ମଧ୍ୟ କହିଥିଲେ। ସେଇଠାରୁ ହିଁ ଆରମ୍ଭ ହୋଇଥିଲା 'ସାଇଶା ଇଣ୍ଡିଆ ଫାଉଣ୍ଡେସନ'ର ଯାତ୍ରା। ପ୍ରଥମେ ନିଜର କେତେକ ବନ୍ଧୁଙ୍କୁ ଫୋନ୍‌ କରି ଜୟଶ୍ରୀ କହିଥିଲେ ଯେ, ତାଙ୍କ ମନରେ ଏକ ଭଲ ଆଇଡ଼ିଆ ଅଛି। ସେମାନେ ବି ତାଙ୍କ ସହ ମିଶି କାମ କରିବାକୁ ଇଚ୍ଛୁକ କି! ବନ୍ଧୁମାନେ ଯେତେ ବେଳେ ଏଇ ଆଇଡ଼ିଆ ସମ୍ପର୍କରେ ଜାଣିଲେ ସେତେବେଳେ ସେମାନେ ବେଶ୍ ଆଗ୍ରହରେ ଏ କାମ କରିବାକୁ ଆଗେଇ ଆସିଲେ। କାରଣ ଏହା ଦ୍ୱାରା ଅନେକ ମହିଳା ଉପକୃତ ହୋଇପାରିବେ ବୋଲି ସେମାନେ ଅନୁଭବ କଲେ।

ଜୟଶ୍ରୀ କହନ୍ତି, ୨୦୧୮ ମସିହାରେ ପ୍ରଥମେ ସେମାନେ ଯେତେବେଳେ ନକର୍ସ ବୁଣିବା କାମ ଆରମ୍ଭ କଲେ ସେବେ ବର୍ଷକୁ ଅତି କଷ୍ଟରେ ୨୫୦ଟି ନକର୍ସ ପ୍ରସ୍ତୁତ କରି ସେମାନେ ଯୋଗାଇ ପାରିଥିଲେ। ଏବେ କିନ୍ତୁ ପ୍ରତି ମାସରେ ସାଇଶା ପକ୍ଷରୁ ୨୫୦ରୁ ଅଧିକ ନକର୍ସ ପ୍ରସ୍ତୁତ କରାଯାଇ ଦେଶର ବିଭିନ୍ନ କୋଣରେ ଥିବା ମହିଳାଙ୍କୁ ଯୋଗାଇ ଦିଆଯାଇ ପାରୁଛି। ସେ ବି ବିନା ମୂଲ୍ୟରେ (ଉଲ୍ଲେଖ ଯୋଗ୍ୟ, ସାଇଶା ପକ୍ଷରୁ ମାଗଣାରେ ହିଁ ନକର୍ସ ଯୋଗାଇ ଦିଆଯାଏ)। ଏଇ ସଂସ୍ଥା ଅଧୀନରେ ବର୍ତ୍ତମାନ ୨୭୦ରୁ ଅଧିକ ସ୍ବେଚ୍ଛାସେବୀ (ଆମେରିକା, ୟୁନାଇଟେଡ଼୍ ଆରବ ଏମିରେଟ ଓ ଭାରତର)କାମ କରୁଛନ୍ତି।

ଏମାନଙ୍କ ମଧ୍ୟରେ ଅଛନ୍ତି ୧୬ ବର୍ଷର ଜଣେ ବାଳିକାଙ୍କ ଭଳି ଶିକ୍ଷାନବୀଶଙ୍କ ଠାରୁ ଆରମ୍ଭ କରି ୮୨ ବର୍ଷ ବୟସ୍କା ଅନୁଭୂତି ସମ୍ପନ୍ନ ମହିଳା। ଏପରିକି ଆଗରୁ ଏହା ଦ୍ୱାରା ଉପକୃତ ହୋଇଥିବା ବହୁ ମହିଳା ମଧ୍ୟ ଧୀରେ ଧୀରେ ଆଗ୍ରହର ସହ ଏହା ସହିତ ଯୋଡ଼ି ହୋଇଛନ୍ତି/ହେଉଛନ୍ତି। ୨୦୧୮ଠାରୁ ଏଇ ଭିତରେ ଜୟଶ୍ରୀ ଓ ତାଙ୍କ ବନ୍ଧୁ ସ୍ୱେଚ୍ଛାସେବୀମାନେ ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ବ୍ରେଷ୍ଟ୍ କ୍ୟାନ୍ସର ପୀଡ଼ିତଙ୍କ ପାଇଁ ପ୍ରାୟ ୬ହଜାର ନକର୍ସ ପ୍ରସ୍ତୁତ କରି ଯୋଗାଇ ସାରିଲେଣି। ତାଙ୍କ ପାଖରେ ଏବେ ବହୁ ସଂଖ୍ୟକ ନକର୍ସ ଗଚ୍ଛିତ ଥିବା ମଧ୍ୟ କହିଛନ୍ତି ଜୟଶ୍ରୀ।

ନକର୍ସ ଯୋଗାଣ ପାଇଁ ସାଇଶା ପକ୍ଷରୁ ମୂଖ୍ୟତଃ ମୁମ୍ବାଇକୁ ହିଁ ଡେସ୍‌ପ୍ୟାଚ୍ ସେଣ୍ଟର ଭାବେ ବ୍ୟବହାର କରାଯାଇଥାଏ। ତେବେ ଦକ୍ଷିଣ ଭାରତରେ ବି ସାଇଶାର ଆଉ ଏକ ଏଭଳି ସେଣ୍ଟର ରହିଛି। ଜୟଶ୍ରୀଙ୍କ ସଂସ୍ଥା ପକ୍ଷରୁ ମୁଖ୍ୟତଃ ଏ, ବି, ସି ଓ ଡି ସାଇଜ୍ ନକର୍ସ ଯୋଗାଇ ଦିଆଯାଥାଏ। ଆହୁରି ଇ ଓ ଏଫ୍ ସାଇଜ୍ ନକର୍ସ ମଧ୍ୟ ତାଙ୍କ ନିକଟରେ ଉପଲବ୍ଧ। ତେବେ ଏହାର ବିଶେଷ ଚାହିଦା ନଥିବା କହନ୍ତି ଜୟଶ୍ରୀ।

ସବୁଠାରୁ ବଡ଼ କଥା ହେଲା, ଆବଶ୍ୟକ ସ୍ଥଳେ ବ୍ୟବହାରକାରିଣୀ ତାଙ୍କ ନକର୍ସର ସାଇଜ୍ ସୁବିଧାରେ ବଦଳାଇ ମଧ୍ୟ ପାରିଥା'ନ୍ତି। ଏଥିପାଇଁ କେବଳ ତାଙ୍କୁ ନକର୍ସର ପଛ ପଟକୁ ଖୋଲି କିଛି ପରିମାଣର ତୁଳା କାଢ଼ି ଦେବାକୁ ପଡିଥାଏ କିମ୍ବା ସେଥିରେ ଆଉ କିଛି ତୁଳା ଭରିବା ଦରକାର ପଡିଥାଏ। ନକର୍ସ ପ୍ରସ୍ତୁତି ପାଇଁ ପ୍ରଥମେ କ୍ରୁସ୍ ସାହାଯ୍ୟରେ ଉଲରୁ ଆବଶ୍ୟକ ସାଇଜ୍ ଫ୍ରେମ୍ ପ୍ରସ୍ତୁତ କରି ତା' ଭିତରେ ତୁଳା ଭର୍ତ୍ତି କରି ଦିଆଯାଏ ଓ ପଛ ପଟେ ଥିବା ଖୋଲା ସ୍ଥାନକୁ(ଗାଞ୍ଜିଆ ଭଳି) ବନ୍ଦ କରି ଦିଆଯାଏ।

ତେଣୁ ଦରକାର ପଡ଼ିଲେ ଏହାର ସାଇଜ୍ ବଦଳାଇବା ସହଜ ହୋଇଥାଏ। ତା' ଛଡ଼ା ଏହାକୁ ଧୋଇ-ଶୁଖାଇ ଆରାମରେ ବ୍ୟବହାର ମଧ୍ୟ କରିହୁଏ। ସଠିକ୍ ଭାବେ ଯତ୍ନ ନେଲେ ଗୋଟିଏ ନକର ଅତି କମରେ ୧୮ରୁ ୨୪ ମାସ ପର୍ଯ୍ୟନ୍ତ ବ୍ୟବହାର ଉପଯୋଗୀ ହୋଇ ରହିପାରେ। ସାଇଶା ଦ୍ୱାରା ନକର୍ସ ପ୍ରସ୍ତୁତି ପାଇଁ ୧୦୦% ମର୍ସିରାଇଜ୍ଡ଼ କଟନ ୟାର୍ନ (100% mercerized cotton yarn) ହିଁ ବ୍ୟବହାର କରାଯାଇଥାଏ। ତେଣୁ ଏହା ଆଲର୍ଜି ସୃଷ୍ଟି କରି ନଥାଏ ଏବଂ ଶରୀରକୁ ଆରାମଦାୟକ ମଧ୍ୟ ଲାଗିଥାଏ।

ଏହା ଛଡ଼ା ନକର୍ସ ମଧ୍ୟରେ ଭର୍ତ୍ତି କରାଯାଉଥିବା ମାଇକ୍ରୋ ଫାଇବର (ତୁଳା ଭଳି ହିଁ) ବି ଅତ୍ୟନ୍ତ ଉଚ୍ଚ ମାନର ହୋଇଥାଏ। ଏବେ ଏହି ଅନୁଷ୍ଠାନ ସହ 'ଚେନ୍ନାଇ ବ୍ରେଷ୍ଟ୍ ସେଣ୍ଟର'ର ଅଙ୍କୋଲୋଜିଷ୍ଟ ଡକ୍ଟର ସେଲ୍‌ଭି ରାଧାକୃଷ୍ଣା ମଧ୍ୟ ଜଡ଼ିତ ଅଛନ୍ତି ଓ ତାଙ୍କ ପରାମର୍ଶରେ ୨୦୨୦ରୁ ସାଇଶା ପକ୍ଷରୁ ଅନେକ ଝିଅ ଓ ମହିଳାଙ୍କୁ ନକର୍ସ ପ୍ରସ୍ତୁତି ସମ୍ପର୍କିତ ପ୍ରଶିକ୍ଷଣ ବି ଦିଆଯାଉଛି।

ଆଗେ କେବଳ କଥାରୁ କଥା ହୋଇ ସାଇଶା ସମ୍ପର୍କରେ ଲୋକେ ଜାଣିବାକୁ ପାଉଥିଲେ। କିନ୍ତୁ ଲକ୍‌ଡାଉନ୍‌ ସମୟରେ ଅନୁଷ୍ଠାନ ତରଫରୁ ବିଭିନ୍ନ ସୋସିଆଲ ମିଡିଆରେ ମଧ୍ୟ ଏନେଇ ବ୍ୟାପକ ପ୍ରଚାର-ପ୍ରସାର ଆରମ୍ଭ ହୋଇଛି। ଏହା ଦ୍ୱାରା ଅଧିକ ସଂଖ୍ୟକ ମହିଳା ଅବଗତ ହୋଇ ପାରୁଛନ୍ତି।

ଥରେ ଇଣ୍ଟର୍‌ନେଟ୍ ବ୍ରାଉଜ କଲାବେଳେ ପ୍ରଥମେ ନିଟେଡ୍ ନକର୍ସ ସମ୍ପର୍କରେ ଜାଣିବାକୁ ପାଇଥିଲେ ଜୟଶ୍ରୀ। ପରେ ସେ ଏ ସମ୍ପର୍କରେ ଅଧିକ ଜାଣିବା ପାଇଁ ଅନେକ ତଥ୍ୟ ମଧ୍ୟ ସଂଗ୍ରହ କରିଥିଲେ। ଥରେ ଆମେରିକା ଭ୍ରମଣରେ ଯାଇଥିବା ସମୟରେ ସେ ଏକ ଅନୁଷ୍ଠାନରେ ସ୍ୱେଚ୍ଛାକୃତ ଶ୍ରମଦାନ କରିବା ସହ ନକର୍ସ ପ୍ରସ୍ତୁତିର ସଠିକ୍ ପ୍ରଣାଳୀ ଜାଣିବାକୁ ପାଇଥିଲେ ଓ କେତେଗୁଡିଏ ନକର୍ସ ପ୍ରସ୍ତୁତ ମଧ୍ୟ କରିଥିଲେ।

୨୦୧୮ରେ ହିଁ ନିଜ ସମ୍ପର୍କୀୟଙ୍କ କଥା(ଉପରେ ବର୍ଣ୍ଣିତ)ରୁ ସେ ଆମ ଦେଶରେ ଏଭଳି ନକର୍ସର କେତେ ଆବଶ୍ୟକତା ରହିଛି, ତାହା ଉପଲବ୍ଧି କରିଥିଲେ। ତା' ପରେ ସେ ନିଜକୁ ଭାରତରେ ନିଟେଡ୍ ନକର୍ସ ପ୍ରଦାନକାରୀ ଭାବେ ରେଜିଷ୍ଟ୍ରେସନ କରାଇ ଥିଲେ ଓ ବାଛି ବାଛି ନିଜ ଅନୁଷ୍ଠାନର ନାଁ ଦେଇଥିଲେ 'ସାଇଶା ଇଣ୍ଡିଆ ଫାଉଣ୍ଡେସନ୍'। କାରଣ ସାଇଶାର ଅର୍ଥ ହେଉଛି, 'ଅର୍ଥପୂର୍ଣ୍ଣ ଜୀବନ।' ଆଉ ବାସ୍ତବରେ ଜୟଶ୍ରୀ ଆଜି ଅନେକ କ୍ୟାନ୍ସର ପୀଡ଼ିତଙ୍କ ପାଇଁ ଏକ ଅର୍ଥପୂର୍ଣ୍ଣ ଜୀବନ ଆଣି ଦେବାରେ ସଫଳ ହୋଇନାହାନ୍ତି କି!