• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁରୀରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଜଗା ଦର୍ଶନ କରି ଆଶିଷ ନେବେ । ଭୁବନେଶ୍ୱର ବିମାନବନ୍ଦରରେ ଓହ୍ଲାଇବା ପରେ ତାଙ୍କୁ ଦିଆଯାଇଥିଲା ଗାର୍ଡ ଅଫ୍ ଅନର୍ । ଏହାପରେ ସ୍ୱତନ୍ତ୍ର ଚପରରେ ବାହାରି ପୁରୀ ତାଳବଣିଆ ହେଲିପ୍ୟାଡରେ ପହଞ୍ଚିଥିଲେ । ତାପରେ ସେଠାରୁ କାର ଯୋଗେ ଶ୍ରୀମନ୍ଦିର ଅଭିମୁଖେ ବାହାରିଥିଲେ । ଆଉ ବଡ଼ ଦାଣ୍ଡରେ ପହଞ୍ଚିବା ପୂର୍ବରୁ ମହାପ୍ରଭୁଙ୍କ ପାଇଁ ଭାବବିହ୍ୱଳ ହୋଇପଡ଼ିଥିଲେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ । ସିଂହଦ୍ୱାରର ବହୁ ପୂର୍ବରୁ କାରକେଡ୍ ରଖି ବଡ଼ଦାଣ୍ଡରେ ଚାଲିଲେ ଓ ମହାପ୍ରଭୁଙ୍କ ଉଦେଶ୍ୟରେ ହାତ ଟେକିଲେ ।

ବଳଗଣ୍ଡି ଛକରୁ କାରରୁ ଓହ୍ଲାଇପଡ଼ିଥିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେଠାରୁ ସେ ଚାଲି ଚାଲି ଯାଇ ଶ୍ରୀମନ୍ଦିରରେ ପହଞ୍ଚିଲେ । ଆଉ ରାସ୍ତାରେ ଗଲାବେଳେ କୁନି କୁନି ସ୍କୁଲ ପିଲାଙ୍କ ସହ ହାତ ମେଳାଇଥିଲେ ଆଉ କଥା ହୋଇଥିଲେ । କୁନି କୁନି ପିଲାଙ୍କୁ  ଦେଖିବା ପରେ ରାଷ୍ଟ୍ରପତି ଖୁବ୍‌ ଖୁସି ଜଣାପଡ଼ୁଥିଲେ । ଖାଲି ସେତିକି ନୁହେଁ ଚାଲି ଚାଲି ଗଲା ବେଳେ ସାଧାରଣ ଲୋକଙ୍କୁ ହାତ ହଲାଇ ଜଣାଇଥିଲେ ଅଭିବାଦନ । 

ପରେ ସିଂହଦ୍ୱାର ସାମ୍ନାରେ ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କୁ କରାଯାଇଥିଲା ସ୍ୱାଗତ ସମ୍ବର୍ଦ୍ଧନା । ରାଷ୍ଟ୍ରପତିଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ । ପରେ ଶ୍ରୀମନ୍ଦିରରେ ପ୍ରବେଶ କରିବା ପୂର୍ବରୁ ସିଂହଦ୍ୱାର ସାମ୍ନାରେ ତଳେ ମୁଣ୍ଡ ଲଗାଇ ପ୍ରଣିପାତ କରିଥିଲେ ରାଷ୍ଟ୍ରପତି । ଅରୁଣ ସ୍ତମ୍ଭକୁ ଛୁଇଁ ଶ୍ରୀମନ୍ଦିରରେ ପ୍ରବେଶ କଲେ ।