ବିଜେଡିକୁ ଫେରିଲା ପୁରୁଣା ପାଠ । ୨୫ ବର୍ଷ ତଳର ଥିଓରୀକୁ ଆପଣାଇଲେ ନବୀନ । ପଲିଟିକାଲ୍ ଆଫାୟାର୍ସ କମିଟି ଗଢି ନିଜେ ହେଲେ ସଭାପତି । ମାତ୍ର ଦକ୍ଷ ବରିଷ୍ଠଙ୍କୁ ବାଦ୍ ଦେଇ ସେଇ ନିର୍ଦ୍ଦିଷ୍ଟ ଗୋଟିଏ କ୍ୟାମ୍ପର ନେତାଙ୍କୁ ସାମିଲ୍ କଲେ ଟିମରେ । ଯାହାକୁ ନେଇ ଦଳରେ ଏବେ ଚାପା ଅସନ୍ତୋଷ ସୃଷ୍ଟି ହୋଇଥିବାବେଳେ ରାଜନୈତିକ ସମୀକ୍ଷକଙ୍କ ମତ ଦଳ ପାଇଁ ସ୍ଥିତି ଆଗକୁ ଆହୁରି ଅଡୁଆ ହୋଇପାରେ ।
Also Read
କାହା ଗୁଡ୍ ବୁକ୍ ? ଗୁଡ୍ ବୁକ୍ରେ ରହିବାର ମାପ ଦଣ୍ଡ କ’ଣ ? କାହାକୁ ଇଙ୍ଗିତ କଲେ ବିଜେଡିର ବରିଷ୍ଠ ବିଧାୟକ ବଦ୍ରି ପାତ୍ର ? ୨୫ ବର୍ଷ ପରେ ବିଜେଡି ପଲିଟିକାଲ ଆଫେୟାର୍ସ କମିଟି ବା ପିଏସି ଗଢିଛି । କିନ୍ତୁ ଏହି କମିଟିରେ ପାଣ୍ଡିଆନ୍ ମାର୍କା ନେତାଙ୍କୁ ପ୍ରାଧାନ୍ୟ ମିଳିଥିବାରୁ ଦଳ ଭିତରେ ଅସନ୍ତୋଷ ଏବେ ଚରମରେ । ନବୀନ ନିଜେ ପିଏସିର ଅଧ୍ୟକ୍ଷ ଥିବାବେଳେ ଆଉ ୯ ଜଣ ଅଛନ୍ତି ସଦସ୍ୟ । ତେବେ ୯ ଜଣଙ୍କ ଭିତରୁ ୬ ଜଣ ହେଉଛନ୍ତି ପରାଜିତ ନେତା । ବବି ଦାସ, ବିକ୍ରମ ଆରୁଖ, ସଞ୍ଜୟ ଦାସବର୍ମା, ଟୁକୁନି ସାହୁ, ସୁଦାମ ମାରାଣ୍ଡି ଓ ସଂତୃପ୍ତ ମିଶ୍ର । ଏମାନେ ସମସ୍ତେ ଏବେ ପିଏସି ସଦସ୍ୟ । ସବୁଠୁ ଚର୍ଚ୍ଚାର ବିଷୟ ହେଲା ୱାକ୍ଫ ବିଲକୁ ନେଇ ବିବାଦରେ ଥିବା ସାଂସଦ ସସ୍ମିତ ପାତ୍ର ବି ଟିମରେ ସ୍ଥାନ ପାଇଛନ୍ତି ।
ଅଧିକ ପଢ଼ନ୍ତୁ: ବିଜେଡିର ନୂଆ ଟିମ୍; ମୁହଁ ଖୋଲିଥିବା ନେତା ଆଉଟ୍, ପାଣ୍ଡିଆନା ମାର୍କାଙ୍କୁ ଥଇଥାନ
ସେପଟେ ୨୦୨୪ରେ କର୍ପୋରେଟ୍ ଜଗତରୁ ବିଜେଡିକୁ ଆସିଥିବା ସଂତୃପ୍ତ ମିଶ୍ରଙ୍କୁ ନବୀନ ପିଏସିରେ ସାମିଲ୍ କରିଥିବାରୁ ଅସନ୍ତୋଷର ନିଆଁ ଆହୁରି ତେଜିଲାଣି । ଏସବୁ ନେତା ପାଣ୍ଡିଆନଙ୍କ କ୍ୟାମ୍ପର ହୋଇଥିବାରୁ ପ୍ରଚ୍ଛଦ ପଟ୍ଟରେ ରହି ସେ ହିଁ ବରିଷ୍ଠଙ୍କୁ ବାଦ ଦେଇ ଟିମ୍ ଗଢିଥିବା ଚର୍ଚ୍ଚା ହେଉଛି । ସେହିପରି ଯୁବ ନେତୃତ୍ବକୁ ସୁଯୋଗ ମିଳିବ ବୋଲି କୁହାଯାଉଥିବାବେଳେ କିଛି ବିଦ୍ରୋହୀଙ୍କ ପକ୍ଷ ଛେଦନ ହୋଇଛି ।
ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିଜୁ କୃଷକ ଜନତା ଦଳର ଆବାହକ, ବଦ୍ରି ପାତ୍ରଙ୍କୁ ଶିକ୍ଷା ଓ ଶିକ୍ଷକ ସେଲ୍, ରମେଶ ଚ୍ୟାଉ ପଟ୍ଟନାୟକଙ୍କୁ ମତ୍ସ୍ୟଜୀବୀ ସେଲ୍, ଅରୁଣ ସାହୁଙ୍କୁ ଓବିସି ସେଲ୍ ଓ ସମବାୟ ସେଲ୍ ଦାୟିତ୍ବ ରାଜା ସ୍ବାଇଁଙ୍କ ଭଳି ବରିଷ୍ଠ ନେତାଙ୍କୁ ଦେଇ ନବୀନ ପକ୍ଷଛେଦନ କରିଥିବା ଏକପ୍ରକାର ସ୍ପଷ୍ଟ ।
ସେହିପରି ବିପର୍ଯ୍ୟୟ ପରେ ପାଣ୍ଡିଆନଙ୍କ ବିରୋଧରେ ମୁହଁ ଖୋଲିଥିବା ଭୂପିନ୍ଦର ସିଂ, ଶଶିଭୂଷଣ ବେହେରା, ପ୍ରଫୁଲ୍ଲ ମଲ୍ଲିକ, ନୃସିଂହ ସାହୁଙ୍କ ଭଳି ବରିଷ୍ଠଙ୍କୁ କୌଣସି ଦାୟିତ୍ବ ଦେଇନାହାଁନ୍ତି ନବୀନ । ସେପଟେ ନବୀନ ନିଜେ ପିଏସିର ଅଧ୍ୟକ୍ଷ ଥିବାରୁ କମିଟି ଜରିଆରେ ନିଜ ଏଜେଣ୍ଡା ପାର୍ କରାଇବାକୁ ରଣନୀତି କରିଛନ୍ତି, ହୁଏତ ଏହା ଦଳରେ ଆଗକୁ ଆହୁରି ବିସ୍ଫୋରକ ସ୍ଥିତି ସୃଷ୍ଟି କରିପାରେ ବୋଲି ରାଜନୈତିକ ସମୀକ୍ଷକଙ୍କ ମତ ।
ବିଜେଡିରେ ଆଗକୁ ଛାମୁଆ ସଂଗଠନ, ବାକି ଥିବା ଜିଲ୍ଲା ସଭାପତି ଓ ବିଭିନ୍ନ ପଦବୀ ଘୋଷଣା ହେବ । ଛାତ୍ର, ଯୁବ ଓ ମହିଳା ଉପରେ ସମସ୍ତ ଆଶାୟୀଙ୍କ ନଜର। ଯେଉଁଥିପାଇଁ ଦଳରେ ଏବେ ଝଡ଼ ପୂର୍ବର ନିରବତା ପରିଲକ୍ଷିତ ହେଉଛି । ତେବେ ଅସନ୍ତୁଷ୍ଟଙ୍କୁ ବଶ କରିବାରେ ନବୀନ ସଫଳ ହେଉଛନ୍ତି ନା ନାହିଁ ତାହା ଆଗକୁ ସ୍ପଷ୍ଟ ହେବ ।
ଅଧିକ ପଢ଼ନ୍ତୁ: ବଢୁଛି ମହିଳା ବିରୋଧୀ ହିଂସା... ସରକାରଙ୍କୁ ଅଡୁଆରେ ପକାଉଛନ୍ତି ବିରୋଧୀ
- Reported by:
- JAGDISH DAS