Advertisment

୨୫ ହଜାରରୁ ଅଧିକ ବିପନ୍ନଙ୍କ ସହ ଉଦ୍ଧାର ହେଲା କୋଟିଏ ଟଙ୍କିଆ ଷଣ୍ଢ

ନଦୀର ଭ୍ରମ ସୃଷ୍ଟି କରୁଛି ରାଜଧାନୀର ରାଜରାସ୍ତା। ଦିଲ୍ଲୀରୁ ଯଥାଶୀଘ୍ର ଜଳନିଷ୍କାସନ ଲାଗି କସରତ ଚଳାଇଛନ୍ତି ଆର୍ମି ଓ ନେଭି।

author-image
Chandan Shishu
undefined

National Capital inundated

ଯମୁନା ୪୫ ବର୍ଷର ରେକର୍ଡ ଭାଙ୍ଗି ଏବେବି ବିପଦ ସଂକେତ ଠାରୁ ୨ ମିଟର ଉପରେ ପ୍ରବାହିତ ହେଉଥିବା ବେଳେ, ରାଜଧାନୀ ଦିଲ୍ଲୀର ବନ୍ୟା ସ୍ଥିତିରେ ସେଭଳି ବିଶେଷ ସୁଧାର ଆସିନି। ତଳିଆ ଅଞ୍ଚଳରୁ ଭିଆଇପି ଏରିଆ ଯାଏଁ, ସବୁଆଡ଼େ ଜଳବନ୍ଦୀ ସ୍ଥିତି। ଆଗକୁ ବି କିଛି ଦିନ ବର୍ଷା ଜାରି ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। NDRF ସହିତ ସ୍ଥଳସେନା ଓ ନୌସେନାଙ୍କୁ ନିୟୋଜିତ କରାଯାଇଛି ଦିଲ୍ଲୀ ଜଳଦୁର୍ଦ୍ଦଶାର ପ୍ରଶମନ ପାଇଁ। ଏଭିତରେ ୨୫ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ, ୩ଟି ଜୀବନ ଯାଇଥିବା ସୂଚନା ମିଳିଛି।

Advertisment

୭୨ ଘଣ୍ଟା...। କେବେ ଭୋଗିନଥିବା ବନ୍ୟା ଦୁର୍ଦ୍ଦଶାରେ ଛଟପଟ ଦିଲ୍ଲୀ ବାସିନ୍ଦା। ଉଛୁଳା ଯମୁନା ଧୀରେ ଧୀରେ ଶାନ୍ତ ପଡ଼ୁଥିଲେ ବି, କ୍ୟାପିଟାଲ୍ ସିଟିର ଉବୁଟୁବୁ ସ୍ଥିତିରେ ଆଖିଦୃଶିଆ ସୁଧାର ଆସିନି। ସେଣ୍ଟ୍ରାଲ୍ ଦିଲ୍ଲୀ, ଆଇଟିଓ, ରାଜଘାଟ, ହନୁମାନ ମନ୍ଦିର, ଯମୁନା ବଜାର, ଗୀତା କଲୋନି, ସିଭିଲ୍ ଲାଇନ୍, ରିଙ୍ଗରୋଡ୍ ଏପରିକି ସୁପ୍ରିମକୋର୍ଟ ଆଖପାଖ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଜାରି ରହିଛି । ନଦୀର ଭ୍ରମ ସୃଷ୍ଟି କରୁଛି ରାଜଧାନୀର ରାଜରାସ୍ତା। ଦିଲ୍ଲୀରୁ ଯଥାଶୀଘ୍ର ଜଳନିଷ୍କାସନ ଲାଗି କସରତ ଚଳାଇଛନ୍ତି ଆର୍ମି ଓ ନେଭି। 

ଯମୁନା ନଦୀରେ ଥିବା ଏହି ବ୍ୟାରେଜରେ ବହୁବର୍ଷ ଧରି ଅଚଳ ପଡ଼ିଥିବା ୫ଟି ସ୍ଲୁଇସ୍ ଗେଟ୍ ଖୋଲିବାକୁ ଗତକାଲିଠୁ ଚେଷ୍ଟା ଚାଲିଛି। ଗତକାଲି ଗୋଟିଏ ଗେଟ୍ ଖୋଲିବାରେ ସଫଳତା ମିଳିଥିଲା। ନୌସେନା ବୁଡ଼ାଳି ଦଳ ପଙ୍କୋଦ୍ଧାରରେ ଲାଗିଛନ୍ତି। ୫ଟି ଯାକ ଗେଟ୍ ଖୋଲିଗଲେ, ଦିଲ୍ଲୀର ସ୍ଥିତିରେ ଶୀଘ୍ର ସୁଧାର ଆସିବ ବୋଲି ଆଶା ରଖାଯାଇଛି।

Advertisment

କେବଳ ଅଚଳ ବ୍ୟାରେଜକୁ କାର୍ଯ୍ୟକ୍ଷମ କରିବା ନୁହେଁ, NDRF ସହ ମିଶି ବିପନ୍ନଙ୍କୁ ଉଦ୍ଧାର କାର୍ଯ୍ୟରେ ମଧ୍ୟ ଲାଗିଛି ସ୍ଥଳସେନା। ତଳିଆ ଅଞ୍ଚଳରୁ ଲୋକଙ୍କୁ ଅସ୍ଥାୟୀ ଶିବିରକୁ ନିଆଯାଉଛି । ଯବାନମାନେ ୱଜିରାବାଦ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟକୁ ପୁନଃକାର୍ଯ୍ୟକ୍ଷମ କରିବାରେ ଲାଗିଛନ୍ତି । ଦିଲ୍ଲୀରେ ୩ଟି ଜଳବିଶୋଧନ କାରଖାନା ଜଳାର୍ଣ୍ଣବ ହେବା ଫଳରେ, ପାନୀୟ ଜଳସଂକଟ ଉତ୍କଟ ହୋଇଥିଲା। ରେସ୍କ୍ୟୁ ଅପରେସନରେ ୧୬ଟି NDRF ଟିମ୍ ନିୟୋଜିତ ହୋଇଥିବା ବେଳେ, ଏବେସୁଦ୍ଧା ୨୫ହଜାରରୁ ଅଧିକ ଲୋକ ଏବଂ ବହୁ ସଂଖ୍ୟାରେ ଜୀବଜନ୍ତୁଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ଉଦ୍ଧାର ଜୀବଜନ୍ତୁଙ୍କ ମଧ୍ୟରେ ସାମିଲ ଅଛି ଭାରତର ନମ୍ବର ୱାନ୍ ଷଣ୍ଢ ପ୍ରୀତମ୍ । ଯାହାର ଦାମ୍ ୧ କୋଟି ଟଙ୍କା ବୋଲି ସୂଚନା ଦେଇଛି NDRF।

ଏଭିତରେ ଚିନ୍ତା ବଢ଼ାଇଛି ପାଣିପାଗ ପୂର୍ବାନୁମାନ । ଦିଲ୍ଲୀରେ ଆହୁରି କିଛି ଦିନ ବର୍ଷା ଜାରି ରହିବ ବୋଲି ଆକଳନ କରାଯାଇଛି । ତେଣେ ଗତକାଲି ମୁକୁନ୍ଦପୁର ଅଞ୍ଚଳରେ ୩ ଜଣ ନାବାଳକ ବନ୍ୟାପାଣିରେ ମଉଜ କରିବାକୁ ଯାଇ ଭାସିଯାଇଥିଲେ । ଏହାକୁ ଦିଲ୍ଲୀ ବନ୍ୟାର ପ୍ରଥମ ମୃତ୍ୟୁ ବୋଲି କୁହାଯାଉଛି । ଏସବୁ ଭିତରେ ଦିଲ୍ଲୀ ବନ୍ୟାକୁ ନେଇ ରାଜନୈତିକ ବୟାନବାଜି ବି ଜୋର୍ ଧରିଛି।

Heavy Rainfall
Advertisment
Advertisment