• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

୩୦ ବର୍ଷ ଧରି ଶିକ୍ଷକତା କଲେ, ହେଲେ କିଛି ଲାଭ ପାଇଲେନି । ନିଜର ପାରିଶ୍ରମିକ ପାଇବା ପାଇଁ ଏବେ ଜିଲ୍ଲାପାଳଙ୍କ ଅଫିସ୍‌ରେ ପକାଇଛନ୍ତି ଡେରା । କଥାଟା ଶୁଣିବାକୁ ଯେତିକି ଆଶ୍ଚର୍ୟ୍ୟ ଲାଗୁଛି ସେତିକି କଷ୍ଟଦାୟକ । ଯାଜପୁର ଧର୍ମଶାଳା ବ୍ଲକ ମର୍ଜିତାପୁର ଗ୍ରାମର ଶ୍ରୀ ଶ୍ରୀ ହୁଙ୍ଗୁଳା ବିଦ୍ୟାମନ୍ଦିର । ୧୯୮୨ ମସିହାରେ ସ୍ଥାପିତ ଏହି ହାଇସ୍କୁଲ ୧୯୯୪ ମସିହାରେ ସରକାରୀ ଅନୁଦାନ ପାଇଥିଲା ।

ଏହି ସ୍କୁଲର ମ୍ୟାନଜେମେଂଟ କମିଟି ପକ୍ଷରୁ ୧୯୯୦ ମସିହାରେ ସ୍ଥାନୀୟ ଅଂଚଳର ଗିରିଧାରୀ ପ୍ରଧାନ ଓ ୧୯୯୧ ମସିହାରେ କଟକ ଜିଲ୍ଲା ର ଅମୀୟ କୁମାର ବଡୁଙ୍କୁ ଶିକ୍ଷକ ଭାବେ ନିଯୁକ୍ତି ଦିଆଯାଇଥିଲା । ନିଯୁକ୍ତି ପାଇବା ପରେ ରୀତିମତ ସ୍କୁଲକୁ ଆସି ଆଜି ପର୍ଯ୍ୟନ୍ତ ପିଲାଙ୍କୁ ପାଠ ପଢାଉଛନ୍ତି । ହେଲେ ଦରମା ନାହିଁ ।

୩୦ ବର୍ଷ ଶିକ୍ଷକତା କରିବା ମଧ୍ୟରେ ଜିଲ୍ଲାପାଳ, ଜିଲ୍ଲା ଶିକ୍ଷାଧିକାରୀ ଓ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଭେଟି ନିଜ ପ୍ରାପ୍ୟ ପାଇଁ ଅନେକ ଗୁହାରି କରିଛନ୍ତି । ହେଲେ କିଛି ସୁଫଳ ମିଳିନାହିଁ । ଏମିତିକି ଏଇ ଦୁଇ ଶିକ୍ଷକ ବିନା ଦରମାରେ ଏବେ ବି ପିଲାଙ୍କୁ ପଢାଉଛନ୍ତି । ଅବସର ସମୟ ପାଖେଇ ଆସୁଥିବାରୁ ଆଶା ରଖିଛନ୍ତି ସରକାର ସେମାନଙ୍କ କଥା ଶୁଣିବେ ଆଉ ତାଙ୍କ ପ୍ରାପ୍ୟ ଦେବେ । ବହୁପୂର୍ବରୁ ଏଇ ଦୁଇ ଶିକ୍ଷକଙ୍କ କାର୍ଯ୍ୟଧାରା ସମ୍ପର୍କରେ ଜିଲ୍ଲାପାଳ ଏକ ରିପୋର୍ଟ ମାଗିଥିଲେ, ହେଲେ ରିପୋର୍ଟ ପାଇବା ପରେ ବି ଏଯାଏଁ ଏମାନେ କାହିଁକି ଦରମା ପାଉନାହାନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଅନ୍ୟପଟେ ଦୁଃଖ କଷ୍ଟରେ ନିଜର ପରିବାର ପ୍ରତିପୋଷଣ କରୁଥିବା ଏହି ଶିକ୍ଷକଙ୍କୁ ଯଥାଶୀଘ୍ର ସେମାନଙ୍କର ପ୍ରାପ୍ୟ ପ୍ରଦାନ ପାଇଁ ଗ୍ରାମବାସୀ ଓ ପ୍ରଧାନ ଶିକ୍ଷକ ଦାବି କରିଛନ୍ତି ।

(ରିପୋର୍ଟ- ଗୁଲାମ ଗସ୍‌, ଯାଜପୁର)