• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କିଏ ହେବେ ପରବର୍ତ୍ତି ରାଷ୍ଟ୍ରପତି ? କିଏ ସମ୍ଭାଳିବେ ଦେଶର ଏହି ଗୁରୁ ଦାୟିତ୍ୱ ? କାହାକୁ ପ୍ରାର୍ଥୀ କରିବ ବିଜେପି ? ବିରୋଧୀଙ୍କ ପକ୍ଷରୁ କିଏ ହେବେ ରାଷ୍ଟ୍ରପତି ପ୍ରାର୍ଥୀ ? ଏସବୁ ଚର୍ଚ୍ଚା ଭିତରେ ଆଜି ରାଷ୍ଟ୍ରପତି ନିର୍ବାଚନ ପାଇଁ ଘୋଷଣା ହୋଇଛି ତାରିଖ । ଜୁଲାଇ ୧୮ରେ ହେବ ରାଷ୍ଟ୍ରପତି ନିର୍ବାଚନ । ତେବେ ଏଥିପାଇଁ ଜୁନ୍ ୧୫ରେ ବିଜ୍ଞପ୍ତି ପ୍ରକାଶ ପାଇବ । ଜୁନ୍ ୨୯ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରାଯାଇ ପାରିବ ।  ଜୁନ୍ ୩୦ରେ ନାମାଙ୍କନ ଯାଞ୍ଚ ହେବା ସହ ଜୁଲାଇ ୨ ପର୍ଯ୍ୟନ୍ତ ପ୍ରତ୍ୟାହାର କରାଯିବ । ତେବେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଜୁଲାଇ ୨୧ରେ ହେବ ଭୋଟ ଗଣତି ।

ଗୁରୁବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ଅଧିସୂଚନା ଜାରି କରିଛନ୍ତି । ନିର୍ବାଚନରେ ଭୋଟ୍ ଦେବା ପାଇଁ ସ୍ୱତନ୍ତ୍ର ଇଙ୍କ ଯୁକ୍ତ ପେନ୍ ପ୍ରଦାନ କରାଯିବ । ଭୋଟ୍ ଦେବା ପାଇଁ ଆପଣଙ୍କୁ ୧,୨,୩ ପସନ୍ଦ ଦର୍ଶାଇବାକୁ ପଡିବ । ତେବେ ଏହି ସମୟ ମଧ୍ୟରେ କୌଣସି ରାଜନଅତିକ ଦଳମାନେ କୌଣସି ହ୍ୱିଇପ୍‌ ଜାରି କରିପାରିବେ ନାହିଁ । ସଂସଦ ଏବଂ ବିଧାନସଭାରେ ମତଦାନ ହେବ । ରାଜ୍ୟସଭାର ମହାସଚିବ ନିର୍ବାଚନ ଦାୟିତ୍ୱରେ ରହିବେ ।

ଏହା ବ୍ୟତୀତ ନିର୍ବାଚନ ସମୟରେ କରୋନା ପ୍ରୋଟୋକଲ୍ ଅନୁସରଣ କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ।  ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଅବଧି ଜୁଲାଇ ୨୫ରେ ସରୁଛି । ଏହାପୂର୍ବରୁ ନୂଆ ରାଷ୍ଟ୍ରପତି ନିର୍ବାଚନ ସରିବ । ତେବେ ନୂଆ ରାଷ୍ଟ୍ରପତି ପାଇଁ ପ୍ରାର୍ଥୀ କିଏ ହେବେ ସେ ନେଇ ବଢ଼ୁଛି ଉତ୍କଣ୍ଠା ।

ଆସନ୍ତୁ ନଜର ପକାଇବା ରାଷ୍ଟ୍ରପତି ନିର୍ବାଚନ ବେଳେ କାହା ପାଖରେ ରହିଛି କେତେ ଭୋଟ୍ ?

କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ନିଜ ମେଣ୍ଟ ଦଳ ସହ ୧୭ଟି ରାଜ୍ୟରେ କ୍ଷମତାରେ ରହିଛି । ଏହାପରେ ୪୮.୯ ପ୍ରତିଶତ ଭୋଟ୍ ବିଜେପି ପାଖରେ ରହିଛି । ମହାରାଷ୍ଟ୍ର, ରାଜସ୍ଥାନ, ଛତିଶଗଡ଼ ଭଳି ବଡ଼ ରାଜ୍ୟରେ କଂଗ୍ରେସ ଓ ମେଣ୍ଟ ଶାସନରେ ରହିଛି । ଏବେ ବିପକ୍ଷରେ ଥିବା କଂଗ୍ରେସ ପାଖରେ ରହିଛି ୨୧.୯% । ପଶ୍ଚିମବଙ୍ଗରେ ଟିଏମସି, ତାମିଲନାଡ଼ୁରେ ଡିଏମକେ, କେରଳରେ ବାମ, ଦିଲ୍ଲୀ-ପଂଜାବରେ ଆପ୍ ଏବେ କ୍ଷମତାରେ ରହିଛି ।

ଏହି ଦୃଷ୍ଟିରୁ ଆଞ୍ଚଳିକ ଦଳ ଓ ଅନ୍ୟାନ୍ୟ ପାର୍ଟି ପାଖରେ ୧୯.୭ ପ୍ରତିଶତ ଓ ୯.୫ ପ୍ରତିଶତ ରହିଛି । ଏହି ସଂଖ୍ୟାକୁ ଦେଖିଲେ ବିଜେପି ପାଇଁ ଆବଶ୍ୟକ ପଡ଼ୁଥିବା ୨ ପ୍ରତିଶତ ବେଶ ଗୁରୁତ୍ୱ ବହନ କରୁଛି ।

ଏବେ ନଜର ପକାଇବା, କେଉଁ ଦଳ ପାଖରେ ରହିଛି ସେହି ଗେମ୍ ଚେଞ୍ଜିଂ ନମ୍ବର ?

ଆନ୍ଧ୍ରପ୍ରଦେଶରେ କ୍ଷମତାରେ ଥିବା YSR କଂଗ୍ରେସ, ଓଡ଼ିଶାରେ ବିଜେଡି ଏବଂ ତେଲେଙ୍ଗାନାରେ ଟିଆରଏସ୍ ପାଖରେ ରହିଛି ମ୍ୟାଜିକ୍ ନମ୍ବର । YSR କଂଗ୍ରେସ ପାଖରେ ୪ ପ୍ରତିଶତ, ବିଜେଡି ପାଖରେ ୨.୯ ପ୍ରତିଶତ ଏବଂ ଟିଆରଏସ୍ ପାଖରେ ୨.୨ ପ୍ରତିଶତ ଭୋଟ୍ ରହିଛି ।

ରାଷ୍ଟ୍ରପତି ନିର୍ବାଚନ ପାଇଁ ଲୋକସଭା ଓ ରାଜ୍ୟସଭାର ଦୁଇ ଗୃହର ସମସ୍ତ ସାଂସଦ, ସବୁ ରାଜ୍ୟର ବିଧାୟକଙ୍କ ଭୋଟକୁ ମିଶାଇ ଫଳାଫଳ ଘୋଷଣା ହୋଇଥାଏ । ପ୍ରତି ସାଂସଦଙ୍କ ଭୋଟର ମୂଲ୍ୟ ୭୦୮ ହୋଇଥିବା ବେଳେ ରାଜ୍ୟର ଜନସଂଖ୍ୟା ଭିତ୍ତିରେ ଏହାର ମୂଲ୍ୟ ରାଜ୍ୟଭିତ୍ତିରେ ଭିନ୍ନ ଭିନ୍ନ ହୋଇଥାଏ । ଉତ୍ତରପ୍ରଦେଶରେ ସବୁଠୁ ଅଧିକ ୧୫.୬%, ମହାରାଷ୍ଟ୍ର ୯.୩୩%, ପଶ୍ଚିମବଙ୍ଗରେ ୮.୧୬%, ବିହାର ୭.୭୫%, ତାମିଲନାଡ଼ୁରେ ୭.୬୫% ଏବଂ ଓଡ଼ିଶାରେ ୪.୦୪% ଭୋଟ୍ ରହିଛି ।

ସୂଚନାଯୋଗ୍ୟ ୨୪ ଜୁଲାଇ ୨୦୨୨ରେ ଶେଷ ହେଉଛି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ । ତାଙ୍କ ପରେ ଦେଶର ପରବର୍ତ୍ତୀ ଏବଂ ୧୫ ତମ ରାଷ୍ଟ୍ରପତି ନିର୍ବାଚିତ ହେବେ । ଗତ ଥର ୧୭ ଜୁଲାଇ ୨୦୧୭ରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।

ରାଷ୍ଟ୍ରପତିଙ୍କ ଚୟନ ପାଇଁ ସାଧାରଣ ଲୋକେ ଭୋଟିଂରେ ଯୋଗ ଦିଅନ୍ତି ନାହିଁ । ଏଥିପାଇଁ ଲୋକମାନଙ୍କ ଦ୍ୱାରା ନିର୍ବାଚିତ ପ୍ରତିନିଧି ଏବଂ ଉଚ୍ଚ ସଦନର ପ୍ରତିନିଧିମାନେ ମତଦାନ କରନ୍ତି । ରାଷ୍ଟ୍ରପତି ନିର୍ବାଚନରେ ​​ଉଭୟ ଗୃହର ସଦସ୍ୟ (ଲୋକସଭା ଏବଂ ରାଜ୍ୟସଭା) ଭୋଟ୍ ଦିଅନ୍ତି । ଏହା ବ୍ୟତୀତ ସମସ୍ତ ରାଜ୍ୟର ବିଧାନସଭା ସଦସ୍ୟମାନେ ମଧ୍ୟ ରାଷ୍ଟ୍ରପତି ନିର୍ବାଚନରେ ​​ଭୋଟ୍ ଦିଅନ୍ତି । ଏଥିରେ ଦିଲ୍ଲୀର ୟୁନିଅନ୍ ଟେରିଟୋରୀ ଏବଂ ପୁଡୁଚେରୀର ବିଧାନସଭା ସଦସ୍ୟମାନେ ମଧ୍ୟ ସାମିଲ ଥାଆନ୍ତି ।