ଆଉ ନାହାନ୍ତି ପଦ୍ମଶ୍ରୀ କମଳା ପୂଜାରୀ। ଆଜି ସକାଳୁ ଚିକିତ୍ସାଧୀନ ଅବସ୍ଥାରେ କଟକ ଏସବିରେ ତାଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ବର୍ଷ ବୟସ ହୋଇଥିଲା। ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ। ବାରମ୍ୱାର ଡାକ୍ତରଖାନାରେ ଭର୍ତ୍ତି ହେଉଥିଲେ। ୨ ଦିନ ତଳେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଏସ୍ସିବିରେ ଭର୍ତ୍ତି କରାଯାଇଥିଲା। ସେ କଟକ ବଡ଼ ମେଡିକାଲ ଆଇସିୟୁରେ ଭର୍ତ୍ତି ହୋଇଥିଲେ।
କମଳା ପୂଜାରୀ କୋରାପୁଟ ଜିଲ୍ଲାର ପାତ୍ରପୁଟ ଗାଁର ଜଣେ ପଦ୍ମଶ୍ରୀ ସମ୍ମାନିତ ଚାଷୀ । ସେ ଶହେରୁ ଉର୍ଦ୍ଧ୍ୱ ସ୍ୱଦେଶୀ ଧାନ ବିହନ କିସମ ନିଜ ଜମିରେ ଚାଷ କରି,ସେଗୁଡିକର ସଂରକ୍ଷଣ କରିପାରିଛନ୍ତି । ବିଭିନ୍ନ କିସମର ଧାନ ସଂରକ୍ଷଣ ପାଇଁ ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଛି। କମଳା, କୋରାପୁଟ ଜିଲ୍ଲାର ବୈପାରୀଗୁଡ଼ା ବ୍ଳକ କାଣ୍ଡକିଗୁଡ଼ା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ରାମ କାଣ୍ଡକି । ପାତ୍ରପୁଟ ଗାଁରେ ସେ ବିବାହ କରିଥିବା ବେଳେ ତାଙ୍କର ଦୁଇ ପୁଅ ଓ ଦୁଇ ଝିଅ ଅଛନ୍ତି ।
Also Read
କମଳା ପୂଜାରୀ ନାରୀ ସଶକ୍ତିକରଣ ସହିତ ଜଙ୍ଗଲ ସୁରକ୍ଷା ନିମନ୍ତେ ପ୍ରାରମ୍ଭିକ ଅବସ୍ଥାରେ ୨୧ ଜଣ ଉତ୍ସର୍ଗୀକୃତ ତଥା କର୍ମଠ ମହିଳାଙ୍କୁ ନେଇ ନିଜ ଗାଆଁରେ "ତ୍ରୀନାଥ ଠାକୁର ବନ ସୁରକ୍ଷା ସମିତି" ନାମକ ଏକ ସଂଘ ଗଠନ କରି ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ କାମ କରିଥିଲେ । ସେ ଜୟପୁରସ୍ଥିତ ଏମ୍ ଏସ୍ ସ୍ୱାମୀନାଥନ ରିସର୍ଚ୍ଚ ଫଉଣ୍ଡେସନରେ ଜୈବିକ କୃଷି ପଦ୍ଧତି ସମ୍ପର୍କରେ ଉପଯୁକ୍ତ ତାଲିମ ପାଇଥିଲେ।
ପରବର୍ତ୍ତୀ ସମୟରେ ଲୋପ ପାଇଯାଉଥିବା ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ ଦେଶୀ ବିହନ କିସମର ସଂରକ୍ଷଣ ତଥା ଜୈବିକ ଚାଷ କରି ଲୋକ ଲୋଚନକୁ ଆସିଥିଲେ । ସେ ସଂରକ୍ଷିତ କରିଥିବା ଧାନ କିସମମଧ୍ୟରେ ରହିଛି ହଳଦୀଗଣ୍ଠି, ଝିଲି, ସପୁରି, ବୃଦ୍ଧମଣି, କଳାଜିରା, ମାଛକଣ୍ଟା, ଲଦିଆରୀ, କାଲାମଲ୍ଲିକ, ବରପକ, ବିଲେନ, ଫୁରା, ଘଣ୍ଟିଆ ଧାନ, ହଳଦୀଗୁରି, ଉମୁରିଆଚୁରୀ, ଗଣ୍ଠିଆ, ବଡ଼ିକାବରୀ, ଲଲାଟ ପ୍ରଭୃତି।
ଏଥିପାଇଁ ୨୦୧୯ରେ ସେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ। କେବେଳ ସେତିକି ନୁହେଁ, ଉନ୍ନତ କିସମର ଦେଶୀ ଧାନ ବିହନ ସଂରକ୍ଷଣ କ୍ଷେତ୍ରରେ ବିଶେଷ ଅବଦାନ ନିମନ୍ତେ ଦକ୍ଷିଣ ଆଫ୍ରିକାର ଜୋହାନସବର୍ଗରେ ୨୦୦୨ ମସିହାରେ ତାଙ୍କୁ "ଇକ୍ୱେଟର ଇନିସିଏଟିଭ୍ ଆୱାର୍ଡରେ" ସମ୍ମାନିତ କରାଯାଇଥିଲା । ଭାରତ ସରକାର ୨୦୦୩ ମସିହାରେ ତାଙ୍କୁ "କୃଷି ବିଶାରଦ" ସମ୍ମାନରେ ସମ୍ମାନିତ କରିଛନ୍ତି । ସେହିପରି ଓଡ଼ିଶା ସରକାର କମଳାଙ୍କ ସମ୍ମାନାର୍ଥେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (OUAT)ର ମହିଳା ଛାତ୍ରୀନିବାସକୁ କମଳାଙ୍କ ନାମରେ ନାମିତ କରିଛନ୍ତି ।