/odishatv-khabar/media/post_attachments/uploadimage/library/16_9/16_9_0/IMAGE_1745926314.jpg)
Visa Deadline Ends
ଭାରତରେ ଥିବା ପାକିସ୍ତାନୀଙ୍କ ଡେଡଲାଇନ୍ ଆଜି ସରୁଛି । ମେଡିକାଲ୍ ଭିସା ନେଇ ଭାରତକୁ ଆସିଥିବା ପାକିସ୍ତାନ ନାଗରିକ ଆଜି ସୁଦ୍ଧା ନିଜ ଦେଶକୁ ଫେରିଯିବେ । ପହଲଗାମ୍ ଆତଙ୍କୀ କାଣ୍ଡ ପରେ ଏନେଇ କଡ଼ା ନିର୍ଦ୍ଦେଶ କରିଥିଲେ କେନ୍ଦ୍ର ସରକାର । କେହି ପାକିସ୍ତାନୀ ଯଦି ଏହି ଭିସା ସର୍ତ୍ତ ଉଲ୍ଲଙ୍ଘନ କରନ୍ତି ଏବଂ ଭାରତରେ ରୁହନ୍ତି ତେବେ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ହୋଇପାରେ । ୩ ବର୍ଷ ଜେଲ୍ କିମ୍ବା ୩ ଲକ୍ଷ ଟଙ୍କା ଜରିମାନା ହେବାର ନିୟମ ରହିଛି ।
ଡେଡ୍ଲାଇନ କଣ୍ଟ ପୂରିଲା
ସାର୍କ୍ ଭିସାଧାରୀ ପାକିସ୍ତାନୀଙ୍କ ପାଇଁ ଏପ୍ରିଲ ୨୬ ଓ ଅନ୍ୟ ୧୨ ପ୍ରକାର ଭିସାଧାରୀ ପାକିସ୍ତାନୀଙ୍କ ପାଇଁ ଏପ୍ରିଲ ୨୭ ସୁଦ୍ଧା ନିଜ ଦେଶକୁ ଫେରିବାକୁ ନିର୍ଦ୍ଦେଶ ଥିଲା । କେବଳ ମେଡିକାଲ ଭିସାରେ ଥିବା ପାକିସ୍ତାନ ନାଗରିକଙ୍କୁ ଅଧିକ ୨ ଦିନ ମହଲତ୍ ଦେଇ ୨୯ ତାରିଖ ସୁଦ୍ଧା ଭାରତ ଛାଡ଼ି ନିଜ ଦେଶକୁ ଫେରିବା ପାଇଁ ନିର୍ଦ୍ଦେଶ ରହିଥିଲା ।
କ'ଣ ରହିଛି ଦଣ୍ଡବିଧାନ ?
ଏହି ସମୟସୀମା ପୂରିବା ପରେ, ଭାରତରେ ପାକିସ୍ତାନ ନାଗରିକ ଭିସା ସର୍ତ୍ତ ଅବମାନନା କରି ଧରାପଡ଼ିଲେ ଗିରଫ ହେବା ସହ କଠୋର ଦଣ୍ଡବିଧାନର ସମ୍ମୁଖୀନ ହେବେ । ସେମାନେ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ କିମ୍ବା ୩ ଲକ୍ଷ ଟଙ୍କା ଜରିମାନା କିମ୍ବା ଉଭୟ ଭୋଗିପାରନ୍ତି । ଏପ୍ରିଲ ୪ ଠାରୁ ଲାଗୁ ହେଉଥିବା ଇମିଗ୍ରେସନ୍ ଆଣ୍ଡ୍ ଫରେନର୍ସ ଆକ୍ଟ ୨୦୨୫ ଅନୁସାରେ, ଭିସା ସର୍ତ୍ତ ଉଲ୍ଲଂଘନ କରି ଅଧିକ ଦିନ ଭାରତରେ ରହିଲେ ବିଦେଶୀ ନାଗରିକଙ୍କୁ ଏହି ଦଣ୍ଡ ଭୋଗିବାକୁ ପଡ଼ିପାରେ ।
ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ଏବେ ସୁଦ୍ଧା ୫୦୦ରୁ ଅଧିକ ପାକିସ୍ତାନୀ ନାଗରିକ ଭାରତ ଛାଡ଼ି ସାରିଲେଣି ।
ଭିସା ଡେଡ୍ଲାଇନ ପୂରିବା ପରେ ଆଜି ପାକିସ୍ତାନ ଫେରୁଥିବାବେଳେ ଅଟାରୀ ବର୍ଡରଠାରେ ଜଣେ ପାକିସ୍ତାନୀ ମହିଳା ସମରୀନ୍ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି, ''ମୁଁ ସେପ୍ଟେମ୍ବରରେ ୪୫ ଦିନିଆ ଭିସାରେ ଆସି ଭାରତରେ ବିବାହ କରିଥିଲି । ମୋତେ ଦୀର୍ଘକାଳୀନ ଭିସା ଜାରି ହୋଇନଥିଲା । ଏବେ ମୋତେ ଭାରତ ଛାଡିବାକୁ କୁହାଯାଇଛି । ଆତଙ୍କବାଦୀଙ୍କୁ ଦଣ୍ଡ ଦିଆଯାଉ । ଏଥିରେ ଆମର ଦୋଷ କ'ଣ ? ଆମକୁ କାହିଁକି ଦଣ୍ଡ ମିଳୁଛି ?''
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)