• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଖାଲି ଅଳଙ୍କାର ନୁହେଁ, ଗଚ୍ଛିତ ଅଛି ରାଜା ରାଜୁଡ଼ା ଅମଳର ଯୁଦ୍ଧାସ୍ତ୍ର ଓ ମୁକୁଟ । ଭିତର ଭଣ୍ଡାରରୁ ଗତକାଲି ଅଳଙ୍କାର ସ୍ଥାନାନ୍ତରଣ ପରେ ଆଜି ଏମିତି କିଛି ଚମକାଇଲା ଭଳି ତଥ୍ୟ ଦେଇଛନ୍ତି ଶ୍ରୀମନ୍ଦିର ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ।

ତେଣେ ସେସବୁ ଯୁଦ୍ଧାସ୍ତ୍ର କେଉଁ ରାଜାଙ୍କ ଅମଳର ତାର ଅନୁଧ୍ୟାନ ପାଇଁ ମତ ରଖିଛନ୍ତି ଐତିହ୍ୟ ବିଶେଷଜ୍ଞ । ସେପଟେ ଭଣ୍ଡାର ଘରେ ସୁଡ଼ଙ୍ଗ ରହସ୍ୟର ସତ୍ୟ ଉନ୍ମୋଚନ ପାଇଁ ବୈଜ୍ଞାନିକ ପଦ୍ଧତିରେ ଯାଞ୍ଚ ପାଇଁ ସରକାରଙ୍କୁ ସୁପାରିଶ କରାଯିବ କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ରତ୍ନଭଣ୍ଡାରରେ ଭିତରେ ରହିଛି ଯୁଦ୍ଧାସ୍ତ୍ର ... ଅଛି ତେଣ୍ଟା, ବର୍ଚ୍ଛା ଭଳି ରାଜା ରାଜୁଡ଼ା ଅମଳର ଅସ୍ତ୍ରଶସ୍ତ୍ର । ଅଛି ମଧ୍ୟ ଚର୍ଚ୍ଚା ହେଉଥିବା କେତେକ ରାଜା ମୁକୁଟ । ଗତକାଲି ମହାପ୍ରଭୁ ଜଗନ୍ନାଥଙ୍କ ଭିତର ଭଣ୍ଡାରରୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍‌କୁ ସମସ୍ତ ରତ୍ନ ଅଳଙ୍କାର ସ୍ଥାନାନ୍ତର ପରେ ଆଜି ଏଭଳି ଆଚମ୍ବିତ କଲାଭଳି ତଥ୍ୟ ଦେଇଛନ୍ତି ଖୋଦ୍ ରତ୍ନଭଣ୍ଡାର ତଦାରଖ କମିଟିର ମୁଖ୍ୟ ଜଷ୍ଟିସ୍ ବିଶ୍ୱନାଥ ରଥ ।

ଓଟିଭିକୁ ଏକ୍ସକ୍ଲୁସିଭ୍ ସାକ୍ଷାତକାରେ ଜଷ୍ଟିସ୍ ରଥ କହିଛନ୍ତି, ଭିତର ରତ୍ନଭଣ୍ଡାର ସିନ୍ଦୁକ ଓ ଆଲମିରାରେ କିଛି ଯୁଦ୍ଧ ସାମଗ୍ରୀ ରହିଥିଲା । ସେଥିରେ କେତେକ ତେଣ୍ଟା ବର୍ଚ୍ଛା ଆଦି ଥିବା ଦେଖିଥିଲେ । ତେବେ ସେ ଅସ୍ତ୍ରଶସ୍ତ୍ର ଗୁଡ଼ିକ କଳା ପଡ଼ିଯାଇଥିବାରୁ ତାହା କେଉଁ ଧାତୁରେ ତିଆରି ଜାଣି ହେଲାନି ।

ସେଗୁଡ଼ିକୁ ସିଲ କରାଯାଇ ଅସ୍ଥାୟୀ ଭଣ୍ଡାରରେ ରଖାଯାଇଛି । ଏଥିସହ ସେ ଏକଥା ମଧ୍ୟ ସ୍ୱୀକାର କରିଛନ୍ତି ଯେ- ରତ୍ନଭଣ୍ଡାରରେ ମୁକୁଟ ବି ଅଛି । ହେଲେ କେତେଟା ମୁକୁଟ ଅଛି ? ତାହା କେଉଁ ରାଜାମାନଙ୍କର ? ସେ ଗୁମର କିନ୍ତୁ ଖୋଲିଲେନି । କେବଳ ଚୁମ୍ବକରେ ଏତିକି ସୂଚନା ଦେଇଛନ୍ତି ଯେ, ମୁକୁଟଗୁଡ଼ିକୁ ପୂର୍ବ ଗଣତି ବେଳେ ନମ୍ବରିଂ କରାଯାଇଛି ।

ତେଣୁ ଏଠି ପ୍ରଶ୍ନ ସେସବୁ ଯୁଦ୍ଧାସ୍ତ୍ର ଓ ମୁକୁଟ କେଉଁ ରାଜାଙ୍କ ଅମଳର ? କିଏ ଏହାକୁ ବ୍ୟବହାର କରୁଥିଲେ ? ଅବା କେଉଁ ରାଜ୍ୟର ରାଜାଙ୍କୁ ପରାସ୍ତ କରି ତାହାକୁ ବିଜୟ ସଙ୍କେତ ଭାବେ ଗଜପତିମାନେ ଆଣିଥିଲେ କି ? ୟାକୁ ନେଇ ଐତିହ୍ୟ ବିଶେଷଜ୍ଞଙ୍କ ମତ ହେଲା ASI ନିକଟରେ ଥିବା ଜ୍ଞାନକୌଶଳକୁ ବ୍ୟବହାର କରି ସେସବୁ କେତେ ବର୍ଷ ତଳର ତାହା ସହଜରେ ଜାଣିହେବ ।

ସେପଟେ ରତ୍ନଭଣ୍ଡାର ଭିତରେ ଅଧିକ ଗୁପ୍ତ କୋଠରୀ କି ସୁଡ଼ଙ୍ଗ ଅଛି କି ନାହିଁ, ତାକୁ ନେଇ କିନ୍ତୁ ସଂଶୟର ସମାପ୍ତି ଘଟୁନି । ଯଦିଓ ରତ୍ନଭଣ୍ଡାର ଭିତରକୁ ଯାଇଥିବା ୧୧ଜଣିଆ ପ୍ରାଧିକୃତ ଟିମ୍ ଏସବୁ ଚର୍ଚ୍ଚା ଆଲୋଚନାକୁ ଗୁଜବ ବୋଲି କହି ସାରିଛନ୍ତି ।

କିନ୍ତୁ ଗଜପତି ମହାରାଜାଙ୍କ ଲେଜର ସ୍କାନିଂ ସଙ୍କେତ ଓ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଥିବା ଦ୍ୱନ୍ଦ୍ୱ ଦୂର ପାଇଁ ଏସ୍ଓପିରେ ସଂଶୋଧନ ସହ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ପୁଣିଥରେ ଏନେଇ ଯାଞ୍ଚ ପାଇଁ ସରକାରଙ୍କୁ ସୁପାରିଶ ହେବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ଏବେ ଅପେକ୍ଷା, ସରକାରଙ୍କ ଅନୁମୋଦନ ପରେ ବୈଜ୍ଞାନିକ ପଦ୍ଧତିରେ ଯାଞ୍ଚରୁ ଯୁଦ୍ଧାସ୍ତ୍ର ଓ ଅଳଙ୍କାରର ପ୍ରାଚୀନତା ଜଣା ପଡ଼ିବା ସହ ଗୁପ୍ତ ସୁଡ଼ଙ୍ଗ ଉପରୁ କେବେ ଉଠୁଛି ରହସ୍ୟ ।

OTV is now on Whatsapp

Join and get latest news update delivered to you via whatsapp

Join Now