• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଜଗତର ନାଥ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି । ରାଷ୍ଟ୍ରପତି ହେବା ପରେ ଆଜି ପ୍ରଥମ ଥର ଓଡ଼ିଶା ଆସି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତେବେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରି ଅଭିଭୂତ ହୋଇଯାଇଛନ୍ତି ରାଷ୍ଟ୍ରପତି । ଏପରିକି ସୁରକ୍ଷା ପ୍ରୋଟୋକଲ ଭାଙ୍ଗି ବଳଗଣ୍ଡି ଛକରୁ କାର୍‌କେଡରୁ ଓହ୍ଲାଇ ବଡ଼ଦାଣ୍ଡରେ ଚାଲି ଚାଲି ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଆଶୀର୍ବାଦ ନେଇଛନ୍ତି। ଏହାସହ ସେ ଦେଶର ଅଭିବୃଦ୍ଧି ଓ ବିକାଶ ପାଇଁ  ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

ଅଧିକ ପଢ଼ନ୍ତୁ: ଦର୍ଶନ ପୁସ୍ତିକାରେ ଭାବପୂର୍ଣ ଅନୁଭୂତି ବଖାଣିଲେ ରାଷ୍ଟ୍ରପତି

କଦଳୀପତ୍ରରେ ଘିଅ ଅନ୍ନ, କାନିକା . . .

ତେବେ ଦର୍ଶନ ପରେ ପୁରୀ ରାଜଭବନରେ ମହାପ୍ରସାଦ ଖାଇଛନ୍ତି ରାଷ୍ଟ୍ରପତି । କଦଳୀପତ୍ରରେ ଘିଅ ଅନ୍ନ, କାନିକା, ଖେଚୁଡ଼ି, ଡାଲି, ଡାଲମା, ବେସର, ଶାଗ ଭଜା ଆଦି ଖାଇଛନ୍ତି ।  ମହାପ୍ରସାଦ ଖାଇବା ସମୟରେ ଚକା ପକାଇ ତଳେ ବସି ମହାପ୍ରସାଦ ଖାଇଛନ୍ତି ଦ୍ରୌପଦୀ ମୁର୍ମୁ ।

ବଡ଼ଦାଣ୍ଡରେ ବିରଳ ଦୃଶ୍ୟ . . .

ତେବେ ଆଜି ରାଷ୍ଟ୍ରପତିଙ୍କ ଗସ୍ତ ବେଳେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି । ପ୍ରୋଟୋକଲ ଭାଙ୍ଗି ବଡଦାଣ୍ଡରେ ଚାଲି ଚାଲି ସେ ଶ୍ରୀମନ୍ଦିରରେ ପହଞ୍ଚିଥିଲେ । ଜଗା ଦର୍ଶନ ପୂର୍ବରୁ ବଡ଼ଦାଣ୍ଡରେ ଭାବବିହ୍ୱଳ ହୋଇ ପଡିଥିଲେ ଦ୍ରୌପଦୀ ମୁର୍ମୁ । ଦୁଇ ହାତ ଟେକି ସେ ନୀଳଚକ୍ରକୁ ପ୍ରଣିପାତ କରିଥିଲେ । ଏହାପରେ ବଡଦାଣ୍ଡରେ ଉପସ୍ଥିତ ଶ୍ରଦ୍ଧାଳୁମାନଙ୍କୁ ଭେଟିଥିଲେ । ବଡଦାଣ୍ଡରେ ଚାଲିବା ବେଳେ ସେ କୁନିକୁନି ପିଲାଙ୍କ ସହ ମିଶିବା ସହ ସେମାନଙ୍କ ସହ ଫଟୋ ଉଠାଇଥିଲେ । ସିଂହଦ୍ୱାର ସମ୍ମୁଖରେ ଗଜପତି ମହାରାଜ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ସିଂହଦ୍ୱାର ସମ୍ମୁଖରେ ଥିବା ଅରୁଣସ୍ତମ୍ଭକୁ ପ୍ରଣିପାତ କରି ବାଇଶି ପାହାଚ ଦେଇ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ ।

ପୂର୍ବରୁ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ବିମାନବନ୍ଦରରେ ସ୍ୱାଗତ କରିଥିଲେ । ଏହାପରେ ରାଷ୍ଟ୍ରପତି ସ୍ୱତନ୍ତ୍ର ହେଲିକପ୍ଟରରେ ତାଳବଣିଆ ହେଲିପ୍ୟାଡରେ ପହଞ୍ଚିଥିଲେ । ସେଠାରୁ ସିଧା ଶ୍ରୀମନ୍ଦିର ଅଭିମୁଖେ ଯାଇଥିଲେ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କୁ ସ୍ୱାଗତ ପାଇଁ ଶ୍ରୀମନ୍ଦିରକୁ ଆକର୍ଷଣୀୟ ଢଙ୍ଗରେ ସଜ୍ଜାଯାଇଥିଲା ।