• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମଧ୍ୟପ୍ରଦେଶର ମହାକାଳ ନଗରୀ- ଉଜ୍ଜୈନ,ଉଜ୍ଜୈନବାସୀ ହୁଅନ୍ତୁ ଅବା ବାହାର ରାଜ୍ୟର ଶିବଭକ୍ତ, ସମସ୍ତେ ଖୁସିରେ ଗଦଗଦ ।ମହାକାଳେଶ୍ୱର କରିଡରର ପ୍ରତିଟି କୋଣ ଅନୁକୋଣରେ କେଉଁଠି ଶିବଙ୍କ ତାଣ୍ଡବ, ତ ଆଉ କେଉଁଠି ମହାଦେବଙ୍କ ଅସୁର ସଂହାରକ ରୂପ । ଦେବଦେବ ମହାଦେବଙ୍କ ପୀଠର ଏହି ଦିବ୍ୟ ତଥା ଭବ୍ୟ ରୂପକୁ ଦେଖି ଶିବମୟ ମହାକାଳ ଲୋକ । ଶିବ ପୂରାଣର ବିଭିନ୍ନ କଥା, ବିଭିନ୍ନ ଗାଥା ଖୋଦିତ ହୋଇଛି ।

ଶୋଭା ବଢ଼ାଉଛି କମଳ କୁଣ୍ଡ ବା ପଦ୍ମ ପୁଷ୍କରିଣୀରେ ଧ୍ୟାନରତ ଆଦିଯୋଗୀଙ୍କ ବିଶାଳ ମୂର୍ତ୍ତି । ତା ସାଙ୍ଗକୁ ସୁଉଚ୍ଚ ଶିବସ୍ତମ୍ଭ । ୯ଶହ ମିଟର କରିଡର୍ କଡ଼େକଡ଼େ କାରୁକାର୍ଯ୍ୟ ପୂର୍ଣ୍ଣ ୧୦୮ଟି ତ୍ରିଶୂଳ ସ୍ତମ୍ଭ । ସେଥିରେ ଖୋଦିତ ହୋଇଛି ବିଭିନ୍ନ ମୁଦ୍ରାର ଶିବ ତାଣ୍ଡବ । ପ୍ରକଳ୍ପର ପ୍ରଥମ ପର୍ଯ୍ୟା ଲୋକାର୍ପଣ ପରେ ନୂଆ ରୂପରେ ଆତ୍ମ ପ୍ରକାଶ କରିଛି ବାବା ମହାକାଳଙ୍କ ପ୍ରାଙ୍ଗଣ ।

ଅଧିକ ପଢ଼ନ୍ତୁ: ନୂଆ ରୂପରେ ବାବା ମହାକାଳଙ୍କ ପ୍ରାଙ୍ଗଣ, ଶୋଭା ପାଉଛି ୨ ଶହରୁ ଅଧିକ ଦେବାଦେବୀଙ୍କ ମୂର୍ତ୍ତି

ରାଜସ୍ଥାନ ବଂଶୀ ପାହାଡ଼ପୁରରୁ ଅଣାଯାଇଥିବା ସ୍ୱତନ୍ତ୍ର ପଥରରେ ଏହିସବୁ କଳାକୃତି ନିର୍ମାଣ କରିଛନ୍ତି ରାଜସ୍ଥାନ, ଗୁଜରାଟ ଏବଂ ଓଡ଼ିଶାରୁ ଯାଇଥିବା ଭାସ୍କର୍ଯ୍ୟ ଶିଳ୍ପୀ  । ୮୫୬ କୋଟି ଟଙ୍କାରେ ନିର୍ମିତ ଏହି ପ୍ରକଳ୍ପ ପ୍ରାୟ ୫୦ ହେକ୍ଟର ଜମିରେ ନିର୍ମାଣ ହୋଇଛି । ପ୍ରଥମ ପର୍ଯ୍ୟାୟ ପାଇଁ ଖର୍ଚ୍ଚ ହୋଇଛି ୩୧୬ କୋଟି । କରିଡରରେ ରହିଛି ନନ୍ଦି ଦ୍ୱାର ଓ ପିନାକୀ ଦ୍ୱାର । ନନ୍ଦି ଦ୍ୱାର ଦେଇ କରିଡର ମଧ୍ୟରେ ପ୍ରବେଶ କରିପାରିବେ ଶ୍ରଦ୍ଧାଳୁ । ନନ୍ଦି ଦ୍ୱାରରେ ପ୍ରବେଶ କଲା ପରେ ନିର୍ମାଣ ହୋଇଛି ବିରାଟ ଅଗଣା ।

ନନ୍ଦି ଦ୍ୱାରରୁ ୪ ମିଟର ଅର୍ଥାତ୍ କରିଡରର ଠିକ୍ ମଝିରେ ରହିଛି ପୌରାଣିକ କଥାବସ୍ତୁ ଓ ସମୁଦ୍ର ମନ୍ଥନ ଉପରେ ଆଧାରିତ କଳାକୃତି । ସେହିପରି କରିଡର ମଧ୍ୟରେ ଦେବଦେବ ମହାଦେବଙ୍କ ଉତ୍ପତ୍ତି ଓ ରହସ୍ୟକୁ ନେଇ ୨ ଶହରୁ ଅଧିକ ଦେବାଦେବୀଙ୍କ ମୂର୍ତ୍ତି ନିର୍ମାଣ ହୋଇଛି । କରିଡର ମଧ୍ୟରେ ରହିଛି ରୁଦ୍ରସାଗର ହ୍ରଦ ଓ ମହାକାଳ ବାଟିକା ।

ରୁଦ୍ରସାଗର ଲେକର ପୁନରୁଦ୍ଧାର କରାଯିବା ସହ ଆକର୍ଷଣୀୟ ଜଳଫୁଆରା ନିର୍ମାଣ କରାଯାଇଥିବା ବେଳେ ମହାକାଳ ବାଟିକାରେ କାଳିଦାସଙ୍କ ରଚିତ ଅଭିଜ୍ଞାନ ଶକୁନ୍ତଳମରେ ବର୍ଣ୍ଣିତ ରୁଦ୍ରାକ୍ଷ, ବଉଳ, କଦମ୍ବ, ବେଲ ଓ ସପ୍ତଫେଣୀ ଆଦି ୪୦ରୁ ୫୦ ପ୍ରଜାତିର ଗଛ ଲାଗିଛି । କରିଡରର ଅପରୂପ ସୌନ୍ଦଯ୍ୟ ଭକ୍ତି ଭାବ ଉଦ୍ରେକ କରିବା ସହ ଶ୍ରଦ୍ଧାଳୁଙ୍କ ମନ୍ତ୍ରମୁଗ୍ଧ କରିବ ବୋଲି ଆଶା କରାଯାଉଛି । ଏହି ଭବ୍ୟ କରିଡରକୁ ଅଧିକ ଆକର୍ଷଣୀୟ କରିବ ଏଠାରେ ପ୍ରସ୍ତାବିତ ରୋପ୍ ୱେ । ଉଜୈନ ଷ୍ଟେସନରୁ ମନ୍ଦିର ପର୍ଯ୍ୟନ୍ତ ୨ କିଲୋମିଟର ଦୀର୍ଘ ରୋପ୍ ୱେ ନିର୍ମାଣ କରାଯିବ ।

ବୃଦ୍ଧବୃଦ୍ଧା ଓ ଶାରିରୀକ ଭିନ୍ନକ୍ଷମଙ୍କ ସୁବିଧା ଲାଗି ରୋପ୍ ୱେ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ସଡ଼କ ପରିବହନ ମନ୍ତ୍ରୀ ନିତିନ୍ ଗଡକରିଙ୍କୁ ଅନୁରୋଧ କରିଥିଲେ । ୨୧୦ କୋଟିର ଏହି ପ୍ରକଳ୍ପ ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ଟେଣ୍ଡର ଡକାଯାଇଛି । ୧୮ ମାସ ସମୟ ଭିତରେ ନିର୍ମାଣ କାମ ଶେଷ କରାଯିବ ।