• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପଦ୍ମପୁର ଉପନିର୍ବାଚନ କୁ ନେଇ ରାଜନୀତି ସରଗରମ ଥିବା ବେଳେ ଫସଲ ବୀମା ଯୋଜନା ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଜାରି ରହିଛି ଦୋଷ ଲଦା ଲଦି । ଗତକାଲି ଫସଲ ବୀମା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା ପରେ ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ଚାଷୀଙ୍କୁ ଫସଲ ବୀମା ମିଳିବାରେ ବିଳମ୍ବ ଯୋଗୁଁ ସେ ରାଜ୍ୟ ସରକାରଙ୍କୁ ଏକ ପ୍ରକାର ଦାୟୀ କରିଛନ୍ତି ।

ଚିଠିରେ ତୋମାର ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କାର୍ଯ୍ୟକାରୀ କରିବା ରାଜ୍ୟର ଦାୟିତ୍ୱ । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଟେଣ୍ଡର ଜାରି କରିବା, ବୀମା କମ୍ପାନୀକୁ କ୍ଲଷ୍ଟର ଅଫ୍ ଡିଷ୍ଟ୍ରିକ୍ଟ ପ୍ରଦାନ କରିବା ଏବଂ ପ୍ରିମିୟମ ରେଟର ଚୁକ୍ତି କରିବା ରାଜ୍ୟ ସରକାରଙ୍କ ଦାୟିତ୍ୱ । ତେବେ ଏଥିଲାଗି ଥିବା ସଠିକ୍ ନିୟମ ଓ ପ୍ରକ୍ରିୟାକୁ ରାଜ୍ୟ ସରକାର ଅନୁସରଣ କରିନାହାନ୍ତି । ସରକାର ନିୟମ ଭାଙ୍ଗିବା କାରଣରୁ ରାଜ୍ୟରେ କୃଷି ବୀମା ମିଳିବାରେ ବିଳମ୍ବ ହୋଇଛି ବୋଲି ଚିଠିରେ ଦର୍ଶାଇଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ।

ଅଧିକ ପଢ଼ନ୍ତୁ: ପଦ୍ମପୁର ଭୋଟ୍ ପୂର୍ବରୁ ତେଜିଲା ଫାର୍ମର ପଲିଟିକ୍ସ ! ରାଜ୍ୟ ସରକାରଙ୍କ ଇନ୍‌ପୁଟ୍‌ ସବସିଡି ନେଇ ଦ୍ୱନ୍ଦ୍ୱ

ଓଡ଼ିଶା ର ଅନେକ ମରୁଡିଗ୍ରସ୍ତ ଅଞ୍ଚଳର ଚାଷୀଙ୍କୁ ଫସଲ ବୀମା ରାଶି ପ୍ରଦାନ ଲାଗି କେନ୍ଦ୍ର କୃଷି ମନ୍ତ୍ରଣାଳୟର ବୈଷୟିକ ପରାମର୍ଶଦାତା କମିଟି ରାଜ୍ୟସରକାରଙ୍କୁ ବାରମ୍ବାର ଅବଗତ କରିଥିଲା। ଏହାସତ୍ତ୍ୱେ ଚାଷୀଙ୍କୁ ବୀମା ରାଶି ମିଳି ନ ଥିଲା। ଏ ନେଇ ଦେଖାଦେଇଥିବା ବିବାଦର ତ୍ୱରିତ ସମାଧାନ ପାଇଁ ନିୟମାବଳୀ ନିର୍ଦ୍ଧାରଣ କରାଯାଇଛି। ଏହି ଆଧାରରେ ରାଜ୍ୟସ୍ତରରେ ବିବାଦଗୁଡିକର ସମାଧାନ ଲାଗି ରାଜ୍ୟସ୍ତରୀୟ ବୈଷୟିକ ପରାମର୍ଶଦାତା କମିଟି ରହିଛି। ସମସ୍ୟା ସମାଧାନ ହୋଇ ନ ପାରିଲେ କେନ୍ଦ୍ର ସରକାରଙ୍କ ବୈଷୟିକ ପରାମର୍ଶଦାତା କମିଟି ନିକଟରେ ଉପସ୍ଥାପନ କରିବାର ନିୟମ ରହିଛି ।

୨୦୨୧ ଖରିଫ ରୁତୁରେ ଫସଲ ଅମଳକୁ ନେଇ ଦେଖାଦେଇଥିବା କିଛି ବିବାଦକୁ MNCFCକୁ ଟେକ୍ନିକାଲ ଆନାଲିସିସ୍ ପାଇଁ ରେଫର୍ କରିଥିଲା କେନ୍ଦ୍ର ସରକାରଙ୍କ ବୈଷୟିକ ପରାମର୍ଶଦାତା କମିଟି । ଗତ ୩ ତାରିଖରେ ବୈଷୟିକ ପରାମର୍ଶଦାତାକମିଟି ବୈଠକରେ MNCFC ରିପୋର୍ଟକୁ ଉପସ୍ଥାପନ କରାଯାଇଥିଲା । ଆଉ ୭ ତାରିଖରେ ଏହାକୁ ଅନୁମୋଦନ କରାଯାଇଥିଲା । ଏହି କ୍ରମରେ ବୀମା କମ୍ପାନୀଗୁଡିକ ପକ୍ଷରୁ ବୀମାରାଶି ପ୍ରଦାନ କରାଯାଉଥିବା ବେଳେ ଚଳିତ ସପ୍ତାହ ମଧ୍ୟରେ ସମସ୍ତ ବିବାଦକୁ ସମାଧାନ କରାଯିବ ବୋଲି ଚିଠିରେ ଦର୍ଶାଯାଇଛି । ବିବାଦୀୟ ଜିଲ୍ଲାଗୁଡିକର ଅଧିକାଂଶ ବୀମା ଦାବି ସମାଧାନ ହୋଇସାରିଛି । ତେବେ ବାକି ୯ ଜିଲ୍ଲା ମଧ୍ୟରୁ ଦାବି କରାଯାଇଥିବା ୭୨୩ କୋଟି ଟଙ୍କା ମଧ୍ୟରୁ ୬୨୨ କୋଟି ଟଙ୍କା ପ୍ରଦାନ କରାଯାଇଛି ।