Advertisment

Sports: ଭାରତକୁ ଟି-୨୦ ବିଶ୍ୱକପ୍ ଜିତାଇ ପାରିବେ କି ଯୁବ ଖେଳାଳି

ଭାରତୀୟ ଯୁବ ଖେଳାଳିମାନେ ଏବେ ଟି-୨୦ କ୍ରିକେଟ୍‌ରେ ପ୍ରଭାବଶାଳୀ ପ୍ରଦର୍ଶନ କରୁଛନ୍ତି । କିନ୍ତୁ ବଡ଼ ପ୍ରଶ୍ନ ହେଉଛି ଯେ ସେମାନଙ୍କ ମଧ୍ୟରେ ଟିମ୍‌କୁ ୨୦୨୪ ଟି-୨୦ ବିଶ୍ୱକପ୍ ଟ୍ରଫି ଜିତାଇବାର ସାମର୍ଥ୍ୟ ରହିଛି କି?

author-image
Biswajit Mohanty
ଅଦ୍ୟତନ ହୋଇଛି
Can India win the T20 World Cup with young players

Can India win the T20 World Cup with young players

ଆଉ ଛଅ ମାସ ପରେ ୱେଷ୍ଟଇଣ୍ଡିଜ୍ ଓ ଆମେରିକାରେ ହେବ ଆଇସିସି ଟି-୨୦ ବିଶ୍ୱକପ୍। ଦିନିକିଆ ବିଶ୍ୱକପ୍ ସରୁ ସରୁ ଟି-୨୦ ବିଶ୍ୱକପ୍ ଓ ଏହାର ଦାବିଦାରମାନଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଭାରତ ମଧ୍ୟ କ୍ରିକେଟ୍‌ର କ୍ଷୁଦ୍ରତମ ଫର୍ମାଟ୍‌ର ବିଶ୍ୱକପ୍ ପାଇଁ ପ୍ରସ୍ତୁତି ଚଳାଇଛି।

Advertisment

ନିକଟରେ ଟିମ୍ ଇଣ୍ଡିଆ ଘରେ ଆୟୋଜିତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ରେ ଅଷ୍ଟ୍ରେଲିଆକୁ ୪-୧ରେ ହରାଇବା ପରେ ଏବେ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛି। ଏଠାରେ ସବୁ ଫର୍ମାଟ୍‌ରେ ଦ୍ୱିପାକ୍ଷିକ ସିରିଜ୍ ଖେଳାଯିବ।

ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ରେ ଯୁବ ଖେଳାଳିମାନେ ହିଁ ଟିମ୍‌କୁ ଜିତାଇଥିଲେ। ସେଥିରେ ଦିନିକିଆ ବିଶ୍ୱକପ୍ ଖେଳିଥିବା ଅଧିକାଂଶ ବରିଷ୍ଠ ଖେଳାଳିମାନଙ୍କୁ ବିଶ୍ରାମ ଦିଆଯାଇଥିଲା ଏବଂ ଅନ୍‌ଫିଟ୍ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବ ଟିମ୍‌ର ନେତୃତ୍ୱ ନେଇଥିଲେ।

Advertisment

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍‌ରେ ମଧ୍ୟ ଯୁବ ଖେଳାଳିମାନଙ୍କୁ ଅଗ୍ରାଧିକାର ଦିଆଯାଇଛି। ଅଲ୍‌ରାଉଣ୍ଡର୍ ରବୀନ୍ଦ୍ର ଜାଡ଼େଜା, ରିଷ୍ଟ ସ୍ପିନର୍ କୁଲଦୀପ ଯାଦବଙ୍କ ଭଳି ଅଭିଜ୍ଞ ଖେଳାଳିଙ୍କୁ ଟିମ୍‌ରେ ଯୋଡ଼ା ଯାଇଥିବା ବେଳେ ପ୍ରତିଭାଶାଳୀ ବ୍ୟାଟର୍ ଶୁଭମନ ଗିଲ୍ ଓ ପେସର୍ ମହମ୍ମଦ ସିରାଜ ମଧ୍ୟ ସ୍ଥାନ ପାଇଛନ୍ତି।

ତେବେ ରୋହିତ ଶର୍ମା, ବିରାଟ କୋହଲି, ଯଶପ୍ରୀତ ବୁମ୍‌ରା (ମହମ୍ମଦ ଶାମୀ ଫିଟ୍ ନାହାନ୍ତି)ଙ୍କ ଭଳି ବଡ଼ ଖେଳାଳିମାନେ ଦିନିକିଆ ବିଶ୍ୱକପ୍ ପରେ କ୍ରମାଗତ ଦ୍ୱିତୀୟ ଟି-୨୦ ସିରିଜ୍‌ରେ ଖେଳୁ ନାହାନ୍ତି। ପ୍ରକୃତରେ ରୋହିତ ଓ ବିରାଟ ଟି-୨୦ ବିଶ୍ୱକପ୍‌ର ପୂର୍ବ ସଂସ୍କରଣ ପର ଠାରୁ ଆଉ ଟି-୨୦ ଆନ୍ତର୍ଜାତିକ ଖେଳି ନାହାନ୍ତି। ଉଭୟ କେବଳ ଆଇପିଏଲ୍‌ରେ ଟି-୨୦ ମ୍ୟାଚ୍ ଖେଳିଥିଲେ। ଅବଶ୍ୟ ବୁମ୍‌ରା ଆୟରଲାଣ୍ଡ ଗସ୍ତରେ କ୍ଷୁଦ୍ରତମ ଫର୍ମାଟ୍‌ର ସିରିଜ୍ ଖେଳିଥିଲେ।

ଏବେ ଟି-୨୦ ଆନ୍ତର୍ଜାତିକ ଖେଳୁ ନ ଥିଲେ ବି ବିରାଟ, ରୋହିତ ଓ ଯଶପ୍ରୀତଙ୍କୁ ବିଶ୍ୱକପ୍ ଟିମ୍‌ରେ ସାମିଲ କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି। ଏହାର କାରଣ ଚୟନକାରୀମାନେ ଟିମ୍‌ରେ ସନ୍ତୁଳନ ରକ୍ଷା ପାଇଁ ଯୁବ ଖେଳାଳିଙ୍କ ସହ କିଛି ବରିଷ୍ଠ ଖେଳାଳିଙ୍କୁ ମଧ୍ୟ ରଖିବାକୁ ଚାହିଁବେ। ତେବେ ଟି-୨୦ ବିଶ୍ୱକପ୍ ବିରାଟ ଓ ରୋହିତଙ୍କ ପାଇଁ ଏହି ଫର୍ମାଟ୍‌ରେ ଶେଷ ଟୁର୍ଣ୍ଣାମେଣ୍ଟ ହୋଇପାରେ।

ଟି-୨୦ ଭଳି ଦ୍ରୁତ ଖେଳରେ ବିଭିନ୍ନ ଦେଶର ଟିମ୍‌ରେ ଅଧିକରୁ ଅଧିକ ଯୁବ ଖେଳାଳିଙ୍କୁ ଅଗ୍ରାଧିକାର ଦିଆଯାଇଆସୁଛି। ଏଥିରେ କୌଶଳ ଅପେକ୍ଷା ଶକ୍ତିର ଅଧିକ ପ୍ରଦର୍ଶନ ହୁଏ। ପାୱାର-ହିଟର୍ ଶୀଘ୍ର କ୍ଲିକ୍ କରନ୍ତି। ରନ୍‌ଗତି ରୋକିବା ଅପେକ୍ଷା ୱିକେଟ୍ ନେବା ଓ ବଡ଼ ସ୍କୋର୍ କରିବା ବେଶୀ ଗୁରୁତ୍ୱ ରଖେ। ଖେଳାଳିଙ୍କ ମଧ୍ୟରେ ଅଧିକ ସକ୍ରିୟତା ଆବଶ୍ୟକ ପଡ଼ିଥାଏ।

ଭାରତ ମଧ୍ୟ ଏହି ଫର୍ମାଟ୍‌ରେ ଯୁବ ଖେଳାଳିମାନଙ୍କୁ ଅଗ୍ରାଧିକାର ଦେଉଛି। ଏବେ ଭାରତୀୟ ଯୁବ ଖେଳାଳିମାନେ ମଧ୍ୟ ଟି-୨୦ରେ ପ୍ରଭାବଶାଳୀ ପ୍ରଦର୍ଶନ କରୁଛନ୍ତି। ବ୍ୟାଟର୍ - ଯଶସ୍ୱୀ ଜୟସ୍ୱାଲ୍‌, ଋତୁରାଜ ଗାଏକୱାଡ଼, ରିଙ୍କୁ ସିଂହ, ତିଲକ ବର୍ମା, ଈଶାନ କିଶନ; ବୋଲର୍ - ରବି ବିଷ୍ଣୋଇ, ମୁକେଶ କୁମାର, ଅର୍ଶଦୀପ ସିଂହ ପ୍ରମୁଖଙ୍କ ପ୍ରଦର୍ଶନକୁ ନେଇ ଚର୍ଚ୍ଚା ହେଉଛି।

କିନ୍ତୁ ଏହି ଯୁବ ଖେଳାଳିଙ୍କ ମଧ୍ୟରେ ଟିମ୍‌କୁ ଏହି ଫର୍ମାଟ୍‌ର ଆଗାମୀ ବିଶ୍ୱକପ୍ ଜିତାଇବାର ସାମର୍ଥ୍ୟ ରହିଛି କି? ଏହା ବଡ଼ ପ୍ରଶ୍ନ। ଏହାର ଉତ୍ତର ପାଇଁ ଟି-୨୦ ବିଶ୍ୱକପ୍ ପୂର୍ବରୁ ଭାରତର ଅବଶିଷ୍ଟ ମ୍ୟାଚ୍ ଓ ୨୦୨୪ ଆଇପିଏଲ୍‌ର ଶେଷ ଯାଏଁ ଅପେକ୍ଷା କରିବାକୁ ହେବ। ତଥାପି ଭାରତୀୟ ଟିମ୍ ମୁକୁଟ ଦୌଡ଼ରେ ରହିବ ବୋଲି ଏବେ ଠାରୁ ଭବିଷ୍ୟବାଣୀ କରାଯାଇପାରିବ।

୨୦୦୭ରେ ଯୁବ ବାହିନୀ ଜିତିଥିଲା ଟି-୨୦ ବିଶ୍ୱକପ୍‌:

ଏବେ ଭାରତୀୟ ଯୁବ ଖେଳାଳିଙ୍କ ଉପରେ ଏତେ ଭରସା କରାଯିବାର କାରଣ ୨୦୦୭ରେ ଖେଳାଯାଇଥିବା ପ୍ରଥମ ଟି-୨୦ ବିଶ୍ୱକପ୍‌ରେ ଯୁବ ବାହିନୀ ହିଁ ଟିମ୍‌କୁ ସଫଳତାର ତୁଙ୍ଗ ଶିଖରରେ ପହଞ୍ଚାଇଥିଲା। ଯାଦୁକରୀ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ଅପ୍ରତ୍ୟାଶିତ ଭାବେ ଚାମ୍ପିଅନ୍ ହୋଇଥିଲା।

କିନ୍ତୁ ସେବେଠାରୁ ଆଜି ଯାଏଁ ଭାରତ ପକ୍ଷରୁ ଆଉ ସେହି ସଫଳତାକୁ ଦୋହରା ଯାଇପାରିନି। ୧୭ ବର୍ଷ ପରେ ଟିମ୍ ପୁଣି ଥରେ ଯୁବ ଖେଳାଳିଙ୍କ ଦମ୍‌ରେ ବିଶ୍ୱ ମୁକୁଟ ଜିତିବ ବୋଲି ଆଶା କରାଯାଉଛି।

ପ୍ରଥମ ଟି-୨୦ ବିଶ୍ୱକପ୍ ଠାରୁ ଅଧିକାଂଶ ବରିଷ୍ଠ ଖେଳାଳି ଦୂରେଇ ରହିଥିଲେ। ଏଥିରେ ରାହୁଲ ଦ୍ରାବିଡ଼, ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଭଳି ଟପ୍ ଖେଳାଳି ଖେଳିବାକୁ ଚାହିଁ ନ ଥିଲେ। ଏପରିକି ସେମାନେ ଏହି ଫର୍ମାଟ୍‌କୁ ସେତେ ଗୁରୁତ୍ୱ ଦେଉ ନ ଥିଲେ।

ସେମାନଙ୍କ ବଦଳରେ ରୋହିତ ଶର୍ମା, ରବିନ ଉଥପ୍ପାଙ୍କ ଭଳି ବ୍ୟାଟର୍‌ଙ୍କୁ ନିଆଯାଇଥିଲା। ଉଭୟଙ୍କ ବୟସ ୨୨ ବର୍ଷରୁ କମ୍ ଥିଲା। ଏହାଛଡ଼ା ବ୍ୟାଟର୍ -ଧୋନି, ବୀରେନ୍ଦ୍ର ସେହ୍ୱାଗ, ଗୌତମ ଗମ୍ଭୀର, ଯୁବରାଜ ସିଂହ, ଦିନେଶ କାର୍ତ୍ତିକ ଏବଂ ଅଲ୍‌ରାଉଣ୍ଡର୍ - ୟୁସୁଫ୍ ପଠାନ୍‌, ଇରଫାନ୍ ପଠାନ୍‌, ଯୋଗୀନ୍ଦର ଶର୍ମା, ପୀୟୂଷ ଚାୱଲାଙ୍କ ମଧ୍ୟରେ ସେହ୍ୱାଗ ସର୍ବବରିଷ୍ଠ ଥିଲେ, ଯାହାଙ୍କ ବୟସ ୨୮+ ଥିଲା।

ପୀୟୂଷ ୧୫ ଜଣିଆ ଟିମ୍‌ର ସର୍ବକନିଷ୍ଠ ଖେଳାଳି ଥିଲେ। ତାଙ୍କ ବୟସ ୧୮+ ଥିଲା। କେବଳ ବିଶେଷଜ୍ଞ ବୋଲର୍‌ମାନଙ୍କ ମଧ୍ୟରେ ନୁହେଁ, ଟିମ୍‌ର ସର୍ବବରିଷ୍ଠ ଖେଳାଳି ଥିଲେ ୨୯ବର୍ଷୀୟ ଅଜିତ ଅଗରକର।

୨୦୦୭ ଦିନିକିଆ ବିଶଶ୍ୱକପ୍‌ରେ ଟିମ୍ ଇଣ୍ଡିଆର ଅଧିନାୟକତ୍ୱ କରିଥିବା ଦ୍ରାବିଡ଼ ଚାହୁଁଥିଲେ ଯେ ଟି-୨୦ ଫର୍ମାଟ୍‌ରେ ଯୁବ ଖେଳାଳିମାନଙ୍କୁ ଅଧିକ ସୁଯୋଗ ମିଳୁ। ସେତେବେଳେ ବି ବିଶ୍ୱାସ କରାଯାଉଥିଲା ଯେ ଟି-୨୦ ଯୁବ ଖେଳାଳିମାନଙ୍କ ଖେଳ।

ଆଜି ଦ୍ରାବିଡ଼ ଟିମ୍‌ର ମୁଖ୍ୟ କୋଚ୍ ଅଛନ୍ତି। ଟି-୨୦ ବିଶ୍ୱକପ୍ ପାଇଁ ଟିମ୍ ଚୟନ ବୈଠକରେ ସେ ଚାହିଁବେ ଯେ ଟିମ୍‌ରେ ଅଧିକ ଯୁବ ଖେଳାଳି ସ୍ଥାନ ପାଆନ୍ତୁ। ଯୁବ ଖେଳାଳିଙ୍କ ମଧ୍ୟରେ କେବଳ ସକ୍ରିୟତା ରହିବା ଯଥେଷ୍ଟ ନୁହେଁ, ସେମାନଙ୍କୁ ନିଜ ପ୍ରଦର୍ଶନରେ ନିରନ୍ତରତା ରଖିବାକୁ ହେବ। ଏହାଛଡ଼ା ପ୍ରତିକୂଳ ପରିସ୍ଥିତିରେ ଲଢ଼ି ଟିମ୍‌କୁ ଜିତାଇବାର ସାମର୍ଥ୍ୟ ଓ ପ୍ରତିବଦ୍ଧତା ବି ରହିବା ଜରୁରୀ।

ଇମେଲ୍: [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Indian Cricket Indian Cricket Team Young Crickter
Advertisment
Advertisment