• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆମ ଦେଶରେ ଅନେକ ଛାତ୍ରଛାତ୍ରୀଙ୍କ ଆଶା ଥାଏ IAS କିମ୍ବା IPS ହେବାକୁ । ସେଥିପାଇଁ ପ୍ରତି ବର୍ଷ ଲକ୍ଷାଧିକ ଛାତ୍ରଛାତ୍ରୀ UPSC ପରୀକ୍ଷା ଦେଇଥାନ୍ତି । ହେଲେ ସେଥିମଧ୍ୟରୁ ଖୁବ୍‌ ସ୍ୱଳ୍ପ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥାନ୍ତି । କିଛି ଛାତ୍ରଛାତ୍ରୀ ଦୁଇ ତିନି ଥର UPSC ପରୀକ୍ଷା ଦେବା ପରେ ପାସ୍‌ କରିଥାନ୍ତି । ଆଉ ହଜାର ହଜାର ଛାତ୍ରଛାତ୍ରୀ ନିରାଶ ହୁଅନ୍ତି । 

ଯେତେବେଳେ UPSC ରେଜଲ୍ଟ ବାହାରେ ସେତେବେଳେ ଅନେକ ପ୍ରେରଣାଦାୟୀ କାହାଣୀ ସାମ୍ନାକୁ ଆସେ । UPSC କ୍ଲିୟର କରିଥିବା ସେହି ଛାତ୍ରଛାତ୍ରୀଙ୍କ ପ୍ରେରଣାଦାୟୀ ଅନେକଙ୍କୁ ପ୍ରେରଣା ଯୋଗାଇଥାଏ । ଆଉ ଅନେକଙ୍କ ମନୋବଳ ବଢ଼ାଇଥାଏ ।

ଠିକ୍ ସେମିତି ଏକ କାହାଣୀ ଆଜି ଆମ ପାଖରେ ପହଞ୍ଚିଛି । ଆଉ ଏହି କାହାଣୀ ହେଉଛି IPS ଅଫିସର ମନୋଜ ଶର୍ମାଙ୍କର । ମନୋଜ ନିଜ ଜୀବନ କାହାଣୀକୁ ନେଇ ଏକ ବହି ଲେଖିଛନ୍ତି । ତାର ନାଁ ରଖିଛନ୍ତି ‘ଦ୍ୱାଦଶ ଫେଲ୍’ ।

ମନୋଜ ଅତି ଗରିବ ପରିବାରରୁ ଆସିଛନ୍ତି । ହେଲେ ପିଲାଟି ଦିନରୁ ତାଙ୍କର IAS ହେବାକୁ ଭାରି ଇଚ୍ଛା ଥିଲା । ତାଙ୍କ ଜୀବନରେ ଏହା ହିଁ ସବୁଠାରୁ ବଡ଼ ଲକ୍ଷ୍ୟ ଥିଲା । କିନ୍ତୁ ଦୁର୍ଭାଗ୍ୟ ବଶତଃ ସେ ଦ୍ୱାଦଶରେ ଫେଲ୍‌ ହୋଇଥିଲେ । ଏମିତିକି ନବମ ଓ ଦଶମରେ ସେ ଥାର୍ଡ ଡିଭିଜନ ପାଇଥିଲେ । ଆଉ ଦ୍ୱାଦଶରେ କେବଳ ହିନ୍ଦି ବିଷୟକୁ ଛାଡ଼ିଦେଲେ ବାକି ସବୁଥିରେ ଫେଲ୍ ହୋଇଥିଲେ ମନୋଜ୍ । ଏସବୁ କଥା ଆମେ ମନରୁ କହୁ ନାହୁଁ । ସେ ନିଜେ ତାଙ୍କ ବହିରେ ଏଭଳି ତଥ୍ୟ ରଖିଛନ୍ତି । ଆଉ ଏହା ହିଁ ତାଙ୍କର ଜୀବନ କାହାଣୀ ।

ତେବେ ଦ୍ୱଦାଶରେ ଫେଲ୍‌ ହେବା ପରେ ବି ସେ ନିଜର IAS ହେବା ସ୍ୱପ୍ନକୁ ଭୁଲି ନଥିଲେ କିମ୍ବା ଭୁଲିବାକୁ ଦେଇନଥିଲେ । ତାଙ୍କ ମନରେ ସବୁବେଳେ IAS ହେବାର ଉତ୍ସାହ ରହିଥିଲା । ଏଥିପାଇଁ ସେ ଅନେକ ପରିଶ୍ରମ କରିଛନ୍ତି । ଘର ଚଳାଇବା ପାଇଁ ତାଙ୍କ ପାଖରେ ଅର୍ଥ ନଥାଏ । ପିଲା ଦିନ ତାଙ୍କର ଭାରି କଷ୍ଟରେ କଟିଛି । ଏମିତିକି ତାଙ୍କ ଘରର ଛାତ ନଥିଲା । ମଧ୍ୟପ୍ରଦେଶର ମୋରେନା ଜିଲ୍ଲାରେ ସେ ରହୁଥିଲେ ।

ସେ ନିଜ ବହିରେ ଲେଖିଛନ୍ତି, ପିଲା ଦିନେ ସେ ଭିକାରୀମାନଙ୍କ ସହ ରାସ୍ତାକଡ଼ରେ ଶୋଇଛନ୍ତି । ଆଉ ଦିଲ୍ଲୀର ଏକ ଲାଇବ୍ରେରୀରେ ପିଅନ୍‌ କାମ କରିଛନ୍ତି । ସେହି ଲାଇବ୍ରେରୀରୁ ହିଁ ବହି ଆଣି ସେ ପାଠ ପଢ଼ୁଥିଲେ । ଏହି ସମୟରେ ସେ ଅନେକ ସଫଳ ବ୍ୟକ୍ତିତ୍ୱ ଗୋର୍କି, ଆବ୍ରାହମ ଲିଙ୍କନ ଓ ମୁକ୍ତବୋଧଙ୍କ କାହାଣୀ ପଢ଼ିଛନ୍ତି ।

ସେ ନିଜ ବହିରେ ଆହୁରି ଲେଖିଛନ୍ତି, ଯେତେବେଳେ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିଲେ ସେତେବେଳେ ଜଣେ ଯୁବତୀଙ୍କ ପ୍ରେମରେ ପଡ଼ିଥିଲେ । ଆଉ ଡରି ଡରି ଯାଇ ତାଙ୍କୁ ଏକ ଅଭିନବ ଢ଼ଙ୍ଗରେ ପ୍ରେମ ନିବେଦନ କରିଥିଲେ । ସେ ତାଙ୍କୁ କହିଥିଲେ, ତୁମେ ହଁ କରିଦିଅ ଆମେ ଦୁହେଁ ମିଶି ପୁରା ବିଶ୍ୱ ବୁଲିବା ।

ତେବେ ମନୋଜ ଶର୍ମା ଚତୁର୍ଥ ଥର ପରୀକ୍ଷା ଦେବା ପରେ UPSC କ୍ଲିୟର କରିଥିଲେ ଆଉ ସାରା ଭାରତରେ ୧୨୧ ନମ୍ବର ରାଙ୍କ ରଖିଥିଲେ । ସେ ୨୦୦୫ର ମହାରାଷ୍ଟ୍ର କ୍ୟାଡର IPS ଅଫିସର ।