• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ମହାମାରୀ କରୋନା କାଳରେ କୌଳିକ ବୃତ୍ତି ହରାଇବା ଚିନ୍ତାରେ ବୁଣାକାର

  • କାମ ବନ୍ଦ ଥିବାରୁ ଦୟନୀୟ ହୋଇପଡିଛି କୋରାପୁଟ କୁଲାବିରା ପଂଚାୟତର ବୁଣାକାରଙ୍କ ଅବସ୍ଥା

  • ରକ୍ଷଣାବେକ୍ଷଣ ଅଭାବରୁ ଖତ ଖାଉଛି ଲକ୍ଷ ଲକ୍ଷ ଟଙ୍କାର ଲୁଗା ବୁଣା ଯନ୍ତ୍ରାଂଶ

ଲମତାପୁଟ, ବରଗଡ଼ (ଜଗତ ଜୀବନ କାଚିମ୍ ଏବଂ ଦୀପକ ଶର୍ମା) : ବୁଣାକାରଙ୍କୁ ଘାରିଛି କୌଳିକ ବୃତ୍ତି ହରାଇବା ଚିନ୍ତା । ଦୀର୍ଘ ବର୍ଷ ହେଲା କାମ ବନ୍ଦ ପଡିଥିବାରୁ ଦୟନୀୟ ହୋଇପଡିଛି କୋରାପୁଟ କୁଲାବିରା ପଂଚାୟତର ବୁଣାକାରମାନଙ୍କ ଅବସ୍ଥା । ରକ୍ଷଣାବେକ୍ଷଣ ଅଭାବରୁ ଲକ୍ଷ ଲକ୍ଷ ଟଙ୍କାର ଲୁଗା ବୁଣା ଯନ୍ତ୍ରାଂଶ ଖତ ଖାଉଛି । ତାଲିମ କେନ୍ଦ୍ର ପୁନରୁଦ୍ଧାର ପାଇଁ ଦାବି ଉଠିଛି । ସେପଟେ କରୋନା କଟକଣା ଯୋଗୁ ବରଗଡ଼ ଜିଲ୍ଲାରେ ବିକ୍ରିବଟା କମିଛି, ଫଳରେ ଆର୍ଥିକ ଅନଟନରେ କାଳ କାଟୁଛନ୍ତି ବୁଣାକାର ।

ଦିନେ କାରିଗରଙ୍କୁ କାମରୁ ଫୁରସତ୍ ମିଳୁନଥିଲା । ଭଳିକି ଭଳି ଶାଢୀ, ଲୁଙ୍ଗି, ଗାମୁଛା ତିଆରି ହୋଇ ବିକ୍ରି ପାଇଁ ଯାଉଥିଲା । କିନ୍ତୁ ଏବେ ଧୂଳି ଧୁସରିତ ହୋଇ ଖତ ଖାଉଛି ଲକ୍ଷ ଲକ୍ଷ ଟଙ୍କାର ଲୁଗା ବୁଣା ସାମଗ୍ରୀ ଗୁଡିକ । ବିଭାଗୀୟ ଅଧିକାରୀଙ୍କ ରକ୍ଷଣାବେକ୍ଷଣ ଅଭାବରୁ ଗଲା ୨୫ ବର୍ଷ ହେଲା ବନ୍ଦ ପଡିଛି କୋରାପୁଟ ନନ୍ଦପୁର ବ୍ଲକର ପାତୁଆ ଗାଁର ବହୁମୁଖୀ ବୁଣାକାର ସମବାୟ ସମିତି ଓ ତାଲିମ କେନ୍ଦ୍ର । ଫଳରେ ଏହି କେନ୍ଦ୍ରରେ କାମ କରୁଥିବା କୁଲାବିରା ପଂଚାୟତର ପ୍ରାୟ ୨୦ ତନ୍ତି ପରିବାର ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି । ତାଲିମ କେନ୍ଦ୍ରର ପୁନରୁଦ୍ଧାର ପାଇଁ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଜଣାଉଥିଲେ ବି ବଦଳିପାରୁନି ସ୍ଥିତି । ଏନେଇ ପଟ୍ଟାଙ୍ଗି ବିଧାୟକ କହିଛନ୍ତି, କରୋନା କଟକଣା ଯୋଗୁ ଉନ୍ନୟନ କାମ ବନ୍ଦ ରହିଛି ଏବଂ ତାଲିମ କେନ୍ଦ୍ରକୁ ପୁନରୁଦ୍ଧାର କରିବାକୁ ଚେଷ୍ଟା କରାଯିବ ।

ସେପଟେ କରୋନା ମହାମାରୀ ଯୋଗୁ ବରଗଡ଼ ଜିଲ୍ଲାରେ ବୁଣାକାରମାନେ ଆର୍ଥିକ ଅନଟନରେ ଗତି କରୁଛନ୍ତି । ସମ୍ବଲପୁରୀ ବସ୍ତ୍ରକୁ ନେଇ ଜିଲ୍ଲାରେ ବାର୍ଷିକ ଶହେ କୋଟି ଟଙ୍କାର କାରବାର ହୋଇଥାଏ । ମାତ୍ର କଟକଣା ଯୋଗୁ ସହରର ବାଲିଜୁରୀ ସମେତ ସହରାଂଚଳ ଓ ଗ୍ରାମାଂଚଳରେ ବଜାର ବନ୍ଦ ରହିଛି । ଫଳରେ ବୁଣାକାରଙ୍କ ବସ୍ତ୍ର ବିକ୍ରି ହୋଇପାରୁନଥିବାବେଳେ କଞ୍ଚାମାଲ ଆଣିବା କଷ୍ଟକର ହୋଇପଡିଛି । ଏନେଇ ବରଗଡ଼ ବୟନଶିଳ୍ପ ସହକାରୀ ନିର୍ଦ୍ଦେଶକ କହିଛନ୍ତି, ବୁଣାକାରଙ୍କ ପାଇଁ କୌଣସି ସରକାରୀ ଯୋଜନା ନାହିଁ । ତେବେ ଧୀରେ ଧୀରେ ବଜାର ଖୋଲୁଥିବାରୁ ବୁଣାକାରଙ୍କ ଆର୍ଥିକ ଅବସ୍ଥାରେ ସୁଧାର ଆସିବ ।