• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଡାକ୍ତର ଯଦି ଠିକରେ ରୋଗ ଚିହ୍ନି ନପାରିବେ ଓ ଭୁଲ୍ ଔଷଧ ଦେବେ ତାହେଲେ କହିବା କାହାକୁ । ଯାହାର ପରିଣତି ଭୋଗୁଛନ୍ତି ଜଟଣୀର ଜଣେ ଦିବ୍ୟାଙ୍ଗ ଗରିବ ମହିଳା । ପେଟରେ ଟ୍ୟୁମର ବଢ଼ି ଅବସ୍ଥା ଅସମ୍ଭାଳ କଲାଣି, ହେଲେ ଡାକ୍ତର ତାଙ୍କୁ ୮ମାସ ହେଲା ଦେଇଚାଲିଛନ୍ତି ଗର୍ଭଧାରଣ ପରବର୍ତ୍ତୀ ଔଷଧ । ଯାହାକୁ ନେଇ ପରିବାର ଲୋକେ ଅସହାୟ ହୋଇପଡ଼ିଥିବାବେଳେ ଜଟଣୀ ମେଡିକାଲ ଅଧୀକ୍ଷକ କହିଛନ୍ତି ଘଟଣା ଅନୁସନ୍ଧାନ କରି ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବେ।

ପେଟରେ ଟ୍ୟୁମର୍, ହେଲେ ଚାଲିଛି ପ୍ରେଗନାନସି ଟ୍ରିଟମେଣ୍ଟ । ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଦିବ୍ୟାଙ୍ଗ ମହିଳା । କ’ଣ କରିବେ କୁଆଡ଼େ ନେବେ, ପରିବାର ଲୋକେ ବାଉଳା ହେଉଛନ୍ତି । ଜଟଣୀ ମେଡିକାଲ ବାରଣ୍ଡାରେ କଲବଲ ହେଉଛନ୍ତି ସ୍ଥାନୀୟ ଗଜପତି ନଗରର କବୀନ୍ଦ୍ର ସାହୁଙ୍କ ପତ୍ନୀ ସ୍ୱର୍ଣ୍ଣଲତା । କହିପାରନ୍ତିନି କି ଶୁଣିପାରନ୍ତିନି । ଗତ ଅଗଷ୍ଟ ୨୧ରେ ପେଟରେ ଯନ୍ତ୍ରଣା ହେବାରୁ ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆସିଥିଲେ।

ଅଧିକ ପଢ଼ନ୍ତୁ: କିଡନୀ ରୋଗୀଙ୍କୁ ଔଷଧ ନୁହେଁ, ବିଷ ଦେଉଛନ୍ତି ସରକାର!

ଡ୍ୟୁଟିରେ ଥିବା ଡାକ୍ତର ତାଙ୍କ ଗର୍ଭ ପରୀକ୍ଷା କରି ମାସେ ଗର୍ଭବତୀ ଥିବା କହିଥିଲେ । ତା’ସହ ଆଶା ଦିଦି ଓ ଅଙ୍ଗନବାଡ଼ିକର୍ମୀଙ୍କ ତତ୍ତ୍ୱାବଧାନରେ ରହିବାକୁ ବି ପରାମର୍ଶ ଦେଇଥିଲେ । ତାପରଠୁ ଚାଲିଲା ସ୍ୱର୍ଣ୍ଣଲତାଙ୍କ ଗର୍ଭଧାରଣ ପରବର୍ତ୍ତୀ ଚିକିତ୍ସା । ଏମିତିକି ସେବେଠୁ ନିୟମିତ କ୍ୟାଲସିୟମ୍ ଟ୍ୟାବଲେଟ୍ ସହ ଅଣ୍ଡା, ଛତୁଆ ଏବଂ ଭ୍ୟାକସିନ୍ ବି ଦିଆଯାଇଛି । ଖାଲି ସେତିକି ନୁହେଁ ସ୍ୱର୍ଣ୍ଣଲତାଙ୍କ ନାଁରେ ଇସ୍ୟୁ ହୋଇଥିବା ମାଆ ଓ ଶିଶୁ ସୁରକ୍ଷା କାର୍ଡରେ ପ୍ରସବ ତାରିଖ ଆସନ୍ତା ମେ’ ୨୮ ବୋଲି ବି ଉଲ୍ଲେଖ ରହିଛି ।

କିନ୍ତୁ କିଛି ଦିନ ହେଲା ସ୍ୱର୍ଣ୍ଣଲତାଙ୍କ ପେଟରେ ଯନ୍ତ୍ରଣା ଅହସ୍ୟ ହେବାରୁ ସେ ଏକ ଘରୋଇ ମେଡିକାଲରେ ଡାକ୍ତର ଦେଖାଇ ଅଲଟ୍ରାସାଉଣ୍ଡ କରିବା ପରେ ପେଟରେ ଛୁଆ ନୁହେଁ ବରଂ ଟ୍ୟୁମର ବଢୁଥିବା ଜଣାପଡ଼ିଛି । ଯାହାକୁ ନେଇ ତାଙ୍କ ସ୍ୱାମୀ ଓ ମାଆ ସିଧାସଳଖ ଡାକ୍ତର, ଆଶା ଓ ଅଙ୍ଗନବାଡ଼ି ଦିଦିଙ୍କୁ ଦାୟୀ କରିଛନ୍ତି । ଘୋର ଆର୍ଥିକ ଅସୁବିଧାରେ ଥିବାରୁ ସ୍ୱର୍ଣ୍ଣଲତାଙ୍କୁ ତୁରନ୍ତ ଉନ୍ନତ ଚିକିତ୍ସା ସୁବିଧା ଯୋଗାଇବାକୁ ପ୍ରଶାସନ ପାଖରେ ଦାବି କରିଛନ୍ତି ।

କାହା ଭୁଲ୍‌ରୁ ଯନ୍ତ୍ରଣା ଭୋଗୁଛନ୍ତି ସ୍ୱର୍ଣ୍ଣଲତା ? ଜାଣିବାକୁ ଆମେ ଚିକିତ୍ସା କରିଥିବା ଡାକ୍ତର, ଆଶା ଏବଂ ଅଙ୍ଗନବାଡ଼ି ଦିଦି, ସମସ୍ତଙ୍କ ପ୍ରତିକ୍ରିୟା ପାଇଁ ଖୋଜିଥିଲୁ । ହେଲେ ସଂପୃକ୍ତ ଡାକ୍ତର ଛୁଟିରେ ଥିବାବେଳେ ବାକି ଦୁଇ ଜଣଙ୍କ କୌଣସି ଖୋଜ ଖବର ନାହିଁ । ତେଣେ ଆଜି ଓପିଡି ଡ୍ୟୁଟିରେ ଥିବା ଡାକ୍ତର ସ୍ୱର୍ଣ୍ଣଲତାଙ୍କୁ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିବାବେଳେ ସୁପରିଟଣ୍ଡେଣ୍ଟ କହିଛନ୍ତି ପୁରା ଘଟଣାର ଅନୁସନ୍ଧାନ ହେବ ଓ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯିବ ।