• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ରାସ୍ତା ନିର୍ମାଣରେ ବ୍ୟାପକ ଦୁର୍ନୀତି ଓ ନିମ୍ନମାନର କାମ ଅଭିଯୋଗ । ଠିକାଦାରଙ୍କ ଢିଲ୍ଲା କାମ ପାଇଁ ଅଞ୍ଚଳରେ ବଢୁଛି ଜନ ଅସନ୍ତୋଷ । ରାଜ୍ୟର ବିଭିନ୍ନ ସ୍ଥାନରେ ରାସ୍ତା ନିର୍ମାଣ ବେଳେ ସଠିକ୍ ମାନ ଅବଲମ୍ବନ କରାଯାଉନଥିବାର ଚିତ୍ର ସାମ୍ନାକୁ ଆସିଛି। ସମ୍ବଲପୁରର ନାକଟିଦେଉଳ ଓ ଖୋର୍ଦ୍ଧା ଜିଲ୍ଲାରୁ ଏଭଳି ସ୍ପଷ୍ଟ ଅଭିଯୋଗ ଆସିଥିବା ବେଳେ ସେପଟେ କୋରାପୁଟ ବୋରିଗୁମାରେ ନିମ୍ନମାନର ରାସ୍ତା ପାଇଁ ବର୍ଷ ବର୍ଷ ଧରି ଯନ୍ତ୍ରଣା ଭୋଗୁଛନ୍ତି ଲୋକେ ।

ନିର୍ମାଣକୁ ସପ୍ତାହେ ପୁରିନି । କିନ୍ତୁ ହାତ ମାରିଦେଲେ ଉଠିଯାଉଛି ପରସ୍ତ ପରସ୍ତ ପିଚୁ। ଠାଏ କି ଦୁଇଠା ନୁହେଁ, ଯେଉଁଠି ଦେଖିବେ ସମାନ ଅବସ୍ଥା । ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ଅଞ୍ଚଳର ସ୍ଥାନୀୟ ତଣ୍ଡାବିରା ଛକରୁ ରାଇଲ ପର୍ଯ୍ୟନ୍ତ ୧୭ କିଲୋମିଟର ରାସ୍ତାକୁ ନିକଟରେ ତିଆରି କରିଛି ପୂର୍ତ୍ତ ବିଭାଗ । ହେଲେ ସ୍ଥାନୀୟ ଲୋକଙ୍କ ଅଭିଯୋଗ, ପ୍ରାୟ ୪ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ରାସ୍ତା ଅତି ନିମ୍ନ ମାନର। ଠିକାଦାରର ଏଭଳି କାମ ବିରୋଧରେ ଲୋକେ ଜିଲ୍ଲାପାଳଙ୍କୁ ଅଭିଯୋଗ ବି କରିଥିଲେ ଫଳ କିଛି ହୋଇନି।

ଏବେ ଜାଣନ୍ତୁ ରାସ୍ତା ନାଁରେ ହରିଲୁଟର ଆଉ ଏକ ଅଧ୍ୟାୟ ଉପରେ । ଖୋର୍ଦ୍ଧା ଜିଲ୍ଲାରୁ-ପୁରୀକୁ ସଂଯୋଗ କରୁଥିବା ନୂଆ ଜଗନ୍ନାଥ ସଡ଼କର ଦୃଶ୍ୟ ବି ସମାନ । ସ୍ଥାନୀୟ ରାମେଶ୍ୱରଠୁ କେଶରପୁର ପର୍ଯ୍ୟନ୍ତ ୧୩ କିଲୋମିଟର ରାସ୍ତା ଲାଗି ଖର୍ଚ୍ଚ ହୋଇଛି ୫ କୋଟି ୫୯ ଲକ୍ଷ ଟଙ୍କା । ଦୁର୍ଭାଗ୍ୟର କଥା, ଗୋଟେ ପଟେ ରାସ୍ତା ନିର୍ମାଣ ଶେଷ ହେବାକୁ ଯାଉଥିବା ବେଳେ ଅନ୍ୟପଟେ ବହୁ ସ୍ଥାନରେ ରାସ୍ତାରୁ ପିଚୁ ଉଠିଯାଉଥିବା ବାରମ୍ବାର ନଜରକୁ ଆସୁଛି ।

ତେଣୁ ଠିକା ସଂସ୍ଥା ପୁଣି ମାଲ ମ୍ୟାଟେରିଆଲ ନେଇ ରାତିଅଧିଆ ସେ ସ୍ଥାନରେ ପ୍ୟାଚ୍ ପକାଇବାରେ ବ୍ୟସ୍ତ । ତେବେ ନିର୍ମାଣକୁ ମାସେ ପୁରି ନଥିବା ବେଳେ ରାସ୍ତାରୁ ପିଚୁ କାହିଁକି ଉଠିଯାଉଛି ଏବଂ ତାଳିପକା ମରାମତି କାମର ସ୍ଥାୟୀତ୍ୱ କେତେ, ତାକୁ ନେଇ ପ୍ରଶ୍ନ କରିଛନ୍ତି ସ୍ଥାନୀୟ ଲୋକେ । ଏମିତିକି ଖୋର୍ଦ୍ଧାର ବିଜେଡି ବିଧାୟକ ମଧ୍ୟ ରାସ୍ତାକାମ ଅତି ନିମ୍ନ ମାନର ବୋଲି କହିଛନ୍ତି।

କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅଞ୍ଚଳର । ସ୍ଥାନୀୟ ବିସିଂହପୁଠାରୁ ମୁରାନ ଡ୍ୟାମ୍ ପର୍ଯ୍ୟନ୍ତ ପ୍ରାୟ ୧୩ କିଲୋମିଟର ରାସ୍ତା ଲାଗି ୨୦୧୫-୧୬ ଆର୍ଥିକ ବର୍ଷରେ ୧୨ କୋଟି ବ୍ୟୟ ଅଟକଳ ହୋଇଥିଲା । ଜୟପୁରର ଏକ ଠିକା କମ୍ପାନୀ ରାସ୍ତା ନିର୍ମାଣ କାମ କରୁଥିଲା। ତେବେ ଏଠି ବି ଠିକାଦାର ନିମ୍ନମାନର କାମ କରୁଥିବାର ଅଭିଯୋଗ ପରେ ଓଲଟା ବିଭାଗର ଅବହେଳା ଦର୍ଶାଇ ଆଇନର ଆଶ୍ରୟ ନେଇଥିଲେ ଠିକାଦାର ।

ଫଳରେ ଆଜିକୁ ପ୍ରାୟ ୮ ବର୍ଷ ଧରି ଆଇନ ଜାଲରେ ଫସି ରହିଛି ଏ ରାସ୍ତାର ଭାଗ୍ୟ । ବର୍ଷ ବର୍ଷ ଧରି ମରାମତି ଅଭାବରୁ ଏ ରାସ୍ତା ଏଭଳି ପଡ଼ି ରହିଥିବାରୁ ଏହା ନିର୍ଭର କରୁଥିବା ଆଖପାଖ ୧୦୦ଟି ଗାଁର ଲୋକେ ଦୈନିକ ଯନ୍ତ୍ରଣାର ଶିକାର ହେଉଛନ୍ତି ।