Advertisment

ଧନୀ ଓ ଗରିବଙ୍କ ପାଇଁ ଅଲଗା ବିଶ୍ୱବିଦ୍ୟାଳୟ

ଦେଶରେ କ୍ୟାମ୍ପସ୍ ଖୋଲିବେ ୟୁରୋପୀୟ ବିଶ୍ୱବିଦ୍ୟାଳୟ। ସରକାରଙ୍କ ଯୁକ୍ତି ବିଦେଶୀ ବିଶ୍ୱବିଦ୍ୟାଳୟ ଖୋଲିଲେ ଦେଶର ବିଶ୍ୱବିଦ୍ୟାଳୟଗୁଡିକ ପ୍ରତିଯୋଗିତା ପାଇଁ ସେମାନଙ୍କ ସ୍ଥିତିକୁ ସୁଧାରିବେ। ଏହା କ’ଣ ସମ୍ଭବ! ଏକାଡେମିକ୍ ସ୍ତରର ଭାରତୀୟ ବିଶ୍ୱବିଦ୍ୟାଳୟଗୁଡିକ ମୁକାବିଲା କରିପାରିବେ ତ?

author-image
Pramod Behera
ଅଦ୍ୟତନ ହୋଇଛି
Separate Universities For Rich And Poor

Separate universities for rich and poor

ଏବେ ଭାରତର ବିଶ୍ୱବିଦ୍ୟାଳୟଗୁଡିକୁ ୟୁରୋପର ବିଖ୍ୟାତ ବିଶ୍ୱବିଦ୍ୟାଳୟ ସହ ପ୍ରତିଯୋଗିତା କରିବାକୁ ପଡ଼ିବ। କିନ୍ତୁ ଏଠାରେ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ ଆମ ଦେଶର ବିଶ୍ୱବିଦ୍ୟାଳୟଗୁଡିକ କ’ଣ ପ୍ରତିଯୋଗିତା କରିପାରିବେ? ଯେତେବେଳେ କେମ୍ବ୍ରିଜ୍, ହାଭାର୍ଡ ଏବଂ ୟେଲ୍‌ ଭଳି ନାମୀ ବିଶ୍ୱବିଦ୍ୟାଳୟ ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ଚେନ୍ନାଇରେ ସେମାନଙ୍କର କ୍ୟାମ୍ପସ୍ ଖୋଲିବେ ସେତେବେଳେ ସେମାନଙ୍କର ଚମକ ଏବଂ ଏକାଡେମିକ୍ ସ୍ତରର ମୁକାବିଲା ଭାରତୀୟ ବିଶ୍ୱବିଦ୍ୟାଳୟଗୁଡିକ କରିପାଇରିବେ ତ?

Advertisment

ୟୁରୋପୀୟ ବିଶ୍ୱବିଦ୍ୟାଳୟଗୁଡିକ୍ କ୍ୟାମ୍ପସ୍ ଖୋଲିଲେ ଯେଉଁ ଛାତ୍ରଛାତ୍ରୀ ବା ପିଲାମାନଙ୍କର ବାପା ମା’ ନିଜ ପିଲାକୁ ବିଦେଶରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି ପଢ଼ାଇବା ପାଇଁ ଇଚ୍ଛୁକ ସେଇ ପିଲାମାନେ ହିଁ ସେଠାରେ ପଢିପାରିବେ। ଏମିତି ପରିବାର ଯେଉଁମାନେ ପିଲାଙ୍କ ପାଠପଢା ପାଇଁ ଲକ୍ଷ ଲକ୍ଷ ଖର୍ଚ୍ଚ କରିବାକୁ ପ୍ରସ୍ତୁତ ସେଭଳି ପରିବାରର ମଧ୍ୟ ଦେଶରେ ଅଭାବ ନାହିଁ।

ଏଣୁ ଆମ ଦେଶୀୟ ବିଶ୍ୱବିଦ୍ୟାଳୟରୁ ଏଭଳି ପରିବାରର ପିଲାଙ୍କ ସଂଖ୍ୟା କମିବ ଓ କେବଳ ମଧ୍ୟବର୍ଗ ଓ ନିମ୍ନ-ମଧ୍ୟବର୍ଗ ପରିବାରର ପିଲାମାନେ ହିଁ ପଢ଼ିବେ। ଏହା ଭାରତରେ ହେବାକୁ ଥିବା ସବୁଠାରୁ ଦୁର୍ଭାଗ୍ୟଜନକ ବର୍ଗ ବିଭାଜନ ସୃଷ୍ଟି କରିବ। ଗରୀବ ଏବଂ ଧନୀ ଭିତରେ ଥିବା ଅସାମଞ୍ଜସ୍ୟ / ଦୂରତା ପୂର୍ବରୁ ଏଭଳି ବିକଟ ରୂପ ନେଇ ନଥିଲା। ଘରୋଇ ବିଶ୍ୱବିଦ୍ୟାଳୟଗୁଡିକରେ ଏଭଳି ପରିସ୍ଥିତି ପୂର୍ବରୁ ଥିଲା କିନ୍ତୁ ବିଦେଶୀ ବିଶ୍ୱବିଦ୍ୟାଳୟ ଆସିବା ପରେ ସ୍ଥିତି ପୂରା ମାତ୍ରାରେ ଚରମରେ ପହଞ୍ଚିବ।

Advertisment

ବିଦେଶୀ ବିଶ୍ୱବିଦ୍ୟାଳୟଗୁଡିକୁ ଭାରତରେ ସେମାନଙ୍କର କ୍ୟାମ୍ପସ୍‌ ବା ପରିସର ଖୋଲିବା ପାଇଁ ଅନୁମତି ଦିଆଯିବା ଦ୍ୱାରା ଏକଥା ସ୍ପଷ୍ଟ ହୋଇଯାଇଛି ଯେ ଭାରତରେ ଶିକ୍ଷା କେତେ ଉନ୍ନତ ଓ ସୁଦୃଢ। ଏବେ ଦେଶରେ ଥିବା ହଜାରେରୁ ଅଧିକ ବିଶ୍ୱବିଦ୍ୟାଳୟ ଓ ପାଖାପାଖି ୪୨ ହଜାର କଲେଜରୁ ପାଠପଢି ଉତ୍ତୀର୍ଣ୍ଣ ହେଉଥିବା ଡିଗ୍ରୀଧାରୀମାନଙ୍କ ସଂଖ୍ୟା ବଢିବାରେ ଲାଗିଛି।

ଏଭଳି ଡିଗ୍ରୀଧାରୀମାନଙ୍କ ମଧ୍ୟରୁ ଅନେକଙ୍କୁ ସାଧାରଣ ଚାକିରୀଟିଏ ମଧ୍ୟ ମିଳି ପାରୁନାହିଁ। ଅନେକେ ମଧ୍ୟ ସାଧାରଣ ନିଯୁକ୍ତି ପାଇଁ ଯୋଗ୍ୟ ବିବେଚିତ ହେଉ ନାହାଁନ୍ତି। ଅର୍ଥ ହେଉଛି ଏମାନଙ୍କର ରୋଜଗାର ଯୋଗ୍ୟତା ଶୂନ।

ଅପରପକ୍ଷରେ ଘରୋଇ କ୍ଷେତ୍ରରେ ଥିବା ବିଶ୍ୱବିଦ୍ୟାଳୟଗୁଡିକରେ ଓ କଲେଜଗୁଡିକରେ ଶିକ୍ଷା ମହଙ୍ଗା। ଦେଶର ୧୦ରୁ ୧୫ ପ୍ରତିଶତ ଲୋକଙ୍କ ପିଲା ଏହି ଘରୋଇ କ୍ଷେତ୍ରର ଶିକ୍ଷାନୁଷ୍ଠାନରେ ପଢିବା ପାଇଁ ସକ୍ଷମ। ଏଭଳି ସ୍ଥିତି ବେଳେ ବିଦେଶୀ ବିଶ୍ୱବିଦ୍ୟାଳୟଗୁଡିକର ଅତି ମହଙ୍ଗା ଶିକ୍ଷା ଏବେ ଯୋଡ଼ିହୋଇଯିବ। କେମ୍ବ୍ରିଜ୍, ହାଭାର୍ଡ, ଅକ୍ସଫୋର୍ଡ ଏବଂ ୟେଲ୍‌ ବିଶ୍ୱବିଦ୍ୟାଳୟରେ ପଢ଼ିବା ପାଇଁ ବର୍ଷକୁ ଦୁଇ ତିନି ଲକ୍ଷ ଟଙ୍କା ଦେବାକୁ ପଡ଼ିବ ନିଶ୍ଚୟ। ଦେଶର ଶିକ୍ଷା ବ୍ୟବସ୍ଥାର ଏଭଳି ସ୍ଥିତି ବେଳେ ଆମ ଶିକ୍ଷା ବ୍ୟବସ୍ଥା ବିଶ୍ୱଗୁରୁ ହେବାର ଦାୟିତ୍ୱ ନେବ ବୋଲି କୁହାଯାଉଛି।

ଏକଥା ସତ୍ୟ ଯେ ବିଶ୍ୱବଜାରରେ ନାମି ଦାମୀ (ଅଧିକ ବେତନରେ) ନିଯୁକ୍ତି ପାଇବା ଭଳି ବ୍ୟକ୍ତି ବିଦେଶୀ ବିଶ୍ୱବିଦ୍ୟାଳୟରୁ ହିଁ ବାହାରିବେ। ଆମ ଦେଶୀୟ ବିଶ୍ୱବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହେଉଥିବା ଡିଗ୍ରୀଧାରୀଙ୍କ ଶ୍ରମ ଶସ୍ତା ହୋଇଯିବ। ବିଦେଶୀ ବିଶ୍ୱବିଦ୍ୟାଳୟଗୁଡିକୁ ଦେଶରେ କ୍ୟାମ୍ପସ୍ ଖୋଲିବା ପାଇଁ ଅନୁମତି ଦିଆଯିବା ଉପରେ ସରକାର ଯୁକ୍ତି ଦର୍ଶାଇଛନ୍ତି ଯେ ୨୦୨୪ ସୁଦ୍ଧା ୧୮ ଲକ୍ଷ ଛାତ୍ର ବିଦେଶରେ ପଢିବାକୁ ଯିବାକୁ ଥିବାରୁ ସେମାନେ ଶିକ୍ଷାଲାଭ ପାଇଁ ଆଠ ଆରବ ଡଲାର ଖର୍ଚ୍ଚ କରିବେ। କିନ୍ତୁ ତା’ର ୩ ଚତୁର୍ଥାଂଶ ଖର୍ଚ୍ଚରେ ସେମାନେ ଭାରତରେ ହେବାକୁ ଥିବା ବିଦେଶୀ ବିଶ୍ୱବିଦ୍ୟାଳୟରେ ପଢିପାରିବେ। ଏହାଦ୍ୱାରା ପ୍ରତିଭା ପଳାୟନକୁ ମଧ୍ୟ ରୋକାଯାଇପାରିବ।

ସରକାରଙ୍କ ଯୁକ୍ତି ମଧ୍ୟ ହାସ୍ୟାସ୍ପଦ। ଅନ୍ୟ ଏକ ଯୁକ୍ତି ହେଉଛି ବିଦେଶୀ ବିଶ୍ୱବିଦ୍ୟାଳୟ ଖୋଲିଲେ ଦେଶର ବିଶ୍ୱବିଦ୍ୟାଳୟଗୁଡିକ ପ୍ରତିଯୋଗିତା ପାଇଁ ସେମାନଙ୍କ ସ୍ଥିତିକୁ ସୁଧାରିବେ। କିନ୍ତୁ ସରକାରଙ୍କ ଯୁକ୍ତି ଅନୁସାରେ ଦେଶୀୟ ବିଶ୍ୱବିଦ୍ୟାଳୟ ଓ କଲେଜ ବାବଦରେ ଅଭିଯୋଗ ଉଠୁଛି ଯେ ସେମାନଙ୍କର ଏକାଡେମିକ୍‌ ଢାଞ୍ଚା ଉତ୍ସାହୀନ ଅଧ୍ୟାପନ ଏବଂ ପିଲାମାନଙ୍କୁ ଯତ୍ରେକତ୍ରେ ଉତ୍ତୀର୍ଣ୍ଣ କରାଇଦେବା ଭିତରେ ସିମୀତ ହୋଇରହିଯାଇଛି। ଅର୍ଥାଭାବରୁ ଅନେକ ପ୍ରତିଭାଙ୍କର ବିକାଶ ହୋଇପାରୁ ନଥିବା ବେଳେ ପିଏଚ୍‌ଡି ମଧ୍ୟ ବିକ୍ରୀ ହେଉଛି।

ପ୍ରଶ୍ନ ଉଠୁଛି ଯେ ଆମ ଦେଶରେ ଯେତେବେଳେ ବିଶ୍ୱବିଦ୍ୟାଳୟ ସବୁ ସ୍ଥାପନ ହେଲା ସେତେବେଳେ ଉଦ୍ଦେଶ୍ୟ କ’ଣ ଥିଲା? ଏଥିମଧ୍ୟରୁ କିଛି ବିଶ୍ୱବିଦ୍ୟାଳୟକୁ ଭାରତର କେମ୍ବ୍ରିଜ୍ ଓ ଅକ୍ସଫୋର୍ଡ ଆଖ୍ୟା ଦିଆଯାଉଥିଲା। ତକ୍ଷଶୀଳା, ନାଳନ୍ଦା ଅଥବା ବିକ୍ରମଶୀଳା ଭଳି ପ୍ରାଚୀନକାଳୀନ ବିଶ୍ୱବିଦ୍ୟାଳୟର ପରମ୍ପରା ଠାରୁ ଏବେର ବିଶ୍ୱବିଦ୍ୟାଳୟଗୁଡିକ ଅନେକ ଦୂରରେ।

ବିଡ଼ମ୍ବନାର ବିଷୟ ହେଉଛି ଯେଉଁ ଦେଶୀୟ ବିଶ୍ୱବିଦ୍ୟାଳୟଗୁଡିକୁ ଦେଶର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ବୋଲି କୁହାଯାଉଥିଲା । ସେସବୁ ବିଶ୍ୱବିଦ୍ୟାଳୟ ପାଖରେ ୟୁରୋପୀୟ ବିଶ୍ୱବିଦ୍ୟାଳୟମାନେ ତାଙ୍କର କ୍ୟାମ୍ପସ୍ ଖୋଲିବେ। ଡଲାର, ପାଉଣ୍ଡ, ୟୁରୋରେ ସେମାନେ ଲାଭ କମେଇବେ ଓ ଫେମା ଆଇନର ସର୍ତ୍ତ ଅନୁସାରେ ନିଜ ଦେଶକୁ ପ୍ରଚୁର ଅର୍ଥ ବୋହିନେବେ। ଆମ ଦେଶର ବିଶ୍ୱବିଦ୍ୟାଳୟଗୁଡିକ ସେମାନଙ୍କ ପ୍ରଭାବରେ ପ୍ରଭାବହୀନ ହୋଇ ନିମ୍ନ ସ୍ତରରେ ରହିବେ।

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

ରାମଚନ୍ଦ୍ରପୁର, ରଣପୁର

ଇମେଲ୍: [email protected]

Delhi University
Advertisment
Advertisment