ବଦଳିଯିବ ରାଜଧାନୀର ରୂପରେଖ, ଦୂର ହେବ ଟ୍ରାଫିକ ଯନ୍ତ୍ରଣା । ସେଥିପାଇଁ ସହରରେ ଏକାଧିକ ସଡ଼କ, ରୋଡ୍ ଓଭର ବ୍ରିଜ୍ ଓ ରିଂ ରୋଡ ନିର୍ମାଣ ପାଇଁ ଯୋଜନା ରଖିଛନ୍ତି ସରକାର । ଆଜି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଭିନ୍ନ ପ୍ରସ୍ତାବିତ ପ୍ରକଳ୍ପ ଉପସ୍ଥାପନ କରିଛନ୍ତି ଦୁଇ ପ୍ରମୁଖ ବିଭାଗ, ପୂର୍ତ୍ତ, ଗୃହ ଓ ନଗର ଉନ୍ନୟନ ବିଭାଗ । ଅର୍ବାନ୍ ପ୍ଲାନର ଏହାକୁ ସ୍ବାଗତ କରିଥିବାବେଳେ ଗ୍ରାଉଣ୍ଡ ଜିରୋରୁ ବି ଆସିଛି ବାସ୍ତବ ଚିତ୍ର । ଏସବୁ ଭିତରେ ଭୁବନେଶ୍ବରରେ ଖୁବଶୀଘ୍ର ଡବଲ ଡେକର ଇ-ବସ୍ ଚଳାଇବାକୁ ବି ନିଷ୍ପତ୍ତି ନେଇଛନ୍ତି ସରକାର ।
Also Read
ଭୁବନେଶ୍ବର ସହରରେ କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ସହ ତାଳ ଦେଇ ଯେଉଁଭଳି ଯାନବାହନ ସଂଖ୍ୟା ବଢ଼ି ଚାଲିଛି, ସେଥିରେ ଲୋକେ କଲବଲ ହେଉଛନ୍ତି । ତେଣୁ ଟ୍ରାଫିକ ବ୍ୟବସ୍ଥାକୁ ଉପଯୋଗୀ ଓ ସହଜ କରିବା ଉପରେ ଗୁରୁତ୍ବାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଫଳରେ ସହରରେ ନୂଆ ରାସ୍ତା ନିର୍ମାଣ, ପୁରୁଣା ରାସ୍ତାର ଉନ୍ନତୀକରଣ ଓ ଫ୍ଲାଇ ଓଭର, ରୋଡ୍ ଓଭର ବ୍ରିଜ୍ ଏବଂ ରିଂ ରୋଡ ନିର୍ମାଣ ପାଇଁ ହୋଇଛି ପ୍ଲାନ୍ । ପୂର୍ତ୍ତ ବିଭାଗ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏ ସମ୍ପର୍କିତ ବିଭିନ୍ନ ପ୍ରକଳ୍ପ ଆଜି ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀଙ୍କ ଆଗରେ ଉପସ୍ଥାପନ କରାଯାଇଛି।
ଅଧିକ ପଢ଼ନ୍ତୁ: ୧୭ରୁ ରତ୍ନଭଣ୍ଡାର ମରାମତି, ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି
ଯେଉଁଥିରେ ରହିଛି ଜୟଦେବ ବିହାର-ନନ୍ଦନକାନନ ନୂଆ ରାସ୍ତା, ଦୟା ୱେଷ୍ଟ କେନାଲ ଉପରେ ପଟିଆ ଷ୍ଟେସନ ଛକଠାରୁ ଜାତୀୟ ରାଜପଥ-୧୬ ପର୍ଯ୍ୟନ୍ତ ରିଂ ରୋଡ୍, ସୁନ୍ଦରପଦା-ଜଟଣୀ ରାସ୍ତାର ଉନ୍ନତିକରଣ, ପିତାପଲ୍ଲୀ-ତ୍ରିଶୂଳିଆ ରାସ୍ତାର ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାଥମେଟିକସଠାରୁ ଏକାମ୍ର କାନନ ପର୍ଯ୍ୟନ୍ତ ନୂତନ ରାସ୍ତା, କଳ୍ପନା ଛକ- ମ୍ୟୁଜିୟମ-ରବି ଟକିଜ ନୂଆ ଫ୍ଲାଇ ଓଭର, ଶିଶୁଭବନ-ମାଉସୀ ମା’ ମଧ୍ୟରେ ଆଉ ଏକ ROB, ତମାଣ୍ଡୋ-ଚନ୍ଦକା-ବାରଙ୍ଗ-ଧଉଳି-ତମାଣ୍ଡୋ ପର୍ଯ୍ୟନ୍ତ ରିଂ ରୋଡ୍ । ଏସବୁ ନିର୍ମାଣର କେତେ ଉପାଦେୟତା ସେ ସମ୍ପର୍କରେ ବିଭାଗ ପକ୍ଷରୁ ଅବଗତ କରାଯିବା ସହ ପ୍ରସ୍ତାବିତ ଆନୁସଙ୍ଗିତ ତଥ୍ୟ ଉପସ୍ଥାପନ କରାଯାଇଛି ।
ସରକାରଙ୍କ ପ୍ଲାନ୍ ମଧ୍ୟରେ ରହିଥିବା ସୁନ୍ଦରପଦା-ଜଟଣୀ ରାସ୍ତା । ରାଜଧାନୀରୁ ଅଳ୍ପ ସମୟରେ ସର୍ଟକଟରେ ବ୍ୟାବସାୟିକ ପେଣ୍ଠସ୍ଥଳୀ ଜଟଣୀକୁ ପହଞ୍ଚିବାର ଏକ ପୁରୁଣା ସଡ଼କ । ହେଲେ ଦୀର୍ଘଦିନ କାଳ ମରଣଯନ୍ତା ଭଳି ରହିବା ପରେ ଏବେ ଏହାର ପ୍ରଶସ୍ତୀକରଣ କାମ ଚାଲିଛି, ହେଲେ ତାହା ଏତେ ମନ୍ଥର ଯେ-କେବେ ସରିବ କେହି କହିପାରୁ ନାହାନ୍ତି । ସେମିତି ଆଉ ଏକ ଅତି ଦରକାରୀ ରାସ୍ତା ହେଲା ଦୟା ୱେଷ୍ଟ କେନାଲ ଉପରେ ପଟିଆ ଷ୍ଟେସନ ଛକଠାରୁ ଜାତୀୟ ରାଜପଥ-୧୬ ପର୍ଯ୍ୟନ୍ତ ରିଂ ରୋଡ୍ । ପୂର୍ବ ବିଜେଡି ସରକାର- ୟାକୁ ନେଇ ଲୋକଙ୍କୁ ନାନା ସ୍ବପ୍ନ ଦେଖାଇଥିଲେ, ହେଲେ ଏବେ ତାହା ଯେମିତି ନାଲିଫିତା ଭିତରକୁ ଚାଲିଯିବା ଭଳି ଅନୁଭବ କରୁଛନ୍ତି ଅଞ୍ଚଳବାସୀ । ସେପଟେ ଅର୍ବାନ୍ ପ୍ଲାନର କହୁଛନ୍ତି- ବାସ୍ତବରେ ଯଦି ସରକାର ରିଂ ରୋଡ୍ ଓ ରାସ୍ତା ପ୍ରଶସ୍ତୀକରଣ କରନ୍ତି, ତାହାଲେ ରାଜଧାନୀବାସୀଙ୍କୁ ସୁଫଳ ମିଳିବ।
ଏଣେ ଏସବୁ ଭିତରେ ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି କ୍ରମେ ଭୁବନେଶ୍ବରରେ ଡବଲ୍ ଡେକର ଇ-ବସ୍ ଚଳାଇବାକୁ ବି ନିଷ୍ପତ୍ତି ନେଇଛନ୍ତି ସରକାର। ଏଥିପାଇଁ ଟେଣ୍ଡର ଆହ୍ବାନ କରିଛି CRUT । ଖୋର୍ଦ୍ଧା, ପୁରୀ ଓ କଟକ ଜିଲ୍ଲା ପାଇଁ ଏ ଯୋଜନା ରହିଛି, ପ୍ରଥମ ପର୍ଯ୍ୟାୟରେ ୫ଟି ଡବଲ ଡେକର୍ ଇ-ବସ୍ ଆସିବ ଓ ସେଥିପାଇଁ ୧୦ ବର୍ଷିଆ ଚୁକ୍ତିରେ ସପ୍ଲାଏ, ଅପରେସନ୍, ମେଣ୍ଟେନାନସ ଓ ଆବଶ୍ୟକ କର୍ମଚାରୀ ସଂପୃକ୍ତ ସଂସ୍ଥା ଯୋଗାଇବ ବୋଲି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ।