Advertisment

ହିଟୱେଭ୍ ପାଇଁ ଏସିର ଏବେ ହାଇ-ଡିମାଣ୍ଡ୍, ମିଳୁନି ମନପସନ୍ଦ ବ୍ରାଣ୍ଡର ଏସି !

ଏଣେ ଅସହ୍ୟ ଗରମ, ତେଣେ ମାର୍କେଟରେ ଏସି ମରୁଡ଼ି। ଗ୍ରାହକ କରିବେ ତ କଣ କରିବେ, ଯିବେ ତ କୁଆଡ଼େ ଯିବେ। ଖରାରେ ସିଝି ସହର ସାରା ବୁଲି ବୁଲି ନୟାନ୍ତ ହେଉଛନ୍ତି ଅନେକ ।

author-image
Santosh Kumar Sahoo
undefined

AC

ଏପ୍ରିଲ ଆରମ୍ଭରୁ ମାର୍କେଟରେ ଅଚାନକ ଏସି ମରୁଡ଼ି ! ଅସହ୍ୟ ହିଟୱେଭ୍ ପାଇଁ ଏସିର ଏବେ ହାଇ-ଡିମାଣ୍ଡ୍ । ରାଜଧାନୀରେ ବି ମିଳୁନି ମନପସନ୍ଦ ବ୍ରାଣ୍ଡର ଏସି ! ଏସି ମିଳିଲେ ବି ହୋଇପାରୁନି ତତ୍କାଳ ଇନଷ୍ଟଲ୍ ! ଏପ୍ରିଲ ୫ ତାରିଖରେ ଭୁବନେଶ୍ୱର ଏସିଆର ଷଷ୍ଠ ଉତ୍ତପ୍ତ ସହର ପାଲଟିବା ପରେ, କ୍ୟାପିଟାଲ ସିଟିରେ ହଠାତ୍ ବଢ଼ିଯାଇଛି ଏସି ଚାହିଦା । ଏସି କିଣିବାକୁ ଇଲେକ୍ଟ୍ରୋନିକ୍ସ ଦୋକାନରେ ଲାଗୁଛି ଲୋକଙ୍କ ପ୍ରବଳ ଗହଳି । ମାର୍ଚ୍ଚ ମାସରେ ଯେଉଁ ଦୋକାନରେ ଦିନକୁ ୧୦ରୁ ୧୫ ଏସି ବିକିବା ମୁସ୍କିଲ ଥିଲା, ଏବେ ସେଠି ୪୦ରୁ ୫୦ ଏସି ବିକ୍ରି ହୋଇଛି। ଇଲେକ୍ଟ୍ରୋନିକ୍ସ ବ୍ୟବସାୟୀଙ୍କ କହିବା କଥା, ଏପ୍ରିଲ ପ୍ରଥମ ସପ୍ତାହରେ ତାପମାତ୍ରା ୪୩ ଡିଗ୍ରୀ ଡେଇଁବା ପରେ, ଅଚାନକ ବଢ଼ିଗଲା ଏସି ଚାହିଦା । ଫଳରେ ବଜାରେ ସବୁ କମ୍ପାନିର ଏସି ଅଭାବ ରହିଛି। ଏମିତିକି ପର୍ଯ୍ୟାପ୍ତ ମେକାନିକ୍ ନ ଥିବାରୁ, ଏସି କିଣିନେବା ପରେ ମଧ୍ୟ ଗ୍ରାହକ ଘରେ ତାହା ତତ୍କାଳ ଇନଷ୍ଟଲ ବି ହୋଇପାରୁନି ।

Advertisment

ଏପଟେ ଏସି ନିର୍ମାତାଙ୍କ କହିବା କଥା, ଜଳବାୟୁ ପରିବର୍ତ୍ତନ କାରଣରୁ ଘୁ ଘୁ ହୋଇ ବଢ଼ିଚାଲିଛି ଏସି ବଜାର । ଦେଶରେ ପ୍ରତି ଶହେ ପରିବାରରୁ ମାତ୍ର ୭ ଜଣଙ୍କ ଘରେ ଏସି ରହିଥିବା ବେଳେ, ଓଡ଼ିଶାରେ ଏହି ସଂଖ୍ୟା ମାତ୍ର ୩.୫ ପ୍ରତିଶତ। ରାଜ୍ୟରେ ଏବେ ବର୍ଷକୁ ପ୍ରାୟ ୨ ଲକ୍ଷ ଏସି ବିକ୍ରି ହେଉଛି । ତେବେ ରାଜ୍ୟରେ ହିଟୱେଭ ତୀବ୍ର ହେଉଥିବାରୁ, ଜାତୀୟ ହାରଠୁ ଦୁଇ ଗୁଣା ଅର୍ଥାତ୍ ୨୫ ପ୍ରତିଶତ ହାରରେ ବଢ଼ୁଛି ଓଡ଼ିଶାର ଏସି ବଜାର ।

ଓଡ଼ିଶା ଶକ୍ତି ବଳକା ରାଜ୍ୟ ହେବା ସତ୍ତ୍ୱେ, ଏବେ ବି ପିକ୍ ଚାହିଦା ପୂରଣରେ ବିଫଳ ହେଉଛି । ବିଶେଷଜ୍ଞଙ୍କ କହିବା କଥା, ଗ୍ରୀଷ୍ମ ଋତୁରେ ପିକ୍ ସମୟରେ ରାଜ୍ୟକୁ ୫ ହଜାର ୫୦୦ ମେଗାୱାଟ୍ ବିଜୁଳି ଆବଶ୍ୟକ ହୁଏ । ହେଲେ ୪ ହଜାର ୫୦୦ରୁ ୪ ହଜାର ୮୦୦ ମେଗାୱାଟ୍ ଯୋଗାଣ ସମ୍ଭବ ହେଉଛି। ଏଭଳି ସ୍ଥିତିରେ, ଅଧିକ ବିଜୁଳି ଆବଶ୍ୟକ କରୁଥିବା ଏସିର ବ୍ୟବହାର ବଢ଼ିବା ଦ୍ୱାରା, ଆଗକୁ ବିଜୁଳି ସଙ୍କଟ ଘନେଇବାର ଯଥେଷ୍ଟ ଆଶଙ୍କା ରହିଛି । ତେଣୁ ଲୋକେ ଶକ୍ତି ସଂଚୟକାରୀ ଷ୍ଟାର ରେଟେଡ୍ ଏସି ଓ ରୁଫ୍ ଟପ୍ ସୋଲାର ଆଦିକୁ ଆପଣେଇ ପ୍ରୋଜ୍ୟୁର ବା ବିଜୁଳି ଉତ୍ପାଦକ ସହ ଉପଭୋକ୍ତା ପାଲଟନ୍ତୁ ।

Advertisment

ଏଠି ପ୍ରଶ୍ନ ଉଠୁଛି, ଏସି ଚାହିଦା ସହ ବଢ଼ୁଥିବା ବିଜୁଳି ଆବଶ୍ୟକତା ପୂରଣ ପାଇଁ ପ୍ରସ୍ତୁତ ଅଛନ୍ତି ତ ବିଦ୍ୟୁତ ବିତରକ କମ୍ପାନୀ ? ବର୍ଦ୍ଧିତ ଲୋଡ୍ ସହିବା ପାଇଁ ସକ୍ଷମ ତ ବିଦ୍ୟୁତ ଭିତ୍ତିଭୂମି ? ନା ଏଥର ବି ନିଦାଘରେ ନିଦ ହଜାଇବ ଅଘୋଷିତ ପାୱାର୍ କଟ୍ ? ଏନେଇ ଟାଟା ପାୱାର କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ, ସେ ପ୍ରତିକ୍ରିୟା ରଖିବାକୁ ମନା କରିଦେଇଛନ୍ତି ।

Bhubaneswar Heat Wave Air Conditioners In Odisha
Advertisment
Advertisment