• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କଥାରେ ଅଛି ବିଶ୍ୱାସେ ମିଳଇ ହରି, ତର୍କେ ବହୁ ଦୂର । ଭଗବାନ୍‌ଙ୍କ ଉପରେ ଭରଷା ଓ ବିଶ୍ୱାସ ଥିଲେ ସବୁ କିଛି ସହଜ ମନେ ହୁଏ । ଶିବ ଭଗବାନଙ୍କର ପ୍ରିୟ ହେଉଛି ବେଲପତ୍ର । ପ୍ରତ୍ୟେକ ଦିନ ପୂଜା ହେଉ ଅବା ଜଳାଭିଷେକ, ପ୍ରତ୍ୟେକ କ୍ଷେତ୍ରରେ ମହାପ୍ରଭୁଙ୍କୁ ଲାଗି କରାଯାଏ ବେଲପତ୍ର । ତେବେ ଏହିଭଳି ଏକ ଏକ ସ୍ଥାନ ରହିଛି କଟକ ଜିଲ୍ଲା ବଡମ୍ବା ବ୍ଲକର କୁସାପାଳ ଗାଁରେ, ଯେଉଁଠି ୩ ରୁ ୨୧ ଟିକିଆ ବେଲପତ୍ର ମିଳେ ।

ଆମେ ମାନେ ଜାଣିଛେ ପ୍ରତ୍ୟେକ ଶୈବ ପୀଠ ରେ ଶିବ ଠାକୁରମାନଙ୍କୁ ତ୍ରିଶାଖା ବା ତିନିଟି ପତ୍ର ଥିବା ବେଲପତ୍ର ଚଢ଼ାଯାଏ । ହେଲେ ବେଳେ ବେଳେ କିଛି ଗଛରେ ପାଞ୍ଚ କିମ୍ବା ତାଠାରୁ ଅଧିକ ଶାଖା ଥିବା ବେଲପତ୍ର ମଧ୍ୟ ଦେଖିବାକୁ ମିଳେ । ଏହାକୁ ଶିବଙ୍କ ଉପରେ ଚଢ଼ାଇଲେ ଆଶୀର୍ବାଦ ମିଳେ ବୋଲି ବିଶ୍ୱାସ ରହିଛି । ତେବେ ଆମ ରାଜ୍ୟରେ ଏଭଳି ଏକ ସ୍ଥାନ ରହିଛି ଯେଉଁଠି ୩ରୁ ଆରମ୍ଭ କରି ୨୧ଟି ଶାଖାର ବେଲପତ୍ର ଦେଖିବାକୁ ମିଳେ । ତେବେ ସେ ଜାଗା ଟି ରହିଛି

କଟକ ବଡ଼ମ୍ବା ବ୍ଲକ୍‌ ଅଧିନ ବଡ଼ କମ୍ବିଲୋ ପଞ୍ଚାୟତର କୋଷାପାଳ ଗାଁ। ଏଠାରେ ପୂଜା ପାଉଛନ୍ତି ବାବା ଗୁପ୍ତେଶ୍ୱର ମହାଦେବ । ଆଉ ଏଠାରେ ଅଛି ଏକ ଆଲୌକିକ ବେଲ ବଣ । ଆପଣମାନେ ତ୍ରିଶାଖା ବେଲପତ୍ର ଦେଖିଥିବେ, ହେଲେ ଏଠାରେ ଏପରି ଶହ ଶହ ବେଲ ବୃକ୍ଷ ରହିଛି ଯାହାର ପତ୍ର ୩ ସଂଖ୍ୟାରୁ ଅଧିକ । ପ୍ରାୟ ପ୍ରତ୍ୟେକ ଗଛରେ ଚାରି, ପାଞ୍ଚ , ଛଅରୁ ଆରମ୍ଭ କରି ଏକୋଇଶି ପର୍ଯ୍ୟନ୍ତ ଶାଖାର ବେଲପତ୍ର ଦେଖିବାକୁ ମିଳେ । ହେଲେ ଆଶ୍ଚର୍ଯ୍ୟର କଥା ହେଉଛି ଅନେକ ଭକ୍ତ ଏଠାରୁ ବେଲ ଗଛ ନେଇ ଅନ୍ୟତ୍ର ଲଗାଇଛନ୍ତି, କିନ୍ତୁ ସେ ଗଛରେ ଏଭଳି ବେଲପତ୍ର ଦେଖିବାକୁ ମିଳେ ନାହିଁ । କେବଳ ଏହି ପବିତ୍ର ଜାଗାରେ ତିନିରୁ ଅଧିକ ଶାଖା ଥିବା ବେଲପତ୍ର ଦେଖିବାକୁ ମିଳୁଛି ।

ଲୋକଙ୍କ କହିବା ଅନୁସାରେ, ଏଠାରେ ପ୍ରଭୁ ଭୋଳାନାଥ ସ୍ଵୟଂ ଗୁପ୍ତ ଭାବରେ ବିରାଜିତ ଅଛନ୍ତି । ଏଠି ଶହ ଶହ ସଂଖ୍ୟାରେ ସାପ ମଧ୍ୟ ଦେଖିବାକୁ ମିଳନ୍ତି । ହେଲେ ସେମାନେ କାହାର କିଛି କ୍ଷତି କରନ୍ତି ନାହିଁ । ତେବେ ଏହି ସ୍ଥାନରେ ପ୍ରତି ଦିନ ଏକରୁ ଆରମ୍ଭ କରି ୧୧, ୧୨,୧୩ ଟିକିଆ ଆଦି ବେଲପତ୍ର ମିଳେ । ଆଉ ଯେତେବେଳେ ଏକୋଇଶି ଶାଖା ବେଲପତ୍ର ମିଳେ, ତାକୁ କପିଳାସ ସମେତ ଅନ୍ୟ ଶୈବପୀଠକୁ ପଠାଇ ଦିଆଯାଏ । ଏହି ପୀଠର ମହିମା ଶୁଣି ବର୍ଷତମାମ ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ । ଆଉ ଭକ୍ତମାନେ ଉତ୍ସାହର ସହ ଆସି ବିରଳ ବେଲପତ୍ର ଦର୍ଶନ କରିଯାନ୍ତି । ଏଠି ଜାଗର, କାର୍ତ୍ତିକ ପୂର୍ଣ୍ଣିମା ଏବଂ ଯଜ୍ଞ ସମୟରେ ପ୍ରବଳ ଭିଡ଼ ଜମେ । ପ୍ରତି ସୋମବାର ମଧ୍ୟ ଅଧିକ ଗହଳି ରହିଥାଏ ।

ବିଶ୍ଵାସ ରହିଛି , ଏଠି ଯିଏ ଯାହା ମାନସିକ କରେ ତାହା ମଧ୍ୟ ବାବା ଗୁପ୍ତେଶ୍ୱର ପୂରଣ କରନ୍ତି । ଏଠି ଭଗବାନଙ୍କ ମହିମା ଅନୁଭବ ହୁଏ ଏବଂ ବନ ଦୁର୍ଗା ମଧ୍ୟ ଏଇଠି ଅଛନ୍ତି । ଏତେ ଶାଖା ଥିବା ବେଲପତ୍ର ଆଉ କେଉଁଠି ପାଇବେ ନାହିଁ ବୋଲି ସ୍ଥାନୀୟ ଲୋକମାନେ କୁହନ୍ତି ।