/odishatv-khabar/media/post_attachments/uploadimage/library/16_9/16_9_0/pujari_1746369358.jpg)
pujari
ବିଭାଗୀୟ ଅଧିକାରୀଙ୍କୁ ରାଜସ୍ବ ମନ୍ତ୍ରୀଙ୍କ କଡ଼ା ଚେତାବନୀ, ଆଇନ ବାହାରେ କାମ କଲେ, ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ। ବେଆଇନ କାର୍ଯ୍ୟକଳାପ ଲାଗି ଗତକାଲି ଭୁବନେଶ୍ବରର ଦୁଇ ଅତିରିକ୍ତ ତହସିଲଦାରଙ୍କୁ ସସପେଣ୍ଡ ଏବଂ ନିୟମ ଭାଙ୍ଗି ପାର୍ଟ ପ୍ଲଟ୍ ପଞ୍ଜୀକରଣ କରାଇଥିବା ୪୦୦ ଅଧିକାରୀଙ୍କୁ ସୋ କଜ୍ ନୋଟିସ ପରେ ଆଜି ଏମିତି କଠୋର ବାର୍ତ୍ତା ଦେଇଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ। ଏପଟେ ରିଅଲ ଇଷ୍ଟେଟ୍ କର୍ମୀ ଅଭିଯୋଗ କରିଛନ୍ତି, ଏ ଦୁର୍ନୀତିରେ ବଡ଼ ଅଫିସର ବି ସାମିଲ ଅଛନ୍ତି। ସେମାନଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ନିଆଯାଉ।
ଗତ ୩ ଦିନରେ ଅତିରିକ୍ତ ତହସିଲଦାର ଥିବା ୫ ଜଣ ରାଜସ୍ବ ଅଧିକାରୀଙ୍କୁ ବେଆଇନ କାର୍ଯ୍ୟକାଳପ ଲାଗି ସସପେଣ୍ଡ କରିବା ପରେ ବିଭାଗୀୟ ଅଧିକାରୀଙ୍କୁ ଏମିତି କଡ଼ା ଚେତାବନୀ ଶୁଣାଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। କହିଛନ୍ତି, କାମରେ ଅବହେଳା, ସରକାରୀ ଆଦେଶକୁ ନମାନିବା, ଆଇନ ବାହାରକୁ ଯାଇ କାମ କରିବା କାରଣରୁ ପ୍ରତି ମାସରେ ଅନେକ ଅଧିକାରୀଙ୍କୁ ନିଲମ୍ବନ କରାଯାଉଛି। ଅନେକଙ୍କୁ ବହିଷ୍କାର ଭଳି ଦଣ୍ଡ ବି ଦିଆଯାଉଛି। ଖାଲି ସେତିକି ନୁହେଁ, ମନ୍ତ୍ରୀ କହିଛନ୍ତି ଗତକାଲି ସସ୍ପେଣ୍ଡ ହୋଇଥିବା ଭୁବନେଶ୍ବରର ଅତିରିକ୍ତ ତହସିଲଦାର ଗିତୁ ବେହେରା ଓ ନାରାୟଣ ସେଠୀଙ୍କ କାରନାମା ସବୁ ସୀମା ପାର୍ କରିଛି। ଗିତୁ ବେହେରା ଅଳ୍ପ ସମୟ ମଧ୍ୟରେ ୨୦୦ରୁ ଅଧିକ ହୋମ୍ ରେଜିଷ୍ଟ୍ରେସନ କରିଛନ୍ତି। ଅର୍ଥାତ ସେ ଆବେଦନକାରୀଙ୍କ ଘରକୁ ଯାଇ କରାଇଛନ୍ତି ରେଜିଷ୍ଟ୍ରେସନ୍।
ଅଧିକ ପଢ଼ନ୍ତୁ: ଦୀଘା ଦିଅଁ ନିର୍ମାଣ ବିବାଦ, ଉତ୍ତର ନ ଦେଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନଜବତ, ୯ ଗିରଫ
ଏମିତିକି ଦୁଇଟି କ୍ଷେତ୍ରରେ ନିଜ କାର୍ଯ୍ୟକ୍ଷେତ୍ରର ସୀମା ଡେଇଁ କଟକରେ ବି ହୋମ୍ ରେଜିଷ୍ଟ୍ରେସନ କରାଇଛନ୍ତି। ସେହିପରି ନାରାୟଣ ସେଠୀ, ଗୋଟିଏ ଦିନରେ ହିଁ ଜମିର କିସମ ବଦଳାଇବା ସହ ସେହି ଜମିର ପାର୍ଟିସନ କରି ପଞ୍ଜୀକରଣ କରାଇଥିଲେ।
ରାଜ୍ୟରେ ପାର୍ଟ ପ୍ଲଟ୍ ବିକ୍ରି ନେଇ ନିଷେଦ୍ଧାଦେଶ ଲାଗିଥିବା ବେଳେ ବି ଅନେକ ସବ୍ ରେଜିଷ୍ଟ୍ରାର୍ ହେରଫେର୍ କରିଥିବା କହିଛନ୍ତି ମନ୍ତ୍ରୀ। ୨୦୧୩ରୁ ଏବେ ସୁଦ୍ଧା ୪୦୦ ଜିଲ୍ଲା ସବ୍ ରେଜିଷ୍ଟ୍ରାର୍ ଅଫିସର ବେଆଇନ ଭାବେ ଶତାଧିକ ଲେଖାଏଁ ପାର୍ଟ ପ୍ଲଟ୍ ପଞ୍ଜୀକରଣ କରିଛନ୍ତି। ଏସବୁ ରାଜସ୍ବ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଆଗକୁ ସେମାନଙ୍କ ବିରୋଧରେ ବି ଆରମ୍ଭ କାର୍ଯ୍ୟାନୁଷ୍ଠାନ ହେବ। ଏପଟେ ରିଅଲ ଇଷ୍ଟେଟ୍ କର୍ମୀଙ୍କ କହିବା କଥା, ମନ୍ତ୍ରୀଙ୍କ ତଥ୍ୟ ଦର୍ଶାଉଛି, କିଭଳି ବର୍ଷ ବର୍ଷ ଧରି ଦୁର୍ନୀତି ଚାଲିଆସୁଛି। ତେବେ ରାଜସ୍ବ ବିଭାଗରେ ଚାଲିଥିବା ଏ ଦୁର୍ନୀତିରେ କେବଳ ସବ୍ ରେଜିଷ୍ଟ୍ରାର ନୁହନ୍ତି, ଆହୁରି ଅନେକ ବଡ଼ ଅଫିସର ବି ସଂପୃକ୍ତ ବୋଲି ସେ ଅଭିଯୋଗ କରିଛନ୍ତି। ରାଜସ୍ବ ବିଭାଗକୁ ସ୍ବଚ୍ଛ କରିବା ଲାଗି ମନ୍ତ୍ରୀଙ୍କ ଏ ପ୍ରୟାସ, ଆଗକୁ କେତେ ସଫଳ ହେଉଛି, ତାହା ଉପରେ ସମସ୍ତଙ୍କ ନଜର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)