• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଧାମନଗର ଉପନିର୍ବାଚନ ପାଇଁ ବଢ଼ୁଛି ଉଷ୍ମତା । କଂଗ୍ରେସ ପକ୍ଷରୁ ଆଜି ପ୍ରାର୍ଥୀ ଘୋଷଣା ହୋଇଛି । ଆଇନଜୀବୀ ତଥା ଧାମନଗର କଂଗ୍ରେସର ନେତା ବାବା ହରେକୃଷ୍ଣ ସେଠୀଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ଏଆଇସିସି ସାଧାରଣ ସଂପାଦକ ମୁକୁଲ ୱାସନିକ ବାବା ହରେକୃଷ୍ଣଙ୍କ ନାଁ ଘୋଷଣା କରିଛନ୍ତି । ପ୍ରାର୍ଥୀ ଭାବେ ମନୋନୀତ ହେବା ପରେ ହରେକୃଷ୍ଣ ଦଳ ହାଇକମାଣ୍ଡ ସୋନିଆ ଗାନ୍ଧି, କଂଗ୍ରେସ ନେତା ରାହୁଲ ଗାନ୍ଧି, ପିସିସି ସଭାପତି ଓ ଭଦ୍ରକ ଜିଲ୍ଲା ସଭାପତିଙ୍କୁ କୃତଜ୍ଞତା ଜଣାଇଛନ୍ତି । ଆସନ୍ତା ନିର୍ବାଚନରେ ସେ ବିଜୟୀ ହେବେ ବୋଲି ଓଟିଭିକୁ ପ୍ରତିକ୍ରିୟା ଦେଇ କହିଛନ୍ତି । 

ସେପଟେ ଧାମନଗର ଯୁଦ୍ଧ ପାଇଁ ବିଜେପି ଯୋଦ୍ଧା ପ୍ରସ୍ତୁତ । ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ରଣକ୍ଷେତ୍ରକୁ ବିଦ୍ଧିବଦ୍ଧ ଭାବେ ଓହ୍ଲାଇଛନ୍ତି । ପ୍ରାର୍ଥିପତ୍ର ଦାଖଲ ପାଇଁ ହାତରେ ଆଉ ମାତ୍ର ଦୁଇ ଦିନ ଥିବା ବେଳେ ବିଜେଡି କିନ୍ତୁ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହିଁ । ହେଲେ ବିଜେପିର ଶକ୍ତି ପ୍ରଦର୍ଶନକୁ କାଉଣ୍ଟର କରିବାକୁ ତିହିଡି ବ୍ଲକ ଗୁଆମାଳ ପଂଚାୟତ ବିଶ୍ୱନାଥପୁରଠାରେ ପଦଯାତ୍ରା କରିଛି ବିଜେଡି । ବିଭିନ୍ନ ଦଳର ତୁଙ୍ଗ ନେତାମାନେ ଏବେଠୁ ଡେରା ପକାଇବା  ଆରମ୍ଭ କଲେଣି। ଏପରିକି ଧାମନଗର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ବିଭିନ୍ନ ଲଜ୍ ଓ ହୋଟେଲ୍ ଗୁଡ଼ିକ ବୁକ୍ ହୋଇଗଲାଣି। ହୋଟେଲ ନମିଳିଲେ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ଘରକୁ ମଧ୍ୟ ଭଡ଼ା ସୂତ୍ରରେ ନିଆଯାଉଥିବା ଜଣାପଡ଼ିଛି। 

ଧାମନଗର ଉପନିର୍ବାଚନ ପାଇଁ ସରପ୍ରାଇଜ କାର୍ଡ ଖେଳିପାରେ ବିଜେଡି । ନିର୍ବାଚନ ଲଢ଼ିବା ପାଇଁ ଦଳ ପାଖରେ ଅନେକ ପ୍ରାର୍ଥୀ ଥିବାବେଳେ ଓ ରେସ୍‌ରେ ଅନେକ ଲୋକଙ୍କ ନାଁ ଚର୍ଚ୍ଚାରେ ଥିଲେ ବି ନୂଆ ଚେହେରାକୁ ଆଣିପାରେ ଦଳ । ଆଜି ରେସ୍‌ରେ ଥିବା ଆଶାୟୀ ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କୁ ଡାକି ଆଲୋଚନା କରାଯାଇଛି । ହେଲେ ସବୁ ଅଙ୍କ କଷିବା ପରେ ଆଜି ସଂଧ୍ୟାରେ ପ୍ରାର୍ଥୀ ଘୋଷଣା କରାଯିବ ।

ରାଜେନ୍ଦ୍ର ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ଧାମନଗରରୁ ବିଧାୟକ ଥିଲେ । ତେବେ ୨୦୧୯ ନିର୍ବାଚନରେ ବିଜେଡି ଟିକଟରେ ପ୍ରାର୍ଥୀ ହୋଇଥିଲେ ବି ସେ ବିଷ୍ଣୁଚରଣ ସେଠୀଙ୍କ ଠାରୁ ପରାଜିତ ହୋଇଥିଲେ । ଅନ୍ୟପକ୍ଷରେ ବିଜେପିରୁ ପ୍ରାର୍ଥୀ ଭାବେ ନାମାଙ୍କନ ଭରିବା ପରେ ସୂର୍ଯ୍ୟବଂଶୀ ସୂରଜ ପ୍ରଚାରରେ ଲାଗି ପଡ଼ିଛନ୍ତି । 

ତେଣେ ଉପନିର୍ବାଚନରେ ବିଜୟ ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ସବୁ ରାଜନୈତିକ ଦଳ । ୨୦୧୯ରେ ଏଠାରେ ବିଜେପିକୁ ସଫଳତା ମିଳିଥିଲା । ଏବେ ଧାମନଗରବାସୀ କାହାକୁ ଆଶୀର୍ବାଦ ଦେଉଛନ୍ତି ତାହା ନିର୍ବାଚନ ସରିବା ପରେ ସ୍ପଷ୍ଟ ହେବ। ।