• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

ଆଜି ରାଜଧାନୀ ଭୁବନେଶ୍ୱରର ଜନ୍ମଦିନ। ୭୬ବର୍ଷରେ ପାଦ ଥାପିଲା ଭୁବନେଶ୍ୱର। ୧୯୪୬ ମସିହାରେ, ଭୁବନେଶ୍ୱରକୁ ଏକ ମନୋହର ନଗରୀରେ ଗଢ଼ି ତୋଳିବାର ନକ୍ସା ପ୍ରସ୍ତୁତ କରିଥିଲେ ଜର୍ମାନୀର ସ୍ଥପତି ଓ ପ୍ଲାନର "ଅଟୋ କଏନ୍ସବର୍ଗର" । ୧୯୪୮ ମସିହା ଏପ୍ରିଲ ୧୩ତାରିଖ ଦିନ ଭୁବନେଶ୍ୱରରେ ନୂଆ ରାଜଧାନୀର ପ୍ରତିଷ୍ଠା ଫଳକ ସ୍ଥାପନ କରିଥିଲେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ୍ ନେହରୁ।

ଭୁବନେଶ୍ୱର ସହରର ଉଭୟ ପୁରାତନ ଏବଂ ଆଧୁନିକ ଇତିହାସ ରହିଛି । ପୁରାତନ ଇତିହାସ ୩ ହଜାର ବର୍ଷ ତଳର ଏବଂ ଆଧୁନିକ ସହର ୧୯୪୮ରୁ ଆରମ୍ଭ ହୋଇଛି । ଦେଶର ପ୍ରଥମ ୪ଟି ଯୋଜନାବଦ୍ଧ ସହର ଭିତରେ ଭୁବନେଶ୍ବର ଥିଲା ଅନ୍ୟତମ। ସେତେବେଳେ ପ୍ରଥମ ଦଶ ବର୍ଷ ମଧ୍ୟରେ ଭୁବନେଶ୍ୱର ଜନସଂଖ୍ୟା ପନ୍ଦର ହଜାରରୁ ବଢ଼ି ଚାଳିଶ ହଜାର ଓ ସହରର କ୍ଷେତ୍ରଫଳ ଶହେ ବତିଶ ବର୍ଗ କିଲୋମିଟର ହେବ ବୋଲି ଆକଳନ କରାଯାଇଥିଲା। ଭୁବନେଶ୍ୱରରେ ଛଅଟି ୟୁନିଟ ଓ ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ଏକ ବିଜ୍ଞାପିତ ଅଞ୍ଚଳ ହେବା ମଧ୍ୟ ନକ୍ସାରେ ଥିଲା ।

ଏହି ଯୋଜନାକୁ "ଓଡ଼ିଶା ସହର ଯୋଜନା ଆଇନ" ୧୯୫୬ ଅନୁସାରେ କାର୍ଯ୍ୟକାରୀ କରାଗଲା । ଭୁବନେଶ୍ୱର ପାଇଁ ଜଣେ "ବିଶେଷ ଯୋଜନା ଅଧିକାରୀ"ଙ୍କୁ ନିଯୁକ୍ତ କରାଗଲା । ଜନସଂଖ୍ୟା ବୃଦ୍ଧି ସହ ପରବର୍ତ୍ତୀ ସମୟରେ, ଭୁବନେଶ୍ୱରରେ ମ୍ୟୁନିସିପାଲିଟି ଗଠନ କରାଗଲା । ପରେ ଭୁବନେଶ୍ୱର ମୁନିସିପାଲିଟି ସହ ଖୋର୍ଦ୍ଧା, ଜଟଣୀ ବିଜ୍ଞାପିତ ଅଞ୍ଚଳକୁ ନେଇ "ଭୁବନେଶ୍ୱର ଆଞ୍ଚଳିକ ଉନ୍ନୟନ ସଂସ୍ଥା (ବ୍ରିଟ)" ଗଠନ କରାଗଲା । ପରବର୍ତ୍ତୀ ସମୟରେ, ଭୁବନେଶ୍ୱରରେ ମ୍ୟୁନିସିପାଲ କର୍ପୋରେସନ ଓ ସନ୍ନିକଟ ଗାଁଗୁଡିକୁ ନେଇ ବିଡିଏ ଗଠନ କରାଗଲା ।

ହଜାର ବର୍ଷର ଐତିହ୍ୟ ନଗର କଟକର କଳ୍ପିତ କଳେବର ବୃଦ୍ଧି ସମ୍ଭବ ନ ହେବାରୁ ଏକାମ୍ର କ୍ଷେତ୍ର ଭୁବନେଶ୍ୱରକୁ ନୂତନ ରାଜଧାନୀ କରିବାର ପ୍ରସ୍ତାବ ରଖାଯାଇ ୧୯୪୮ ଏପ୍ରିଲ ୧୩ ତାରିଖ ଦିନ ଶିଳାନ୍ୟାସ କାର୍ଯ୍ୟ ସମ୍ପନ୍ନ କରାଗଲା । ସେହିଦିନଠାରୁ ବୟସ ବଢ଼ିବା ସହ ନୂଆ ରାଜଧାନୀର କଳେବର ଆଶାତୀତ ଭାବେ ବଢ଼ି ବଢ଼ି ଚାଲିଛି । ଆଜି ରାଜଧାନୀର ପ୍ରତିଷ୍ଠା ଉତ୍ସବ ପାଇଁ ବିଧାନସଭା ଆଗରେ ଥିବା ରାଜଧାନୀ ଶିଳାନ୍ୟାସରେ ମାଲ୍ୟାର୍ପଣ ସହିତ ପତାକା ଉତ୍ତୋଳନର କାର୍ଯ୍ୟକ୍ରମ ରହିଛି l ଏହାପରେ ଅତିଥିଙ୍କ ଦ୍ୱାରା ସ୍ଥାନୀୟ ଜୟଦେବ ଭବନରେ ଏକ ସ୍ୱତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀର ଉଦଘାଟନ କାର୍ଯ୍ୟକ୍ରମ ରହିଛି।