• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

୧୨ ଅକ୍ଟୋବର, ୨୦୨୦ର ଘଟଣା । ୧୦ ହଜାର ଫୁଟ୍ ଉପରେ ତେଜସ୍ ଉଡ଼ାଉ ଉଡ଼ାଉ, ଅଚାନକ୍ ଫ୍ଲାଇଟ୍ ନିୟନ୍ତ୍ରଣ ହରାଉଥିବା ଜାଣିବାକୁ ପାଇଲେ ସେତେବେଳର ଓ୍ୱିଙ୍ଗ୍ କମାଣ୍ଡର୍ ବରୁଣ ସିଂ । ହେଲେ ନିଜ ଜୀବନ, କି SOPକୁ ଖାତିର ନକରି ବିମାନକୁ ଛାଡ଼ିଦେବା ପରିବର୍ତ୍ତେ, ଅତି କୁଶଳତାର ସହ ସୁରକ୍ଷିତ ଭାବେ ଲ୍ୟାଣ୍ଡ କରାଇଥିଲେ ଫାଇଟର୍ ଜେଟ୍‌କୁ । ଏହି ନିଷ୍ପତ୍ତି ଯୋଗୁଁ ବିମାନ ସହ ନିକଟସ୍ଥ ଜନବସତି ନିଶ୍ଚିତ ବିପର୍ଯ୍ୟୟରୁ ରକ୍ଷା ପାଇଥିଲା । ଫଳରେ ଗତ ଅଗଷ୍ଟ ୧୫ରେ ବରୁଣଙ୍କୁ ମିଳିଥିଲା ଶୌର୍ଯ୍ୟଚକ୍ର ସମ୍ମାନ ।

ସେଦିନ ନିଜ ଜୀବନ ସହ ଖେଳିଯାଇଥିବା ଏହି ବାହାଦୂର୍ ବାୟୁବୀର, ଆଜି ହାରିଯାଇଛନ୍ତି ଜୀବନ ଯୁଦ୍ଧରେ । ତାମିଲନାଡ଼ୁ ଚପର କୁନ୍ନୁର କ୍ରାସ୍‌ରେ ଗୁରୁତର ହୋଇ ସପ୍ତାହେ ଧରି ମୃତ୍ୟୁ ସହ ସଂଗ୍ରାମ କରିବା ପରେ, ଚିରଦିନ ପାଇଁ ଆଖି ବୁଜିଛନ୍ତି ଗ୍ରୁପ୍ କ୍ୟାପ୍ଟେନ୍ ବରୁଣ ସିଂ । ଗତ ୮ ତାରିଖରେ ଦୁର୍ଘଟଣା ସ୍ଥଳରୁ ସଂକଟାପନ୍ନ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ପ୍ରଥମେ ସୁଲୁର୍ ଏୟାର୍ବେସ୍ ଓ ସେଠାରୁ ବେଙ୍ଗଳୁରୁ କମାଣ୍ଡ ହସ୍ପିଟାଲ୍‌କୁ ଏୟାର୍ଲିଫ୍ଟ କରାଯାଇଥିଲା । ସେଠାରେ ତାଙ୍କର ଦେହାନ୍ତ ହୋଇଛି ।

ଉତ୍ତରପ୍ରଦେଶ ଦେଓରିୟା ଜିଲ୍ଲା କହ୍ନୌଲିର ବରୁଣ ସିଂଙ୍କ ପୂରା ପରିବାର ସେନା ପାଇଁ ସମର୍ପିତ । ବାପା କର୍ଣ୍ଣେଲ୍ କେ.ପି. ସିଂ ଅବସରପ୍ରାପ୍ତ ସେନାଧିକାରୀ ହୋଇଥିବା ବେଳେ, ସାନଭାଇ ଲେଫ୍ଟେନାଣ୍ଟ କମାଣ୍ଡର୍ ତନୁଜ ସିଂ ନୌସେନାରେ କାର୍ଯ୍ୟରତ । ଘରର ବଡ଼ ପୁଅ ବରୁଣ ଆଜି ଏ ଦୁନିଆରେ ନାହାନ୍ତି ସତ, ହେଲେ ତାଙ୍କ ସ୍ମୃତିକୁ ଉଜ୍ଜିବୀତ ରଖିଛି ଏକ ୪ ପୃଷ୍ଠାର ପ୍ରେରଣାଦାୟକ ଚିଠି ।

ବଖାଣୁଛି, ଜୀବନକୁ ନେଇ ସେ ଥିଲେ କେତେ ଆଶାବାଦୀ । ଛାତ୍ରଛାତ୍ରୀଙ୍କ ପାଇଁ ଲେଖିଥିଲେ, ସ୍କୁଲ୍‌ରେ ମଧ୍ୟମ ଧରଣ ହେଲେ ବି ଠିକ୍ ଅଛି । କାରଣ ତାହା ଆଗାମୀ ଜୀବନର ମାପଦଣ୍ଡ ନୁହେଁ । ମୁଁ ବି ପାଠପଢ଼ା କି ଖେଳକୁଦରେ ସେତେ ଭଲ ନଥିଲି, କିନ୍ତୁ ବିମାନ ଉଡ଼ାଇବା ମୋ ସ୍ୱପ୍ନ ଥିଲା । ତେଣୁ କିଛି ଚମତ୍କାର କରି ଦେଖାଇବାକୁ ଜୀବନ କେତେବେଳେ ବି ନୂଆ ସୁଯୋଗ ଆଣିଦେଇପାରେ । ଶୌର୍ଯ୍ୟଚକ୍ର ପାଇବା ପରେ, ଗତ ସେପ୍ଟେମ୍ବରରେ ଜଣେ ପ୍ରାକ୍ତନ ଛାତ୍ର ଭାବେ ହରିୟାଣା ଆର୍ମି ପବ୍ଲିକ୍ ସ୍କୁଲ୍ ପ୍ରିନ୍ସିପାଲ୍‌ଙ୍କୁ ସେ ଲେଖିଥିବା ଏହି ଚିଠି ଏବେ ସୋସିଆଲ୍ ମିଡିଆରେ ବାହାବା ସାଉଁଟୁଛି । ସେପଟେ ବରୁଣଙ୍କ ଜନ୍ମମାଟି କିନ୍ତୁ ଶୋକରେ ବୁଡ଼ିଛି ।

ଗ୍ରୁପ କ୍ୟାପଟେନ ବରୁଣ ସିଂହଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହ ମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ସେପଟେ ବରୁଣ ସୁସ୍ଥ ହେଲେ ଚପର୍ କ୍ରାସ୍‌ର ପ୍ରକୃତ କାରଣ ଜଣାପଡ଼ିପାରେ ବୋଲି ଯେଉଁ ଆଶା କରାଯାଉଥିଲା, ତାହା ସବୁଦିନ ପାଇଁ ମଉଳିଯାଇଛି । ଏବେ କେବଳ ତଦନ୍ତ ରିପୋର୍ଟକୁ ଅପେକ୍ଷା ।