ମନ ଏକ ଛୋଟ ପୃଥିବୀ। ଏଇ ଛୋଟ ପୃଥିବୀରେ କେତେ ସୁନ୍ଦର କୋମଳ ସବୁଜିମା ଭରା ସ୍ମୃତି ରହିଛି। କେତେ ବର୍ଷଣ ମୁଖର କାଳରାତିର କାହାଣୀ ବି ରହିଛି। ଜୀବନ ଅଛିମାନେ ଏମିତି ଘଟଣା, ଦୁର୍ଘଟଣା, ସ୍ମୃତି ବିସ୍ମୃତି ରହିବା ସ୍ୱାଭାବିକ। ତଥାପି ମଣିଷ ବେଳେବେଳେ ସମୟ ପାଖରେ ହାରିଯାଏ । ହରାଇବସେ ମାନସିକ ଭାରସାମ୍ୟ। ଏଇ ଅସନ୍ତୁଳିତ ଭାବ ତାକୁ କରିଦିଏ ମାନସିକ ରୋଗୀ। ହେଲେ କାହିଁକି ? ଏ କାହିଁକିର ଉତ୍ତର ବି ନାହିଁ।
ବିଶେଷ କରି କୋଭିଡର ତିକ୍ତ ଅନୁଭୂତି ସମସ୍ତଙ୍କ ମନରେ ଏକ ବିକଳାଙ୍ଗ ସ୍ମୃତି ହୋଇ ରହିଯାଇଛି। ଚାହିଁଲେ ବି ମଣିଷ ଭୁଲି ପାରୁନି। ଏତେ ଆପଣାର ମଣିଷଙ୍କୁ ହରାଇବା ପରେ, ଏତେ ସଜଡା ଘରର ଉଜୁଡା ରୂପ ଦେଖିବା ପରେ କିଏ ବା ନିଜକୁ ନିୟନ୍ତ୍ରଣ କରି ରଖିପାରିବ। ତେଣୁ ଅଧିକରୁ ଅଧିକ ଲୋକ ଆଜି ମାନସିକ ସୁସ୍ଥତା ହରାଉଛନ୍ତି। ଏ ସମସ୍ୟା ରାଜ୍ୟ ବା ଦେଶର ନୁହେଁ, ସାରା ବିଶ୍ୱର। ତେଣୁ ମଣିଷର ମାନସିକ ସ୍ୱାସ୍ଥ୍ୟ ପ୍ରତି ଆଜି ବେଶି ଗୁରୁତ୍ୱ ଦିଆଯାଉଛି। ସେଥିପାଇଁ ଅକ୍ଟୋବର ୧୦ ତାରଖକୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷ ୱାର୍ଲଡ ମେଣ୍ଟାଲ ଡେ ବା ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସର ଚଳିତବର୍ଷର ଥିମ ରହିଛି-‘ମାନସିକ ଭାବେ ସୁସ୍ଥ ରୁହ ଏବଂ ବିଶ୍ୱସ୍ତରରେ ମାନସିକ ସୁସ୍ଥତାକୁ ପ୍ରାଥମିକତା ଦିଅ’
Also Read
ୱାର୍ଲଡ ହେଲ୍ଥ ଅର୍ଗାନାଇଜେସନ(WHO) ପକ୍ଷରୁ ଏକ ଅଧ୍ୟୟନ କରାଯାଇ କୁହାଯାଇଛି, କୋଭିଡ-୧୯ ପାଣ୍ଡାମିକ ପୂର୍ବରୁ ବିଶ୍ୱସ୍ତରରେ ପ୍ରତି ୮ ଜଣରୁ ଜଣେ ବ୍ୟକ୍ତି ମାନସିକ ସମସ୍ୟା ଦେଇ ଗତି କରୁଥିଲେ। ହେଲେ କୋଭିଡ ପରେ ଏହାର ସଂଖ୍ୟା ବୃଦ୍ଧି ପାଇଛି। ଖାଲି କୋଭିଡ ପରବର୍ତ୍ତୀ ପ୍ରଭାବ ନୁହେଁ, ବିଶ୍ୱରେ ବୃଦ୍ଧି ପାଉଥିବା ଆତଙ୍କବାଦ, ଯୁଦ୍ଧଖୋର ମାନସିକତା ମଧ୍ୟ ମଣିଷ ମନର ମାନସିକ ସୁସ୍ଥତାକୁ ଛଡ଼ାଇ ନେଇଛି। ଚାପକୁ ବଢାଇ ଦେଇଛି। ହେଲେ ଏପରି ସମସ୍ୟାର ନିରାକରଣ ପାଇଁ ଉପଯୁକ୍ତ ଭିତ୍ତିଭୂମି ତଥା ମାନସିକ ସ୍ୱାସ୍ଥ୍ୟ ପାଇଁ ଆର୍ଥିକ ସହାୟତାର ଅଭାବ ରହିଛି।
WHOର କହିବା ଅନୁଯାୟୀ, ପ୍ରତିବର୍ଷ ୭ ଲକ୍ଷ ଲୋକ ଚାପ ଏବଂ ବିଷାଦ ଯୋଗୁ ଆତ୍ମହତ୍ୟା କରିଥାନ୍ତି । ତେଣୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସର ବିଶେଷତ୍ୱ ହେଉଛି, ସାମାଜିକ ଭେଦଭାବ ପୀଡିତଙ୍କ ମାନସିକତା ଉପରେ ଯେଉଁ ପ୍ରଭାବ ପକାଉଛି ତାହାକୁ ସାମ୍ନାକୁ ଆଣିବା । ୱାର୍ଲଡ ଫେଡେରେଶନ ଫର ମେଣ୍ଟାଲ ହେଲ୍ଥ ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନ ୧୯୪୮ରେ ସ୍ଥାପିତ ହୋଇଥିଲା। ସଂଗଠନର ଡେପୁଟି ସେକ୍ରେଟେରୀ ଜେନେରାଲ ରିଚାର୍ଡ ହଣ୍ଟର ପ୍ରଥମ ଥର ପାଇଁ ୱାର୍ଲଡ ମେଣ୍ଟାଲ ହେଲ୍ଥ ଡେ ୧୯୯୨ ଅକ୍ଟୋବର ୧୦ ତାରିଖରେ ପାଳନ କରିଥିଲେ। ତା ପରଠାରୁ ଏହା ପ୍ରତିବର୍ଷ ଏହା ବିଶ୍ୱସ୍ତରରେ ପାଳିତ ହୋଇ ଆସୁଛି। ହେଲେ ୧୯୯୪ ପରଠାରୁ ପ୍ରତିବର୍ଷ ଗ୍ଲୋବାଲ ଇଭେଣ୍ଟ ପାଇଁ ସ୍ୱତନ୍ତ୍ର ଏକ ଥିମ୍ ନିଆଯାଇଥାଏ।
ଏକ ଚାପମୁକ୍ତ ଜୀବନ ଜିଇଁବାର କଳା ଶିଖାଇବା, ମାନସିକ ଭାବେ ସୁସ୍ଥ ରହିବାର ଉପାୟ କହିବା ହେଉଛି ୱାର୍ଲଡ ମେଣ୍ଟାଲ ହେଲ୍ଥ ଡେ’ ର ପ୍ରାଥମିକ ଲକ୍ଷ୍ୟ। ମାନସିକ ରୋଗ ବିଶେଷଜ୍ଞ ତଥା ମନସ୍ତତ୍ତ୍ୱବିଦ୍ ମାନେ ନିଜ କାମ ବିଷୟରେ ବିସ୍ତୃତ ଆଲୋଚନା କରିବା ପାଇଁ ଏହି ଦିନଟି ଏକ ସୁଯୋଗ ଆଣିଥାଏ। ଖାଲି ଶରୀର ପାଇଁ ନୁହେଁ, ମନର ସୁସ୍ଥତା ପାଇଁ ଯେ ଚିକିତ୍ସାର ଆବଶ୍ୟକତା ରହିଛି ଏହାକୁ ହୃଦୟଙ୍ଗମ କରାଇବା ମଧ୍ୟ ଏହି ଦିବସ ପାଳନର ଅନ୍ୟ ଏକ ଲକ୍ଷ୍ୟ।
ତେବେ କେମିତି ଆମେ ମାନସିକ ସୁସ୍ଥ ରହିବା ? ଭାରି ମନକୁ ହାଲ୍କା କରିବା ପାଇଁ ଜାଣନ୍ତୁ ୪ଟି ଉପାୟ :
-ପ୍ରଥମ ଉପାୟ ହେଲା ଭୟ ବା ଆଶଙ୍କା ମୁକ୍ତ ହେବା। ନିଜ ଭିତରେ ଲୁଚି ରହିଥିବା ଭୟ ବା ଆଶଙ୍କା ଭିତରୁ ନିଜକୁ ଦୂରେଇ ରଖିବା। ଯଦିଓ ଏହା ସହଜ ନୁହେଁ, ତଥାପି ଏପରି ଭୟ ବା ଆଶଙ୍କା ଭିତରୁ ନିଜକୁ ଦୂରେଇ ପାରିଲେ ମାନସିକ ଚାପରୁ ବି ନିଜକୁ ଦୂରେଇ ରଖିବ ପାରିବେ।
- ଶା଼ରୀରିକ ବ୍ୟାୟାମ। ମାନସିକ ଚାପରୁ ନିଜକୁ ଦୂରେଇ ରଖିବାର ସବୁଠାରୁ ସହଜ ଏବଂ ଭରସାଯୋଗ୍ୟ ଉପାୟ ହେଉଛି ଶାରୀରିକ ବ୍ୟାୟାମ । ଶାରୀରିକ ପରିଶ୍ରମ, ନିୟମିତ କାମ କରିବା ଦ୍ୱାରା ମାନସିକ ଚାପରୁ ମୁକ୍ତ ହେବା ସହ ସକାରାତ୍ମକ ଭାବନା ମନରେ ସୃଷ୍ଟି ହୋଇଥାଏ। ଆଉ ମଣିଷ ଯେତେବଳେ ଭିତରେ ଖୁସି ରୁହେ, ତାର ସାମଗ୍ରିକ କାମ, ମନ, ଦେହ ସବୁ ଭଲ ରୁହେ। ତେଣୁ ମାନସିକ ସୁସ୍ଥତା ପାଇଁ ଅତି କମ୍ରେ ଦିନକୁ ୩୦ ମିନିଟ ଶାରୀରିକ ବ୍ୟାୟାମ କରିବା ଉଚିତ।
-ବର୍ତ୍ତମାନ ଉପରେ ଧ୍ୟାନ ଦିଅ। ଆମେ ସମସ୍ତେ ଅଭ୍ୟାସଗତ ଭାବେ ଗତକାଲିର ଭୁଲ୍କୁ ସମୀକ୍ଷା କରିବା ଏବଂ ଆସନ୍ତାକାଲି ପାଇଁ ସ୍ୱପ୍ନ ଦେଖିବାରେ ଅଧିକ ସମୟ ଦେଇଥାଉ। ହେଲେ ଆମେ ମନେ ରଖିବା ଉଚିତ ଯେ ଭବିଷ୍ୟତକୁ ଆମେ ନିୟନ୍ତ୍ରଣ କରି ପାରିବା ନାହିଁ କିମ୍ବା ଟାଇମ ମେସିନ ଆଣି ଅତୀତକୁ ବଦଳାଇ ପାରିବା ନାହିଁ। ତେଣୁ ଆମେ ଯଦି କିଛି କରିପାରିବା ତାହା ହେଉଛି ବର୍ତ୍ତମାନର କାମ। ତେଣୁ ଆମେ ବର୍ତ୍ତମାନର କାମ ଉପରେ ଅଧିକ ସମୟ ଦେଇ ସମୀକ୍ଷା କଲେ ଚାପମୁକ୍ତ ରହିପାରିବା।
-ଭାବପ୍ରବଣତାକୁ ନିୟନ୍ତ୍ରଣ କରିବା। ଯଦି ଭାବପ୍ରବଣତା ତୁମକୁ ନିୟନ୍ତ୍ରଣ କରିଦେଲା ତେବେ ମାନସିକ ଚାପ ବୃଦ୍ଧି ପାଇବ। ଭାବନାକୁ ନିୟନ୍ତ୍ରଣ କରି ନ ପାରିଲେ ନକାରାତ୍ମକ ଚିନ୍ତାଧାରା ବୃଦ୍ଧି ପାଇବ ଏବଂ ଏହା ମଣିଷକୁ ନିଜ ଅଧୀନକୁ ନେଇଯିବ । ଫଳରେ ମଣିଷ ମାନସିକ ଭାରସାମ୍ୟ ହରାଇବାର ଆଶଙ୍କା ଉପୁଜିବ।