Advertisment

ଜମିକୁ ଜଳ ନାଁରେ ଖୋଳାଯାଉଛି କି ମୃତ୍ୟୁର କୂଅ ? ରାଜ୍ୟବ୍ୟାପୀ ଆଁ କରିଛି ପ୍ରାୟ ୪୫ ହଜାର ବୋରୱେଲ ଗାତ

ଚାଷ ଜମିକୁ ଜଳଯୋଗାଣ ନାଁରେ ମରଣର ଜାଲ ବିଛାଇଛନ୍ତି କି ରାଜ୍ୟ ସରକାର ? ନଳକୂଅ ଖନନ ବ୍ୟବସ୍ଥା ସାଜିଛି କି ମୃତ୍ୟୁର କୂଅ ? ତଥ୍ୟ କହୁଛି, ବିଜୁ କୃଷକ ବିକାଶ ଯୋଜନାରେ ଏଭଳି ପ୍ରାୟ ଦେଢ଼ ଲକ୍ଷ ବୋରୱେଲ ଖୋଳାଯାଇଥିବା ବେଳେ ପ୍ରାୟ ୪୫ ହଜାର ବୋରୱେଲ୍ ଅବ୍ୟବହୃତ ହୋଇ ବିପଦସଙ୍କୁଳ ଅବସ୍ଥାରେ ରହିଛି।

author-image
Santosh Kumar Sahoo
undefined

Borewell

ଆଜି ବି ମା’କୁ ଝୁରୁଛି ଝିଅ। ଦିନ କେଇଟା ପାଇଁ ଘରକୁ ବୁଲିବାକୁ ଆସି ଆରପାରିକୁ ଚାଲିଯାଇଥିବା ମା’ପାଇଁ ଝିଅ ବାହୁନି ବାହୁନି କାନ୍ଦୁଛି। ଗଭୀର ନଳକୂଅ ପାଇଁ ଖୋଳାଯାଇଥିବା ୨୦ ଫୁଟ୍ ଗାତରେ ପଡ଼ି ମା’ର ଜୀବନ ଚାଲିଯିବା ପରଠୁ ମା’ ସୁଖ ହରାଇଛନ୍ତି ସୋନପୁର କଇଁଫୁଲ ଗାଁର ରଜନୀ ବଡ଼ମାଳି। ସେଥିପାଇଁ ତାଙ୍କର ଦାବି, ଯିଏ ଗାତ ଖୋଳିଥିଲା ତାକୁ ସଜା ହେଉ।

Advertisment

ଏ ଚିତ୍ର ହେଉଛି ସୋନପୁର କଇଁଫୁଲ ଗାଁର ୨ଟି ଚିତ୍ର । ଗୋଟିଏ ହେଉଛି ଅଘଟଣ ପୂର୍ବର। ଅନ୍ୟଟି ତା ପରର। ଅଘଟଣ ପୂର୍ବରୁ ଅନାବନା ଗଛଲତାରେ ଢାଙ୍କି ହୋଇ ରହିଥିଲା ଗାତ। ଆଉ ଅଘଟଣ ପରେ ଗାତକୁ ପୋତି ଦିଆଯାଇଛି। କୁହାଯାଉଛି, ପ୍ରାୟ ୮ ବର୍ଷ ତଳେ ବିଜୁ କୃଷକ ବିକାଶ ଯୋଜନାରେ ଜଣେ ବ୍ୟକ୍ତିଙ୍କ ଜମିରେ ଏହି ଗାତ ଖୋଳାଯାଇଥିଲା। ହେଲେ ବିଦ୍ୟୁତ କି ମୋଟର୍ ସଂଯୋଗ ତ ଦୂରର କଥା, ଗାତକୁ ଖୋଳି ଛାଡ଼ି ଦିଆଯାଇଥିଲା ବିପଦସଙ୍କୁଳ ଅବସ୍ଥାରେ। କେବଳ କଇଁଫୁଲ ଗାଁ ନୁହେଁ। ସୋନପୁର ବ୍ଲକ କସୁରପାଲି ଗାଁରେ ପ୍ରାୟ ୮ଟି ଗାତ ଖୋଳାଯାଇଥିଲେ ବି ଅଧପନ୍ତରିଆ। ଏହି ଡିପ୍ ବୋରୱେଲ୍ ପାଇଁ ୮ ଜଣ ଚାଷୀଙ୍କଠାରୁ ୨୦ ହଜାର ଟଙ୍କା ଲେଖାଏଁ ଉଠା ଜଳସେଚନ ବିଭାଗ ନେଇଛି। କିନ୍ତୁ ଧର୍ମକୁ ଆଖି ଠାର ଭଳି ୨ ଫୁଟ୍ ଓସାରର ଗାତରେ ଏବେ ପାଇପ୍ ଖଞ୍ଜାଯାଇଛି ସିନା ଢାଙ୍କୁଣି ନାହିଁ। ଏଭଳି ସ୍ଥିତିରେ ଯୋଜନା ସଫଳ ହୋଇ ଚାଷୀଙ୍କ ଜମିକୁ ପାଣି ଆସିବା ତ ଦୂରର କଥା, ବରଂ ମଣିଷ ଖାଇବାକୁ ଆଁ କରିଛି ଗାତ।

୨୦୧୭, ଡିସେମ୍ବର ୨୫ । ଅନୁଗୁଳ କିଶୋରନଗର ବ୍ଲକ ଗୋଳାସର ଗାଁ। ଗଭୀର ନଳକୂଅ ପାଇଁ ଖୋଳାଯାଇଥିବା ଗାତର ପ୍ରାୟ ୧୬ ଫୁଟ୍ ତଳକୁ ଖସିଯାଇଥିଲା ଏହି ଟିକି ପିଲାଟି। ସୌଭାଗ୍ୟକୁ ୭ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ କରି ଝିଅକୁ ସୁରକ୍ଷିତ ଉଦ୍ଧାର କରିଥିଲା ଅଗ୍ନିଶମ ବାହିନୀ। ବିଜୁ କୃଷକ ବିକାଶ ଯୋଜନାରେ ଚାଷଜମିକୁ ଜଳସେଚନ ବ୍ୟବସ୍ଥା ପାଇଁ ରାଜ୍ୟବ୍ୟାପୀ ଖୋଳାଯାଉଛି ଗଭୀର ନଳକୂଅ। କିନ୍ତୁ ଅନେକ ସ୍ଥାନରେ ସେ ସବୁକୁ ଛାଡ଼ି ଦିଆଯାଇଛି ବିପଦଜନକ ଭାବେ। ତଥ୍ୟ କହୁଛି, ରାଜ୍ୟରେ ଏ ଯାଏଁ ପ୍ରାୟ ଦେଢ଼ ଲକ୍ଷ ବୋରୱେଲ ଖୋଳାଯାଇଛି। ତେବେ ବିଭିନ୍ନ ଜିଲ୍ଲାରେ ଭିନ୍ନ ଭିନ୍ନ କାରଣ ପାଇଁ ହାରାହାରି ୨୫ରୁ ୩୦ ପ୍ରତିଶତ ବିଫଳ ହୋଇଛି। ଏହି ହାରକୁ ଯଦି ଦେଖିବା ତେବେ ୪୦ରୁ୪୫ ହଜାର ବୋରୱେଲ ଖନନ ପରେ ଅବ୍ୟବହୃତ ହୋଇରହିଛି। ନିୟମ କହୁଛି, ଖନନ ପରେ ଯଦି ପାଣି ନ ବାହାରେ, ସେହି ଗାତରେ ବାଲି କିମ୍ବା ମାଟି ଭର୍ତ୍ତି କରିବା କଥା। ଏଥିପାଇଁ ଉଠା ଜଳସେଚନ ନିଗମ ପକ୍ଷରୁ ଅର୍ଥ ବରାଦ ବି ରହିଛି। କିନ୍ତୁ, କାହିଁକି ପୋତାଯାଉନି ଅବ୍ୟବହୃତ ଗର୍ତ୍ତଗୁଡ଼ିକୁ ? କୁଆଡ଼େ ଯାଉଛି ଅର୍ଥ ? ଗଭୀର ନଳକୂଳ ଖନନ ନାଁରେ ଚାଲିଛି କି ମହାଘୋଟାଲା ? ସେ ନେଇ ନାନା ପ୍ରଶ୍ନ ଉଠୁଥିବାବେଳେ ଉଠା ଜଳସେଚନ ନିଗମ ଅଧ୍ୟକ୍ଷ କହିଛନ୍ତି, ଏଭଳି ଦାୟିତ୍ୱହୀନ କାମ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

Advertisment

Odisha News Sonepur
Advertisment
Advertisment