/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746374658.jpg)
BJP BJD Congress in Odisha Struggle to Form State Committees
କିଏ ମଙ୍ଗୁଆଳ ଖୋଜୁଛି ତ ଆଉ କାହାର ଛାମୁଆ ସଂଗଠନ ହୋଇପାରୁନି। ବିଜେପି, ବିଜେଡି ଓ କଂଗ୍ରେସର ଏଭଳି ସ୍ଥିତି ଏବେ ରାଜ୍ୟରେ। ସବୁଠାରୁ ଚର୍ଚ୍ଚାରେ ବିଜୁ ଜନତା ଦଳ। ଏପ୍ରିଲ 30 ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ସାରିବାକୁ ବିଜେଡି, ନିର୍ବାଚନ କମିଶନଙ୍କ ଠାରୁ ସମୟରେ ମାଗିଥିଲା। କିନ୍ତୁ ଡେଡ୍ ଲାଇନ୍ ସରିଥିଲେ ବି ରାଜ୍ୟ କାର୍ଯ୍ୟକାରିଣୀ ଘୋଷଣା ହୋଇପାରୁ ନାହିଁ। ଯେଉଥିପାଇଁ ଗୋଷ୍ଠୀ କନ୍ଦଳ ଆହୁରି ତେଜୁଛି। ଓଡ଼ିଶା କଂଗ୍ରେସରେ ବି କମିଟି ଅଙ୍କ ଛିଡି ପାରୁନଥିବା ବେଳେ ରାଜ୍ୟ ବିଜେପିର ନୂଆ ସଭାପତି ମଧ୍ୟ ଏଯାଏଁ ଚୟନ ହୋଇପାରିନି।
ବିଜେଡି ସଭାପତି ନିର୍ବାଚନ ସରିଲା। ହେଲେ ଏଯାଏ ଘୋଷଣା ହୋଇପାରିଲାନି ରାଜ୍ୟ କାର୍ଯ୍ୟକାରିଣୀ। ବଢୁଛି ଅସନ୍ତୋଷ, ବଢୁଛି କନ୍ଦଳ ! ତାଳି ପକାଇବାକୁ ଜାଣିଶୁଣି ବିଳମ୍ବ କରୁଛନ୍ତି କି ମଙ୍ଗୁଆଳ ? ଗତ ଏପ୍ରିଲ 19 ରେ ବିଜେଡି ସଭାପତି ନିର୍ବାଚନ ହୋଇଥିଲା। ଯେଉଁଥିରେ ନବୀନ ନିର୍ଦ୍ବନ୍ଦ୍ବରେ ନବମ ଥର ପାଇଁ ନିର୍ବାଚିତ ହେଲେ। ଦଳର ନିୟମ କହୁଛି 355 ଜଣ ସଦସ୍ୟଙ୍କୁ ନେଇ ରାଜ୍ୟ ପରିଷଦ ଓ 81 ଜଣ ସଦସ୍ୟଙ୍କୁ ନେଇ ରାଜ୍ୟ କାର୍ଯ୍ୟକାରିଣୀ ଗଠନ ହେବ। ରାଜ୍ୟ କାର୍ଯ୍ୟକାରିଣୀରେ ସଭାପତି ନିର୍ବାଚନ ହେବ। କିନ୍ତୁ ସଭାପତି ନିର୍ବାଚନ ସରିଥିଲେ ବି ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ଓ ପରିଷଦରେ କିଏ ଅଛନ୍ତି ତାହା କେହି ଜାଣିନାହାନ୍ତି। ଖୋଦ୍ ଦଳ ଭିତରୁ ଏହାକୁ ନେଇ ଉଠିଲାଣି ଅସନ୍ତୋଷର ସ୍ବର। ଭୁବନେଶ୍ବରର ବିଜେଡି ବିଦ୍ରୋହୀ କର୍ପୋରେଟର ଅମରେଶ ଜେନା ସାଂଘାତିକ ଅଭିଯୋଗ ଆଣି କହିଛନ୍ତି, କିଛି ତୋଷାମୋଦିଆଙ୍କ କବଳରେ ଦଳ ଅଛି। ଜାଣିଶୁଣି କାର୍ଯ୍ୟକାରିଣୀ ତାଲିକାକୁ ଲୁଚାଯାଉଛି। ସେପଟେ ଦଳ କହୁଛି, ଦକ୍ଷ ଲୋକଙ୍କୁ ଦାୟିତ୍ବ ଦିଆଯିବ, ଠିକ୍ ସମୟରେ ନବୀନ ବାବୁ ନିଷ୍ପତ୍ତି ନେବେ।
ଅଧିକ ପଢ଼ନ୍ତୁ: ଅମିତ ଶାହଙ୍କ କଡ଼ା ଚେତାବନୀ; କହିଲେ, ପ୍ରତିଟି ଆତଙ୍କବାଦୀଙ୍କୁ ଖୋଜି ଖୋଜି ମାରିବୁ
ଖାଲି ବିଜେଡି ନୁହେଁ। ବିଜେପି ଓ କଂଗ୍ରେସର ବି ରାଜ୍ୟରେ ସମାନ ଅବସ୍ଥା। ଶାସକ ବିଜେପିର ନୂଆ ରାଜ୍ୟ ସଭାପତି ଚୟନ ଏଯାଏ ହୋଇନି। ସେହିପରି ପ୍ରଥମ ଥରେ ପାଇଁ ବିଜେପି ରାଜ୍ୟରେ ଏକାକୀ ସରକାର ଗଠନ କରିଥିଲେ ବି ବୋର୍ଡ ଓ ନିଗମ ଅଙ୍କ ଏଯାଏ ଛିଡିନି। ନୂଆ ସରକାରକୁ ଆସନ୍ତା ଜୁନ ୧୨ରେ ବର୍ଷେ ପୂରିବ, ତଥାପି ପଦବି ଖାଲି ପଡିଛି। ଅନ୍ୟପଟେ ପ୍ରାୟ ବର୍ଷେ ଖାଲି ପଡିବା ପରେ ପିସିସି ସଭାପତି ଦାୟିତ୍ବ ଭକ୍ତ ଦାସଙ୍କୁ ମିଳିଛି। କିନ୍ତୁ ଏହା ପରେ ବି ଦଳର ରାଜ୍ୟ କମିଟି ଓ ଛାମୁଆ ସଂଗଠନ ଗଠନ ହୋଇପାରିନି। ଦଳ ପାଇଁ ବଡ଼ ସମସ୍ୟା ହେଉଛି ଅସଜଡା ଘର ଓ ଅମାନିଆ ନେତା। ତେବେ ଖୁବ ଶୀଘ୍ର ବିବାଦ ଦୂର କରି କମିଟି ଘୋଷଣା ହେବ ବୋଲି କଂଗ୍ରେସ କହିଛି।
ଏବେ ଦେଖିବାର କଥା ହେଉଛି କେତେ ଶୀଘ୍ର ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳର କମିଟି ଗଠନ ହେଉଛି ଆଉ କଣ ନୂଆ ଏଜେଣ୍ଡା ରହୁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)