Advertisment

ଭାରତରେ କେବେ ଓ କାହା ଦ୍ୱାରା ଆରମ୍ଭ ହେଲା ଜାତିପ୍ରଥା

ଜାତିର ସୃଷ୍ଟି କିଏ କରିଥିଲା, ତାକୁ ନେଇ ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ ହୋଇଯାଇଛି। ଏସବୁ ଉପରେ ଆଲୋଚନା କରାଯିବା ପୂର୍ବରୁ ଇତିହାସକୁ ନିରେଖିବା ଓ ପରିଖିବା ଜରୁରୀ। ବିଗତ ୧୦୦ ବର୍ଷର ଇତିହାସକୁ ଦେଖିଲେ ସ୍ପଷ୍ଟ ଯେ, ଜାତି ସବୁର ସୂଚୀ ପ୍ରସ୍ତୁତ କରିବା କାମ ଶାସକମାନେ ହିଁ କରିଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Caste

Caste

ଭାରତରେ ଜାତି ପ୍ରଥାର ସୃଷ୍ଟି କିଏ କରିଥିଲା, ତାକୁ ନେଇ ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ ହୋଇଯାଇଛି। ଏ ସବୁ ଉପରେ ଆଲୋଚନା କରାଯିବା ପୂର୍ବରୁ ଇତିହାସକୁ ନିରେଖିବା ଓ ପରିଖିବା ଜରୁରୀ। ବିଗତ ୧୦୦ ବର୍ଷର ଇତିହାସକୁ ଦେଖିଲେ ସ୍ପଷ୍ଟ ଯେ, ଜାତି ସବୁର ସୂଚୀ ପ୍ରସ୍ତୁତ କରିବା କାମ ଶାସକମାନେ ହିଁ କରିଛନ୍ତି।

Advertisment

ପଣ୍ଡିତମାନେ (ବ୍ରାହ୍ମଣ) ଜାତି ବ୍ୟବସ୍ଥା ସୃଷ୍ଟି କରିନାହାଁନ୍ତି ବରଂ ଆମ ସ୍ୱଦେଶୀ ଶାସକ ଓ ବ୍ରିଟିଶ୍ ଶାସକ ଏହି ବ୍ୟବସ୍ଥା ଆରମ୍ଭ କରିଥିଲେ। ପାରମ୍ପରିକ ହିନ୍ଦୁ ସମାଜରେ ଜାତି ଏକତା, ସହଯୋଗ ଓ ସହାବସ୍ଥାନର ଆଧାର ଥିଲା। ଏପରିକି ନିଜ ନିଜ ଗୋଷ୍ଠୀକୁ ଜାତିର ଲୋକମାନେ ଆର୍ଥିକ ସୁରକ୍ଷା ମଧ୍ୟ ଯୋଗାଇ ଦେଉଥିଲେ। ସମସ୍ତଙ୍କ ନିକଟରେ ଜନ୍ମ ହେବା ସମୟରୁ ରୋଜଗାରର ଏକ କ୍ଷେତ୍ର ସୁନିଶ୍ଚିତ ଥିଲା। ଏଥିରେ କୌଣସି ବିବସତା ନଥିଲା, କାରଣ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଅନ୍ୟ କ୍ଷେତ୍ରରେ କାମ କରିବାର ସୁଯୋଗ ଥିଲା। କିନ୍ତୁ ଏକ ଭୁଲ୍ ପ୍ରଚାର ରହିଛି ଯେ ଏହି ବ୍ୟକ୍ତି ନିଜ ଜାତି ବାହାରର କାର୍ଯ୍ୟ କ୍ଷେତ୍ରରେ କାମ କରିବାର ସୁଯୋଗ ପାଉ ନଥିଲେ।

୧୭ଶ ଶତାବ୍ଦୀରେ ଦକ୍ଷିଣ ଭାରତରେ ଅବସ୍ଥାନ କରୁଥିଲେ ଜର୍ମାନୀର ବାର୍ଥୋଲୋମିୟସ୍ ଜିଗେନବାଗ୍। ଜର୍ମାନ ମିଶନାରୀର ଏହି ବ୍ୟକ୍ତି ଜିଗେନ୍‌ବାଗ୍ ତାଙ୍କ ଲିଖିତ ପୁସ୍ତକରେ ଲେଖିଛନ୍ତି ଯେ, ସେ ସମୟରେ ଲୋକେ ମଧ୍ୟ ନିଜ ଜାତିର କର୍ମଠାରୁ ଭିନ୍ନ କର୍ମ ବା କାମ କରୁଥିଲେ। ସେ ଲେଖିଛନ୍ତି ରାଜାମାନଙ୍କ ରାଜସଭାରେ ସଭାସଦ, ଶିକ୍ଷକ, ପୁରୋହିତ, କବି, ଏପରିକି ରାଜା ହେବା କୌଣସି ବିଶେଷ ଗୋଷ୍ଠୀ ବା ଜାତିର ଅଧିକାର ନଥିଲା ବରଂ ସମସ୍ତଙ୍କ ପାଇଁ ଏହି ପଦ / ନିଯୁକ୍ତି ବ୍ୟବସ୍ଥା ଖୋଲାଥିଲା।

Advertisment

ପୂର୍ବରୁ ଏତେ ସଂଖ୍ୟକ ଜାତି ନଥିଲା। ଖ୍ରୀଷ୍ଟପୂର୍ବ ୪ର୍ଥ ଶତାବ୍ଦୀରେ ଭାରତ ଆସିଥିବା ଗ୍ରୀକ୍ କୂଟନିତୀଜ୍ଞ ମେଗାସ୍ଥିନିସ୍‌ଙ୍କ ମତରେ ହିନ୍ଦୁମାନେ ୭ଟି ଶ୍ରେଣୀରେ ବିଭକ୍ତ ଥିଲେ। ସପ୍ତମ ଶତାବ୍ଦୀରେ ଭାରତରେ ପହଞ୍ଚିଥିବା ଚୀନ୍ ପରିବ୍ରାଜକ ହୁଏନ୍ସାଙ୍କ ଅନୁସାରେ ହିନ୍ଦୁମାନେ ୪ଟି ଶ୍ରେଣୀ ବା ଜାତିରେ ବିଭକ୍ତ ଥିଲେ।

୧୮୯୧ରେ ଇଂରେଜମାନେ ଯେତେବେଳେ ଭାରତରେ ପ୍ରଥମ ଜନଗଣନା ଆରମ୍ଭ କଲେ, ସେତେବେଳେ ସେମାନେ ଅସଂଖ୍ୟ ଜାତିର ସୂଚୀ ପ୍ରସ୍ତୁତ କରିଥିଲେ। ଇଂରେଜ ପ୍ରଶାସକ ହର୍ବର୍ଟ ରିସ୍ଲେ ଭାରତରେ ୨୩୭୮ ଜାତି ଓ ୪୩ ପ୍ରଜାତି ଥିବା କଥା ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଥିଲେ। ରିସ୍ଲେଙ୍କ ଅନୁସାରେ ପ୍ରତ୍ୟେକ ଜାତିର ଏକ ପ୍ରଜାତି ଥିଲା ଜାହାର ନିଜସ୍ୱ ଭାଷା ମଧ୍ୟ ରହିଥିଲା।

ଇତିହାସକୁ ଦେଖିଲେ ଜଣାପଡ଼େ ଶହ ଶହ ଜାତି ଓ ଡଜନ ଡଜନ ପ୍ରଜାତିର ସୃଷ୍ଟି ଇଂରେଜମାନେ ହିଁ କରିଥିଲେ। ସେତେବେଳେ ଭାରତୀୟ ନେତା ଓ ବିଦ୍ୱାନମାନେ ରିସ୍ଲେଙ୍କର ସମାଲୋଚନା ମଧ୍ୟ କରିଥିଲେ।

ଅନ୍ୟପକ୍ଷରେ ୟୁରୋପୀୟ ବିଦ୍ୱାନମାନେ ଭାରତର ଜାତି ବ୍ୟବସ୍ଥା ବାବଦରେ କୌଣସି ଅସୁବିଧା ଥିବା କଥା ଦେଖିବାକୁ ପାଇ ନଥିଲେ। ବ୍ରିଟିଶ୍ ବିଦ୍ୱାନ ଜନସ୍ ଷ୍ଟୁଆର୍ଟ ମିଲ୍ ତାଙ୍କ ଲିଖିତ ପୁସ୍ତକ “ପଲିଟିକାଲ୍ ଇକୋନୋମି” (୧୮୪୮)ରେ ଭାରତରେ ବିଭିନ୍ନ ଜାତି ମଧ୍ୟରେ କୌଣସି ବିଦ୍ୱେଷ ନଥିବା କଥା ଉଲ୍ଲେଖ କରିଥିଲେ।

ବିଦେଶୀ ବିଦ୍ୱାନ ଏବଂ ଇତିହାସକାରମାନେ ଭାରତରେ ବ୍ରାହ୍ମଣମାନଙ୍କର ଆଧିପତ୍ୟ ଥିଲା ବୋଲି କୌଣସିଠାରେ ଉଲ୍ଲେଖ କରିନାହାନ୍ତି। କିନ୍ତୁ ଭାରତରେ ବ୍ରାହ୍ମଣମାନଙ୍କୁ ଅନ୍ୟ ଜାତିର ଲୋକମାନେ ସମ୍ମାନ ଦେଉଥିଲେ ବୋଲି ଉଲ୍ଲେଖ ରହିଛି।

ଜର୍ମାନୀର ଲେଖକ ୟୁର୍ଗନ୍ ଆଣ୍ଡର୍‌ସନ୍ ୧୬୬୯ରେ ଲେଖିଥିବା ତାଙ୍କ ପୁସ୍ତକରେ ଉଲ୍ଲେଖ କରିଛନ୍ତି ଯେ, ଗୁଜୁରାଟରେ ବୈଶ୍ୟମାନେ ବ୍ରାହ୍ମଣମାନଙ୍କ ଅପେକ୍ଷା ଅଧିକ ପ୍ରଭାବଶାଳୀ ଥିଲେ। ଭାରତ ପ୍ରସଙ୍ଗରେ ସବୁ ବିଦେଶୀ ଇତିହାସକାର ଓ ଲେଖକଙ୍କ ମତ ହେଉଛି ଭାରତରେ ବିଭିନ୍ନ ଜାତି ମଧ୍ୟରେ କୌଣସି ବୈମନସ୍ୟଭାବ ବା ହୀନଭାବ ନଥିଲା। ସବୁ ଜାତି ମଧ୍ୟରେ ସହଯୋଗ ରହିଥିଲା ଓ ସମସ୍ତେ ପରସ୍ପର ମଧ୍ୟରେ ସହଯୋଗ ରକ୍ଷା କରୁଥିଲେ। କେହି କାହାରି କାର୍ଯ୍ୟ ଉପରେ ଦଖଲ କରୁ ନଥିଲେ କି କାହା ଉପରେ ଈର୍ଷା କରୁ ନଥିଲେ। ୧୩୦୦ ଶତାବ୍ଦୀର ତାମିଲ୍ କବି କମ୍ବନ୍ ତାଙ୍କ ଲିଖିତ କବିତାରେ ମଧ୍ୟ ଏକଥା ଦର୍ଶାଇଛନ୍ତି।

ବସ୍ତୁତଃ ଶହ ଶହ ବର୍ଷ ଧରି ହିନ୍ଦୁମାନଙ୍କ ମଧ୍ୟରେ ଜ୍ଞାନୀ, ସତ୍ୟଭାଷୀ ଏବଂ ବ୍ରହ୍ମବାଦୀମାନଙ୍କୁ ଉଚ୍ଚବୋଲି କୁହାଯାଉଥିଲା। ଯେକୌଣସି ଜାତିର ବ୍ୟକ୍ତି ମଧ୍ୟରେ ପ୍ରବୃତ୍ତି ଏବଂ ଯୋଗ୍ୟତା ଥିଲେ ସେମାନଙ୍କୁ ଉପଯୁକ୍ତ ସମ୍ମାନ ଦିଆଯାଉଥିଲା। ସେଇଥିପାଇଁ ସବୁ ଜାତିରେ ମହାନ୍ ଜ୍ଞାନୀ, କବି ଓ ସନ୍ଥମାନେ ଥିଲେ ଏବଂ ସେମାନଙ୍କୁ ସମସ୍ତେ ସମ୍ମାନ ଦେଉଥିଲେ।

୧୫୦୦ ଶତାବ୍ଦୀର ମହାନ୍ ସନ୍ଥ ରବି ଦାସ ଲେଖିଛନ୍ତି ଯେ, ତାଙ୍କ ଜାତିର ଲୋକେ ଯେତେବେଳେ ବନାରସରେ ଶବ ବୋହୁଥିଲେ। ସେତେବେଳେ ପ୍ରତିଷ୍ଠିତ ବ୍ରାହ୍ମଣମାନେ ତାଙ୍କୁ ସମ୍ମାନ ପ୍ରଦାନ କରୁଥିଲେ। ହଜାର ହଜାର ବର୍ଷ ହେବ ହିନ୍ଦୁ ସମାଜରେ ବିଭିନ୍ନ ଜାତି ସଂଗଠିତ ଓ ସମର୍ଥ ଥିଲେ। ସେମାନଙ୍କ ମଧ୍ୟରେ ଗତିଶୀଳତା ଓ ସ୍ୱତନ୍ତ୍ରତା ଥିଲା।

କିନ୍ତୁ ମୁସଲମାନଙ୍କ ଆକ୍ରମଣ ପରେ ହିନ୍ଦୁ ସମାଜ ଉପରେ ଏକ ଭିନ୍ନ ଚାପ ପଡ଼ିଲା ଓ ହିନ୍ଦୁ ସମାଜର ଅସ୍ତିତ୍ୱକୁ ନେଇ ସଂକଟ ଦେଖାଦେଇଥିଲା। ଯେତେବେଳେ ହିନ୍ଦୁ ଶାସକମାନେ ଦୁର୍ବଳ ହୋଇଥିଲେ, ସେତେବେଳେ ବିଭିନ୍ନ ଜାତି ରାଜନୈତିକ କ୍ଷେତ୍ରରେ ପଦାର୍ପଣ କରିଥିଲେ। ଯଥାସମ୍ଭବ ସେମାନେ ମୁସଲମାନଙ୍କୁ ପ୍ରତିରୋଧ କରିଥିଲେ।

ଏହି ପ୍ରକ୍ରିୟାରେ କିଛି ଦୁର୍ଗୁଣ ମଧ୍ୟ ସୃଷ୍ଟି ହୋଇଥିଲା। ପରସ୍ପର ମଧ୍ୟରେ ଦୂରତା ଓ ଅସ୍ପୃଶ୍ୟତାର ଚଳଣି ମଧ୍ୟ ଆରମ୍ଭ ହୋଇଯାଇଥିଲା। ଦଶମ ଶତାବ୍ଦୀରେ ମହମ୍ମଦ ଗଜନୀଙ୍କ ସହ ଭାରତ ଆସିଥିବା ଅଲ ବରୁନି ଲେଖିଛନ୍ତି ଯେ ହିନ୍ଦୁମାନଙ୍କ ମଧ୍ୟରେ ଜାତି ବ୍ୟବସ୍ଥା ଥିଲା, ହେଲେ ଅସ୍ପୃଶ୍ୟତା ନଥିଲା। ସବୁ ଜାତି ପରସ୍ପର ମଧ୍ୟରେ ସୁସମ୍ପର୍କ ରକ୍ଷା କରି ସହାବସ୍ଥାନ କରୁଥିଲେ।

ମୁସଲମାନଙ୍କ ଆକ୍ରମଣ ପରଠାରୁ ହିନ୍ଦୁ ସମାଜ ମଧ୍ୟରେ ସୁରକ୍ଷାର ଚିନ୍ତା ଏପରିକି ବିଭାଜନ ଓ ଜଡ଼ତାର ଆରମ୍ଭ ହୋଇଥିଲା। ବ୍ରିଟିଶ୍ ଅଧିକାରୀ ହୋରେସ୍ ଆର୍ଥର ରୋସ୍ ୧୯୧୧ରେ ଲେଖିଥିବା ତାଙ୍କ ପୁସ୍ତକରେ ଉଲ୍ଲେଖ କରିଛନ୍ତି। ପରବର୍ତ୍ତୀ ସମୟରେ ଇଂରେଜ ଶାସକ ଏବଂ ଖ୍ରୀଷ୍ଟିଆନ୍ ମିଶନାରୀମାନେ ହିନ୍ଦୁ ସମାଜରେ ବିଦ୍ୱେଷଭାବ ସୃଷ୍ଟି କରାଇଥିଲେ।

ଭାରତର ଏକତା ଓ ନିରନ୍ତରତାକୁ ଭାଙ୍ଗିଦେବାକୁ ପ୍ରଚେଷ୍ଟା କରିଥିଲେ। ହିନ୍ଦୁ ସଂସ୍କୃତି (ଧର୍ମ) ପରମ୍ପରା ଭାରତର ସବୁଠାରୁ ପୁରାତନ ଓ ଗଭୀର ପରିଭାଷା ଥିଲା। ଏଥିପାଇଁ ସବୁଜାତି ମଧ୍ୟରେ ସୁସମ୍ପର୍କ ଥିଲା ଓ ସମସ୍ତେ ଏକତା ସୂତ୍ରରେ ବନ୍ଧା ହୋଇରହିଥିଲେ। ଖ୍ରୀଷ୍ଟିଆନ୍ ମିଶନାରୀ ଏହି ସୁସମ୍ପର୍କକୁ ଭାଙ୍ଗିବା ପାଇଁ ଉଦ୍ୟମ କରିଥିଲେ ଓ ଏବେ ମଧ୍ୟ କରୁଛନ୍ତି।

ଇତିହାସର ତଥ୍ୟ ଅନୁସାରେ ପ୍ରାଚୀନ ଭାରତରେ ସବୁଜାତିର ଲୋକମାନେ ସହଯୋଗ ଓ ସାଂସ୍କୃତିକ ମୂଲ୍ୟବୋଧ ଅନୁସାରେ ଚଳୁଥିଲେ। କିନ୍ତୁ ଏବେ ଦେଶରେ ଜାତିମାନଙ୍କୁ ପରସ୍ପର ମଧ୍ୟରେ ଲଢେଇ ପାଇଁ ପ୍ରୋତ୍ସାହିତ କରାଯାଉଛି, ଯାହା ବାସ୍ତବରେ ବିଭିନ୍ନ ରାଜନୈତିକ ଦଳର ଗାଦି ବା ଶାସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା। ପୂର୍ବେ ଜାତିମାନେ ଧର୍ମର ପାଳନ କରୁଥିଲେ ଓ ସେମାନଙ୍କର ମର୍ଯ୍ୟାଦାଗାନ ଥିଲା।

ଏବେ ଜାତିମାନେ ନିଜ ନିଜକୁ ସ୍ୱତନ୍ତ୍ର ବୋଲି ଆଖ୍ୟା ଦେଇ ଅନ୍ୟମାନଙ୍କ ଅପେକ୍ଷା ଗୁରୁତ୍ୱପୂର୍ଣ୍ଣ ବୋଲି ଜାହିର କରୁଥିବାରୁ ସାମାଜିକ ସମ୍ପର୍କ ବିକୃତ ହୋଇଯାଉଛି। ରାଜନେତାମାନେ ମଧ୍ୟ ଏମାନଙ୍କୁ ଲୋଭ ଓ ଈର୍ଷାର ପ୍ରତିଯୋଗିତା ପାଇଁ ପ୍ରୋତ୍ସାହିତ କରୁଛନ୍ତି।

ସାମାଜିକ ନ୍ୟାୟର କଥା କହୁଥିବା ରାଜନୈତିକ ଦଳ ଜାତିବିହୀନ ଭାରତ କଥା ଚିନ୍ତା କରୁ ନାହାଁନ୍ତି। ଏମାନେ କେବଳ ଧର୍ମବିହୀନ ଜାତିର କଥା କହୁଛନ୍ତି। ଏହା ନେତାମାନଙ୍କ ପାଇଁ ଅନେକ ସମୟରେ ତତ୍କାଳୀକ ଲାଭଦାୟକ ହୋଇପାରେ। କିନ୍ତୁ ସମ୍ପୂର୍ଣ୍ଣ ହିନ୍ଦୁ ସମାଜ ପାଇଁ ଆତ୍ମଘାତି ହୋଇପାରେ।

ଦୁର୍ଭାଗ୍ୟବଶତଃ ନିଜକୁ ରାଷ୍ଟ୍ରବାଦୀ ବୋଲି କହୁଥିବା ରାଜନେତାମାନେ ମଧ୍ୟ ରାଜନୈତିକ ଲାଭ ପାଇଁ ଏ ସବୁ କଥାକୁ ପ୍ରୋତ୍ସାହିତ କରୁଛନ୍ତି। ଅନ୍ୟଥା ବିଭିନ୍ନ ସମୟରେ ଜାତିକୁ ନେଇ ମନଇଛା ବୟାନବାଜି କରନ୍ତେ କାହିଁକି?

ଗୋପାଳ ମହାପାତ୍ର

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

ରାମଚନ୍ଦ୍ରପୁର, ରଣପୁର

ଇମେଲ୍: [email protected]

Caste System Casteism
Advertisment
Advertisment