ଟିମ୍ ଇଣ୍ଡିଆ ଯେତେବେଳେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ପ୍ରଥମ ମ୍ୟାଚ୍ ଜିତିଲା, ସେତେବେଳେ ଆୟୋଜକ ଟିମ୍ ସିରିଜ୍ ଜିତିବ ବୋଲି ଆଶା କରାଯାଉଥିଲା। କିନ୍ତୁ ରୋହିତ ଶର୍ମା ଅଧିନାୟକ ଭାବେ ଟିମ୍କୁ ଫେରିବା ପରେ ପରିସ୍ଥିତି ବଦଳିଗଲା ଏବଂ ଟିମ୍ ପରବର୍ତ୍ତୀ ଦୁଇଟି ମ୍ୟାଚ୍ ହାରି ସିରିଜ୍ ହାତଛଡ଼ା କରିଦେଲା।
ଏହି ସିରିଜ୍ ପରାଜୟକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଦ୍ୱିତୀୟ ମ୍ୟାଚ୍ରେ ଆୟୋଜକ ଟିମ୍ ମାତ୍ର ୧୧୭ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା, ଯେଉଁଠି ପରାଜୟ ସୁନିଶ୍ଚିତ ଥିଲା। ଏହାପରେ ନିର୍ଣ୍ଣାୟକ ମ୍ୟାଚ୍ରେ ଟିମ୍ ୨୭୦ ରନ୍ର ବିଜୟ ଲକ୍ଷ୍ୟ ହାସଲ କରିପାରି ନ ଥିଲା।
ଏଠାରେ ରୋହିତ ଶର୍ମାଙ୍କ ଅଧିନାୟକୀୟ ଓ ରାହୁଲ ଦ୍ରାବିଡ଼ଙ୍କ ପ୍ରଶିକ୍ଷଣ ଦକ୍ଷତା ଉପରେ ଅଙ୍ଗୁଳି ନିର୍ଦ୍ଦେଶ ହେବା ସ୍ୱାଭାବିକ। ଟିମ୍ର ସାମଗ୍ରିକ ପ୍ରଦର୍ଶନ ଉପରେ ଅଧିକ ପ୍ରଶ୍ନ ଉଠୁଛି। ନା ଖେଳାଳିଙ୍କ ପ୍ରଦର୍ଶନରେ ନିରନ୍ତରତା ରହିଛି ନା ସେମାନେ ନିଜ ମାଟିରୁ ଫାଇଦା ଉଠାଇ ପାରୁଛନ୍ତି। ଯେଉଁ ପିଚ୍ରେ ଖେଳାଳି ବର୍ଷ ବର୍ଷ ଧରି ଖେଳି ଆସୁଛନ୍ତି, ଯାହାର ସ୍ଥିତି ଓ ବାତାବରଣ ସହ ସେମାନେ ଭଲ ଭାବେ ପରିଚିତ, ସେଠାରେ ହାରିବା ଚିନ୍ତାର ବିଷୟ।
Also Read
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ବିଫଳତା ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ଦିନିକିଆ ବିଶ୍ୱକପ୍ ପାଇଁ ଟିମ୍ର ପ୍ରସ୍ତୁତି ଉପରେ ପ୍ରଶ୍ନଚିହ୍ନ ଲଗାଇ ଦେଇଛି। ତେବେ କାହିଁକି ହାରିଲା ରୋହିତ ସେନା? କେଉଁଠି ରହିଲା ସମସ୍ୟା?
ନାମୀ-ଦାମୀ ବ୍ୟାଟର୍ ଫେଲ୍:
ଏକଦା ଦିନିକିଆ କ୍ରିକେଟ୍ରେ ଘରୋଇ ମାଟିରେ ଟିମ୍ ଇଣ୍ଡିଆର ଶୀର୍ଷକ୍ରମ ବ୍ୟାଟର୍ - ରୋହିତ ଶର୍ମା, ଶିଖର ଧାବନ ଓ ବିରାଟ କୋହଲିଙ୍କ ଆଧିପତ୍ୟ ଥିଲା। ଅଧିକାଂଶ ମ୍ୟାଚ୍ରେ ସେମାନଙ୍କ ମଧ୍ୟରୁ କେହି ନା କେହି ଶତକ-ଅର୍ଦ୍ଧଶତକ ଲଗାଉଥିଲେ। ଶିଖର ଏବେ ଟିମ୍ରେ ନାହାନ୍ତି, ବିରାଟଙ୍କ ସେହି ସମୟ ଆଉ ନାହିଁ ଏବଂ ରୋହିତଙ୍କ ପ୍ରଦର୍ଶନରେ ନିରନ୍ତରତାର ଅଭାବ ରହିଛି।
ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ରେ ରୋହିତ ଓ ବିରାଟ ମିଶିକି ୧୫୦ ରନ୍ ବି କରିପାରି ନ ଥିଲେ। ଏହାକୁ ବିଫଳତାର ଏହା ସବୁଠାରୁ ବଡ଼ କାରଣ କୁହାଯାଇପାରେ।
ଶୁଭମନ ଗିଲ୍, ରବୀନ୍ଦ୍ର ଜାଡ଼େଜା, ହାର୍ଦ୍ଦିକ ପାଣ୍ଡ୍ୟା ମିଳିତ ଭାବେ ଟିମ୍କୁ ନିରାଶ କରିଥିଲେ। ସବୁ ଫର୍ମାଟ୍ରେ ଭଲ ପ୍ରଦର୍ଶନ କରିଆସୁଥିବା ଶୁଭମନ ପୂରା ସିରିଜ୍ରେ କଷ୍ଟେମଷ୍ଟେ ୫୦ ସଂଖ୍ୟାକୁ ଅତିକ୍ରମ କରିପାରିଥିଲେ। ଜାଡ଼େଜା ୭୯ ଓ ପାଣ୍ଡ୍ୟା ୬୬ ରନ୍ କରିଥିଲେ। ଉଭୟ ଅଲ୍ରାଉଣ୍ଡର୍ ଏବଂ ସବୁ ମ୍ୟାଚ୍ରେ ବ୍ୟାଟିଂରେ ସେମାନଙ୍କ ଉପରେ ଚାପ ରହୁଥିଲା।
ଆହତ ଶ୍ରେୟାସ ଆୟରଙ୍କ ଅନୁପସ୍ଥିତିରେ ଟିମ୍ରେ ସୁଯୋଗ ପାଇଥିବା ସୂର୍ଯ୍ୟକୁମାର ଯାଦବ ତିନିଟିଯାକ ମ୍ୟାଚ୍ରେ ଖାତା ଖୋଲିପାରି ନ ଥିଲେ। ଟି-୨୦ର ବିସ୍ଫୋରକ ବ୍ୟାଟର୍ଙ୍କ ଏଭଳି ବିଫଳତା କେହି ଆଶା କରି ନ ଥିଲେ। ଅନ୍ୟପଟେ ଲୋକେଶ ରାହୁଲ ପ୍ରଥମ ମ୍ୟାଚ୍ରେ ଟିମ୍ର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ, ହେଲେ ପରବର୍ତ୍ତୀ ଦୁଇ ମ୍ୟାଚ୍ରେ ବିଫଳ ହୋଇଥିଲେ।
ଅଷ୍ଟ୍ରେଲିଆର ବାମହାତି ପେସର୍ ମିଚେଲ୍ ଷ୍ଟାର୍କ ପ୍ରଥମ ଦୁଇ ମ୍ୟାଚ୍ରେ ଟିମ୍ ଇଣ୍ଡିଆର ଶୀର୍ଷ କ୍ରମର ପୁରୁଣା ଦୁର୍ବଳତାକୁ ପୁଣି ଥରେ ଉଜାଗର କରିଥିବା ବେଳେ ଆଦାମ ଜମ୍ପା ପ୍ରମାଣିତ କରିଥିଲେ ଯେ ଗୁଣାତ୍ମକ ଲେଗ୍ ସ୍ପିନ୍ ବୋଲିଂ ଜରିଆରେ ଭାରତୀୟ ଟିମ୍କୁ ତା’ରି ଘରେ ହରାଯାଇପାରିବ।
ଏ କଥା ବି ମନେ ରଖିବାକୁ ହେବ ଯେ ଅଷ୍ଟ୍ରେଲିଆ ତା’ର ମୁଖ୍ୟ ପେସର୍ ତଥା ଅଧିନାୟକ ପାଟ୍ କମିନ୍ସଙ୍କ ଅନୁପସ୍ଥିତିରେ ଏହି ସିରିଜ୍ ଜିତିଥିଲା।
ବୁମ୍ରାଙ୍କ ଅଭାବ ଓ ଶାମୀଙ୍କ ବିଫଳତା:
ଯେତେବେଳେ ଯଶପ୍ରୀତ ବୁମ୍ରା ଭାରତୀୟ ଟିମ୍ରେ ନ ଥା’ନ୍ତି ଏବଂ ଟିମ୍ ମ୍ୟାଚ୍ ହାରିଯାଏ, ସେତେବେଳେ ବୁମ୍ରେ ବହୁତ ମନେପଡ଼ନ୍ତି। ମନେପଡ଼ିବା ସ୍ୱାଭାବିକ, କାରଣ ସେ ପେସ୍ ବାହିନୀର ନେତୃତ୍ୱ ନିଅନ୍ତି। ତାଙ୍କ ବୋଲିଂ ଶୈଳୀ ଅନ୍ୟମାନଙ୍କ ଠାରୁ ଭିନ୍ନ। ସେ ଡେଥ୍ ଓଭର୍ ବିଶେଷଜ୍ଞ, ୟର୍କର ପକାଇବାରେ ପାରଙ୍ଗମ।
ତେବେ ଆଘାତଜନିତ କାରଣରୁ ବୁମ୍ରା ଦୀର୍ଘଦିନ ହେଲା ଟିମ୍ରୁ ଦୂରରେ ଅଛନ୍ତି। ଏହା ଭିତରେ ଟିମ୍ ଇଣ୍ଡିଆ ଏସିଆ କପ୍, ଟି-୨୦ ବିଶ୍ୱକପ୍ ଏବଂ ବିଭିନ୍ନ ଫର୍ମାଟ୍ରେ ଅନେକ ଦ୍ୱିପାକ୍ଷିକ ଶୃଙ୍ଖଳା ଖେଳିସାରିଲାଣି। ଏ ବର୍ଷ ସେପ୍ଟେମ୍ବରରେ ଏସିଆ କପ୍ ଓ ଅକ୍ଟୋବର-ନଭେମ୍ବରରେ ଦିନିକିଆ ବିଶ୍ୱକପ୍ ଆୟୋଜିତ ହେବ। ସେତେବେଳକୁ ସେ ସମ୍ପୂର୍ଣ୍ଣ ଫିଟ୍ ହୋଇଯାଇଥିବେ ବୋଲି କେହି ଦୃଢ଼ତାର ସହ କହିପାରିବେ ନାହିଁ।
ଅଧିକ ଗୁରୁତ୍ୱ ରଖୁଥିବା ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ରେ ବୁମ୍ରାଙ୍କ ଅଭାବ ଅଧିକ ଅନୁଭୂତ ହୋଇଥିଲା। କାରଣ ଟିମ୍ ଏହି ସିରିଜ୍ ହାରିଥିଲା ଏବଂ ତାଙ୍କ ଅନୁପସ୍ଥିତିରେ ବରିଷ୍ଠ ପେସର୍ ମହମ୍ମଦ ଶାମୀ ଆଶାଜନକ ପ୍ରଦର୍ଶନ କରିପାରି ନ ଥିଲେ। ପ୍ରାୟତଃ ବୋଲିଂ-ଅନୁକୂଳ ପିଚ୍ରେ ଖେଳାଯାଇଥିବା ତିନି ମ୍ୟାଚ୍ରେ ଶାମୀ କେବଳ ତିନି ୱିକେଟ୍ ନେଇଥିଲେ ଏବଂ ତାଙ୍କ ଇକୋନୋମୀ ରେଟ୍ ୫.୫ ଠାରୁ ଅଧିକ ଥିଲା।
ମହମ୍ମଦ ସିରାଜ ବି ଖାସ୍ ପ୍ରଦର୍ଶନ କରିପାରି ନ ଥିଲେ। ଏହାଛଡ଼ା ଅନେକ ଅବସରରେ ଦେଖିବାକୁ ମିଳୁଥିଲା ଯେ ଭାରତୀୟ ସ୍ପିନର୍ଙ୍କ ତୁଳନାରେ ଅଷ୍ଟ୍ରେଲୀୟ ସ୍ପିନର୍ ଅଧିକ ପ୍ରଭାବଶାଳୀ ପ୍ରଦର୍ଶନ କରୁଛନ୍ତି।
ଅନ୍ୟତମ ବରିଷ୍ଠ ପେସର୍ ଭୁବନେଶ୍ୱର କୁମାରଙ୍କୁ ଟି-୨୦ ବିଶ୍ୱକପ୍ ପରଠାରୁ ଆଉ ସୁଯୋଗ ମିଳୁ ନାହିଁ ଯେତେବେଳେ କି ସେ ଅତୀତରେ ସୀମିତ ଓଭର୍ ଟିମ୍ର ଅଭିନ୍ନ ଅଙ୍ଗ ରହିଆସୁଥିଲେ। ଅର୍ଶଦୀପ ସିଂହଙ୍କ ଭଳି ପ୍ରତିଭାଶାଳୀ ବାମହାତି ପେସର୍ ବି ସୁଯୋଗ ଅପେକ୍ଷାରେ ଅଛନ୍ତି।
ଆସନ୍ତା ଦୁଇ ମାସ ଧରି ଭାରତୀୟ ଖେଳାଳିମାନେ ଆଇପିଏଲ୍ରେ ବ୍ୟସ୍ତ ରହିବେ। ଏହାପରେ ଇଂଲଣ୍ଡରେ ବିଶ୍ୱ ଟେଷ୍ଟ୍ ଚାମ୍ପିଅନ୍ସିପ୍ ଫାଇନାଲ୍। ପରେ ପରେ ୱେଷ୍ଟ୍ଇଣ୍ଡିଜ୍ ଗସ୍ତରେ ଟେଷ୍ଟ୍, ଦିନିକିଆ ଓ ଟି-୨୦ ସିରିଜ୍।
ଏହାପରେ ଏସିଆ କପ୍ ଭଳି ବଡ଼ ଟୁର୍ଣ୍ଣାମେଣ୍ଟର ଆହ୍ୱାନ ଏବଂ ବିଶ୍ୱକପ୍ର ଠିକ୍ ପୂର୍ବରୁ ଘରେ ଅଷ୍ଟ୍ରେଲିଆ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍।
ଏସିଆ କପ୍କୁ ଛାଡ଼ିଦେଲେ, ଭାରତ ପାଖରେ ଦ୍ୱିପାକ୍ଷିକ ଦିନିକିଆ ସିରିଜ୍ର ଛଅଟି ମ୍ୟାଚ୍ ରହିଛି। ଏହି ସୀମିତ ସୁଯୋଗ ମଧ୍ୟରେ ଟିମ୍ ମ୍ୟାନେଜ୍ମେଣ୍ଟ୍କୁ ମଜଭୁତ ଟିମ୍ ସଂଯୋଜନା ପ୍ରସ୍ତୁତ କରିବାକୁ ହେବ। ପ୍ରତିଭାଶାଳୀ ଯୁବ ଖେଳାଳିଙ୍କୁ ନେଇ ପରୀକ୍ଷାନିରୀକ୍ଷା କରାଯିବା ବି ଜରୁରୀ।
ଇମେଲ୍: biswasports@gmail.com
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)