• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

କେଉଁଠି ମେଡିସିନ୍ ଷ୍ଟୋରରେ ଡେଣ୍ଟାଲ କ୍ଲିନିକ୍ ଚାଲିଛି ତ କେଉଁଠି ଜୀବନ ନେଉଛି ନକଲି ଡାକ୍ତରଙ୍କ ଚିକିତ୍ସା । ଗଞ୍ଜାମ ଜିଲ୍ଲାରେ ସରକାରୀ ସ୍ୱାସ୍ଥ୍ୟସେବାର ବିପର୍ଯ୍ୟସ୍ତ ସ୍ଥିତି ପାଇଁ ଯେମିତି କ୍ୱାକ୍ ଜାଲରେ ପୂରା ଗ୍ରାମାଞ୍ଚଳର ସ୍ୱାସ୍ଥ୍ୟ ବ୍ୟବସ୍ଥା । କେଉଁଭଳି ଅବସ୍ଥାରେ ଲୋକେ କ୍ୱାକଙ୍କ ପାଖକୁ ଯାଇ ଚିକିତ୍ସିତ ହେଉଛନ୍ତି, ଦେଖିଲେ ମୁଣ୍ଡ ଘୁରିଯିବ ।

ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଡାକ୍ତର ବାବୁ ଆଉ ତାଙ୍କ ଡାକ୍ତରଖାନା । ଡାକ୍ତର ବାବୁଙ୍କ ଚେହେରା ଦେଖିଲେ ଲାଗିବନି ଯେ, ଡାକ୍ତର ନୁହଁନ୍ତି । ଆଉ ଡାକ୍ତରଖାନାରେ ଥାକରେ ସଜ ହୋଇ ପୁରୁଣା ଷ୍ଟେଥୋ ଥୁଆ ହୋଇଛି । ତା’ସହ ଅଛି ଧୂଳି ଲଗା କିଛି ଔଷଧ ।

ଅପରେସନ୍ ପାଇଁ ଅପରିଚ୍ଛନ୍ନିଆ ଯାବତୀୟ ସରଞ୍ଜାମ ଅଛି । ସାମ୍ନାରେ ଭିଟାମିନ୍ ବି କମ୍ପ୍ଲେକ୍ସ ଇଞ୍ଜେକ୍ସନ୍ ଖୋଳ ବି ଅଛି । ଔଷଧଠୁ ନେଇ ଛୋଟକାଟିଆ ଅପରେସନ୍...ସବୁଥିରେ ମାହିର୍ ଏ କରିତକର୍ମା ବାବୁ । କି ସାହାସ ? ଜୀବନ ସହ କି ସାଂଘାତିକ ଖେଳ ?

ଗଞ୍ଜାମ କରଚୁଲି ପଞ୍ଚାୟତ ହରିଡ଼ାଚିରା ଛକ । କ୍ୟାମେରା ସାମ୍ନାକୁ ଆସିଯିବାରୁ ମୁହଁ ଲୁଚାଉଥିବା ଯୁବକଙ୍କ ନାଁ ସ୍ୱପ୍ନ କର, ଘର-ପଶ୍ଚିମବଙ୍ଗ । ଶିକ୍ଷାଗତ ଯୋଗ୍ୟତା ? ସେଥିରୁ କଣ ମିଳୁଛି ? ବର୍ଷ ବର୍ଷ ଧରି ନିଥର, ନିପାରିଲା ବ୍ୟବସ୍ଥା ପାଇଁ ଏ ଯୁବକ କୁଆଡ଼େ ଏଠି ଏମିତି ଲୋକଙ୍କ ଚିକିତ୍ସା କରି ଆସୁଛନ୍ତି ।

ଏମିତିକି ବେଳେ ବେଳେ ନିଶାପାଣି କରିକି ବି କୁଆଡ଼େ ରୋଗୀ ଦେଖନ୍ତି । ବ୍ୟବସ୍ଥାର ପରିଣାମ ମଧ୍ୟ ଜାଣନ୍ତୁ... ୩ ମାସ ତଳେ ଏମିତି ଜଣେ କ୍ୱାକ୍ ହାବୁଡ଼ରେ ପଡ଼ି ଜୀବନ ହାରିଥିବା ସାନଖେମୁଣ୍ଡି ବ୍ଲକ୍ ଚୁଡ଼ଙ୍ଗପୁର ଗାଁ ପିଣ୍ଟୁ ସେଠୀଙ୍କ ପରିବାର ।

ଅଟୋ ଚଳାଇ ପରିବାର ପୋଷୁଥିବା ୩୨ ବର୍ଷୀୟ ପିଣ୍ଟୁଙ୍କର ହାଇଡ୍ରୋସିଲରେ ସମସ୍ୟା ଥିଲା । ଦିନେ ଭୀଷଣ ଯନ୍ତ୍ରଣା ହେବାରୁ ଚିକିତ୍ସା ପାଇଁ ସେ କୁଆଡ଼େ ନିରୁପ ବିଶ୍ୱାସ ନାମକ ଜଣେ କ୍ୱାକଙ୍କ ପାଖକୁ ଯାଇଥିଲେ । ବାସ୍ ସେଇଠୁ ଚିକିତ୍ସା ପରେ ଏମିତି ଗୁରୁତର ଅସୁସ୍ଥ ହେଲେ ଯେ ସ୍ୱଦେହରେ ଆଉ ଘରକୁ ଫେରିଲେନି ।

ଘଟଣା ପରଠୁ ସେ ତଥାକଥିତ ଡାକ୍ତର ଫେରାର । ୩ ମାସ ପରେ ଆଜି ବି ପରିବାର ଆଖିରୁ ଶୁଖୁନି ଲୁହର ନଈ । ସେମିତି ଖଲିକୋଟ ବ୍ଲକ୍ କେଶରପୁର । ବାହାରେ ମେଡିସିନ୍ ଷ୍ଟୋରର ବୋର୍ଡ । ଭିତରେ ବିନା ଲାଇସେନସରେ ଚାଲିଛି ଡେଣ୍ଟାଲ୍ କ୍ଲିନିକ୍ ।

ମେଡିସିନ ଷ୍ଟୋରର ମାଲିକାଣୀ ନିଜେ ମାଟ୍ରିକ ପାସ୍ ବୋଲି କହିବା ସହ ଭୁବନେଶ୍ୱରର ଜଣେ ଡାକ୍ତରଙ୍କୁ ଆଣି ରୋଗୀଙ୍କ ଦାନ୍ତ ଚିକିତ୍ସା କରାଉଥିବା କହିଛନ୍ତି । ଗାଁ ଗହଳିରେ ସ୍ୱାସ୍ଥ୍ୟସେବାର ବିପର୍ଯ୍ୟସ୍ତ ସ୍ଥିତି ପାଇଁ ଯେମିତି ନକଲି ଡାକ୍ତର ଓ କ୍ୱାକଙ୍କ ଜାଲରେ ସାରା ଗଞ୍ଜାମ ଜିଲ୍ଲା ।

ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ବି କିଛି ସ୍ଥାନରେ ଏଭଳି ଅଭିଯୋଗକୁ ସ୍ୱୀକାର କରିବା ସହ ଆଗକୁ ଏନେଇ ଦୃଢ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now