Advertisment

ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ପ୍ରସଙ୍ଗରେ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ

କାଲିଠୁ ମରାମତି ଆରମ୍ଭ ଲାଗି ASIକୁ ଉଚ୍ଚ ନ୍ୟାୟାଳୟଙ୍କ କଡ଼ା ନିର୍ଦ୍ଦେଶ । ପ୍ରତି ୧୫ ଦିନରେ ଆମିକସକ୍ୟୁରି ଦେବେ ମରାମତି କାମର ଷ୍ଟାଟସ୍ ରିପୋର୍ଟ ।

author-image
Satyendu Shekher Mishra
Srimandir Lord Jagannath

Srimandir Lord Jagannath

ବହୁତ ସମୟ ନେଲଣି । ମାର୍ଚ୍ଚ ଡେଡଲାଇନ୍ କେବେଠୁ ଗଲାଣି । ଆଉ ମହଲତ ଦେଇ ହେବନି । କାଲିଠୁ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କର ଶ୍ରୀମନ୍ଦିର ନାଟମଣ୍ଡପ ମରାମତି । ଭାରତୀୟ ପ୍ରତ୍ନତାତ୍ତ୍ୱିକ ସଂସ୍ଥା ବା ASIକୁ ଆଜି ଏଭଳି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଯେହେତୁ ଏବେ କାର୍ତ୍ତିକ ମାସ ଚାଲିଛି ଓ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିଛି, ତେଣୁ ଆଉ ମାସେ ମହଲତ ମାଗିଥିଲା ଏଏସଆଇ, ହେଲେ ଉଚ୍ଚ ନ୍ୟାୟାଳୟ ଅସନ୍ତୋଷ ଝାଡ଼ି ସିଧା ଏହାକୁ ଅଗ୍ରାହ୍ୟ କରିଦେଇଥିଲେ । ତାସହ କାଲିଠୁ କାମ ଆରମ୍ଭ କଲେ ଆମିକସକ୍ୟୁରୀ ତାର ତଦାରଖ କରି ପ୍ରତି ୧୫ ଦିନରେ କୋର୍ଟଙ୍କୁ ଷ୍ଟାଟସ୍ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ବି ଦେଲେ ।

Advertisment

ତେଣେ କୋର୍ଟଙ୍କ ନିର୍ଦ୍ଦେଶର ତୁରନ୍ତ ଅନୁପାଳନ ହେବ ବୋଲି କହିଛନ୍ତି- ଏଏସଆଇ ସୁପରିଟେଣ୍ଡିଂ ଆର୍କିଓଲୋଜିଷ୍ଟ୍ ଡି ବି ଗଡ଼ନାୟକ। କହିଛନ୍ତି ଆବଶ୍ୟକ ସୁବିଧା ଯୋଗାଇବାକୁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଛୁ। ନାଟମଣ୍ଡପ ମରାମତି ସଂପୂର୍ଣ୍ଣ ପାଇଁ ଦୈନିକ ୬ ଘଣ୍ଟା ଲେଖାଏଁ ୧୨୦ ଦିନ କାମ ଚାଲିବ ।

ତେବେ ଏଠି ପ୍ରଶ୍ନ ଶ୍ରୀମନ୍ଦିର ନାଟମଣ୍ଡପ ମରାମତିରେ ବିଳମ୍ବ ନେଇ କାହିଁକି ଅସନ୍ତୋଷ ଝାଡ଼ିଲେ ହାଇକୋର୍ଟ ? କଣ ଅତି ଖରାପ ସ୍ଥିତିରେ ଅଛି କି ଜଗନ୍ନାଥ ମନ୍ଦିରର ଏ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ? ତଥ୍ୟ ଅନୁସାରେ ୨୦୧୮ ମସିହାରେ ନାଟମଣ୍ଡପରେ ଫାଟ ଜଣାପଡ଼ିଥିଲା । ଯାହାର ଲମ୍ବ ୭ ଫୁଟ ଓ ଗଭୀର ୭ ଇଞ୍ଚ ଦେଖା ଯାଇଥିଲା । ୫ବର୍ଷ ହେଲା ସେ ଫାଟ ସେମିତି ଥିବାରୁ କୋର୍ଟରେ ମାମଲା ହୋଇଥିଲା ।

Advertisment

ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ASI ଓ ଉଚ୍ଚସ୍ତରୀୟ କମିଟି ଘନ ଘନ ଯାଞ୍ଚ କରି ନାଟମଣ୍ଡପରେ କ୍ରାକ୍ ମିଟର୍ ଜରିଆରେ ରିଡିଂ କରି ଫାଟ ତର୍ଜମା କରିଥିଲେ । ନିଜେ ହାଇକୋର୍ଟଙ୍କ ଆମିକସକ୍ୟୁରି ଏନ୍.କେ.ମହାନ୍ତି ବି ପୁରୀ ଆସି ନାଟମଣ୍ଡପ ସ୍ଥିତି ଖରାପ ଥିବା ଉଚ୍ଚ ନ୍ୟାୟାଳୟଙ୍କୁ ଜଣାଇଥିଲେ। ସେପଟେ ଆଜି ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିବାକୁ ଥିବା ମରାମତି ସମ୍ପର୍କରେ ଏଏସଆଇ ସୁପରିଟେଣ୍ଡିଂ ଆର୍କିଓଲୋଜିଷ୍ଟ ଅଧିକ ସୂଚନା ଦେଇ କହିଛନ୍ତି- ଗରୁଡ଼ ସ୍ତମ୍ଭ ସମ୍ମୁଖରେ ଥିବା କ୍ରାକ୍ ବିମ୍ କୁ ସପୋର୍ଟିଂ ବିମ୍ ଦିଆଯିବ। କ୍ରାକ୍ ବିମ୍ ତଳେ ରୋଟ୍ ଆଇରନ୍ ବିମ୍ କାମ କାଲିଠୁ ଆରମ୍ଭ ହେବ । ଷ୍ଟେନଲେସ୍ ଷ୍ଟିଲର ବକ୍ସ ବିମ୍ ଦ୍ୱାରା ଏହାକୁ ଶକ୍ତ କରାଯିବ । ଏଥିପାଇଁ ଆଇଆଇଟି ମାଡ୍ରାସରୁ ଡିଜାଇନ୍ ଆସି ସାରିଛି । ତେଣେ ନାଟମଣ୍ଡପ ମରାମତି ଶୀଘ୍ର ସାରିବାକୁ ଜୋର ଦେଇଛନ୍ତି ସେବାୟତ । 

Srimandir Lord Jagannath
Advertisment
Advertisment