• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଏଣିକି ବଢ଼ିପାରେ ପିତୃକାଳୀନ ଛୁଟିର ଅବଧି । ମାଆଙ୍କ ଉପରୁ ଛୁଆଙ୍କ ଲାଲଣପାଳନ ଭାର କମାଇବା ପାଇଁ ବିଶେଷଜ୍ଞମାନେ ପିତୃକାଳୀନ ଛୁଟି ବୃଦ୍ଧି କରିବାକୁ ପରାମର୍ଶ ଦେଇଛନ୍ତି । ଲିଗାଲ୍ କନ୍‌ସଲ୍ଟାନ୍‌ସିର (Legal consultancy)ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଶେଷଜ୍ଞମାନେ ମାତୃତ୍ୱ ସୁବିଧା ଅଧିନିୟମ ଅନୁଯାୟୀ ଏହି ପରାମର୍ଶ ଦେଇଛନ୍ତି ବୋଲି ଜାତୀୟ ମହିଳା ଆୟୋଗ (National Commission for Women- NCW) ସୂଚନା ଦେଇଛନ୍ତି। ତେଣୁ  ପିତୃକାଳୀନ ଛୁଟିର ଅବଧି ବଢ଼ିବା ନେଇ NCW ପକ୍ଷରୁ ସୁପାରିଶ କରାଯାଇଛି । 

ପିତୃତ୍ୱ ଛୁଟିକୁ ବୃଦ୍ଧି କରିବା ସହ ନିଯୁକ୍ତିଦାତାଙ୍କୁ ଉତ୍ସାହିତ କରିବା ତଥା କର୍ମକ୍ଷେତ୍ରରେ ଅଧିକ ମହିଳା ନିଯୁକ୍ତି ପାଇଁ ଏହି ସୁପାରିସ୍ କରାଯାଇଛି ବୋଲି ଜାତୀୟ ମହିଳା ଆୟୋଗ ପକ୍ଷରୁ କୁହାଯାଇଛି । ମାତୃତ୍ୱ ସୁବିଧା ଅଧିନିୟମ ୧୯୬୧ ଏବଂ ୨୦୧୭ ରେ ସଂଶୋଧନ ପାଇଁ ଜାତୀୟ ମହିଳା ଆୟୋଗ ଏହି ପରାମର୍ଶ ନେଇଥିଲା । ସଂଶୋଧନରେ ମହିଳାମାନଙ୍କୁ ପ୍ରଭାବିତ କରୁଥିବା ଆଇନର ସମୀକ୍ଷା କରିବା ସହ କୌଣସି ତ୍ରୁଟି, ଅପାରଗତା ଓ ତ୍ରୁଟି ସୁଧାରିବା ହେଉଛି ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଆୟୋଗ ପକ୍ଷରୁ କୁହାଯାଇଛି ।

ଭାରତରେ ପିତୃକାଳୀନ ଛୁଟି :-

ଭାରତରେ ସାଧାରଣତଋ ୧୫ ଦିନ ପାଇଁ ପିତୃକାଳୀନ ଛୁଟି ଦିଆଯାଏ । ଶିଶୁର ଜନ୍ମର ୧୫ ଦିନ ପୂର୍ବରୁ ଜନ୍ମ ପରର ୬ ମାସ ପର୍ଯ୍ୟନ୍ତ ପିତୃକାଳୀନ ଛୁଟି ଦିଆଯିବାର ନିୟମ ରହିଛି । ଏହା ସତ୍ତ୍ୱେ ଅନେକ ସ୍ଥାନର ଘରୋଇ କମ୍ପାନୀଗୁଡିକରେ ପିତୃକାଳୀନ ଛୁଟି ଲାଗୁ କରାଯାଇନାହିଁ । ତେଣୁ ଏହାକୁ କଡାକଡି ଭାବେ କାର୍ଯ୍ୟକାରୀ କରିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପକ୍ଷରୁ ଉଦ୍ୟମ କରାଯାଉଛି ।

ବିଶେଷଜ୍ଞଙ୍କ ପରାମର୍ଶ :-

ପିତୃକାଳୀନ ଛୁଟିକୁ ନେଇ ବିଶେଷଜ୍ଞଙ୍କ ଦ୍ୱାରା କେତେକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦିଆଯାଇଛି । ଏହି ଛୁଟିର ଅବଧି ବଢ଼ାଇବା ଦ୍ୱାରା ଉଭୟ ପିତା ଓ ମାତାଙ୍କ ପାଇଁ ସନ୍ତାନର ପ୍ରତିପୋଷଣ ଭାର ସମାନ ରହିବ । ଏହା ବ୍ୟତୀତ କର୍ମଚାରୀମାନଙ୍କୁ ଉତ୍ସାହିତ କରାଯାଇପାରିବ । କେବଳ ଏତିକି ନୁହେଁ ଏହାସହ ଅଧିକ ସଂଖ୍ୟାକ ମହିଳାଙ୍କୁ ନିଯୁକ୍ତି ମଧ୍ୟ ମିଳିପାରିବ ।

ଦେଶର ବିଭିନ୍ନ ସ୍ଥାନର ବିଶେଷଜ୍ଞଙ୍କଠାରୁ ମତାମତ ଲୋଡିଥିଲେ ଆୟୋଗ:-

ଦେଶର ବିଭିନ୍ନ ସ୍ଥାନରୁ ବିଶେଷଜ୍ଞଙ୍କ ମତାମତ ଏବଂ ପରାମର୍ଶ ଲୋଡିଥିଲେ ଆୟୋଗ । ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ମହିଳାଙ୍କ ବିଷୟରେ ବିଶେଷଜ୍ଞମାନେ ଆଲୋଚନା କରିଛନ୍ତି । ଏଥିରେ ମହିଳାମାନେ ସମ୍ମୁଖୀନ ହେଉଥିବା ପ୍ରକୃତ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଆଇନ ବିଶେଷଜ୍ଞ, ଆଇନଜୀବୀ ଏବଂ ଏକାଡେମିକ୍ ମାନଙ୍କୁ ଆମନ୍ତ୍ରଣ କରାଯାଇଥିଲା ବୋଲି ଏନସିଡବ୍‌ଲୁ (National Commission for Women- NCW) ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ ଉଲ୍ଲେଖ କରାଯାଇଛି ।