• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଅମରାବତୀ: ଭୟଙ୍କର ସଡ଼କ ଦୁର୍ଘଟଣା । ଗୋଦାବରୀ ଜିଲ୍ଲା ଜଙ୍ଗାରେଡ୍ଡିଗୁଡେମରେ ଏକ ବସ୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ବସ୍‌ଟି ନାଳକୁ ଖସିଯାଇଛି । ବସ୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୯ ଜଣଙ୍କର ଦୁଃଖଦ ମୃତ୍ୟୁ ହୋଇଥିବା ବେଳେ ୨୨ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀଙ୍କୁ ଜଙ୍ଗାରେଡିଗୁଡେମର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଜଣେ ଗୁରୁତରଙ୍କୁ ଏଲୁରୁ ଜିଲ୍ଲା ମୁଖ୍ୟା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଆରଟିସି ଏବଂ ରାଜସ୍ୱ ଅଧିକାରୀ କହିଛନ୍ତି ଯେ, ବସ୍‌ କଣ୍ଡକ୍ଟରଙ୍କ ସହ ଅନ୍ୟ କିଛି ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି । ସେମାନେ ସାମାନ୍ୟ ଆଘାତ ପାଇଛନ୍ତି । ଏହି ବସ୍‌ରେ ୪୫ ଜଣ ଯାତ୍ରୀ ଏବଂ ଦୁଇଜଣ ବସ୍ କର୍ମଚାରୀ ଥିଲେ ।

ପଶ୍ଚିମ ଗୋଦାବରୀ ଜିଲ୍ଲା ପୋଲିସ ଅଧୀକ୍ଷକ ରାହୁଲ ଦେବ ଶର୍ମା କହିଛନ୍ତି ଯେ, ବସଟି ପଡୋଶୀ ରାଜ୍ୟ ତେଲେଙ୍ଗାନାର ଅସୱରାପେଟରୁ ଜଙ୍ଗାରେଡିଗୁଡେମ ଅଭିମୁଖେ ଯାଉଥିଲା । ଜଲେରୁ ନଦୀ ପୋଲ ଉପରେ ବସ୍‌ଟି ଯାଉଥିବା ବେଳେ ବସ୍‌ ଚାଳକ ଏକ ଲରିକୁ ବାଟ ଛାଡ଼ିବାକୁ ଯାଇ ଦିଗ ପରିବର୍ତ୍ତନ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଦୁର୍ଭାଗ୍ୟ ବସତଃ ବସ୍‌ଟି ଭାରସାମ୍ୟ ହରାଇଥିଲା । ଆଉ ତାପରେ ବ୍ରିଜ୍‌ ରେଲିଂରେ ଧକ୍କାଦେଇ ବସ୍‌ଟି ନଦୀକୁ ଖସି ପଡ଼ିଥିଲା । ଏବେ ସୁଦ୍ଧା୯ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସେଥିମଧ୍ୟରୁ ପାଞ୍ଚ ଜଣ ମହିଳା ଯାତ୍ରୀ ଥିବା ବଳେ ଜଣେ ବସ୍‌ ଚାଳକ ମଧ୍ୟ ରହିଛନ୍ତି ।

ସରକାର ଦେବେ କ୍ଷତିପୂରଣ

ଅନ୍ୟପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି । ପରିବହନ ମନ୍ତ୍ରୀ ପି ଭେଙ୍କଟରମେୟା କହିଛନ୍ତି ଆହତଙ୍କ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ । ଅନ୍ୟପଟେ ରାଜ୍ୟପାଳ ବି ବି ହରିଚନ୍ଦନ ଏବଂ ମୁଖ୍ୟମନ୍ତ୍ରୀ ୱାଇ ଏସ୍‌ ଜଗନ୍ ମୋହନ ରେଡ୍ଡୀ ଏହି ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।