ରାଷ୍ଟ୍ରପତି ଦୌପଦୀ ମୁର୍ମୁ(Droupadi Murmu) ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଦର୍ଶନ ପୁସ୍ତିକାରେ ନିଜର ଭାବପୂର୍ଣ୍ଣ ଅନୁଭୂତି ବଖାଣିଛନ୍ତି। ଶ୍ରୀମତୀ ମୁର୍ମୁ ଲେଖିଛନ୍ତି ,ସେ ମହାପ୍ରଭୁଙ୍କୁ ଦର୍ଶନ କରି ନିଜକୁ ସୌଭାଗ୍ୟବତୀ ମନେ କରୁଛନ୍ତି । ଜଗନ୍ନାଥ ହେଉଛନ୍ତି ଆଦିବାସୀଙ୍କ ଦାରୁଦେବତା ଏବଂ ସମଗ୍ର ବିଶ୍ୱବ୍ରହ୍ମାଣ୍ଡର ଠାକୁର ।
ଅଧିକ ପଢ଼ନ୍ତୁ: ଜଗା ପାଇଁ ଭାବବିହ୍ୱଳ ମହାମହିମ, ଚାଲିଚାଲି ଗଲେ ଶ୍ରୀମନ୍ଦିର; ଦେଖନ୍ତୁ ଭିଡିଓ
Also Read
ଏହି ଅବସରରେ ସମଗ୍ର ବିଶ୍ୱର କଲ୍ୟାଣ ପାଇଁ ପ୍ରାର୍ଥନା କରିବା ସହ ଆମ ଦେଶ ଯେମିତି ବିକାଶ ଓ ଅଭିବୃଦ୍ଧିର ଶିଖରରେ ପହଞ୍ଚିବ, ସେଥି ପାଇଁ ସେ ମହାପ୍ରଭୁଙ୍କୁ ଗୁହାରୀ କରିଥିଲେ । ଆଜି ସକାଳେ ଶ୍ରୀମତି ମୁର୍ମୁ ପୁରୀରେ ପହଞ୍ଚିବା ପରେ ବଳଗଣ୍ଡି ଛକରୁ ନୀଳଚକ୍ରକୁ ପ୍ରଣିପାତ କରି ପାଦରେ ଚାଲି ଚାଲି ଯିବା ଘଟଣା ଏକ ଭାବମୟ ପରିବେଶ ସୃଷ୍ଟି କରିଥିଲା । ବଡ଼ଦାଣ୍ଡରେ ରାଷ୍ଟ୍ରପତିଙ୍କୁ ଅପେକ୍ଷା କରିଥିବା ଲୋକଙ୍କ ଜୟଜଗନ୍ନାଥ ଧ୍ୱନୀରେ ସାରା ଅଞ୍ଚଳ ପ୍ରକମ୍ପିତ ହୋଇଥିଲା ।
ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ପରେ ଦର୍ଶନ ପୁସ୍ତିକାରେ କ’ଣ ଲେଖିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପଢ଼ନ୍ତୁ...#PresidentOfIndia #DraupadiMurmu #Puri #Odisha pic.twitter.com/Drll7PNcjy
— ଓଟିଭି (@otvkhabar) November 10, 2022
ତେବେ ଆଜି ରାଷ୍ଟ୍ରପତିଙ୍କ ଗସ୍ତ ବେଳେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି । ପ୍ରୋଟୋକଲ ଭାଙ୍ଗି ବଡଦାଣ୍ଡରେ ଚାଲି ଚାଲି ସେ ଶ୍ରୀମନ୍ଦିରରେ ପହଞ୍ଚିଥିଲେ । ଜଗା ଦର୍ଶନ ପୂର୍ବରୁ ବଡ଼ଦାଣ୍ଡରେ ଭାବବିହ୍ୱଳ ହୋଇ ପଡିଥିଲେ ଦ୍ରୌପଦୀ ମୁର୍ମୁ । ଦୁଇ ହାତ ଟେକି ସେ ନୀଳଚକ୍ରକୁ ପ୍ରଣିପାତ କରିଥିଲେ । ଏହାପରେ ବଡଦାଣ୍ଡରେ ଉପସ୍ଥିତ ଶ୍ରଦ୍ଧାଳୁମାନଙ୍କୁ ଭେଟିଥିଲେ । ବଡଦାଣ୍ଡରେ ଚାଲିବା ବେଳେ ସେ କୁନିକୁନି ପିଲାଙ୍କ ସହ ମିଶିବା ସହ ସେମାନଙ୍କ ସହ ଫଟୋ ଉଠାଇଥିଲେ ।
ସିଂହଦ୍ୱାର ସମ୍ମୁଖରେ ଗଜପତି ମହାରାଜ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ସିଂହଦ୍ୱାର ସମ୍ମୁଖରେ ଥିବା ଅରୁଣସ୍ତମ୍ଭକୁ ପ୍ରଣିପାତ କରି ବାଇଶି ପାହାଚ ଦେଇ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ । ପୂର୍ବରୁ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତାଙ୍କୁ ବିମାନବନ୍ଦରରେ ସ୍ୱାଗତ କରିଥିଲେ ।
ଏହାପରେ ରାଷ୍ଟ୍ରପତି ସ୍ୱତନ୍ତ୍ର ହେଲିକପ୍ଟରରେ ତାଳବଣିଆ ହେଲିପ୍ୟାଡରେ ପହଞ୍ଚିଥିଲେ । ସେଠାରୁ ସିଧା ଶ୍ରୀମନ୍ଦିର ଅଭିମୁଖେ ଯାଇଥିଲେ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କୁ ସ୍ୱାଗତ ପାଇଁ ଶ୍ରୀମନ୍ଦିରକୁ ଆକର୍ଷଣୀୟ ଢଙ୍ଗରେ ସଜ୍ଜାଯାଇଥିଲା ।