• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପଛଘୁଞ୍ଚା ନାହିଁ ବୀରର ଜାତକେ... ସେପଟେ ନିଖୋଜ ଅଛନ୍ତି ସାଥୀ ଯବାନ... ଉଦ୍ଧାର ଅଭିଯାନ ବେଳେ ଭସାଇ ନେଇଛି ବନ୍ୟା... କିଏ ବଞ୍ଚିଛି, କିଏ ପାଇଛି ବୀରଗତି, ଜଣାନାହିଁ । ହେଲେ ଏପଟେ କର୍ତ୍ତବ୍ୟ ପଥରେ ତିଳେମାତ୍ର ବାଧା ଆଣିପାରିନି ଭାବାବେଗ । ଛାତିକୁ ପଥର କରି ସେଇ ବନ୍ୟା ପାଣିରେ ପଶି, ବିପଦ ଆଁରୁ ବିପନ୍ନଙ୍କୁ ଟାଣି ଆଣୁଛନ୍ତି ସେନାର ସିପାହୀ ।

ତିସ୍ତା ନଦୀ କୂଳର ସେଇ ଅଭିଶପ୍ତ ଇଲାକା, ଯେଉଁଠି ଯମଦୂତ ସାଜି ଆଖି ପିଛୁଳାକେ ମାଡ଼ି ଆସିଥିଲା ବନ୍ୟା ଜଳ । ୨୩ ଯବାନଙ୍କ ସମେତ ଭସାଇ ନେଇଥିଲା ବହୁସଂଖ୍ୟକ ସେନାଗାଡ଼ି । ଆଉ ଏବେକାର ସ୍ଥିତି ଦେଖିଲେ ଆଖିରୁ ଆପେ ଲୁହ ଝରି ଆସୁଛି । ଗାଡ଼ି ଗୁଡ଼ିକୁ ମୋଡ଼ି ମକଚି, ପୋତି ପକାଇଛି ଟନ୍ ଟନ୍ ମାଟି କାଦୁଅ । ଜେସିବି ମେସିନରେ ଚାଲିଛି ଉଦ୍ଧାରକାର୍ଯ୍ୟ । ୭-୮ଟି ସେନା ଗାଡ଼ିର ପତ୍ତା ମିଳିଥିବା ବେଳେ, ୨୩ ଯବାନଙ୍କ ମଧ୍ୟରୁ ଅନେକଙ୍କ ଚିହ୍ନବର୍ଣ୍ଣ ନାହିଁ ।

ସେପଟେ କିନ୍ତୁ ସିକ୍କିମରେ ରେସ୍କ୍ୟୁ ଅପରେସନର ମୋର୍ଚ୍ଚା ସମ୍ଭାଳିଛି ସ୍ଥଳସେନା ଓ ବାୟୁସେନା । କେଉଁଠି ଲୋକଙ୍କୁ ଉଦ୍ଧାର କରାଯାଉଛି, ଆଉ କେଉଁଠି ମେଡିକାଲ କ୍ୟାମ୍ପ ଓ ଫୋନବୁଥ୍ ଖୋଲାଯାଇଛି ।

ଡ୍ୟାମ୍, ରାଜପଥ, ଆଉ ଜନବସତି । ବନ୍ୟାଜଳ ଛାଡ଼ିବା ପରେ, ସାମ୍ନାକୁ ଆସୁଛି କ୍ଷୟକ୍ଷତିର ଦାରୁଣ ଚିତ୍ର । ତୀସ୍ତାର କରାଳ କାୟା ୨ ଦିନ ଭିତରେ ସିକ୍କିମ ଓ ସିକ୍କିମବାସୀଙ୍କ ଛାତିରେ ଏମିତି ଦାଗ ଦେଇଛି ଯେ, ତାହା ଏତେଶୀଘ୍ର ଲିଭିବାର ନାହିଁ ।

ମଙ୍ଗନ, ଗ୍ୟାଙ୍ଗଟକ, ପାକଯୋଙ୍ଗ, ନାମଚୀ ଜିଲ୍ଲା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ୧୪ଟି ସେତୁ ଭୁଶୁଡ଼ିଛି, ଧୋଇଯାଇଛି ଅନେକ ରାସ୍ତା । ପୂର୍ବରୁ ଯେମିତି ଦେଖାଯାଉଥିଲା ଚୁଙ୍ଗଥାଙ୍ଗ ଡ୍ୟାମ୍ । ଆଉ ଏବେ ସେମିତି ଦିଶୁନି । ରାଜ୍ୟ ସରକାର ହାଇଆଲର୍ଟରେ ଥିବା ବେଳେ, ରେସ୍କ୍ୟୁ ଅପରେସନ ଜୋରଦାର କରିଛି NDRF ଓ ସେନା । ସମୟ ଗଡ଼ିବା ସହ ବଢ଼ି ଚାଲିଛି ମୃତକଙ୍କ ସଂଖ୍ୟା । ଶତାଧିକ ଏବେବି ନିଖୋଜ ।

ତେବେ କାଲି ଯାହାକୁ ଘର ବୋଲି କହୁଥିଲେ,ଆଜି ତାହା ଧ୍ୱଂସସ୍ତୁପ ପାଲଟିଛି । ଅଳ୍ପକେ ରକ୍ଷା ପାଇଯାଇଥିବା ଆସବାବପତ୍ରକୁ ସୁରକ୍ଷିତ ସ୍ଥାନକୁ ନେଉଛନ୍ତି ବନ୍ୟା ବିପନ୍ନ ।

କେବଳ ସିକ୍କିମବାସୀ ନୁହଁନ୍ତି, ପ୍ରଳୟଙ୍କରୀ ବନ୍ୟା ଯୋଗୁଁ ସେଠାରେ ଫସିଛନ୍ତି ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରୁ ବୁଲିବାକୁ ଯାଇଥିବା ପ୍ରାୟ ୩ହଜାର ପର୍ଯ୍ୟଟକ । କଟକ-ଚୌଦ୍ୱାର ଦେବୀନଗର ଗାଁର ରଞ୍ଜନ ସୁବୁଦ୍ଧିରାୟଙ୍କ ପରିବାରରେ ସମସ୍ତଙ୍କର ଛଳଛଳ ଆଖି । କାରଣ ପୁଅ ଦିବାଂଶୁ ସୁବୁଦ୍ଧିରାୟ ଓ ତାଙ୍କ ନବବିବାହିତା ପତ୍ନୀ ସୀମାଙ୍କ ସମେତ ମୋଟ ୭ ଜଣ ଗ୍ୟାଙ୍ଗଟକ୍ ଯାଇଥିବା ବେଳେ, ଫୋନ ଲାଗୁନଥିବାରୁ କାହାର ବି କୌଣସି ଖୋଜଖବର ପାଇପାରୁନାହାନ୍ତି ସେମାନେ ।

  • Reported by:
  • Prakash Nayak

OTV is now on Whatsapp

Join and get latest news update delivered to you via whatsapp

Join Now