• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ଫଗୁଣର ରଙ୍ଗରେ ସବୁ ରଙ୍ଗୀନ । ସମସ୍ତେ ମତୁଆଲା । ପରିବେଶ ରଙ୍ଗମୟ। ସବୁଠି ରଙ୍ଗର ଫୁଆରା । ଆଜି ହୋଲିର ରଙ୍ଗରେ ଓଦା ହୋଇଯାଇଥିଲା ମାଟି । ଭିଜିଥିଲା ସାରା ରାଜ୍ୟ । ଆସନ୍ତୁ ଦେଖିବା ରାଜ୍ୟରେ କେମିତି ଥିଲା ଏବର୍ଷର ହୋଲି।

ରଙ୍ଗ ସଂପର୍କର, ଭାଇଚାରାର, ଆନନ୍ଦର ଓ ଉତ୍ସାହର। ଦେହରେ ରଙ୍ଗ, ମନରେ ରଙ୍ଗ। ରାସ୍ତାଘାଟ ଚାରିଆଡ଼ ଜୁଆଡ଼େ ଚାହିଁବ ବହଳ ବହଳ ରଙ୍ଗର ଆସ୍ତରଣ । ପରସ୍ପରକୁ ଟିକେ ଅବିର ବୋଳି ଦେଇ କିମ୍ବା ପିଚକାରୀରୁ ରଙ୍ଗ ଟିକେ ଛାଟି ଦେଇ ସମସ୍ତେ ସମ୍ପର୍କରେ ବୋଳି ଦେଉଥିଲେ ପୁଳା ପୁଳା ପ୍ରେମର ରଙ୍ଗ। ରାଜଧାନୀ ଭୁବେନଶ୍ବରରେ କେଉଁଠି ଡିଜେର ତାଳେ ତାଳେ ରେନ୍ ଡ୍ୟାନ୍ସ ତ ପୁଣି କେଉଁଠି କାଦୁଅରେ ଲଟପଟ ହୋଇ ହୋଲି ପାଳନ ।

ସକାଳର ବୟସ ବଢୁଥିଲା, ଆଉ ତା ସହ ବଢୁଥିଲା ଉତ୍ସବର ଆସର । ସହରର ସବୁ ଗଳି କନ୍ଦିରେ ରଙ୍ଗର ଛିଟା । ଭାଇଚାରାର ସହର କଟକରେ ବି କମ୍ ନଥିଲା ହୋଲିର ରଙ୍ଗ କାନ୍ଧରେ କାନ୍ଧ ମିଶାଇ ସମସ୍ତେ ମନାଉଥିଲେ ହୋଲି । ରଙ୍ଗ ନା ଦେଖେ ଧର୍ମ ନା ବର୍ଣ୍ଣ । ପୁରୀ ଜିଲ୍ଲା ନିମାପଡ଼ା ମାଛପୁର-ରେଙ୍ଘାଳରେ ଭୁବନେଶ୍ବର ଦେବଙ୍କ ଫଗୁ ଉତ୍ସବରେ ଏକାଠି ହୋଇ ପରସ୍ପର ସହ ରଙ୍ଗ-ଅବିର ଖେଳିଛନ୍ତି ହିନ୍ଦୁ ମୁସଲିମ୍ ଭାଇ । ପର୍ଯ୍ୟଟନ ସହର ପୁରୀ ବେଳାଭୂମିରେ ବି ହୋଲିର ରଙ୍ଗରେ ରଙ୍ଗିଲା ହୋଇଛନ୍ତି ବିଦେଶୀ ପର୍ଯ୍ୟଟକ ।

ସମସ୍ତେ ରଙ୍ଗରେ ମସଗୁଲ୍ । କିଏ କେବେ ଅବିରର ରଙ୍ଗ ଦେଖି ନଥାନ୍ତୁ, ତ କିଏ ଶୁଣି ନଥାନ୍ତୁ ହାପି ହୋଲିର ଶବ୍ଦ। ବଲାଙ୍ଗିର ଆରଟିଓ ଛକ ନିକଟରେ ଥିବା ଭିନ୍ନକ୍ଷମ ଆଶ୍ରୟସ୍ଥଳରେ ରଙ୍ଗର ପର୍ବରେ ଧୁମ୍ ମଉଜ ମନେଇଛନ୍ତି ଦିବ୍ୟାଙ୍ଗ ଶିଶୁ । ଆଉ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ବୃଦ୍ଧାଶ୍ରମରେ, ହୋଲି ଭୁଲେଇ ଦେଇଛି ପରିଣତ ବୟସରେ ପିଲାମାନଙ୍କ ଉପେକ୍ଷାର ଦୁଃଖ ।

ରାଉରକେଲା ଏନଆଇଟି ପରିସରରେ କିନ୍ତୁ ରଙ୍ଗ ଅବିରକୁ ବଳି ଯାଇଛି ଛାତ୍ରଛାତ୍ରୀଙ୍କ କାଦୁଅ ଖେଳ । କୃତ୍ରିମ କାଦୁଅ ପୋଖରୀରେ ଯିଏ ଯାହାକୁ ପାରୁଥିଲା ଗଡ଼ାଉଥିଲା, ଯିଏ ଯାହା ଉପରେ ପାରୁଥିଲା ଢାଳୁଥିଲା ପ୍ରେମ କାଦୁଅ । ଆଧୁନିକତା ଭିତରେ ହଜି ଯାଇ ନଥିଲା ପରମ୍ପରା । ନାଚ ଗୀତର ଆସର ଭିତରେ ଗୋବିନ୍ଦାଙ୍କ ହାତରେ ଭଙ୍ଗା ହେଉଥିଲା ଦଧି ହାଣ୍ଡି ।

ବାଲେଶ୍ବରରୁ ନେଇ ବ୍ରହ୍ମପୁର, ସମ୍ବଲପୁରରୁ ନେଇ ଜୟପୁର । ସବୁଠି ଧୁମ୍ ବର୍ଷିଥିଲା ରଙ୍ଗ । ଆଉ ରଙ୍ଗୀନ ପରିବେଶରେ ସମସ୍ତଙ୍କ ମୁହଁରେ ଥିଲା-ସେଇ ଗୋଟିଏ ଶବ୍ଦ...ହାପି ହୋଲି ।