• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ସିକିମ୍ ଫ୍ଲାସ ଫ୍ଲଡ୍‌ରେ ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି । ଏବେ ବି ଶତାଧିକ ନିଖୋଜ ଅଛନ୍ତି । ତେଣୁ ମୃତାହତ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ଅଛି । ପରିସ୍ଥିତି ଆହୁରି ଗମ୍ଭୀର ହୋଇପାରେ । କାରଣ ଆସନ୍ତାକାଲି ଯାଏ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତିସ୍ତା ବନ୍ୟାର କରାଳ ରୂପ ସିକିମବାସୀଙ୍କ ମନରେ ଗଭୀର କ୍ଷତ ସୃଷ୍ଟି କରିଛି । ମଙ୍ଗନ, ଗ୍ୟାଙ୍ଗଟକ, ପାକଯୋଙ୍ଗ, ନାମଚୀ ଜିଲ୍ଲା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ୧୪ଟି ସେତୁ ଭୁଶୁଡ଼ିଛି, ଧୋଇଯାଇଛି ଅନେକ ରାସ୍ତା । ଘଟଣାସ୍ଥଳରୁ ୧୨୦ କିଲୋମିଟର ଯାଏ ବନ୍ୟାର ପ୍ରଭାବ ପଡ଼ିଛି ।

ରାଜ୍ୟ ସରକାର ହାଇଆଲର୍ଟରେ ଥିବା ବେଳେ, ରେସ୍କ୍ୟୁ ଅପରେସନ ଜୋରଦାର କରିଛି NDRF ଓ ସେନା । ସିକିମକୁ ଭ୍ରମଣ କରିବାକୁ ଆସିଥିବା ପ୍ରାୟ ୩ ହଜାର ପର୍ଯ୍ୟଟକ ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି । ଏହି ପ୍ରଳୟଙ୍କାରୀ ବନ୍ୟାରେ ସିକିମର ୨୨,୦୩୪ ଜଣ ପ୍ରଭାବିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨,୦୧୧ ଜଣଙ୍କୁ ଉଦ୍ଧାର କରାଯାଇଛି । ପ୍ରକୃତିର ଏହି ତାଣ୍ଡବ ବେଳେ ସିକିମରେ ୩ ହଜାର ପର୍ଯ୍ୟଟକ ଫସି ରହିଥିବା ବେଳେ ରାସ୍ତାଘାଟ ଧୋଇ ହୋଇ ଯାଇଥିବାରୁ ସେମାନଙ୍କୁ ଉଦ୍ଧାର କରାଯାଇ ପାରୁନି । ଏଥିସହ ପାଗ କୋହଲା ଥିବାରୁ ଆକାଶମାର୍ଗରୁ ଉଦ୍ଧାର କାର୍ଯ୍ୟକୁ ସ୍ଥଗିତ ରଖାଯାଇଛି । ତେଣୁ ପାଗ ସ୍ୱାଭାବିକ ହେଲେ ତୁରନ୍ତ ସେମାନଙ୍କୁ ଉଦ୍ଧାର କରିବା ନିମନ୍ତେ ଭାରତୀୟ ବାୟୁସେନାର ବିମାନ ସମେତ ସେନାର ବିମାନକୁ ସଜାଗ ରଖାଯାଇଛି ।

ସିକିମ ଭୟଙ୍କର ବନ୍ୟାରେ ଟେଲି ଯୋଗାଯୋଗ ପୁରା ଠପ୍ । ତେଣୁ ଆର୍ମି ପକ୍ଷରୁ ସାଟେଲାଇଟ ଫୋନ୍‌ର ବ୍ୟବସ୍ଥା କରାଯାଇଛି । ଚାଟେଁରେ ରାସ୍ତା ଉପରେ ଏକ ଆର୍ମି ଗାଡ଼ିରେ ହିଁ  ସାଟେଲାଇଟ୍ ଫୋନର ସଂଯୋଗ ସ୍ଥାପନ କରାଯାଇଛି । ଏହି ସାଟେଲାଇଟ୍ ଫୋନ ଜରିଆରେ ଯବାନ ଓ ସିକିମରେ ଫସି ରହିଥିବା ପର୍ୟ୍ୟଟକମାନେ ନିଜ ପରିବାରବର୍ଗଙ୍କ ସହିତ କଥା ହୋଇପାରୁଛନ୍ତି ଏବଂ ନିଜ ସଂପର୍କରେ ସଂପର୍କୀୟଙ୍କୁ ସୂଚନା ଦେଇପାରୁଛନ୍ତି ।