• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଜାନକୀ ବଲ୍ଲଭ ପଟ୍ଟନାୟକ ଏକାଧାରରେ ଥିଲେ ଜଣେ ସଫଳ ରାଜନୀତିଜ୍ଞ, ରାଷ୍ଟ୍ରନୀତିଜ୍ଞ, ପ୍ରବୀଣ ସାମ୍ବାଦିକ, ସଂସ୍କୃତ ବିଦ୍ୱାନ, କବି, ସୁଲେଖକ, ସାହିତ୍ୟ ସଂଗଠକ, ସ୍ୱାଧୀନତା ସଂଗ୍ରାମୀ ଓ ସମାଜସେବୀ। ସେ ଥିଲେ ଅତୁଳନୀୟ ବିରଳ ବ୍ୟକ୍ତିତ୍ୱର ଅଧିକାରୀ। ସେ ଥିଲେ କେନ୍ଦ୍ରରେ ଉପମନ୍ତ୍ରୀ, ରାଷ୍ଟ୍ରମନ୍ତ୍ରୀ, କ୍ୟାବିନେଟ୍ ମନ୍ତ୍ରୀ, ଓଡ଼ିଶାର ତିନିଥର ମୁଖ୍ୟମନ୍ତ୍ରୀ, ପ୍ରଦେଶ କଂଗ୍ରେସ କମିଟିର ସଭାପତି, ବିରୋଧୀ ଦଳ ନେତା, ଆସାମ ରାଜ୍ୟର ରାଜ୍ୟପାଳ ଇତ୍ୟାଦି।

ଏହି ମହାନ ବ୍ୟକ୍ତିତ୍ୱଙ୍କୁ ‘ଓଡ଼ିଶା ରାଜନୀତିର ଚାଣକ୍ୟ’ ମଧ୍ୟ କୁହାଯାଏ। ବହୁ ସମ୍ମାନଜନକ ପଦ ପଦବୀରେ ରହିବାରେ ମହତାବଜୀଙ୍କ ପରେ ସେ ହେଉଛନ୍ତି ଓଡ଼ିଶାର ଦ୍ୱିତୀୟ ବ୍ୟକ୍ତି। ଉଭୟ ମହତାବଜୀ ଓ ଜାନକୀ ବଲ୍ଲଭ ପଟ୍ଟନାୟକ ମହୋଦୟ ରାଜନୈତିକ ସଂପର୍କରେ ଗୁରୁ-ଶିଷ୍ୟ ହେଲେ ହେଁ ବାସ୍ତବରେ ସେମାନେ ଥିଲେ ବିଚକ୍ଷଣ ରାଜନୀତିଜ୍ଞ। ସେମାନଙ୍କ ରାଜନୈତିକ ଜୀବନରେ ବହୁ ସାମଞ୍ଜସ୍ୟ ଥିବାରୁ ଜାନକୀବାବୁଙ୍କୁ ‘ଓଡ଼ିଶାର ଦ୍ୱିତୀୟ ମହତାବ’ ବୋଲି କୁହାଯାଏ।

ତିରୁପତି କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳାଧିପତି ପଦ ପାଇବାରେ ସେ ମଧ୍ୟ ଓଡ଼ିଶାର ଏକମାତ୍ର ବ୍ୟକ୍ତି ଥିଲେ। ତାଙ୍କ ଭଳି ଓଡ଼ିଶାର କୌଣସି ରାଜନେତା ଓଡିଆ ଓ ସଂସ୍କୃତ ସାହିତ୍ୟରେ ଏଭଳି ପାଣ୍ଡିତ୍ୟ ଲାଭ କରିନାହାନ୍ତି। କେନ୍ଦ୍ର ଓ ରାଜ୍ୟର ବହୁ ସମ୍ମାନ ମଧ୍ୟ ସେ ପାଇଛନ୍ତି। ମହାଭାରତ, ରାମାୟଣ, ବେଦ ବେଦାନ୍ତରେ ତାଙ୍କର ଥିଲା ଅଗାଧ ପାଣ୍ଡିତ୍ୟ। ବିଚକ୍ଷଣ ରାଜନୀତିଜ୍ଞ ଭାବେ ପରିଚିତ ଥିବା ଜାନକୀ ବାବୁ ଥିଲେ ପ୍ରଚଣ୍ଡ ପ୍ରତିଭାଧର ଓ ସଫଳ ବ୍ୟକ୍ତିତ୍ୱ।

ତତ୍କାଳୀନ ଖୋର୍ଦ୍ଧା କିଲ୍ଲାର ରାମେଶ୍ୱର ଗଡ଼ରେ ୧୯୨୭ ମସିହା ଜାନୁଆରୀ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ ଜାନକୀବଲ୍ଲଭ। ଗାଁରେ ମାଇନର ସ୍କୁଲ୍‌ ପର୍ଯ୍ୟନ୍ତ ପଢିବା ପରେ ଖୋର୍ଦ୍ଧା ହାଇ ଇଂଲିସ୍‌ ସ୍କୁଲରେ(ପରେ ବିଜେବି ହାଇସ୍କୁଲ) ସେ ପାଠ ପଢିଲେ। ଛାତ୍ର ଅବସ୍ଥାରେ ସେ ଥିଲେ ସରଳ, ସ୍ୱାଧୀନତା ପ୍ରେମୀ, ସାହିତ୍ୟ ପ୍ରେମୀ ଓ ବନ୍ଧୁ ବତ୍ସଳ।

ଥରେ ସେ ଦେହ ଅସୁସ୍ଥ ହେତୁ ସ୍କୁଲରେ ଚାରିଦିନ ଅନୁପସ୍ଥିତ ରହିଲେ। ସେତେବେଳେ ପ୍ରଧାନ ଶିକ୍ଷକ ଥିଲେ ରାୟ ସାହେବ ବାଙ୍କନିଧି ପଟ୍ଟନାୟକ। ଚାରିଦିନ ଅନୁପସ୍ଥିତ ପରେ ଜାନକୀ ବାବୁଙ୍କୁ ଦେଖି ପ୍ରଧାନ ଶିକ୍ଷକ ଛୁଟିର କାରଣ ପଚାରିବାରୁ ଭୟ ଓ ସଂଭ୍ରମତା ଯୋଗୁଁ ଜାନକୀ ବଲ୍ଲଭଙ୍କ ପିତା ଲେଖିଥିବା ଦରଖାସ୍ତଟିକୁ ଦେଇ ନ ଥିବାରୁ ତାଙ୍କ ସହପାଠୀ ଫକୀର ହରିଚନ୍ଦନ, ପଣ୍ଡିତ ଗୋକୁଳାନନ୍ଦ ପଟ୍ଟନାୟକଙ୍କ ପରିଚୟ ପ୍ରଦାନ କରି ପତ୍ରଟି ଦେଇଥିଲେ ଓ ସେଥିରେ ଲେଖାଥିଲା ‘ଖୋରଧା ଉଚ୍ଚ ଇଂରାଜୀ ବିଦ୍ୟାଳୟ.. ମାନନୀୟ ପ୍ରଧାନ ଶିକ୍ଷକ ମହୋଦୟ… ଶ୍ରୀମାନ ଜାନକୀ ବଲ୍ଲଭ ମୋ ତନୟ… ପୁତ୍ରର ସ୍ୱାସ୍ଥ୍ୟସ୍ଥିତିରେ ସଦାଲୟ... ସାମାନ୍ୟ ଜ୍ୱର ସହ ଥଣ୍ଡା ଅତିଶୟ... ହେବାରୁ ରହିଲା ଦିନ ଚତୁଷ୍ଟୟ... ଏଣୁ ମୁଁ ପ୍ରାର୍ଥନା କରୁଛି ସବିନୟ... ଛୁଟି ତା’ର ମୁର କରିବେ ସହୃଦୟ- ଇତିଶ୍ରୀ ଗୋକୁଳାନନ୍ଦ ଭବଦୀୟ।

ଜାନକୀ ବଲ୍ଲଭଙ୍କ ପିତା ଗୋକୁଳାନନ୍ଦ ପଟ୍ଟନାୟକ ସଂସ୍କୃତ ପଣ୍ଡିତ ନଥିଲେ। ସେ ଥିଲେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ। ସେତେବେଳେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କୁ ପଣ୍ଡିତ କୁହାଯାଉଥିଲା। କିନ୍ତୁ ସେ ପ୍ରକୃତରେ ଥିଲେ ଅସାଧାରଣ ଜ୍ଞାନୀ ଓ ପଣ୍ଡିତ। ପଣ୍ଡିତ ଗୋକୁଳାନନ୍ଦଙ୍କ ସୁଯୋଗ୍ୟ ସନ୍ତାନ ପଣ୍ଡିତ ଜାନକୀ ବଲ୍ଲଭ ବାପାଙ୍କ ଠାରୁ ବଳିଗଲେ।

ଶିକ୍ଷକମାନଙ୍କ ପ୍ରତି ଜାନକୀବାବୁଙ୍କର ବିଶେଷ ସମ୍ମାନବୋଧ, ଶ୍ରଦ୍ଧା, ଭକ୍ତି ଓ ପ୍ରଗାଢ ଅନୁରାଗ ଥିଲା। ସେତେବେଳେ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ଦୁଇ ପ୍ରକାର ଶିକ୍ଷକ ଥିଲେ, ଯେଉଁମାନେ ମୌଳିକ ବିଦ୍ୟାଳୟରେ ଶିକ୍ଷକ ଥିଲେ, ସେମାନେ ହେଲେ ସରକାରୀ ଓ ସାଧାରଣ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନେ ଥିଲେ ବେସରକାରୀ। ଜାନକୀବାବୁ ଏହାକୁ ହୃଦୟଙ୍ଗମ କରି ସାଧାରଣ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନଙ୍କୁ ସରକାରୀ ଘୋଷଣା କରିଥିଲ॥ ତାହା ଥିଲା ୧୯୮୯ ମସିହା ସେପ୍ଟେମ୍ବର ୫ ତାରିଖ ଗୁରୁଦିବସରେ ଶିକ୍ଷକମାନଙ୍କୁ ଜାନକୀବାବୁଙ୍କ ଏହି ଭେଟି ପ୍ରାଥମିକ ଶିକ୍ଷକମାନଙ୍କ ପାଇଁ ଏକ ଗୌରବୋଜ୍ଜ୍ୱଳ ଅଧ୍ୟାୟ।

ମୁଁ ସେତେବେଳେ ଓଡ଼ିଶା ୟୁଜିମିଇ ସ୍କୁଲ୍‌ ଶିକ୍ଷକ ସଂଘର ରାଜ୍ୟସ୍ତରୀୟ ସଂପାଦକ ତଥା ଖୋର୍ଦ୍ଧା ଶିକ୍ଷା ଜିଲ୍ଲା ସଂଘର ସଂପାଦକ ଥିଲି। ଜାନକୀ ବାବୁଙ୍କ ଘୋଷଣାରେ ଆମ ସଂଘରେ ବେଶ୍ ଆନନ୍ଦ ପରିଲକ୍ଷିତ ହୋଇଥିଲା। ସଂଘ ତରଫରୁ ଆମେ ଜାନକୀ ବାବୁଙ୍କୁ ଭେଟି ସମ୍ବର୍ଦ୍ଧନା ଦେଇଥିଲୁ। ଏତଦବ୍ୟତୀତ ପ୍ରାଥମିକ ଶିକ୍ଷକ ପଦୋନ୍ନତି ପାଇ ଶିକ୍ଷା ନିରୀକ୍ଷକ ପର୍ଯ୍ୟନ୍ତ୍ କିଭଳି ଯାଇପାରିବେ, ସେଥିପାଇଁ ଏଲିମେଣ୍ଟାରୀ କ୍ୟାଡର୍‌ ରୁଲ୍ ପ୍ରଚଳନ କରିଥିଲ।

ଜାନକୀ ବାବୁଙ୍କ ସହ ଯେତିକି ସମୟ ମିଶିଛି, ତାହା ଏବେ ସ୍ମୃତି ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ରାଜକିଶୋର ପାଣିଗ୍ରାହୀଙ୍କ ବହି ‘ଟିକି ଟିକି ତାରାଫୁଲ’ର ଉନ୍ମୋଚନ ଉତ୍ସବରେ ତାଙ୍କ ନିକଟରେ କିଛି ସମୟ ବିତେଇବାର ସୁଯୋଗ ମିଳିଥିଲା। ଆସାମର ରାଜ୍ୟପାଳଭାବେ କାର୍ଯ୍ୟକାଳ ସରିବା ପୂର୍ବରୁ ଆସାମ ପରିଦର୍ଶନ ପାଇଁ ମତେ ଏକ ସୁଯୋଗ ମିଳିଥିଲେ ହେଁ ମୁଁ ଯାଇପାରି ନଥିଲି। ଏବେ ସେ ସବୁ ସ୍ମୃତି। ସେ ଥିଲେ କର୍ମଯୋଗୀ। କର୍ମ ଉପରେ ଥିଲା ତାଙ୍କର ଅଖଣ୍ଡ ବିଶ୍ୱାସ। କବିଙ୍କ ଭାଷାରେ: କର୍ମ ହିଁ ଜୀବନ, କର୍ମ ହିଁ ଉଦ୍ଦେଶ୍ୟ/ଜଡ଼ ତା’ ଜୀବନ ମରଣ ସିନା/ଦୁର୍ଲ୍ଲଭ ମାନବ ଜନମ ବିଅର୍ଥ/ଜୀବନ କର୍ତବ୍ୟ ସାଧନ ବିନା।

ବିଶ୍ୱାତ୍ମା, ବକ୍ସି ଜଗବନ୍ଧୁ ନଗର, ଖୋରଧା, ଦୂରଭାଷ: ୯୨୩୭୦୮୯୫୦୯

OTV is now on Whatsapp

Join and get latest news update delivered to you via whatsapp

Join Now