• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ସିକିମ ବନ୍ୟାରେ ସହିଦ ହୋଇଥିବା ସରୋଜ କୁମାର ଦାସଙ୍କ ପାର୍ଥିବ ଶରୀର ଓଡ଼ିଶା ଫେରିବ । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସରୋଜଙ୍କ ପାର୍ଥିବ ଶରୀର ସିକିମରୁ ପ୍ରଥମେ ସିଧା ଭୁବନେଶ୍ୱର ଅଣାଯାଇ ତା’ପରେ ତାଙ୍କ ଜନ୍ମଭୂମି କାମାକ୍ଷାନଗରର କେନ୍ଦୁଢିପକୁ ଅଣାଯିବ ।

ସୂଚନା ଅନୁସାରେ ଗାଁରେ ତାଙ୍କର ପାର୍ଥିବ ଶରୀରକୁ ନେଇ ଏକ ଶୋଭାଯାତ୍ରା କରାଯିବ । ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ତାଙ୍କ ଗାଁରେ ଶେଷକୃତ୍ୟ ସଂପନ୍ନକରାଯିବ । ଭୟଙ୍କର ଫ୍ଲାସ ଫ୍ଲଡରେ ସରୋଜ ସହିଦ ହୋଇଥିବା କଥା ଗତକାଲି ଅପରାହ୍ନ ୨ଟା ବେଳେ ତାଙ୍କ ପରିବାରକୁ ସେନା ପକ୍ଷରୁ ଖବର ଦିଆଯାଇଥିଲା । ୨୦୧୨ରେ ସେନାରେ ଯୋଗ ଦେଇଥିଲେ ସରୋଜ । ଏଇ ଫେବ୍ରୁଆରିରେ ହୋଇଥିଲା ବାହାଘର । ଗତ ମଙ୍ଗଳବାର ସିକିମ୍ ଫ୍ଲାସ୍ ଫ୍ଲଡରେ ସେ ସହିଦ ହୋଇଛନ୍ତି । ଲୋନାକ ଲେକ୍ ବନ୍ଧ ଭାଙ୍ଗିବାରୁ ହଠାତ ତିସ୍ତା ନଦୀରେ ଭୟଙ୍କର ବନ୍ୟା ଆସିଥିଲା ।

ବିବାହକୁ ୭ ମାସ ପୁରିନି । ହେଲେ ପତ୍ନୀଙ୍କୁ ଏକା କରି ଅସମୟରେ ଛାଡ଼ି ଚାଲିଗଲେ ସାହସୀ ଯବାନ । ପୁଣି ଘରକୁ ଫେରି ଆସିବାର ନିର୍ଭର ପ୍ରତିଶ୍ରୁତି ଦେଇ ଠକିଦେଲେ । ସିକ୍କିମର ପ୍ରଳୟଙ୍କାରୀ ବନ୍ୟାରେ ନିଖୋଜ ସେନା ଯବାନଙ୍କ ମଧ୍ୟରେ ସହିଦ ଘୋଷଣା ହୋଇଛନ୍ତି ଢେଙ୍କାନାଳ ଭୁବନର ସେନା ହାବିଲଦାର ସରୋଜ କୁମାର ଦାସ । 

ମୁର୍ଛା ଯାଉଛି ମାଆ, ବାଉଳି ହେଉଛନ୍ତି ବାପା । ଆଉ ପାଗଳି ପ୍ରାୟ ପତ୍ନୀ । ଅମାନିଆ ଲୁହରେ ଅହରହ ଭିଜୁଛି ସମ୍ପର୍କୀୟ, ସାହି ପଡ଼ିଶା ଓ ସାଙ୍ଗସାଥୀଙ୍କ ଆଖି । ମଙ୍ଗଳବାର ବିଳମ୍ବିତ ରାତିରେ ସିକ୍କିମ୍ ପ୍ରଳୟଙ୍କରୀ ବନ୍ୟାରେ ଭାସିଯାଇଥିବା ୨୩ ଯବାନଙ୍କ ମଧ୍ୟରେ ଥିଲେ ଢେଙ୍କାନାଳ କାମାକ୍ଷାନଗର କେନ୍ଦୁଢ଼ିପ ଗାଁର ସରୋଜ କୁମାର ଦାସ । ସ୍ଥଳସେନାରେ ହାବିଲଦାର ଥିବା ସରୋଜ ମଙ୍ଗଳବାର ଦିନ ୧୦ଟାରେ ବଡ଼ ଭାଇ ମନୋଜଙ୍କୁ କରିଥିଲେ ଶେଷ କଲ । କହିଥିଲେ ପ୍ରବଳ ବର୍ଷା ଭିତରେ ଅନ୍ୟ ଯବାନଙ୍କ ସହ ଟ୍ରେନିଂ ସାରି ୟୁନିଟକୁ ଫେରୁଛୁ ।

ହେଲେ ସେହିଦିନ ବିଳମ୍ବିତ ରାତିରେ ତିସ୍ତା ନଦୀରେ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ଭାସି ନିଖୋଜ ହୋଇ ଯାଇଥିଲେ ୨୩ ଜଣ ଯବାନ । ସେମାନଙ୍କ ଭିତରେ ଥିଲେ ହାବିଲଦାର ସରୋଜ । ଟିଭିରୁ ଏ ଖବର ଜାଣିବା ପରେ ପରିବାର ଲୋକଙ୍କ ଛାତିରେ ପଶିଥିଲା ଛନକା । ମନୋଜ ଯେଉଁଠି ଥାଆନ୍ତୁ ଭଲରେ ଥାଆନ୍ତୁ, କାମନା କରି ଗାଁ ମନ୍ଦିରରେ ପୂଜା ପାଠ ସଙ୍କୀର୍ତ୍ତନ ସାଙ୍ଗକୁ ସବୁ କିଛି ଆରମ୍ଭ ହୋଇଥିଲା । ହେଲେ ଗତକାଲି ପ୍ରାୟ ଦିନ ଦୁଇଟା ବେଳେ ସେନା ପକ୍ଷରୁ ଆସିଥିବା କଲ୍ ପରେ ସମସ୍ତଙ୍କ ସବୁ ଆଶା ପାଣି ଫୋଟକା ପରି ମିଳେଇ ଯାଇଥିଲା ।