/odishatv-khabar/media/post_attachments/uploadimage/library/16_9/16_9_0/IMAGE_1745575625.jpeg)
ଶିମିଳିପାଳରେ ବଢ଼ିଛି ମହାବଳ ସଂଖ୍ୟା ।
ଶିମିଳିପାଳକୁ ନେଇ ଆସିଛି ଦୁଇ ଦୁଇଟି ଖୁସି ଖବର । ଗତକାଲି ଶିମିଳିପାଳକୁ ସରକାରୀ ଭାବେ ନ୍ୟାସନାଲ ପାର୍କ ବା ଜାତୀୟ ଉଦ୍ୟାନ ଭାବେ ଘୋଷଣା କରିଥିଲେ ରାଜ୍ୟ ସରକାର । ଆଜି ବନ୍ୟପ୍ରାଣୀ ପିସିସିଏଫ ପ୍ରେମ କୁମାର ଝା ଦେଇଥିବା ସୂଚନା ଅନୁଯାୟୀ ଶିମିଳିପାଳ ଜାତୀୟ ଉଦ୍ୟାନରେ ବଢୁଛି ମହାବଳ ବଂଶ ।
ଜିନତ ଓ ଯମୁନାକୁ ମିଶାଇ ଏବେ ଶିମିଳିପାଳରେ ୪୦ ମହାବଳ ଅଛନ୍ତି । ସେମାନଙ୍କ ମଧ୍ୟରେ ୬ଟି ଶାବକ ରହିଛନ୍ତି । ଚଳିତ ବର୍ଷ କ୍ୟାମେରା ଟ୍ରାପରୁ ଏହା ସ୍ପଷ୍ଟ ହୋଇଥିବା ନେଇ ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ପ୍ରେମ କୁମାର ଝା ।
ଜିନତ୍ ଓ ଯମୁନା ବ୍ୟତୀତ ଶିମିଳିପାଳରେ ଥିବା ମହାବଳ ମଧ୍ୟରୁ ୧୩ଟି ପୁରୁଷ ଓ ୧୭ଟି ବାଘୁଣୀ । ଅନ୍ୟ ଦୁଇଟି ମହାବଳ ପୁରୁଷ ନା ବାଘୁଣୀ ତାହା ସ୍ପଷ୍ଟ ହୋଇପାରିନି । ସେହିପରି ଶିମିଳିପାଳରେ ଥିବା ମହାବଳ ମଧ୍ୟରେ ୧୮ ଟି କଳା ମହାବଳ ରହିଛନ୍ତି । କଳା ମହାବଳ ମଧ୍ୟରେ ୯ଟି ପୁରୁଷ ଓ ୯ଟି ବାଘୁଣୀ ଅଛନ୍ତି ।
ଅଧିକ ପଢ଼ନ୍ତୁ: ପୋଲିସ କର୍ମଚାରୀଙ୍କ ପୋଷାକ ଭତ୍ତା ଦୁଇଗୁଣା ବଢ଼ିଲା
ଆଗାମୀ ୧୦ ବର୍ଷ ମଧ୍ୟରେ ମହାବଳ ସଂଖା ୧୦୦କୁ ବୃଦ୍ଧି ପାଇବ ବୋଲି ବନ ବିଭାଗ ଲକ୍ଷ୍ୟ ରଖିଛି । ୨୦୨୪ରେ ରାଜ୍ୟର ପ୍ରଥମ ମହାବଳ ଗଣନା ରିପୋର୍ଟ ଅନୁସାରେ, ଶିମିଳିପାଳରେ ୨୭ଟି ମହାବଳ ସହ ୮ ଶାବକ ରହିଥିଲେ । ବାଘ ସଂଖ୍ୟା ବୃଦ୍ଧି ହେବା ସହ ସରକାରଙ୍କ ଉଦ୍ଦେଶ୍ୟ ସଫଳ ହୋଇଥିବା କହିଛନ୍ତି ପଶୁ ପ୍ରେମୀ ।
ସୂଚନାଯୋଗ୍ୟ, ୪୫ ବର୍ଷ ପରେ ଗତକାଲି ମୟୂରଭଞ୍ଜ ଜିଲ୍ଲାର ପ୍ରସିଦ୍ଧ ଶିମିଳିପାଳ ଅଭୟାରଣ୍ୟ ପାଇଛି ଜାତୀୟ ଉଦ୍ୟାନ ମାନ୍ୟତା । ଗତକାଲି ଶିମିଳିପାଳକୁ ସରକାରୀ ଭାବେ ନ୍ୟାସନାଲ ପାର୍କ ବା ଜାତୀୟ ଉଦ୍ୟାନ ଭାବେ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏଥିପାଇଁ ୧୯୮୦ ମସିହାରେ ପ୍ରଥମ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।
ଏହାପରେ ୧୯୮୫-୮୬ ମସିହାରେ ପୁଣି ଥରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତେବେ ସବୁ ପ୍ରକ୍ରିୟା ସରିବା ପରେ ଗୁରୁବାର ଏନେଇ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାତୀୟ ଉଦ୍ୟାନ ଘୋଷଣା ପରେ ଏବେ ଶିମିଳିପାଳ ଉପରେ କୌଣସି ବ୍ୟକ୍ତି ବିଶେଷଙ୍କର କୌଣସି ଅଧିକାର ରହିବ ନାହିଁ । ଏହା ଦ୍ୱାରା କେନ୍ଦ୍ରରୁ ସ୍ବତନ୍ତ୍ର ବଜେଟ ମିଳିବ । ସେହିପରି ବନ୍ୟପ୍ରାଣୀ ଓ ଜଙ୍ଗଲର ଅଧିକ ସୁରକ୍ଷା ହୋଇପାରିବ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ଜଙ୍ଗଲ ମନ୍ତ୍ରୀ ଗଣେଶରାମ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)