• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିକୁ ନେଇ ବାରମ୍ବାର ଆପତ୍ତି ଉଠିବା ପରେ ଶେଷରେ ସେହି ପ୍ରତିମୂର୍ତ୍ତିକୁ ଉଠାଇ ନେଇଛି ପ୍ରଶାସନ ।  ଅନୁଗୁଳ ର ଗୋପବନ୍ଧୁ ପାର୍କରେ ଏହି ଗାନ୍ଧିବାଦୀ ନେତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା । ପ୍ରଥମେ ତାଙ୍କୁ ପିନ୍ଧା ଯାଇଥିଲା ଫୁଲ୍ ପ୍ୟାଣ୍ଟ ସାର୍ଟ । ନବକୃଷ୍ଣ ସବୁବେଳେ ଖଦଡ଼ ଧୋତି କୁର୍ତ୍ତା ପିନ୍ଧୁଥିଲେ । ତେଣୁ ତାଙ୍କ ଏପରି ଫୁଲ ପ୍ୟାଣ୍ଟ ସାର୍ଟ ପିନ୍ଧା ପ୍ରତିମୂର୍ତ୍ତିକୁ ବିରୋଧ କରିଥିଲେ ସ୍ଥାନୀୟ ଲୋକେ ।

ଅଧିକ ପଢ଼ନ୍ତୁ: ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଧୋତି ବଦଳରେ ପ୍ୟାଣ୍ଟ ପିନ୍ଧାଇଲା କିଏ?

ପ୍ରତିବାଦ ପରେ ଧୋତି ପିନ୍ଧା ଯାଇଥିଲେ ବି ତାକୁ ନେଇ ପ୍ରଶ୍ନ ଉଠିଥିଲା । ଏ ସଂପର୍କରେ କ୍ଷୋଭ ପ୍ରକାଶ କରି ଜଣେ ଆଇନଜୀବୀ ଅନୁଗୁଳ ଥାନାରେ ଏତଲା ବି ଦେଇଛନ୍ତି । ପ୍ରତିମୂର୍ତ୍ତିକୁ ସଂପୂର୍ଣ୍ଣ ଭାବେ ଠିକ୍ କରାଯିବା ପରେ ସ୍ଥାପନ କରାଯିବ ବୋଲି କହିଛନ୍ତି ପୌରାଧ୍ୟକ୍ଷ । ନବକୃଷ୍ଣ ଚୌଧୁରୀଙ୍କ ଝିଅ କୃଷ୍ଣା ମହାନ୍ତି କହିଛନ୍ତି-ଏମିତିରେ ବାପା ନିଜର ପ୍ରତିମୂର୍ତ୍ତି ସ୍ଥାପନକୁ ପସନ୍ଦ କରୁନଥିଲେ । ଯଦି ବି ଏବେ ସ୍ଥାପନ କରାଯାଉଛି, ତାହା ଠିକ୍ ଭାବେ ହେବା ଉଚିତ ।

ବିରୋଧ ଥମିବା ନାଁ ଧରୁ ନ ଥିବାରୁ ଆଜି ପୌରପାଳିକା ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ଗୋପବନ୍ଧୁ ପାର୍କର ଯେଉଁ ସ୍ଥାନରେ ଲାଗିଥିଲା ସେଠାରୁ ଉଠାଇ ନିଆଯାଇଛି । ପ୍ରତିମୂର୍ତ୍ତିକୁ ସମ୍ପୂର୍ଣ୍ଣ ସଠିକ କରିବା ପରେ ଲଗାଯିବ ବୋଲି ଜଣା ପଡିଥିବା ବେଳେ କେବେ ସୁଦ୍ଧା ପ୍ରତିମୂର୍ତ୍ତି ସ୍ଥାପନ କରାଯିବ ସେ ନେଇ ପୌରପାଳିକା ପକ୍ଷରୁ ସୂଚନା ମିଳିପାରିନାହିଁ ।

ସେପଟେ ଏ ସଂପର୍କରେ ଘନ ଘନ ଖବର ପ୍ରସାରଣ ପରେ ଚେଇଁଲେ ରାଜ୍ୟ ସରକାର । ନବକୃଷ୍ଣ ଚୌଧୁରୀଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଅନୁଗୋଳ ସହରରେ ପୁଣିଥରେ ପ୍ରତିଷ୍ଠା କରାଯିବ ବୋଲି ରାଜ୍ୟ ସରକାର ଆଜି ନିଷ୍ପତ୍ତି ନେଇଛନ୍ତି । ବିଧାନସଭା ସମ୍ମୁଖରେ ଯେଉଁ ଢାଞ୍ଚାରେ ନିର୍ମିତ ହୋଇଛି ପ୍ରତିମୂର୍ତ୍ତି, ସେହି ସମାନ ଢାଞ୍ଚାରେ ନୂଆ ପ୍ରତିମୂର୍ତ୍ତି ନିର୍ମାଣ କରାଯିବ ବୋଲି ସୂଚନା ଦିଆଯାଇଛି ।

କେବଳ ପ୍ରତିମୂର୍ତ୍ତି ନୁହେଁ, ଅନୁଗୋଳ ସ୍ଥିତ ବାଜି ରାଉତ ଛାତ୍ରାବାସର ମଧ୍ୟ ପୁନରୁଦ୍ଧାର ଏବଂ ସଂରକ୍ଷଣ ସହ ସମୂହ ବିକାଶ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବେ । ଏଥିପାଇଁ ସଂସ୍କୃତି ବିଭାଗ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ଅଧିକାରୀ ଦଳ ଆସନ୍ତାକାଲି ବାଜି ରାଉତ ଛାତ୍ରାବାସ ଗସ୍ତ କରିବେ ବୋଲି
ସୂଚନା ଦେଇଛନ୍ତି ରାଜ୍ୟ ସରକାର । ସମସ୍ତ କାର୍ଯ୍ୟର ତଦାରଖ କରିବ ସଂସ୍କୃତି ବିଭାଗ।