• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

ତୁଟିଲା ସେବାୟତ ବିବାଦ, ତିନି ଦିନ ଧରି ଖାଡ଼ା ଉପାସରେ ଥିବା ମହାପ୍ରଭୁ ଲିଙ୍ଗରାଜଙ୍କର ପୁଣି ଆରମ୍ଭ ହେଲା ନୀତିକାନ୍ତି। ସକାଳେ ଆଇନ ମନ୍ତ୍ରୀଙ୍କ ଘରେ ବୈଠକ, ସନ୍ଧ୍ୟାରେ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ମିଟିଂରେ ବିବାଦ ତୁଟିଛି। ତେବେ ଯେଉଁମାନେ ନୀତି ବିଶୃଙ୍ଖଳା କରିଥିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ଓ ଏଥିପାଇଁ ୨୪ ଘଣ୍ଟାରେ ADM ତଦନ୍ତ କରି ରିପୋର୍ଟ ଦେବେ ବୋଲି କହିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ। ତେଣେ ସେବାୟତଙ୍କ ବିବାଦରୁ ମକର ନୀତି ସହ ଠାକୁର ଉପାସରେ ରହିବାକୁ ନେଇ ଭକ୍ତ ମହଲରେ ସୃଷ୍ଟି ହୋଇଛି ତୀବ୍ର ଅସନ୍ତୋଷ।

ଲିଙ୍ଗରାଜ ମହାପ୍ରଭୁ ଅଖିଆ ଅପିଆ ବସିଥିବା କଥା ଶୁଣି ଭକ୍ତର ପ୍ରବଳ କ୍ଷୋଭ। ୩ଦିନ ହେଲା ଖାଡ଼ା ଉପାସରେ ଥିଲେ ଲିଙ୍ଗରାଜ। ମକର ମଣ୍ଡପରେ ମହାଦେବଙ୍କୁ ଥୋଇ ସେବାୟତ ମାରିଥିଲେ ଛୁ'। ନା ମଙ୍ଗଳ ଆଳତି ନା ଅବକାଶ, ସବୁ ନୀତି ଠପ୍ ହୋଇଥିଲା । ଏବର୍ଷ ମକର ନୀତି ହେଲାନି କି ମନ୍ଦିରରେ ପହୁଡ଼ ବି ପଡ଼ିଲାନି । ରାତିସାରା ସିଂହଦ୍ବାର ମେଲା, ଠାକୁର ଥିଲେ ରାତି ଅନିଦ୍ରା।ମକର ସଂକ୍ରାନ୍ତି ତିଥିରେ ଠାକୁରଙ୍କୁ ମକର ମଣ୍ଡପରେ ଘୃତ କମ୍ବଳ ଲାଗି ପାଇଁ ଗତ ସୋମବାର ରାତିରେ କ୍ଷୀର ଫୁଟା ନୀତିକୁ ନେଇ ବଡୁ ଓ ସୁଆର ନିଯୋଗ ମଧ୍ୟରେ ଉପୁଜିଥିବା ବିବାବ ଚରମ ରୂପ ନେଇଥିଲା । ଯାହା ଫଳରେ ଠାକୁରଙ୍କ ନୀତି ସେଇଠି ଅଟକିଥିଲା। ଠାକୁର ଉପାସରେ ଥିବା କଥା ଶୁଣି ଭକ୍ତମାନେ ଅସନ୍ତୋଷ ପ୍ରକାଶ କରିବା ସହ ଏହା ଅମଙ୍ଗଳ ବୋଲି କହିଛନ୍ତି।

ଏଣେ ସେବକ ଗୋଷ୍ଠୀ ମଧ୍ୟ ପରସ୍ପର ଜିଦ୍ ରେ ଅଟଳ। ପ୍ରାଥମିକ ପର୍ଯ୍ୟାୟରେ ପ୍ରଶାସନ ବିବାଦ ତୁଟାଇବାକୁ ଉଦ୍ୟମ କରି ବିଫଳ ହେବା ପରେ ସ୍ଥିତି ସ୍ବାଭାବିକ କରିବାକୁ ଉଦ୍ୟମ ଆରମ୍ଭ କରିଥିଲେ ଆଇନ ମନ୍ତ୍ରୀ। ଆଜି ମଧ୍ୟାହ୍ନରେ ପ୍ରଥମେ ମନ୍ତ୍ରୀଙ୍କ ଘରେ ବୈଠକ ବସିଥିଲା। ଯେଉଁଥିରେ ଦେବୋତ୍ତର କମିଶନର, ଖୋର୍ଦ୍ଧା ଜିଲ୍ଲାପାଳ ଓ ଆଇନ ବିଭାଗ ସଚିବଙ୍କ ସହ ଏକାମ୍ର ବିଧାୟକ ଉପସ୍ଥିତ ଥିଲେ। ତେବେ ସେଥିରେ ନିଷ୍କର୍ସ ବାହାରି ନପାରିବାରୁ ଅପରାହ୍ନରେ ଟ୍ରଷ୍ଟ ବୋର୍ଡ ବସିବାକୁ ନିଷ୍ପତ୍ତି ହୋଇଥିଲା। ଯେଉଁଥିରେ ସମସ୍ତ ସେବାୟତ ନିଯୋଗଙ୍କୁ ସେମାନଙ୍କ ପକ୍ଷ ରଖିବାକୁ ବି କୁହାଯାଇଥିଲା।

ଟ୍ରଷ୍ଟ ବୋର୍ଡ ବୈଠକରେ ବିବାଦ ତୁଟିବା ପରେ ତୁରନ୍ତ ଠାକୁରଙ୍କ ନୀତିକାନ୍ତି ଆରମ୍ଭ କରିବାକୁ ସେବାୟତଙ୍କୁ କୁହାଯାଇଥିବା ସୂଚନା ଦେଇଥିଲେ ଖୋର୍ଦ୍ଧା ଜିଲ୍ଲାପାଳ। ତାସହ ଯେଉଁମାନେ ବିଶୃଙ୍ଖଳା କରିଥିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ଓ ଏଥିପାଇଁ ୨୪ ଘଣ୍ଟା ମଧ୍ୟରେ ADM ତଦନ୍ତ କରି ରିପୋର୍ଟ ଦେବାକୁ କୁହାଯାଇଛି। ରିପୋର୍ଟ ମିଳିବା ପରେ ସୋ କଜ୍ ନୋଟିସ୍ ଜାରି ହେବ ଓ ବିଶୃଙ୍ଖଳାକାରୀଙ୍କୁ ସେବା ପୂଜାରୁ ସସପେଣ୍ଡ କରାଯିବ ବୋଲି କହିଥିଲେ ଜିଲ୍ଲାପାଳ। ଟ୍ରଷ୍ଟ ବୋର୍ଡ ସେକ୍ସନ-୩୨ ଅନୁସାରେ କଠୋର କାର୍ଯ୍ୟାନୁଷ୍ଠାନ ନିଆ ଯାଇପାରିବ। ଏମିତିକି ଦରକାର ପଡ଼ିଲେ ସେବା ପାଇଁ ଦିଆଯାଇଥିବା ଜମି ମଧ୍ୟ ଫେରାଇ ଅଣାଯିବ ବୋଲି ବି କହିଥିଲେ ଖୋର୍ଦ୍ଧା କଲେକ୍ଟର।

ଅଧିକ ପଢନ୍ତୁ: ମଧ୍ୟାହ୍ନ ଭୋଜନରେ ମିଳିବ କ୍ଷୀର; ପାଇଲଟ୍ ପ୍ରୋଜେକ୍ଟ ଭାବେ ଏହି ଜିଲ୍ଲାରେ ଲାଗୁ...

ସେପଟେ ଟ୍ରଷ୍ଟ ବୋର୍ଡ ବୈଠକ ପୂର୍ବରୁ ଆଇନମନ୍ତ୍ରୀ- ଠାକୁରଙ୍କ ନୀତିକାନ୍ତି ବନ୍ଦ ପ୍ରସଙ୍ଗରେ କଡ଼ା ପ୍ରତିକ୍ରିୟା ରଖି କହିଥିଲେ ଏଭଳି କାର୍ଯ୍ୟ ଦୁର୍ଭାଗ୍ୟଜନକ। ମହାପ୍ରଭୁଙ୍କ ସ୍ବତ୍ତ୍ବଲିପିରେ ରହିଥିବା ଆଇନଗତ ସମସ୍ୟାର ଶୀଘ୍ର ସମାଧାନ କରାଯିବ। ସେବାୟତଙ୍କ ବିବାଦରୁ ପ୍ରଭୁ ଲିଙ୍ଗରାଜ ଉପାସ ରହିବା ନୂଆ ନୁହେଁ। ଏଥିରେ ବ୍ରେକ୍ ଦେବାକୁ ୨୦୨୦ ଡିସେମ୍ବର ୨ରେ ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲିଙ୍ଗରାଜଙ୍କ ସ୍ବତନ୍ତ୍ର ଆଇନ ଲାଗୁ ହେବା ନେଇ ଘୋଷଣା କରିଥିଲେ। ୨୦୨୧ରେ ଏହାକୁ କ୍ୟାବିନେଟ୍ ଅନୁମୋଦନ ମିଳିବା ପରେ କେନ୍ଦ୍ର ସରକାରଙ୍କ ଅନୁମତି ପାଇଁ ଅଧ୍ୟାଦେଶ ପଠାଇଥିଲେ। ହେଲେ ପ୍ରସ୍ତାବିତ ଅଧ୍ୟାଦେଶର ଅନେକ ଅଂଶ ବିଧାନସଭା କ୍ଷମତା ପରିସରଭୁକ୍ତ ନୁହେଁ ଏବଂ ଏହା ‘ଆମ୍ ସାର ଆଇନ’କୁ ବିରୋଧାଚରଣ କରୁଛି କହି କେନ୍ଦ୍ର ଆପତ୍ତି ଉଠାଇଥିଲା। କିନ୍ତୁ ତା ଉପରେ ବିଜେଡି ସରକାର କି ପକ୍ଷ ରଖିଲେ ଯେ, ଆଉ ଆଇନକୁ ଅନୁମତି ମିଳିଲାନି-ସେ ଉତ୍ତର କାହା ପାଖରେ ନାହିଁ।

ଅଧିକ ପଢନ୍ତୁ: ମଧ୍ୟାହ୍ନ ଭୋଜନରେ ମିଳିବ କ୍ଷୀର; ପାଇଲଟ୍ ପ୍ରୋଜେକ୍ଟ ଭାବେ ଏହି ଜିଲ୍ଲାରେ ଲାଗୁ...

OTV is now on Whatsapp

Join and get latest news update delivered to you via whatsapp

Join Now